କରୋନାରୁ ସୁସ୍ଥ ହେବା ପରେ କୋଭିଡ୍‌ ଯୋଦ୍ଧାଙ୍କୁ ବାଣପୁରରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

Published: Jun 7, 2020, 8:44 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: କରୋନାକୁ ନେଇ ଏବେବି ରହିଛି ସାମାଜିକ କଟକଣା। ଜଣେ ଆକ୍ରାନ୍ତ ସୁସ୍ଥ ହେବା ପରେ ମଧ୍ୟ ତାଙ୍କୁ ଅନେକ ସାମଜିକ କଟକଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏପରି କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଛି କୋଟବିଦ୍ୟାଧରପୁର ଗ୍ରାମ। କରୋନାରୁ ସୁସ୍ଥ ହୋଇଥିବା ଦୁଇ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ୍‌ଏସିର କୋଟବିଦ୍ୟାଧରପୁର ଗ୍ରାମରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି। ଦୁଇ ସ୍ବାସ୍ଥ୍ୟ କର୍ମୀ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ବିପୁଳ ସମର୍ଥନ ପ୍ରଦାନ କରାଯାଇଛି। ଗ୍ରାମବାସୀଙ୍କ ଏହି ପଦକ୍ଷେପ ଉକ୍ତ ଅଞ୍ଚଳରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛି।

ବାଣପୁର ସରକାରୀ ଡାକ୍ତରଖାନାର ଦୁଇ ଜଣ ସ୍ବାସ୍ଥ୍ୟକର୍ମୀ ଗତ ୨୯ ମେରେ କୋଭିଡ ପଜ଼ିଟିଭ ହେବା ପରେ ସେମାନଙ୍କୁ ଭୁବନେଶ୍ଵରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ପରେ ସଂପୂର୍ଣ କୋଟବିଦ୍ୟାଧରପୁର ଗ୍ରାମ ଓ କଲେଜ ରୋଡକୁ କଣ୍ଟେନମେଣ୍ଟ କରାଯିବା ସହ ବିଶୋଧନ କରାଯାଇଥିଲା। ଆଜି ଦୁଇ ସ୍ବାସ୍ଥ୍ୟ କର୍ମୀ ସୁସ୍ଥ ହେବା ଖବର ପାଇ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିଲା। ସ୍ବାସ୍ଥ୍ୟକର୍ମୀ ଦୁଇ ଜଣ ଗ୍ରାମରେ ସରକାରୀ ଗାଡିରେ ପହଞ୍ଚିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ଶଙ୍ଖ ହୁଳହୁଳି ଧ୍ୱନି ସହ ଦୀପ ଚନ୍ଦନ ଦେଇ ସ୍ଵାଗତ କରିଥିଲେ। ସ୍ବାଗତ ସମ୍ବର୍ଦ୍ଧନାରେ ଆତ୍ମବିଭୋର ହୋଇ ଦୁଇ ସ୍ବାସ୍ଥ୍ୟ କର୍ମୀ କାନ୍ଦି ପକାଇଥିଲେ।

ଏହି ସ୍ବାଗତ ସମ୍ବର୍ଦ୍ଧନାରେ ଗ୍ରାମର ମହେଶ ଦାଶ, ସରୋଜ କୁମାର ହୋତା, ସତ୍ୟ ଷଡ଼ଙ୍ଗୀ, ସ୍ଵୟଂପଦ ଶତପଥି, ସନ୍ତୋଷ କୁମାର ଷଡ଼ଙ୍ଗୀ, ଶ୍ରୀକାନ୍ତ ନନ୍ଦ, ଲଲାଟେନ୍ଦୁ ଶତପଥି ଏବଂ ତପନ କୁମାର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। କୋଟପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ଶିକ୍ଷୟତ୍ରୀ ଛବିରାଣୀ ନନ୍ଦ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Related posts