ବାପା ମା ଆଖି ଆଗରେ କୁନି ପୁଅର ଜୀବନ ନେଲା ଇନୋଭା ଗାଡ଼ି: କୋଟକଣା ବଜାରରେ ରାସ୍ତାରୋକ

Published: Feb 25, 2021, 10:39 am IST

ରମେଶ ମହାନ୍ତି

ଜଗତସିଂହପୁର: ବୁଧବାର ସଂଧ୍ୟାରେ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତାରେ ଦୃତ ଗତିରେ ଆସୁଥିବା ଏକ ଇନୋଭା କାର ଧକ୍କାରେ ୮ବର୍ଷୀୟ ପୁଅର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ବାପା ମା।

ସୂଚନାନୁଯାୟୀ କୋଟକଣା ବଜାର ନିକଟସ୍ଥ ଆଦିବାସୀ ସାହିରେ ବସବାସ କରୁଥିବା ସୁର ସିଂ ଓ ତାଙ୍କର ପତ୍ନୀ ମୁଲ ମଜୁରୀ କାମ ସାରି ଅଟୋରେ ଆସି କୋଟକଣା ବଜାରରେ ଓହ୍ଲାଇଥିଲେ। ପରେ ନିଜର ୮ବର୍ଷର ପୁଅ ରାହୁଲ ସିଂ (ଗଉରା )କୁ ସାଥିରେ ଧରି କଟକ-ପାରାଦ୍ବୀପ ରାସ୍ତା ପାର୍ ହେଉଥିବା ବେଳେ ଦୃତ ଗତିରେ ଆସୁଥିବା ଏକ ଧଳା ରଙ୍ଗର ଇନୋଭା ଗାଡ଼ି ଗଉରାକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲା।

ଯଥାଶୀଘ୍ର ଗଉରାକୁ ୧୦୮ ଆମ୍ବୁଲାନ୍ସ ଜରିଆରେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ଏନେଇ ଉତ୍ୟକ୍ତ ଲୋକେ ଆଜି ସଂଧ୍ୟାରେ କୋଟକଣା ବଜାର ଠାରେ ଦୀର୍ଘ ସମୟ ଧରି କଟକ-ପାରାଦ୍ୱୀପ ରାସ୍ତାରେ ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ।

ପରେ ତିର୍ତ୍ତୋଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ତିର୍ତ୍ତୋଲ ତହସିଲ୍ ପକ୍ଷରୁ ମୃତ ବାଳକର ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରାଯିବା ପରେ ରାସ୍ତାରୋକ ହଟିଥିଲା ବୋଲି ସୂଚନା ମିଳିଛି। ଏଥିସହିତ ଧକ୍କା ଦେଇ ଫେରାର୍ ହୋଇଯାଇଥିବା ଧଳା ରଙ୍ଗର ଇନୋଭା ଗାଡିଟିକୁ ଜବତ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

Related posts