ଦିନ 1ଟାରୁ 4ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ‘ନିସର୍ଗ’

Published: Jun 3, 2020, 11:16 am IST

ମୁମ୍ବାଇ : ଆଜି ଦିନ 1ଟାରୁ 4ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ‘ନିସର୍ଗ’ । ଭୀଷଣ ବାତ୍ୟାର ରୂପ ନେଇ ଆଲିବାଗଠାରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ନିର୍ସଗ । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାକୁ 100ରୁ 120 କିମି ରହିବ । ବାତ୍ୟା ’ନିସର୍ଗ’ ପ୍ରଭାବରେ ସମୁଦ୍ରରେ 2ରୁ 3 ଫୁଟର ଜୁଆର ଉଠିବ ବୋଲି ସୂଚନା ରହିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ନିସର୍ଗ ଆଲିବାଗଠାରୁ 140 କିଲୋମିଟର ଦୂରରେ ଥିବାବେଳେ ମୁମ୍ବାଇଠାରୁ 190କିଲୋମିଟର ଦୂରରେ ରହିଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ 80 ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ମୁମ୍ବାଇରେ ବାତ୍ୟା ମୁକାବିଲା ପାଇଁ ମହାରାଷ୍ଟ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମୁମ୍ବାଇରେ 20 ଏନ୍‌ଡିଆରଏଫ୍‌ ଟିମ୍‌ ମୂତୟନ ରହିଛନ୍ତି । ବାତ୍ୟା ପାଇଁ ମୁମ୍ବାଇରେ 144 ଧାରା ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟା ସ୍ଥିତି ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌, ଦମକଳ ଓ ସେନାକୁ ଆଲର୍ଟ କରାଯାଇଛି । ମହାରାଷ୍ଟ୍ରର ପାଲଘରଠାରେ ପବନ ହେବା ସହିତ ଗଛ ଉପୁଡି ପଡୁଥିବାର ସୂଚନା ରହିଛି ।

ମୁମ୍ବାଇ ବ୍ୟତୀତ ଏହି ବାତ୍ୟା ଗୁଜୁରାଟକୁ ମଧ୍ୟ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଏଥିପାଇଁ ଗୁଜୁରାଟର ଅହମ୍ମଦାବାଦରେ ବର୍ଷା ଆରମ୍ଭ ହୋଇଗଲାଣି ।  ଗୁଜୁରାଟର ନବସାରୀ ନିକଟ ସମୁଦ୍ରରେ ଉଚ୍ଚ ଲହରୀ ଉଠିଥିବାର ଦେଖିବାକୁ ମିଳିଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବଲସାଡ ଓ ନବସାରୀ ଜିଲ୍ଲା ପ୍ରଶାସନ ରାଜ୍ୟର ତଟୀୟ ଅଞ୍ଚଳରେ ଥିବା 47ଟି ଗ୍ରାମରୁ ପ୍ରାୟ 20 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଇଛନ୍ତି ।(ଏଜେନ୍ସି)

Related posts