ବିହାରର ସଂକ୍ରମଣ ଅଞ୍ଚଳରେ ଲକ୍‌ଡାଉନ୍‌ ଜାରି ରହିବ

Published: Jun 11, 2020, 1:26 pm IST

ପାଟନା : ଦେଶର ବହୁ ସ୍ଥାନରେ ଲକ୍‌ ଡାଉନ୍‌ କଟକଣାକୁ ଉଠାଯାଉଥିବାବେଳେ ବିହାରର  ମୁଖ୍ୟମନ୍ତ୍ରୀ ନିତିଶ୍‌ କୁମାର ଏନେଇ ଏକ ଘୋଷଣା କରିଛନ୍ତି । ଯେଉଁ ସବୁ ଅଞ୍ଚଳରେ କରୋନା ସଂକ୍ରମଣ ମାମଲା ଅଧିକ ରହିଛି  ସେହି ସମସ୍ତ ଅଞ୍ଚଳରେ ଏବେବି ଲକଡାଉନ୍‌ ଜାରି ରହିବ । ସେହି ସମସ୍ତ ଅଞ୍ଚଳରେ କୌଣସି ପ୍ରକାରର କୋହଳକୁ ପ୍ରଶ୍ରୟ ଦିଆଯିବ ନାହିଁ । ଅର୍ଥାତ୍‌ ବିହାରରେ ଥିବା ସମସ୍ତ କଣ୍ଟନେମେଣ୍ଟ ଜୋନ୍‌ରେ ଲକଡାଉନ୍‌ ନିୟମ କଡାକଡି ଭାବେ ଲାଗୁ ରହିବ । ଜେଡିୟୁର ଏକ ଭର୍ଚୁଆଲ ସମ୍ମିଳନୀରେ ନିତୀଶ୍‌ କୁମାର ଏହା ସମ୍ପର୍କରେ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ସକାଳ ସୁଦ୍ଧା ବିହାରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 5710ରେ ପହଞ୍ଚିଥିବାବେଳେ 33 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ 2606 ସକ୍ରିୟ ମାମଲା ଥିବାବେଳେ ତିନି ହଜାରରୁ ଅଧିକ ଲୋକେ ସୁସ୍ଥ ହୋଇଛନ୍ତି।

ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବ । କିନ୍ତୁ କରୋନା ସଂକଟ ଓ ଲକ୍‌ଡାଉନ୍‌ ଯୋଗୁଁ କୌଣସି ପ୍ରକାରର ରାଜନୈତିକ କାର୍ଯ୍ୟକ୍ରମ ହୋଇପାରୁନାହିଁ । ଏଥିପାଇଁ ଜେଡିୟୁ ଭର୍ଚୁଆଲ ସମ୍ମେଳନ ଜରିଆରେ ନିଜ କାର୍ଯ୍ୟକର୍ତ୍ତାଙ୍କ ଯୋଡ଼ି ହେବାର କାର୍ଯ୍ୟକ୍ରମ ଚାଲୁ କରିଛି । ଅପରପକ୍ଷରେ ତେଜସ୍ବୀ ଯାଦବ ବିହାର ସରକାରଙ୍କ ଉପରେ କରୋନା ସଂକଟର ମୁକାବିଲା ଦିଗରେ ନୀତିଶ୍‌ ସରକାର ଫେଲ୍‌ ହେଉଥିବାର ଅଭିଯୋଗ କରିଛନ୍ତି । (ଏଜେନ୍ସି)

Related posts