ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଉ 50 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 13 ଜଣ କୋଭିଡ୍ ଯୋଦ୍ଧା ଅଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ 33 ଜଣ ପୂର୍ବ ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାବେଳେ 4 ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 1138ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 768 ଜଣ ସୁସ୍ଥ ହୋଇସାରିଥିବା ବେଳେ 312ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଜିଲ୍ଲାରେ ସର୍ବାଧିକ 8 ଜଣଙ୍କ ମୃତ୍ୟୁ ଘଟିଛି।
ଜିଲ୍ଲାରେ କରୋନା ସ୍ଥିତିକୁ ଦେଖି ବ୍ରହ୍ମପୁର ସହରକୁ ଚାରି ଦିନ ପାଇଁ ସଟ୍ଡାଉନ୍ କରାଯାଇଛି। ବ୍ରହ୍ମପୁର ସହରକୁ ଚାରି ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି । କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାପାଳ ଏଭଳି ପଦକ୍ଷେପ ନେଇଛନ୍ତି। ଏହି ଚାରି ଦିନ କେବଳ ସ୍ୱାସ୍ଥ୍ୟସେବା, ଦୁଗ୍ଧ ବଣ୍ଟନ ପରି ଅତ୍ୟାବଶ୍ୟକ ସେବା ଚାଲୁ ରହିବ କିନ୍ତୁ ସମସ୍ତ ଦୋକାନ, ବଜାର, ଅଫିସ୍ ଆଦି ବନ୍ଦ ରହିବ। ଏହି ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ। କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍, ହୋମ୍ କ୍ୱାରେଣ୍ଟିନ୍ ବ୍ୟବସ୍ଥାର ଯାଞ୍ଚ ହେବ ବୋଲି ସୂଚନା ରହିଛି।