ହସ୍ପିଟାଲରେ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ

Published: May 10, 2020, 12:00 am IST

ମୁମ୍ବାଇ : ଦେଶରେ କରୋନା ଭାଇରସର ମାମଲା ବୃଦ୍ଧି ପାଇବାରେ ଲାଗିଛି । କରୋନା କାରଣରୁ ଲୋକଙ୍କ ମନ ଭିତରେ ମଧ୍ୟ ଭୟ ଓ ସଂଶୟ ବସା ବାନ୍ଧିଛି । ଏହା ମଧ୍ୟରେ ମହାରାଷ୍ଟ୍ରରେ ଜଣେ କରୋନ ସଂକ୍ରମିତ ହସ୍ପିଟାଲରେ ଆତ୍ମହତ୍ୟା କରିଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମୁମ୍ବାଇର ସେଭେନ୍‌ ହିଲ୍ସ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । 60 ବର୍ଷୀୟ ଏହି ଆକ୍ରାନ୍ତ ଜଣକ ହସ୍ପିଟାଲର ନବମ ମହଲାର ଛାତ ଉପରେ ଏକ ଷ୍ଟିଲ୍‌ ଆଙ୍ଗଲ୍‌ରେ ନିଜ ପାଇଜାମାର ଦଉଡିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଯାଞ୍ଚ ପରେ ତାଙ୍କ ମୃତ ଘୋଷଣା କରାଯାଇଥିଲା । ଆକ୍ରାନ୍ତ ଜଣକ ବିକ୍ରୋଲି ଅଞ୍ଚଳର ନିବାସୀ ଥିଲେ ବୋଲି ଜଣାପଡିଛି । ନିକଟରେ ସେ କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଥିଲା । ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ, ଦେଶର ସର୍ବାଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଜଣାପଡୁଛି । ଏଠାରେ 20ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତଙ୍କ ସଂଖ୍ୟା ରହିଥିବାବେଳେ ମୃତ୍ୟୁ ସଂଖ୍ୟା 779ରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ରର ମୁମ୍ବାଇ ସହର ସର୍ବାଧିକ କରୋନା ସଂକ୍ରମିତ ଅଞ୍ଚଳ ରୂପେ ପରିଚିହ୍ନିତ ହୋଇଛି । ଏଠାରେ ମୋଟ୍‌ 12, 864 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବେଳେ ଏପର୍ଯ୍ୟନ୍ତ 489ଜଣଙ୍କର ମୃତ୍ୟୁ ହୋଇସାରିଛି ।

 

Related posts