ଗାଧୋଇବାକୁ ଯାଇ ଯୁବକ ନିଖୋଜ: ଖୋଜୁଛନ୍ତି ତିର୍ତ୍ତୋଲ ଅଗ୍ନିଶମ ବିଭାଗ କର୍ମଚାରୀ

Published: Jun 30, 2021, 8:21 pm IST

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଆମ୍ବେରି ପଞ୍ଚାୟତ ସ୍ଥିତ ଆମ୍ବେରି ଗ୍ରାମର ଜଣେ ଯୁବକ ନିକଟସ୍ଥ ପାଇକା ନଦୀରେ ଗାଧଉଥିବା ବେଳେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଛି।

ସୂଚନାନୁଯାୟୀ ଉକ୍ତ ପଞ୍ଚାୟତ ସ୍ଥିତ ଆମ୍ବେରୀ ଗ୍ରାମର ଅକ୍ଷୟ ମଲ୍ଲିକଙ୍କ ୧୮ ବର୍ଷର ପୁଅ ସୁମନ ମଲ୍ଲିକ ଆଜି ଦିନ ପାଖାପାଖି ୧୨ଟା ବେଳେ ନିଜ ଗାଁ ଠାରୁ ପ୍ରାୟ ଏକ କି.ମି ଭରାଗୋଳ ପାଇକା ନଦୀରେ ଗାଧଉଥିବା ବେଳେ ପାଣିରେ ବୁଡ଼ି ଯାଇଥିଲା। ସେଠାରେ ଗାଧଉଥିବା ଅନ୍ୟମାନେ ଡାକପକାଇବା ସହିତ ସ୍ଥାନୀୟ ଲୋକମାନଙ୍କ ସହିତ ମିଶି ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସୁମନର କୌଣସି ସନ୍ଧାନ ପାଇପାରି ନଥିଲା।

ଏସଂମ୍ପର୍କରେ ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ମଧ୍ୟାହ୍ନ ଠାରୁ ପାଇକା ନଦୀରେ ବୁଡି ଖୋଜା ଖୋଜି ଚଲାଇଥିଲେ ମଧ୍ୟ ସଂନ୍ଧ୍ୟାବେଳ ପର୍ଯ୍ୟନ୍ତ ସୁମନର କୌଣସି ସନ୍ଧାନ ମିଳିପାରି ନାହିଁ। ଅକ୍ଷୟ ମଲ୍ଲିକଙ୍କ ତିନି ଝିଅ ମଧ୍ୟରୁ ସୁମନ ଏକମାତ୍ର ପୁଅ ବୋଲି ଜଣାପଡିଛି। ଚପଲ ଓ ବସ୍ତ୍ର ଗାଧୁଆ ଗାଧୁଆ ତୁଠରେ ଥୁଆ ହୋଇଥିବା ବେଳେ ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି କାନ୍ଦ ବୋବାଳି କରୁଛନ୍ତି।

ଏହି ଖବର ବିଜୁଳି ବେଗରେ ଚାରିଆଡେ ପ୍ରଘଟ ହୋଇ ଯିବାରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସୁମନକୁ ଖୋଜାଖୋଜି କରୁଥିବା ପାଇକା ନଦୀ ସ୍ଥଳରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା।

Related posts