କ୍ବାରେଣ୍ଟାଇନ୍‌ ସେଣ୍ଟରରେ ବିବାହ କଲେ ଫେରାର ହୋଇଯାଇଥିବା ପ୍ରେମୀ ଯୁଗଳ

Published: May 29, 2020, 10:57 am IST

ପୁରୀ : କ୍ବାରେଣ୍ଟାଇନ୍‌ ସେଣ୍ଟରରେ ବିବାହ କଲେ ପ୍ରେମୀ ଯୋଡ଼ି । କରୋନା ମୁକାବିଲା ପାଇଁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ କ୍ବାରେଣ୍ଟାଇନ୍‌ ସେଣ୍ଟର କରାଯାଇଛି। ତେବେ ଏହି କ୍ବାରେଣ୍ଟାଇନ୍‌ ସେଣ୍ଟରରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ପ୍ରେମୀ ଯୁଗଳ । ମିଳିଥିବା ସୂଚନା ଅନୁସାରେ ଏହି ପ୍ରେମୀ ଯୋଡିଙ୍କ ନିଜ ଘର ପୁରୀ ଜିଲ୍ଲା ସଗଦା ଗ୍ରାମରେ। ଏହି ପ୍ରେମୀ ଯୁଗଳଙ୍କ ନାମ ହେଉଛି ସୌରଭ-ପିଙ୍କି । ଦୁହେଁ ଜାନୁଆରୀ ମାସରେ ଘର ଛାଡି ଗୁଜୁରାଟ ପଳାଇଥିଲେ । ତେବେ କରୋନା ବ୍ୟାପିବା ପରେ ସେମାନେ ଓଡ଼ିଶା ଫେରିଥିଲେ। ଗୁଜୁରାଟରୁ ଫେରି ସେମାନେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ଦୁହେଁ 14 ଦିନିଆ କ୍ବାରେଣ୍ଟାଇନ୍‌ ଅବଧି ସମାପ୍ତ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହେଁ ଓଡ଼ିଶା ଛାଡି ଗୁଜୁରାଟ ପଳାଇଥିବାବେଳେ ସେଠାରେ ସୌରଭ ଏକ ପ୍ଲାଷ୍ଟିକ୍‌ ଫ୍ୟାକ୍ଟ୍ରିରେ କାମ କରୁଥିଲେ । କିନ୍ତୁ ଲକ୍‌ ଡାଉନ୍‌ ପାଇଁ ଫ୍ୟାକ୍ଟ୍ରି ବନ୍ଦ ହୋଇଯିବା କାରଣରୁ ଚାକିରି ହରାଇ ଦୁହେଁ ନିଜ ଗ୍ରାମକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ ।

ଦୁହେଁ ଅହମ୍ମଦାବାଦରୁ ମେ 10କୁ ଫେରିଥିବାବେଳେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ଦୁହିଁଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଥିବାବେଳେ ସେମାନଙ୍କ ରିପୋର୍ଟ କିନ୍ତୁ ନେଗେଟିଭ୍‌ ଆସିଥିଲା । ଅପରପକ୍ଷରେ ସୌରଭଙ୍କ ପ୍ରେମିକା ଗର୍ଭବତୀ ହୋଇଥିବାର ସୂଚନା ମିଳିଥିଲା । ଏହାପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସଗଦା ଗ୍ରାମ କ୍ବାରେଣ୍ଟାଇନ୍‌ ସେଣ୍ଟରରେ 14 ଦିନ ରହିବା ପରେ ମେ 24ରେ ଦୁହେଁ ବିବାହ କରିଥିଲେ । ଦୁଇଜଣଙ୍କ ପରିବାର ସଦସ୍ୟ ଉପସ୍ଥିତ ନଥିବା ସ୍ଥଳେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ନିୟୋଜିତ ରହିଥିବା ଦୁଇ ଶିକ୍ଷକ ଏହି ପ୍ରେମୀଯୁଗଳଙ୍କ ଅଭିଭାବକ ରୂପେବ ବିବାହ କରାଇଥିଲେ । ତେବେ ସରପଞ୍ଚ, ଓ୍ବାର୍ଡ ସଦସ୍ୟ, ଆଶା କାର୍ଯ୍ୟକର୍ତ୍ତା ଓ ଅଙ୍ଗନଓ୍ବାଡି କାର୍ଯ୍ୟକର୍ତ୍ତାମନେ ଅଂଶଗ୍ରହଣ କରି ବାହାଘରକୁ ସଫଳ କରାଇଥିଲେ ।

Related posts