ଟ୍ରେନ୍‌ ଧକ୍କାରେ 16 ଜଣ ଶ୍ରମିକଙ୍କ ମୃତ୍ୟୁ

Published: May 8, 2020, 8:02 am IST

ମୁମ୍ବାଇ : ଦେଶରେ କରୋନା ସଂକଟକୁ ଦେଖି ଲକ୍ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ପ୍ରବାସୀ ଶ୍ରମିକ । ଦେଶର ଭିନ୍ନ ଭିନ୍ନ ସହରରେ ଫସି ରହିଥିବାବେଳେ ଲକ୍‌ ଡାଉନ୍‌ ଯୋଗୁଁ କାମ ଓ ଖାଦ୍ୟ ନ ପାଇ ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରୁଛନ୍ତି । କେହି କେହି ଚାଲି ଚାଲି ତ କିଏ ସାଇକେଲ୍‌ରେ ତ ପୁଣି କିଏ ରେଳ ଧାରଣାରେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି ଶ୍ରମିକମାନେ।

ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ଟ୍ରେନ୍‌ ଧକ୍କାରେ 16 ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଆଜି ଭୋର୍‌ ପ୍ରାୟ 6ଟା ବେଳେ ଏଭଳି ଏକ ଅଘଟଣ ଘଟିଥିବାର ସୂଚନା ରହିଛି । ଟ୍ରେନ୍‌ ଟ୍ରାକ୍‌ ଯୋଗେ ଘରକୁ ଫେରୁଥିବାବେଳେ ମାଲଗାଡି ଟ୍ରେନ୍‌ ଧକ୍କାର ଶିକାର ହୋଇଛନ୍ତି ଶ୍ରମିକମାନେ। ଔରଙ୍ଗାବାଦ-ନାନ୍ଦେଡ୍ ରୁଟ୍‌ର କର୍ମଦ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ସମସ୍ତ ଶ୍ରମିକ ଜାଲାନା କାରଖାନାରେ କାମ କରୁଥିଲା। ଶ୍ରମିକମାନେ ଜାଲାନାଠାରୁ ଭୁସାବଲ ଯାଉଥିଲେ। ସେଠାରୁ ଛତିଶଗଡ ଯାଇପାରିବେ ବୋଲି ଶ୍ରମିକମାନେ ଆଶା କରିଥିଲେ।

ଦେଶରେ କରୋନା ଯୋଗୁଁ ଲାଗୁ ହୋଇଥିବା ଲକ୍‌ ଡାଉନ୍‌ ଯୋଗୁଁ ଗୋଟେ ରାଜ୍ୟକୁ ଆଉ ଗୋଟିଏ ରାଜ୍ୟକୁ ଯିବା ଆସିବା ଉପରେ ପ୍ରତିବନ୍ଧକ ଲାଗିଛି । କୌଣସି ଯାତାୟତ ସୁବିଧା ଉପଲବ୍ଧ ହେଉନାହିଁ । ବସ୍‌ ଟ୍ରେନ୍‌ ସବୁ ସେବା ବନ୍ଦ ହୋଇଛି । କେବଳ ବିଶେଷ ସର୍ତ୍ତ ଅନୁସାରେ କିଛି ଯାତାୟତକୁ ଅନୁମତି ପ୍ରଦାନ କରାଯାଇଛି । ଏପରି ସମୟରେ ବିଭିନ୍ନ ସମୟରେ ଫସି ରହିଥିବା ଶ୍ରମିକମାନେ ଚାଲି ଚାଲି ନିଜ ରାଜ୍ୟରେ ପହଞ୍ଚୁଛନ୍ତି । ତେବେ ଭାରତ ସରକାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚାଲୁକରିଥିବା ସତ୍ତ୍ବେ ବି ଶ୍ରମିକମାନେ ଚାଲଚାଲି ଘରେ ପହଞ୍ଚୁଥିବାର ଦେଖାଯାଉଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା 17,974ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା 694କୁ ବୃଦ୍ଧି ହୋଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ସଂକ୍ରମିତଙ୍କସଂଖ୍ୟା 11,394ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 437ରେ ପହଞ୍ଚିଛି । (ଏଜେନ୍ସି)

Related posts