ନୂଆଦିଲ୍ଲୀ : ଦିନକୁ ଦିନ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 73 ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା4 ହଜାର 9 ଶହ ଟପିଲାଣି ।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ 7964ଟି ନୂଆ କରୋନା ମାମଲା ସାମନାକୁ ଆସିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 73 ହଜାର 763 ରେ ପହଂଚିଛି। ଏପର୍ଯ୍ୟନ୍ତ ଭାରତରେ 4 ହଜାର 971 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 82,370 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 86,422 ସକ୍ରିୟ ଅଛନ୍ତି। ଏବେ 86 ହଜାର 422 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 62 ହଜାର 228 ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି 2098 ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ 980, ମଧ୍ୟପ୍ରଦେଶରେ 334 ଓ ପଶ୍ଚିମବଙ୍ଗରେ 302 ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ 184, ଦିଲ୍ଲୀରେ 398 ଓ ତାମିଲନାଡୁରେ 154 ଜଣଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)