ବଜ୍ରପାତରେ ନେଲା ୩ ଜୀବନ, ଜଣେ ଗୁରୁତର

Published: Jun 1, 2020, 9:17 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଆଜି ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛି । ଚିକିଟି ବ୍ଲକ୍ ଅନ୍ତର୍ଗତ ପାରସମ୍ବା ଶିବମନ୍ଦିର ନିକଟରେ ବଜ୍ରପାତରେ ନନ୍ଦିନୀ ବେହେରା (୧୮)ଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ଘର ଚିକିଟି ଗଡ଼ କୁମ୍ଭାର ସାହିରେ ହୋଇଥିବାବେଳେ ସେ ଅଜାଘର ପାରସମ୍ବା ଯାଇଥିଲେ । ବଜ୍ରପାତ ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଡ଼ାକ୍ତରଖାନାରେ ପୋଲିସ୍ ଓ ପ୍ରଶାସନ ପହଞ୍ଚି ଅନୁକମ୍ପା ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଦାବି କରିଛନ୍ତି ।

ସେହିପରି ବୁଗୁଡ଼ା ବ୍ଲକ୍ ତାକରଡ଼ା ଗ୍ରାମରେ ମଧ୍ୟ ବଜ୍ରପାତ ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ତାକରଡ଼ା ଗ୍ରାମର ନୀଳାଞ୍ଚଳ ଆଲଟିଆ, ସନ୍ତୋଷ ଗୌଡ଼ ଓ ବଳରାମ ଗୌଡ଼ କାମକରିବାକୁ ଯାଇଥିଲେ । ଅପରାହ୍ନରେ ବର୍ଷା ହେବା ଯୋଗୁଁ ଡ଼େଙ୍ଗାବାଡ଼ି ଗ୍ରାମର ଏକ ଦୋକାନ ବାରଣ୍ଡାରେ ବସିଥିବାବେଳେ ବଜ୍ରପାତ ଘଟିଥିଲା । ତିନିଜଣଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ଡାକ୍ତର ନିଳାଞ୍ଚଳ ଆଲଟିଆ (୩୦) ଓ ସନ୍ତୋଷ ଗୌଡ଼ଙ୍କୁ ମୃତ ଘୋଷଣା କରିଥିଲେ । ବଳରାମ ଗୌଡ଼ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସେହିପରି ବୁଗୁଡ଼ା ବ୍ଲକ୍ ବୁରୁଝୋଳା ଗ୍ରାମର ସୀମାଞ୍ଚଳ ପ୍ରଧାନ (୬୭)ଙ୍କ ମଧ୍ୟ ବଜ୍ରଘାତ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

Related posts