ଇ-ପାସ୍‌ ଥିବା ସତ୍ତ୍ବେ ସୀମା ପାର୍‌ ହେବାକୁ ମିଳିଲାନି ଅନୁମତି : ଘଟଣାସ୍ଥଳରେ ହୃଦ୍‌ଘାତରେ ମୃତ୍ୟୁବରଣ କଲେ ବୃଦ୍ଧ ବ୍ୟକ୍ତି

Published: May 13, 2020, 8:42 pm IST

ମଧ୍ୟପ୍ରଦେଶ : କରୋନା ଭାଇରସ୍‌ ଯୋଗୁଁ ସାରା ଦେଶରେ ଲକ୍ ଡାଉନ୍‌ ଜାରି ହୋଇଛି। ତେବେ ଏହି ଲକ୍‌ ଡାଉନ୍‌ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଚାଲିଯାଉଛି। ଏହିପରି ଏକ ଦୁଃଖଦ ଘଟଣା ମଧ୍ୟପ୍ରଦେଶର ଓମରିଆଠାରେ ଘଟିଯାଇଛି । ଇ-ପାସ୍‌ ଥିବା ସତ୍ତ୍ବେ ବୃଦ୍ଧଙ୍କୁ ଛତିଶଗଡ ସୀମା ପାର୍‌ ହେବାକୁ ଅନୁମତି ମିଳିନଥିବାରୁ ଘଟଣାସ୍ଥଳରେ ବୃଦ୍ଧଙ୍କର ହାର୍ଟ ଆଟାର୍କରେ ମୃତ୍ୟୁ ହୋଇଛି । ସାରା ଦେଶରେ କରୋନା ଯୋଗୁଁ ସୁରକ୍ଷା ଅଧିକାରୀ ମାନେ ଦିନ ରାତି ଏକାଠି କରି ଲୋକଙ୍କୁ ସେବା ଯୋଗଉଥିବାବେଳେ ଆଜି ଏଠାରେ ନିୟୋଜିତ ରହିଥିବା ସୁରକ୍ଷା ଅଧିକାରୀଙ୍କ ସମ୍ବେଦନହୀନତା ଦେଖିବାକୁ ମିଳିଛି ।

ମଧ୍ୟପ୍ରଦେଶରେ ଉମାରିଆ ଜିଲ୍ଲର 78 ବର୍ଷୀୟ କେଶବ ମିଶ୍ର ଜଣେ ହୃଦରୋଗ ରୋଗୀ ଥିଲେ । ଚିକିତ୍ସା ପାଇଁ ତାଙ୍କ ଭାଇ ଇ ପାସ୍‌ ଆଣିଥିଲେ।  ପରିବାର ସଦସ୍ୟ ତାଙ୍କୁ ଚିକିତ୍ସା ପାଇଁ ବିଳାସପୁର ସ୍ଥିତ ଆପୋଲ ହସ୍ପିଟାଲକୁ ନେଉଥିଲେ । କିନ୍ତୁ ଅନୁପପୁର ଜିଲ୍ଲାର ସୀମା ପାଖରେ ଛତିଶଗଡ-ମଧ୍ୟପ୍ରଦେଶ ବର୍ଡର ପାଖରେ ନିୟୋଜିତ  ଥିବା ଅଧିକାରୀମାନେ ତାଙ୍କୁ ଆଗକୁ ଯିବାକୁ ଅନୁମତି ଦେଇନଥିଲେ ।

78 ବର୍ଷୀୟ ବୃଦ୍ଧ ହାତ ଯୋଡ଼ି ସୀମାରେ ଉପସ୍ଥିତ ଥିବା ଅଧିକାରୀଙ୍କୁ ବର୍ଡର ପାର୍‌ କରିବାକୁ ଅନୁମତି ମାଗିଥିଲେ । କିନ୍ତୁ ଅଧିକାରୀମାନେ ତାଙ୍କୁ ଆଗକୁ ଯିବାକୁ ଦେଇନଥିଲେ । ସେହିଠାରେ ହିଁ ବୃଦ୍ଧ ବ୍ୟକ୍ତିଙ୍କର ହୃଦ୍‌ଘାତ ଜନିତ ମୃତ୍ୟୁ ଘଟିଥିଲା ।

ପରିବାର ଲୋକେ ଏନେଇ ଛତିଶଗଡ ପୋଲିସ୍‌ ଉପରେ ଅଭିଯୋଗ କରିଛନ୍ତି । ପୋଲିସ୍‌ର ସମ୍ବେଦନହୀନତା ଯୋଗୁଁ ଗାଡିକୁ ଜାଣିଶୁଣି ଅଟକ ରଖାଯାଇଥିଲା । ଇ-ପାସ୍‌ ଦେଖାଇବା ସହ ହାତ ଯୋଡ଼ି ଅନୁନୟ କରିବା ସତ୍ତ୍ବେ ବି ସେମାନେ କାହାରି କଥା ଶୁଣିନଥିଲେ । ଯାହାଫଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି ବୃଦ୍ଧଙ୍କ ପରିବାର ଲୋକେ । ବୃଦ୍ଧଙ୍କ ମୃତ୍ୟୁ ପରେ ଛତିଶଗଡ ସରକାରଙ୍କଠୁ ପରିବାର ଲୋକେ ନ୍ୟାୟ ମାଗିଛନ୍ତି । ଏହାପରେ ଘଟଣା ସ୍ଥଳରେ ଟିକେ ଉତ୍ତେଜନାମୟ ପରିସ୍ଥିତି ଉପୁଜିବାରୁ ଆମ୍ବୁଲାନ୍ସ ଜରିଆରେ ମୃତ କେଶକ ପ୍ରସାଦ ମିଶ୍ରଙ୍କୁ ଘରକୁ ପଠାଇଥିଲେ ଅଧିକାରୀ ।(ଏଜେନ୍ସି)

Related posts