କରୋନାରେ ଆଗ୍ରା ଜେଲ୍‌ର ଜଣେ କଏଦୀର ମୃତ୍ୟୁ

Published: May 9, 2020, 11:35 pm IST

ଆଗ୍ରା : ଦେଶରେ କରୋନା ସ୍ଥିତି ଜଟିଳ ଥିବାବେଳେ ଉତ୍ତରପ୍ରଦେଶରେ ମଧ୍ୟ କରୋନା ବ୍ୟାପକ ଭାବରେ ପ୍ରଭାବ ବିସ୍ତାର କରିଛି। ରାଜ୍ୟର ସର୍ବାଧିକ ରୋଗୀ ଆଗ୍ରାଠାରୁ ଚିହ୍ନଟ ହୋଇଛି। ଆଜି ଏଠାରେ ଆଜୀବନ ସଜ୍ଜା କାଟୁଥିବା ଜଣେ କଏଦୀଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି।

ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର କରୋନା ଭାଇରସ୍‌ ଯୋଗୁଁ ଜଣେ କଏଦୀର ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। କଏଦୀଙ୍କ ବୟସ 60 ବର୍ଷ ହୋଇଥିବାର ଜଣାପଡିଛି। ଜେଲ ଅଧୀକ୍ଷକ ଏହି ମୃତ୍ୟୁ ନେଇ ସୂଚନା ଦେଇନ୍ତି। କଏଦୀ ଜଣକ ଚିକିତ୍ସିତ ହେବା ପାଇଁ ଏସଏନ୍‌ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ଶନିବାର ଦିନ ଦ୍ବିପ୍ରହର ସମୟରେ କଏଦୀଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। କଏଦୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟିନ୍‌ କରାଯାଉଛି। କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଜାରି ରହିଛି। ଆଗ୍ରାରେ ଲକ୍‌ ଡାଉନ୍‌ ଜାରି ରହିଥିବା ସତ୍ତ୍ବେ କରୋନା ମାମଲା ବଢିବାରେ ଲାଗିଛି। ଆଗ୍ରାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 455ରେ ପହଞ୍ଚିଛି। ସେହିପରି ଏହି ଜିଲ୍ଲାରେ 21ଜଣଙ୍କର ମୃତ୍ୟୁ ହୋଇଛି ।

ଶନିବାର ଦିନ ଉତ୍ତରପ୍ରଦେଶରୁ ମୋଟ୍‌ 163ଟି ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 3,373ରେ ପହଞ୍ଚିଛି। 74ଜଣଙ୍କର ଜୀବନ ଯାଇଛି। ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 1800 ରହିଥିବାବେଳେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆଗ୍ରା। ସେହିପରି କାନପୁରରେ 235ଜଣ, ମେରଠରେ 144, ନୋଏଡାରେ 103  ଓ ରାଜଧାନୀ ଲକ୍ଷ୍ନୌରେ ମୋଟ 30ଟି ଆକ୍ଟିଭ୍‌ କେସ୍‌ ରହିଛି।

Related posts