
ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଡତିରା ପଞ୍ଚାୟତ ସ୍ଥିତ ଜଡତିରା ଗ୍ରାମର ଶୁକାନ୍ତ ନାଥଶର୍ମା (୫୧)ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ତାମିଲନାଡୁ ଯାଇଥିଲେ। କାଙ୍ଗାୟାମ୍ ରୋଡ୍ ପୁଦୁପାଲିୟମଠାରେ ଏକ ବେସରକାରୀ ସଂସ୍ଥାରେ ସେ କାମକରୁଥିଲେ। କରୋନା ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଲକଡାଉନ୍ ପରିସ୍ଥିତି ଉପୁଜିବା କାରଣରୁ ଶୁକାନ୍ତକୁ ନିଜ ଭିଟାମାଟିକୁ ଫେରିବାକୁ ପଡିଲା। ପାଖରେ ଅର୍ଥର ଅଭାବ ସହିତ ଗାଡ଼ି ମଟର ଚାଲୁ ନଥିବାରୁ ସେ କିଛି ହାତ ଉଧାରୀ ଟଙ୍କା ଯୋଗାଡକରି ତାମିଲନାଡୁରୁ ଏକ ସାଇକେଲ କିଣି ସାଇକେଲ ଯୋଗେ ଏକା ଏକା ତାମିଲନାଡୁ ରାଜ୍ୟର ତିରିପୁରୁ କାଙ୍ଗାୟମ୍ ରୋଡ୍ ପୁଦୁପାଲିୟମରୁ ମେ ମାସ ୨୦ ତାରିଖରୁ ବାହାରି ତିର୍ତ୍ତୋଲରେ ଚଳିତ ମାସ ୧ତାରିଖ ସୋମବାର ଦିନ ପହଞ୍ଚିଥିଲେ। ଦିର୍ଘ ୧୨ଦିନ ଧରି ଅବିଶ୍ରାନ୍ତ ଭାବରେ ସାଇକେଲ ଚଳାଇ ତାମିଲନାଡୁରୁ ତିର୍ତ୍ତୋଲ ପଳାଇ ଆସିବା ଖବର ଅଞ୍ଚଳବାସୀଙ୍କୁ ଚକିତ କରିଛି। ସେ ଏବେ ଜଡତିରା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ଜଣାପଡିଛି। ତାଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରସଂଶା କରାଯିବା ସହିତ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି।