ପୋଲ ତଳୁ ମିଳିଲା ଯବାନଙ୍କ ମୃତଦେହ

Published: Jun 27, 2020, 12:59 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ନାନେ୍ଦାଳ-କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳେ ପଡିଯାଇ ଜଣେ ଆଇଆରବି ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଜାତୀୟ ରାଜପଥ ୨୬ ପାଶ୍ୱର୍ସ୍ଥ ଜାରିଙ୍ଗ ମେଡିକାଲ କଲେଜ ପରିସରରେ ଆଇଆରବି ଯବାନମାନଙ୍କ କ୍ୟାମ୍ପ୍‌ ରହିଛି। ସେହି କ୍ୟାମ୍ପର ଯବାନ ବିଶ୍ୱଜିତ ମଙ୍ଗରାଜ ଗତକାଲି ନିଜ ଗାଁ ଗୋଲାମୁଣ୍ଡାକୁ ବାଇକ୍‌ରେ ଯାଇଥିବା ସହକର୍ମୀମାନଙ୍କଠାରୁ ଜଣାପଡିଥିବା ବେଳେ ଶନିବାର ସକାଳୁ କେନ୍ଦୁପାଟି ନିକଟସ୍ଥ ଏକ ପୋଲତଳୁ ଶବ ପଡିଥିବାର ଜଣାପଡିଥିଲା। ବାଇକକୁ ଦେଖି ତାହା ଆଇଆରବି ଯବାନଙ୍କ ବୋଲି ଚିହ୍ନଟ ହୋଇଥିବା ପ୍ରକାଶ।

ଜୁନାଗଡ ପୋଲିସ ଘଟଣାସ୍ଥଳରେ ଅନୁସନ୍ଧାନ କରିବା ସହିତ ଶବ ବ୍ୟବଛେଦ କରିବାକୁ ପଠାଇ ଦେଇଥିବା ଜଣାପଡିଛି। ରାତି ସମୟରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିବାର ଅନୁମାନ କରାଯାଇଛି। ପୋଲ ତଳକୁ ଖସିପଡିବା ପରେ ପୋଲ ତଳେ ପାଣି ଥିବା ଯୋଗୁଁ ଏବଂ କାହାର ନଜରକୁ ଆସିନଥିବା ଯୋଗୁଁ ସଂପୃକ୍ତ ଯବାନଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି। ତେବେ ପୋଲିସ ଏହି ଘଟଣାର ଛାନଭିନ କରୁଥିବା ଜଣାପଡିଛି।

Related posts