ଚଣ୍ଡୀଗଡ଼ରୁ ଉଠିବ କର୍ଫ୍ୟୁ, ଦୋକାନ ଓ ଯାନବାହାନ ପାଇଁ ଲାଗୁ ହେବ ଅଡ୍ ଇଭିନ୍

Published: May 2, 2020, 11:30 pm IST

ଚଣ୍ଡୀଗଡ : ପଞ୍ଜାବ-ହରିୟାଣାର ରାଜଧାନୀ ତଥା କେନ୍ଦ୍ରଶାସିତ ପ୍ରଦେଶ ଚଣ୍ଡୀଗଡ ପ୍ରଶାସନ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ କର୍ଫ୍ୟୁକୁ ହଟାଯାଇ ଅଡ୍‌ଇଭିନ୍‌କୁ ଜାରି କରାଯିବ। ରାଜ୍ୟରେ ଜାରି କରାଯାଇଥିବା କର୍ଫ୍ୟୁକୁ ଆସନ୍ତା ମେ ତିନି ତାରିଖରୁ ଉଠାଇଦିଆଯିବ । ମେ ତିନି ତାରିଖ ରାତ୍ରିରୁ କର୍ଫ୍ୟୁ ସମାପ୍ତ ହୋଇଯିବ କିନ୍ତୁ ଲକ୍ ଡାଉନ୍‌ ମେ 17 ପର୍ଯ୍ୟନ୍ତ ଚାଲୁ ରହିବ। ସେହିପରି ମେ 4 ତାରିଖରୁ ବଜାର ଓ ଗାଡିରେ ଅଡ୍‌ ଇଭିନ୍‌ ଫର୍ମୁଲା ଲାଗୁ କରାଯିବ । ମେ ଚାରି ତାରିଖଠାରୁ ଇଭିନ୍‌ ନମ୍ବର ଦୋକାନ ଓ ଇଭିନ୍‌ ନମ୍ବର ଗାଡି ଚାଲୁ ହେବ । ସେହିପରି ସକାଳ 7ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏଥିପାଇଁ କୌଣସି ପାସ୍‌ ଆବଶ୍ୟକତା ପଡିବ ନାହିଁ ବୋଲି ସୂଚନା ଦିଆଯାଇଛି । ମେ 17 ପର୍ଯ୍ୟନ୍ତ ସପିଂ ମଲ୍‌ ବନ୍ଦ ରହିବ । ଚଣ୍ଡୀଗଡରେ ଏପର୍ଯ୍ୟନ୍ତ 88ଟି ମାମଲା ସାମ୍ନାକୁ ଆସିଛି । ଏଥିରୁ 17 ଜଣ ସୁସ୍ଥ ହୋଇଥିବାବେଳେ ଏଠାରେ କରୋନା ଜନିତ ମୃତ୍ୟୁ ହୋଇନାହିଁ ।

ତେବେ ପଞ୍ଜାବରେ ଶନିବାର ଦିନ ସର୍ବାଧିକ 187ଟି ମାମଲା ଆସିଛି । ମହାରାଷ୍ଟ୍ର ନାନ୍ଦେଡ୍‌ର ହଜୁର୍‌ ସାହିବରୁ ଫେରିଥିବା ତୀର୍ଥଯାତ୍ରୀଙ୍କୁ ପାଇଁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ରାଜ୍ୟରେ ଏପର୍ଯ୍ୟନ୍ତ 772 ଜଣ ଆକ୍ରାନ୍ତ ରହିଥିବାବେଳେ 20ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ହରିୟାଣାରେ 360 ଜଣ ସଂକ୍ରମିତ ରହିଥିବାବେଳେ 4ଜଣଙ୍କର ମୃତ୍ୟୁ ଘଟିଛି । (ଏଜେନ୍ସି)

Related posts