ସୀତାରାମ ଅଗ୍ରଓ୍ବାଲ
ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ତୁମ୍ବୁରାପୁଟ ପଞ୍ଚାୟତଠାରେ ଶତାଧିକ ମହିଳା ତୁମୁରାପୁଟ ସରପଞ୍ଚ ଏବଂ ବାଣପୁର ବ୍ଲକ ପ୍ରଶାସନ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତୁମୁରାପୁଟ ପଞ୍ଚାୟତରେ ଚାଲିଥିବା ସରକାରୀ ଅର୍ଥ ହଡପକୁ ନେଇ ଏହି ମହିଳାମାନେ ଅଭିଯୋଗ କରିଛନ୍ତି।
ରାଜ୍ୟସରକାର ନାରୀ ସଶକ୍ତିକରଣ ଓ ମହିଳାଙ୍କ ହାତମୁଠା ଟାଣ କରିବା ପାଇଁ ଅନେକ ଯୋଜନା ମାନ ତିଆରି କରିଛନ୍ତି। ସେହି ଅନୁସାରେ ଏନ.ଆର.ଜି.ଏସରେ ଅନ୍ତର୍ଗତ ତୁମୁରାପୁଟ ପଂଚାୟତର ଦେବନ୍ଧ ପୋଖରୀ ଖୋଳା ଓ ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିବା କାର୍ଯ୍ୟକୁ ସମ୍ପୃକ୍ତ ପଞ୍ଚାୟତର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ନେବାପାଇଁ ସରପଞ୍ଚ ଙ୍କୁ ଜଣାଇଥିଲେ।
କିନ୍ତୁ ସରପଞ୍ଚଙ୍କଠୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ମହିଳାମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରୁ ସୂଚନା ଅଧିକାର ଆଇନ ବଳରେ ଉକ୍ତ ପୋଖରୀ ପାଇଁ ଆସିଥିବା ଅର୍ଥ ଓ ସବିଶେଷ ବିବରଣୀ ମାଗିଥିଲେ ।
ଜିଲ୍ଲାପାଳ ଉକ୍ତ ବିଷୟର ଉତ୍ତର ସାତ ଦିନ ମଧ୍ୟରେ ଆବେଦନକାରୀ ମହିଳାଙ୍କୁ ଯୋଗାଇ ଦେବାପାଇଁ ବାଣପୁର ବ୍ଲକ ବି.ଡ଼ି.ଓଙ୍କୁ ପତ୍ର ଲେଖିଥିଲେ । ବର୍ତ୍ତମାନ ପାଖାପାଖି 14 ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଉତ୍ତର ମହିଳାମାନେ ପାଇପାରିନାହାନ୍ତି ।
ଅପରପକ୍ଷରେ ମହିଳା ମାନେ ଅଭିଯୋଗ କରିଛନ୍ତି ଯେ ଉକ୍ତ କାର୍ଯ୍ୟକୁ ସରପଞ୍ଚଙ୍କ ଜଣେ ସମ୍ପର୍କୀୟ କରିବାପାଇଁ ଇଛୁକ ଥିବାରୁ ସେମାନଙ୍କୁ ସରପଞ୍ଚ ଜାଣିଶୁଣି ଅଣଦେଖା କରୁଛନ୍ତି । ଖୁବ ଶୀଘ୍ର ଉକ୍ତ ବିଷୟକୁ ନେଇ ମହିଳା ମାନେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କୁ ଅବଗତ କରାଇବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।