ପ୍ରେସ ଇନଫରମେସନ ବ୍ୟୁରୋ ବା ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ସୀତାଂଶୁ କରଙ୍କ କାର୍ଯ୍ୟକାଳକୁ ଆଉ 6 ମାସ ପାଇଁ ବୃଦ୍ଧି କରାଯାଇଛି। ଏହି କାର୍ଯ୍ୟକାଳ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଭାରତୀୟ ସୂଚନା ସେବାର ଏହି ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ଚଳିତ ମାର୍ଚ୍ଚ 31 ତାରିଖରେ ଶେଷ ହେଉଥିଲା। ବର୍ତ୍ତମାନ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବାରୁ ପିଆଇବିର ଦାୟିତ୍ବ ବଢିଯାଇଛି। ବିଭିନ୍ନ ସମୟରେ ଗଣମାଧ୍ୟମକୁ ନିର୍ବାଚନ ସଂପର୍କିତ ଖବର ପ୍ରଦାନ କରିବାର ଆବଶ୍ୟକତା ରହିଛି। ଯେହେତୁ ସାଂତାଶୁଙ୍କ ଏ କ୍ଷେତ୍ରରେ ପ୍ରାୟ 35 ବର୍ଷର ଅଭିଜ୍ଞତା ରହିଛି ସେଥିପାଇଁ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ପ୍ରଥମେ ସୀତାଂଶୁ ଅଲ ଇଣ୍ଡିଆ ରେଡିଓ ନ୍ୟୁଜ ବିଭାଗରେ କାମ ଆରମ୍ଭ କରିଥିଲେ। ଏହାପରେ ଦୂରଦର୍ଶନରେ ସେ ପ୍ରାୟ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ପିଆଇବିର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କର ଏହି କାର୍ଯ୍ୟକାଳ ବୃଦ୍ଧିକୁ ଓଡିଶାର ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।