Categories
ଆଜିର ଖବର

ଗାଧୋଇବାକୁ ଯାଇ ଯୁବକ ନିଖୋଜ: ଖୋଜୁଛନ୍ତି ତିର୍ତ୍ତୋଲ ଅଗ୍ନିଶମ ବିଭାଗ କର୍ମଚାରୀ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଆମ୍ବେରି ପଞ୍ଚାୟତ ସ୍ଥିତ ଆମ୍ବେରି ଗ୍ରାମର ଜଣେ ଯୁବକ ନିକଟସ୍ଥ ପାଇକା ନଦୀରେ ଗାଧଉଥିବା ବେଳେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଛି।

ସୂଚନାନୁଯାୟୀ ଉକ୍ତ ପଞ୍ଚାୟତ ସ୍ଥିତ ଆମ୍ବେରୀ ଗ୍ରାମର ଅକ୍ଷୟ ମଲ୍ଲିକଙ୍କ ୧୮ ବର୍ଷର ପୁଅ ସୁମନ ମଲ୍ଲିକ ଆଜି ଦିନ ପାଖାପାଖି ୧୨ଟା ବେଳେ ନିଜ ଗାଁ ଠାରୁ ପ୍ରାୟ ଏକ କି.ମି ଭରାଗୋଳ ପାଇକା ନଦୀରେ ଗାଧଉଥିବା ବେଳେ ପାଣିରେ ବୁଡ଼ି ଯାଇଥିଲା। ସେଠାରେ ଗାଧଉଥିବା ଅନ୍ୟମାନେ ଡାକପକାଇବା ସହିତ ସ୍ଥାନୀୟ ଲୋକମାନଙ୍କ ସହିତ ମିଶି ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସୁମନର କୌଣସି ସନ୍ଧାନ ପାଇପାରି ନଥିଲା।

ଏସଂମ୍ପର୍କରେ ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ମଧ୍ୟାହ୍ନ ଠାରୁ ପାଇକା ନଦୀରେ ବୁଡି ଖୋଜା ଖୋଜି ଚଲାଇଥିଲେ ମଧ୍ୟ ସଂନ୍ଧ୍ୟାବେଳ ପର୍ଯ୍ୟନ୍ତ ସୁମନର କୌଣସି ସନ୍ଧାନ ମିଳିପାରି ନାହିଁ। ଅକ୍ଷୟ ମଲ୍ଲିକଙ୍କ ତିନି ଝିଅ ମଧ୍ୟରୁ ସୁମନ ଏକମାତ୍ର ପୁଅ ବୋଲି ଜଣାପଡିଛି। ଚପଲ ଓ ବସ୍ତ୍ର ଗାଧୁଆ ଗାଧୁଆ ତୁଠରେ ଥୁଆ ହୋଇଥିବା ବେଳେ ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି କାନ୍ଦ ବୋବାଳି କରୁଛନ୍ତି।

ଏହି ଖବର ବିଜୁଳି ବେଗରେ ଚାରିଆଡେ ପ୍ରଘଟ ହୋଇ ଯିବାରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସୁମନକୁ ଖୋଜାଖୋଜି କରୁଥିବା ପାଇକା ନଦୀ ସ୍ଥଳରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସିରସ୍ତାରୁ ବଟିରା ପର୍ଯ୍ୟନ୍ତ କେନାଲ କାର୍ଯ୍ୟ: କୋଟି କୋଟି ଟଙ୍କାର ଅର୍ଥ ହଡ଼ପ ଉଦ୍ୟମ

ରମେଶ ମହାନ୍ତି
ଜଗତସିଂହପୁର: ଗାଁ ଗହଳିର ଉନ୍ନତିକରଣ ନିମନ୍ତେ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଥିବା ବେଳେ ଠିକାଦାରଙ୍କ ସହ ବିଭାଗୀୟ କିଛି ଅସାଧୁ ଅଫିସରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯେନତେନ ପ୍ରକାରେ ନିମ୍ନମାନର କାର୍ଯ୍ୟ କରି ସିଂହ ଭାଗ ଅର୍ଥକୁ ଚଳୁ କରିବାରେ ଠିକାଦାର ସଫଳ ହେଉଥିବା ଅଭିଯୋଗ ହେଉଛି।

ଅଭିଯୋଗ ଅନୁଯାୟୀ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତର ସିରସ୍ତା ଠାରୁ ବଟିରା ପର୍ଯ୍ୟନ୍ତ ପାଇକା ବାମପାର୍ଶ୍ୱ କେନାଲ ଓ ବନ୍ଧର ପୁନଃରୁଦ୍ଧାର ନିମନ୍ତେ (ଏମ୍.ସି.ଆଇ)ମହାନଦୀ ଚିତ୍ରୋତ୍ପଳା ଆଇଲାଣ୍ଡ ଇରିକେସନ ବିଭାଗ ପକ୍ଷରୁ ପାଖାପାଖି ୯କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା କାର୍ଯ୍ୟ ଏଷ୍ଟିମେଣ୍ଟ ଅନୁସାରେ କରାନଯାଇ ଅତ୍ୟନ୍ତ ନିମ୍ନମାନର ଭାବେ ଯେନତେନ ପ୍ରକାରେ କାର୍ଯ୍ୟ କରାଯାଉଥିବା କୁହାଯାଉଥିବା ବେଳେ ବିଭାଗୀୟ କିଛି ଅଧିକାରୀଙ୍କୁ କରାୟତ କରି ଠିକାଦାର ଏହି କୋଟି କୋଟି ଟଙ୍କାର ଅର୍ଥକୁ ଚଳୁ କରିଦେବାକୁ ଉଦ୍ୟମ କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ବିଭାଗୀୟ ଏମ୍.ସି.ଆଇ କାର୍ଯ୍ୟାଳୟ ଏସ୍.ଡି.ଓ ଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଏଷ୍ଟିମେଣ୍ଟ ଅନୁଯାୟୀ ଏହି କେନାଲବନ୍ଧ ସୁଦୃଢୀକରଣ, ବନ୍ଧ ମଜବୁତ୍, ମାଟିକାମ, ୫ଟି ବ୍ରିଜ୍ କାର୍ଯ୍ୟ, କେନାଲ୍ ଖୋଳା କାର୍ଯ୍ୟ ସହିତ କେନାଲ ଭିତର ବନ୍ଧ କଡରେ ନିର୍ମାଣ ହେଉଥିବା ଦେବାଲ୍ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଭାବେ କରାଯାଇ ଯଥାଶୀଘ୍ର ଏହାକୁ ଘୋଡାଇବାକୁ ମାଟି ଚଢାଇ ଦିଆଯାଉଛି ବୋଲି କୁହାଯାଉଛି। ଉକ୍ତ କାର୍ଯ୍ୟର ତଦାରଖ ଦାୟିତ୍ବରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କୁ କାର୍ଯ୍ୟ ସ୍ଥଳରେ ଦେଖିବାକୁ ମିଳୁନାହିଁ ବୋଲି ସ୍ଥାନୀୟ ବାସିନ୍ଦାଙ୍କଠୁ ଶୁଣିବାକୁ ମିଳୁଛି।

ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମଧୁଚନ୍ଦ୍ରିକାରେ ଏହି କାର୍ଯ୍ୟ ଚାଲିଥିବା କୁହାଯାଉଥିବା ବେଳେ ଯେନତେନ ପ୍ରକାରେ ନିମ୍ନମାନର କାର୍ଯ୍ୟ କରି ଠିକାଦାର କୋଟି କୋଟି ଟଙ୍କାର ଅର୍ଥକୁ ହଡପ୍ କରି ଚଳୁ କରିଦେବାକୁ ଉଦ୍ୟମ କରୁଥିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବିଭାଗୀୟ ଉଚ୍ଚପଦାଧିକାରୀ ଉକ୍ତ କାର୍ଯ୍ୟ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାପା ମା ଆଖି ଆଗରେ କୁନି ପୁଅର ଜୀବନ ନେଲା ଇନୋଭା ଗାଡ଼ି: କୋଟକଣା ବଜାରରେ ରାସ୍ତାରୋକ

ରମେଶ ମହାନ୍ତି

ଜଗତସିଂହପୁର: ବୁଧବାର ସଂଧ୍ୟାରେ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତାରେ ଦୃତ ଗତିରେ ଆସୁଥିବା ଏକ ଇନୋଭା କାର ଧକ୍କାରେ ୮ବର୍ଷୀୟ ପୁଅର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ବାପା ମା।

ସୂଚନାନୁଯାୟୀ କୋଟକଣା ବଜାର ନିକଟସ୍ଥ ଆଦିବାସୀ ସାହିରେ ବସବାସ କରୁଥିବା ସୁର ସିଂ ଓ ତାଙ୍କର ପତ୍ନୀ ମୁଲ ମଜୁରୀ କାମ ସାରି ଅଟୋରେ ଆସି କୋଟକଣା ବଜାରରେ ଓହ୍ଲାଇଥିଲେ। ପରେ ନିଜର ୮ବର୍ଷର ପୁଅ ରାହୁଲ ସିଂ (ଗଉରା )କୁ ସାଥିରେ ଧରି କଟକ-ପାରାଦ୍ବୀପ ରାସ୍ତା ପାର୍ ହେଉଥିବା ବେଳେ ଦୃତ ଗତିରେ ଆସୁଥିବା ଏକ ଧଳା ରଙ୍ଗର ଇନୋଭା ଗାଡ଼ି ଗଉରାକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲା।

ଯଥାଶୀଘ୍ର ଗଉରାକୁ ୧୦୮ ଆମ୍ବୁଲାନ୍ସ ଜରିଆରେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ଏନେଇ ଉତ୍ୟକ୍ତ ଲୋକେ ଆଜି ସଂଧ୍ୟାରେ କୋଟକଣା ବଜାର ଠାରେ ଦୀର୍ଘ ସମୟ ଧରି କଟକ-ପାରାଦ୍ୱୀପ ରାସ୍ତାରେ ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ।

ପରେ ତିର୍ତ୍ତୋଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ତିର୍ତ୍ତୋଲ ତହସିଲ୍ ପକ୍ଷରୁ ମୃତ ବାଳକର ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରାଯିବା ପରେ ରାସ୍ତାରୋକ ହଟିଥିଲା ବୋଲି ସୂଚନା ମିଳିଛି। ଏଥିସହିତ ଧକ୍କା ଦେଇ ଫେରାର୍ ହୋଇଯାଇଥିବା ଧଳା ରଙ୍ଗର ଇନୋଭା ଗାଡିଟିକୁ ଜବତ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ବ୍ଲକରେ ପ୍ରହସନ ପାଲଟିଛି ଶିକ୍ଷା ବ୍ୟବସ୍ଥା: ୬୦ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ

ରମେଶ ମହନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଏକ ରକମ ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ଏକ ସୁନ୍ଦର ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟ ଏକ ମନ୍ଦିର ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ କୁହାଯାଉଥିବା ବେଳେ ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ନିଜର ଭବିଷ୍ୟତ ତିଆରି କରିବାର ମୂଳଦୁଆ ପକାଇଥାନ୍ତି। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର କୋଟି କୋଟି ଟଙ୍କା ନିବେଶ କରୁଥିବା ଡଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ସ୍କୁଲ ଗୁଡିକର ଅବସ୍ଥା କହିଲେ ନ ସରେ। ଖୋଲା ଆକାଶ ତଳେ ଭଙ୍ଗା ଦଦରା କାନ୍ଥ ଘରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଖରା ବର୍ଷା ଆଉ ଶୀତ କାକରକୁ ଖାତିରି ନକରି ପାଠ ପଢୁଛନ୍ତି ବିଦ୍ୟାର୍ଥୀ। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାୟପୁର ପଞ୍ଚାୟତରେ।

ସୂଚନାନୁଯାୟୀ ଉକ୍ତ ପଞ୍ଚାୟତର ବିଳାସପୁର୍ ଗ୍ରାମରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଅନନ୍ତ ଗାଦିବ୍ରହ୍ମ ସଂସ୍କୃତ ବିଦ୍ୟାଳୟରେ ପାଖାପାଖି ୬୦ ବିଦ୍ୟାର୍ଥୀଙ୍କୁ ପାଠ ପଢାଇବା ପାଇଁ ୬ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ଏହି ବିଦ୍ୟାଳୟଟି ଗତ ଫନି ବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। କେବଳ ରହିଯାଇଥିଲା ଭଙ୍ଗା ଦଦରା ଅବସ୍ଥାରେ ଚାରି ପାଖ କାନ୍ଥ। ଏବେ ଯାଏ ସେଇ ବିପଦପୂର୍ଣ୍ଣ ଚାରି କାନ୍ଥ ଓ ଖୋଲା ଆକାଶ ତଳେ ଚାଲିଛି ପାଠପଢ଼ା। ଏମିତିକି ଶିକ୍ଷକ ମାନେ ବସିବା ଚେୟାର ଟେବୁଲ ମଧ୍ୟ ଭାଙ୍ଗି ଯାଇଛି।

କିଛିଦିନ ପୂର୍ବେ ଏହି ବିଦ୍ୟାଳୟରୁ ଚୋରି ହୋଇଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ବିଦ୍ୟାଳୟକୁ ମରାମତି କରାଯିବା ପାଇଁ ସରକାରୀ ଅନୁଦାନ ଆସିଥିବା କୁହାଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନର ଉଦାସୀନତା ହେତୁ ଠିକାଦାର ପକ୍ଷରୁ ଆଜି ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ ନାହିଁ ବୋଲି କୁହାଯାଉଛି। ଏବାବଦରେ ଉକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ ପକ୍ଷରୁ ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କାହା ସ୍ବାର୍ଥରେ ଏହି ବିଦ୍ୟାଳୟକୁ ଅଣଦେଖା କରାଯାଉଛି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ଶୁଣିବାକୁ ମିଳୁଛି ଶିକ୍ଷା ବିଭାଗର କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ମରାମତି କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏହି ବିଦ୍ୟାଳୟରେ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଥିବା ବିଦ୍ୟାର୍ଥୀ ମାନଙ୍କର ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲିହୋଇ ଯାଉଥିବାରୁ ଯଥାଶୀଘ୍ର ଉଚ୍ଚ ପ୍ରଶାସନିକ ଅଧିକାରୀ ଏହି ବିଦ୍ୟାଳୟ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଏନେଇ ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧିକାରୀ ସୁଷମା ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଶ୍ରୀମତୀ ମଲ୍ଲିକ କୌଣସି ମନ୍ତବ୍ୟ ଦେବାକୁ ସିଧା ସଳଖ ମନା କରିଦେଇଥିଲେ।

Categories
ଆଞ୍ଚଳିକ

ଦାଇଁଲୋ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ନାହାଙ୍ଗୁରି ଏମ୍.ବି.ସି.ସି ଚାମ୍ପିଅନ୍

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତର ଦାମୋଦରପୁର ପାଟଣା ଖେଳ ପଡିଆରେ ଏସ୍.ଏସ୍ ବ୍ରଦର୍ସ ଆସୋସିଏସନ ଆନୁକୂଲ୍ୟରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୮ଗୋଟି ଦଳ ମଧ୍ୟରେ ଖେଳାଯାଇଥିଲା। ଫାଇନାଲରେ ତିର୍ତ୍ତୋଲ ମା ଶାରଳା କ୍ରିକେଟ୍ ଟିମ୍ କୁ ନାହାଙ୍ଗୁରି ଏମ୍.ବି.ସି.ସି କ୍ରିକେଟ୍ ଟିମ୍ ୭୭ରନରେ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲା। ପ୍ରଥମେ ନାହାଙ୍ଗୁରି ଏମ୍.ବି, ସି.ସି ଟିମ୍ ଟଚ୍ ଜିତି ୧୫ ଓଭର ଖେଳି ୬ଟି ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା। ସେହିପରି ତିର୍ତ୍ତୋଲ ମା’ ଶାରଳା କ୍ରିକେଟ୍ ଟିମ୍ ୧୫ ଓଭର୍ ଖେଳ ମଧ୍ୟରେ ୯ୱିକେଟ ହରାଇ ୮୫ ରନ୍ ସଂଗ୍ରହ କରିଥିଲା।

ଉଦଯାପନୀ ଉତ୍ସବରେ ଅତିଥି ମାନଙ୍କ ମଧ୍ୟରେ ତିର୍ତ୍ତୋଲ ୨ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ପ୍ରବୀର କୁମାର ରାୟ, ୧ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଶନାତନ ଦଳାଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ବାରିକ, ମୁଖ୍ୟ ଶିକ୍ଷା ବିଭାଗ ସମାଜ ସନ୍ଦୀପ ଚୌଧୁରୀ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅବିନାଶ ମହାନ୍ତି, ତୋଫାନ ମଲ୍ଲିକ ପ୍ରମୁଖ ଯୋଗଦେଇ ରକି ମହାନ୍ତିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ସୁନିଲ ମଲ୍ଲିକଙ୍କୁ ମ୍ୟାନ ଅଫ୍ ଦି ସିରିଜ୍ ରେ ସମ୍ମାନିତ କରାଯିବା ସହିତ ଚାମ୍ପିଅନ୍ ଓ ରନର୍ସ ଦଳକୁ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରିଥିଲେ।

ଏହି ଖେଳକୁ ଶାନ୍ତି ପ୍ରକାଶ ମହାପାତ୍ର, ଦିପ୍ତି ପ୍ରସାଦ ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ଆଶୁତୋଷ ଦାସ ଅମ୍ପେୟାର ଭାବେ ପରିଚାଳନା କରିଥିଲେ। ଏଥିସହିତ ଆସୋସିଏସନର ସୁଧୀର ମଲ୍ଲିକ, ଦିପ୍ତି ରଂଜନ ଦଳେଇ, ପ୍ରମିତ ଶୁନ୍ଦର ଦାସ, ଅୟସକାନ୍ତ ମହାପାତ୍ର, ଚିରଞ୍ଜିବୀ ମହାପାତ୍ର, ମାନସ ମଲ୍ଲିକ, ଦିପକ ମହାପାତ୍ର, ରାଜା, ପ୍ରକାଶ ପ୍ରମୁଖ ସଭ୍ୟମାନେ ପରିଚାଳନା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଶାଶୁ ମୃତ୍ୟୁର ଦଶକର୍ମ ଚାଲିଥିବା ବେଳେ ବୋହୂର ମୃତ୍ୟୁ

ରମେଶ ମହାନ୍ତି

ଜଗତସିଂହପୁର: ଶାଶୁ ମୃତ୍ୟୁର ଦଶକର୍ମ ଚାଲିଥିବା ବେଳେ ବୋହୂର ମୃତ୍ୟୁ ହୋଇଛି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ। ସୂଚନାନୁଯାୟୀ ଗୋବିନ୍ଦପୁର ଗ୍ରାମର ମୁରଲୀଧର ପ୍ରଧାନଙ୍କ ପତ୍ନୀଙ୍କର ୧୦ଦିନ ତଳେ ମୃତ୍ୟୁ ହୋଇଥିଲା। ଗତକାଲି (ଗୁରୁବାର) ତାଙ୍କର ଦଶ ହୋଇଥିବାରୁ ପରିବାର ଲୋକେ ଦଶତୁଠରୁ ଫେରିବା ପରେ ଘର ଛାତ ଉପରେ ଦଶକର୍ମ ଚାଲିଥିବା ବେଳେ ଘର ଭିତରେ ତାଙ୍କର ବଡବୋହୂ ବାଲିଶଯ୍ୟା ପ୍ରସ୍ତୁତିରେ ସହଯୋଗ କରୁଥିଲେ ହଠାତ୍ ଛାତି ଯନ୍ତ୍ରଣା ହେଉଥିବା କହି ସେହିଠାରେ ଟଳିପଡିଥିଲେ। ଯଥାଶୀଘ୍ର ତାଙ୍କୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଞ୍ଚଳିକ

ଜଳସେଚନ ଯନ୍ତ୍ରୀ ଠିକାଦାର ମଧୁଚନ୍ଦ୍ରିକା, ତିର୍ତ୍ତୋଲ ୧୨ନଂ ଶାଖା କେନାଲ ସଫେଇ ନାଁରେ ହଡ଼ପ ଯୋଜନା

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ନୂଆପଡ଼ା ଠାରେ ତାଳଦଣ୍ଡା କେନାଲରୁ ବାହାରିଥିବା ଶାଖା ୧୨ନଂ କେନାଲ ଭିତର ସଫେଇ ନାଁରେ ଠିକାଦାର ଅର୍ଥ ହଡ଼ପ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଏହି କେନାଲ ସଫେଇ କାର୍ଯ୍ୟ ଠିକ୍ ଭାବେ ହେଉନଥିବା ଯୋଗୁଁ କେନାଲରେ ପାଣି ତଳମୁଣ୍ଡକୁ ପହଞ୍ଚି ପାରୁନାହିଁ ବୋଲି ଅଭିଯୋଗ ହେଉଛି। ଯାହାଫଳରେ ପାଣି ଅଭାବରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଚାଷୀ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି।

ସୂଚନାନୁଯାୟୀ ମଣିଜଙ୍ଗା ଜଳସେଚନ କାର୍ଯ୍ୟାଳୟ ଅଧିନରେ ଥିବା ଏହି ଶାଖା କେନାଲରେ ପାଣି ଛଡାଯିବା ପୂର୍ବରୁ ପାଣିପଞ୍ଚାୟତ ମାଧ୍ୟମରେ ପ୍ରତିବର୍ଷ କେନାଲ ସଫା କରାଯାଇଥାଏ ବୋଲି ଜଣାପଡିଛି। କିନ୍ତୁ ଚଳିତବର୍ଷ ଏହି କେନାଲ ସଫେଇ କାର୍ଯ୍ୟ ଟେଣ୍ଡର ହୋଇଛି। ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ନେଇଥିବା ଠିକାଦାର କେନାଲ ଭିତର ସଫେଇ କରିବା ପରିବର୍ତ୍ତେ କେନାଲ ଭିତର କେତେକ ସ୍ଥାନରେ ଜେସିବି ମେସିନ୍ ଦ୍ୱାରା ଆମ୍ପୁଡା ଦାଗ ଚିହ୍ନ ଦେଖାଇ ବିଲ୍ କରିବାକୁ ଉଦ୍ୟମ ଚଳାଇଥିବା ଅଭିଯୋଗ ହେଉଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଉକ୍ତ କାର୍ଯ୍ୟର ତଦାରଖ କରିବା ତ ଦୂରର କଥା କାମ ହେବାଦିନୁ କାମ ପାଖରେ ତାଙ୍କୁ ଥରେବି ଦେଖିବାକୁ ମିଳୁନାହିଁ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି।

ଆଉ କେଇଟା ଦିନ ଭିତରେ ଉକ୍ତ କେନାଲରେ ପାଣି ଛଡାଯିବ ବୋଲି କୁହାଯାଉଥିବା ବେଳେ କେନାଲରେ ପାଣି ଆସିଯିବା ପରେ ଏହି ନିମ୍ନମାନର ସଫେଇ କାର୍ଯ୍ୟର ପ୍ରମାଣ ଲୁଚିଯିବ ବୋଲି କୁହାଯାଉଛି। ଉକ୍ତ କେନାଲର ସଫେଇ କାର୍ଯ୍ୟ ଠିକାଦାର ମାନଙ୍କ ପାଇଁ ପାଲଟିଛି ଲେଉଟିଆ କିଆରୀ ବୋଲି ଚର୍ଚ୍ଚା ହେଉଛି। ଠିକାଦାରଙ୍କ ଠାରୁ ମୋଟା ଅଙ୍କର ପିସି ନେଇ ବିଭାଗ ଏପରି ନିମ୍ନମାନର କାର୍ଯ୍ୟକୁ ଆଖିବୁଜି ଦେଇଥିବା କୁହାଯାଉଛି। କେନାଲରେ ପାଣି ଆସିବା ପୂର୍ବରୁ ଉକ୍ତ କାର୍ଯ୍ୟକୁ ବିଭାଗୀୟ ଜିଲ୍ଲା ସ୍ତରୀୟ ଉଚ୍ଚପଦସ୍ଥ ଅଫିସରଙ୍କ ଦ୍ୱାରା ତଦନ୍ତ କରାଯିବା ନିମନ୍ତେ ସ୍ଥାନୀୟ ଚାଷୀମାନଙ୍କ ପକ୍ଷରୁ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ତାମିଲନାଡୁରୁ ସାଇକେଲ ଚଲାଇ ତିର୍ତ୍ତୋଲରେ ପହଞ୍ଚିଲେ ପ୍ରବାସୀ ଓଡିଆ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଡତିରା ପଞ୍ଚାୟତ ସ୍ଥିତ ଜଡତିରା ଗ୍ରାମର ଶୁକାନ୍ତ ନାଥଶର୍ମା (୫୧)ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ତାମିଲନାଡୁ ଯାଇଥିଲେ। କାଙ୍ଗାୟାମ୍ ରୋଡ୍ ପୁଦୁପାଲିୟମଠାରେ ଏକ ବେସରକାରୀ ସଂସ୍ଥାରେ ସେ କାମକରୁଥିଲେ। କରୋନା ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଲକଡାଉନ୍ ପରିସ୍ଥିତି ଉପୁଜିବା କାରଣରୁ ଶୁକାନ୍ତକୁ ନିଜ ଭିଟାମାଟିକୁ ଫେରିବାକୁ ପଡିଲା। ପାଖରେ ଅର୍ଥର ଅଭାବ ସହିତ ଗାଡ଼ି ମଟର ଚାଲୁ ନଥିବାରୁ ସେ କିଛି ହାତ ଉଧାରୀ ଟଙ୍କା ଯୋଗାଡକରି ତାମିଲନାଡୁରୁ ଏକ ସାଇକେଲ କିଣି ସାଇକେଲ ଯୋଗେ ଏକା ଏକା ତାମିଲନାଡୁ ରାଜ୍ୟର ତିରିପୁରୁ କାଙ୍ଗାୟମ୍ ରୋଡ୍ ପୁଦୁପାଲିୟମରୁ ମେ ମାସ ୨୦ ତାରିଖରୁ ବାହାରି ତିର୍ତ୍ତୋଲରେ ଚଳିତ ମାସ ୧ତାରିଖ ସୋମବାର ଦିନ ପହଞ୍ଚିଥିଲେ। ଦିର୍ଘ ୧୨ଦିନ ଧରି ଅବିଶ୍ରାନ୍ତ ଭାବରେ ସାଇକେଲ ଚଳାଇ ତାମିଲନାଡୁରୁ ତିର୍ତ୍ତୋଲ ପଳାଇ ଆସିବା ଖବର ଅଞ୍ଚଳବାସୀଙ୍କୁ ଚକିତ କରିଛି। ସେ ଏବେ ଜଡତିରା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ଜଣାପଡିଛି। ତାଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରସଂଶା କରାଯିବା ସହିତ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି।