ଲଦାଖ ସୀମାରେ ଉଡିଲା ଚୀନ୍‌ ବିମାନ : ଯୁଦ୍ଧବିମାନ ପଠାଇଲା ଭାରତ

Published: May 12, 2020, 5:21 pm IST

ଲଦାଖ : ଲଦାଖ ନିୟନ୍ତ୍ରଣ ରେଖାର ସୀମା ନିକଟରେ ଚୀନ୍‌ର ବିମାନ ଉଡିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ଏହାର ଯୁଦ୍ଧ ବିମାନକୁ ସୀମାନ୍ତକୁ ପଠାଯାଇଛି । ମଙ୍ଗଳବାର ପ୍ରଥମେ ଚୀନ୍‌ ବିମାନ ନିୟନ୍ତ୍ରଣ ରେଖା ନିକଟରେ ଉଡୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ଭାରତୀୟ ବାୟୁସେନା ପକ୍ଷରୁ ଯୁଦ୍ଧ ବିମାନ ଲଦାଖ ସୀମାନ୍ତକୁ ପ୍ରେରଣ କରାଯାଇଥିଲା । ତେବେ ବାୟୁସେନା ପକ୍ଷରୁ ଏହାକୁ ନିୟମିତ ରୁଟିନ୍‌ ବୋଲି ଅଭିହିତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ , ତିନି ଦିନ ପୂର୍ବରୁ ସିକ୍କିମ୍‌ ନିୟନ୍ତ୍ରଣ ରେଖାରେ ଉଭୟ ପକ୍ଷର ସେନା ପାସ୍ପର ସହିତ ହାତହାତି ହୋଇଥିଲେ । ଏହି ଘଟଣା ପରେ ପରସ୍ପର ସୀମାରେ ଯୁଦ୍ଧବିମାନ ଉଡାଣକୁ ନେଇ ଯୁଦ୍ଧ ଆଶଙ୍କା ଦେଖାଦେଇଥିବା ବେଳେ ଭାରତୀୟ ବାୟୁସେନା ଏହାକୁ ଖଣ୍ଡନ କରିଛି । ଚୀନ୍‌ ବିମାନ ଗୁଡିକ ଚୀନ୍‌ର ପରିସୀମା ମଧ୍ୟରେ ଉଡୁଥିବା ବେଳେ ଭାରତୀୟ ପରିସୀମା ମଧ୍ୟରେ ଭାରତୀୟ ବିମାନ ଗୁଡିକ ଉଡୁଥିଲା ଯାହାକି ଦୈନନ୍ଦିନ କାର୍ଯ୍ୟ । ତେଣୁ ଏହି ଘଟଣାକୁ ଅଧିକ ସ୍ପର୍ଶକାତର ନକରିବା ପାଇଁ ବାୟୁସେନା ପକ୍ଷରୁ କୁହାଯାଇଛି । (ଏଜେନ୍ସି)

Related posts