ମ.ରାମପୁର ଅଞ୍ଚଳରେ ନକଲି ମାଓବାଦୀ ଗିରଫ

Published: May 27, 2020, 8:58 am IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଂଚଳରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଚାନ୍ଦା ମାଗୁଥିବା ଅଭିଯୋଗରେ ଛଅ ଜଣ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁସାରେ ମ.ରାମପୁର ଥାନା ଅନ୍ତର୍ଗତ ସିଂହପୁର ଗ୍ରାମର ଜୟପ୍ରକାଶ ପ୍ରଧାନ (୨୫), ଚନ୍ଦ୍ରକାନ୍ତ ତାଣ୍ଡି (୨୮), ପିପଲପଡା ଗ୍ରାମର ଭୁବନାନନ୍ଦ ନାଏକ (୩୨) ତିନି ଜଣ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ମ.ରାମପୁରର କନିଷ୍ଠ ଯନ୍ତ୍ରୀ ବୈଶାଖୁ ହରିଜନଙ୍କ ଠାରୁ ବିଭିନ୍ନ ସମୟରେ ଧମକ ଚମକ ଦେଇ ଚାନ୍ଦା ଅସୁଲି କରିଆସୁଥିଲେ । ଏ ସଂପର୍କରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ପୋଲିସକୁ ଖବର ଦେବାପରେ ପୋଲିସ ପକ୍ଷରୁ କେଶ ନଂ.୮୧/୨୦୨୦ ଆଇପିସି ୩୮୬/୩୮୭/୫୦୭/୪୧୦/୪୬୮ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହିତ ମୋବାଇଲ ଟ୍ରାକିଂ କରାଯାଇଥିଲା ।

ସଂପୃକ୍ତ ନକଲି ମାଓବାଦୀ ମାନଙ୍କୁ ଠାବ କରି ଗିରଫ କରିବା ସହିତ ବିନା କାଗଜପତ୍ରରେ ମୋବାଇଲ ସିମକାର୍ଡ ଯୋଗାଇଥିବା ମ.ରାମପୁର ଥାନା ଅନ୍ତର୍ଗତ ଝାଲିଆଗୋଭା ଗ୍ରାମର ମଙ୍ଗଳୁ ନାଏକ ( ୩୫ ) ଓ ମ.ରାମପୁର ଗ୍ରାମର ବଳରାମ ସାହୁ ( ୨୫ ) ଏବଂ ନର୍ଲା ଥାନା ଅନ୍ତର୍ଗତ ଭାଟେଲ ଗ୍ରାମର ଶ୍ରୀକାନ୍ତ ନାଏକ (୨୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ମ.ରାମପୁର ଥାନାଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀଙ୍କ ସୂତ୍ରରୁ ପ୍ରକାଶ ।

Related posts