ପୁରୀ: ଚଳିତ ବର୍ଷ ରଥଯାତ୍ରା ଇତିହାସରେ ଯୋଡି ହୋଇଛି ଏକ ନୂଆ ଫର୍ଦ୍ଦ । ବିନା ଭକ୍ତରେ ବଡଦାଣ୍ଡରେ ଗଡିଛି ତିନି ରଥ । କୋଭିଡ୍ କଟକଣା ପାଇଁ ବିନାଭକ୍ତରେ ଆଜି ଶ୍ରୀଜୀଉ ନବଦିନାତ୍ମକ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ବର୍ଷ ଆଷାଢ ମାସ ଶୁ୍କଳ ଦ୍ବିତୀୟ ଦିନ ଦିନ ଶ୍ରୀଜୀଉମାନେ ରଥଯାତ୍ରା କରିଥାନ୍ତି । ଏହି ଦିନ ରତ୍ନ ସିଂହାସନ ଛାଡି କାଳିଆଠାକୁର ଭକ୍ତଙ୍କ ଗହଣକୁ ଆସିଥାନ୍ତି। କିନ୍ତୁ ଆଜି ଏଠାରେ ଦେଖାଦେଇଛି ବ୍ୟତିକ୍ରମ। ରତ୍ନ ସିଂହାସନ ଛାଡି କଳା ସାଆନ୍ତ ଆସିଛନ୍ତି ବାହାରକୁ । କିନ୍ତୁ ଭକ୍ତ ଯାଇ ପାରିନାହିଁ ତା’ ପ୍ରିୟ ପ୍ରଭୁଙ୍କ ନିକଟକୁ । ପତିତ ଜନଙ୍କୁ ଉଦ୍ଧାରିବା ଲାଗି ପ୍ରତ୍ୟେକ ବର୍ଷ ଏମିତି ଯାତ୍ରା କରିଥା’ନ୍ତି କାଳିଆ ଠାକୁର । ରତ୍ନ ବେଦୀ ଛାଡି ଜନ୍ମବେଦୀକୁ ଯାତ୍ରା କରିଛନ୍ତି ଶ୍ରୀଜୀଉ । ଆଜିଠାରୁ ବାହୁଡା ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିରରେ ପୂଜା ପାଇବେ । ପୁଣି ଥରେ ବାହୁଡା ଯାତ୍ରା କରି ବଡ ଦେଉଳକୁ ଲେଉଟିବେ ଶ୍ରୀମହାବାହୁ ।
ଆଜି ଚତୁର୍ଦ୍ଧା ମୁରତିଙ୍କର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ମହାରାଜାଙ୍କ ଛେରା ପହଁରା ଶେଷ ହୋଇଥିଲା । ଏହା ସମୟରେ ନିର୍ଘଣ୍ଟ ସମୟରେ ହିଁ ରଥଟଣା ଆରମ୍ଭ ହୋଇଥଲା। 12ଟା ସମୟରେ ଆଜି ପ୍ରଥମେ ବଳଭଦ୍ରଙ୍କ ରଥ ତାଳଧ୍ବଜ ଅପରାହ୍ନ 3ଟା 52ରେ ବଳଭଦ୍ରଙ୍କ ରଥ ତାଳଧ୍ବଜ ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଥିଲା। ସେହିପରି 4ଟା 11ରେ ଦେବୀ ସୁଭ୍ରଦାଙ୍କ ରଥ ଦର୍ପଦଳନ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଞ୍ଚିଥିବାବେଳେ ମହାବାହୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅପରାହ୍ନ 5ଟ 10ରେ ପହଞ୍ଚିଥିଲା ।