
ଭୁବନେଶ୍ବର, କରୋନା ମହାମାରୀ ଆସିବା ପରେ ଲୋକସେବା ଭବନ ଭିତରକୁ ସାମ୍ବାଦିକମାନଙ୍କୁ ଖବର ସଂଗ୍ରହ କରିବା ପାଇଁ ବାରଣ କରାଯାଇଥିଲା। ହେଲେ ବର୍ତ୍ତମାନ ଲୋକସେବା ଭବନର କାମ ସ୍ବାଭାବିକ ହୋଇଥିବାରୁ ସାମ୍ବାଦିକଙ୍କୁ ଛାଡିବା ପାଇଁ ଦାବୀ ହୋଇଛି। ଏ ନେଇ ବିଭିନ୍ନ ସାମ୍ବାଦିକ ସଂଗଠନର ସାମ୍ବାଦିକମାନେ ଭୁବନେଶ୍ବରରେ ବିକ୍ଷୋଭ କରିଥିଲେ। ଏଥିସହିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।
ମୁଖ୍ୟତଃ ଲୋକସେବା ଭବନରୁ ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ଖବର ଆସିଥାଏ। ଏପରିକି କୋଭିଡ 19 ସଂପର୍କରେ ଖବର ମଧ୍ୟ ମିଳିଥାଏ। ଯାହା ସାଧାରଣ ଲୋକେ ଜାଣିବା ନିହାତି ଆବଶ୍ୟକ। ହେଲେ ତା ଭିତରକୁ ସାମ୍ବାଦିକଙ୍କୁ ବାରଣ କରାଯାଇଥିବାରୁ ଖବର ସଂଗ୍ରହରେ ବାଧା ସୃଷ୍ଟି ହୋଇଛି। ସରକାର ତୁରନ୍ତ ତା ଉପରେ ଧ୍ୟାନ ଦିଅନ୍ତୁ ବୋଲି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଛନ୍ତି।