ଶେଷରେ ଗିରିଜା ନାୟକ (ଟିକୁ) ହାତେଇଲେ ଘଣ୍ଟନିଧି ପାଣି ପଞ୍ଚାୟତ ସଭାପତି ପଦ

Published: Jul 1, 2020, 3:57 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ସମସ୍ତ କଳ୍ପନାଜଳ୍ପନା , ବାଦ ବିବାଦ ପରେ ଶେଷରେ ଘଣ୍ଟନିଧି ପାଣି ପଞ୍ଚାୟତର ସଭାପତି ହେଲେ ଗିରିଜା ପ୍ରସାଦ ନାୟକ ବର୍ମା ଓରଫ ଟିକୁ ନାୟକ । ସମ୍ପାଦକ ଭାବେ ବିଷ୍ଣୁ ପ୍ରସାଦ ଦାଶ (ଟୁନା) ଓ କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ଛାଟେଇ ବିଜୟ ଲାଭ କରିଛନ୍ତି ।

ଲକ ଡାଉନ ଫଳରେ ବାଣପୁର ବ୍ଳକ 3 ନମ୍ବର ଜୋନ ଘଣ୍ଟନିଧି ପାଣି ପଞ୍ଚାୟତର ନିର୍ବାଚନ ସ୍ଥଗିତ ରହିଥିଲା । ଚକ ଓ ସୋଠ ନିର୍ବାଚନ ପରେ ସମସ୍ତଙ୍କ ଆଖି ରହିଥିଲା ଜୋନ ସଭାପତି ପଦବୀ ଉପରେ । କିନ୍ତୁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଅଚାନକ ପାଣିପାଗ ବଦଳି ଯାଇଥିଲା । ଶାସକ ଦଳ ସମର୍ଥିତ ଦୁଇ ପ୍ରାର୍ଥୀ ପାଣି ପଞ୍ଚାୟତର ସଭାପତି ପଦ ହାତେଇବା ଲାଗି ନିଜ ଭିତରେ ଲାଗି ପଡ଼ିଥିଲେ ଓ ନିଜ ନିଜ ସମରସଜ୍ଜାରେ ଲାଗି ପଡ଼ିଥିଲେ । କିନ୍ତୁ ସମସ୍ତଙ୍କ ନଜର ଥିଲା ବିଧାୟକଙ୍କ ନିଷ୍ପତି ଉପରେ । ଗତକାଲି ବିଧାୟକଙ୍କ ଉପସ୍ଥିତିରେ ଦୁଇ ଆଶାୟୀଙ୍କ ମଧ୍ୟରେ ଅନେକ କଥା କଟାକଟି ହେବା ପରେ ଶେଷରେ ଧର୍ମଗୁଳାର ବାଟ ଆପଣେଇଥିଲେ । ବିଧାୟକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ସାନହନ୍ତୁଆଡର ଗିରିଜାଙ୍କୁ ପ୍ରଥମେ ସଭାପତି ଓ ମାଟିଆପୋଖରୀର ଶଙ୍କର ପ୍ରଧାନଙ୍କୁ ସମ୍ପାଦକ ଭାବେ ଘୋଷଣା କରିବା ପରେ କୌଣସି କାରଣବଶତଃ ପୁନଃ ଧର୍ମଗୁଳା ପକେଇବାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା ଓ ଗିରିଜା ଦଳୀୟ ନିଷ୍ପତିକୁ ନ ମାନି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଵା ପରେ ପରିସ୍ଥିତି ଭିନ୍ନ ମୋଡ ନେଇଥିଲା ।

ଆଜି ସକାଳୁ ନିର୍ବାଚନ ଉଷ୍ଣତାକୁ ଦେଖି ସମସ୍ତେ ଏହାର ଫଳାଫଳକୁ ଉତ୍କଣ୍ଠାର ସହ ଅପେକ୍ଷା କରିରହିଥିଲେ । କିନ୍ତୁ ଅଠର ସଦସ୍ୟ ଭିତ୍ତିକ ପାଣି ପଞ୍ଚାୟତର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯଚକିତ କରିଥିଲା ଓ ଗିରିଜା ଦଶ-ସାତ ଭୋଟରେ ବିଜୟୀ ଲାଭ କରିଥିଲେ । ଫଳାଫଳ ଘୋଷଣା ପରେ ବିଜୟୀ ଶିବିରରେ ଉଲ୍ଲାସ ଖେଳି ଜାଇଥିବା ବେଳେ ପରାଜିତ ଶିବିରରେ ନୈରାଶ୍ୟ ଛାଇ ଜାଇଛି । ଆଗକୁ ଦେଖିବା କଥା ପାଣି ପଞ୍ଚାୟତ ନିର୍ବାଚନର ଏହି ପାଣି ରାଜନୀତିକୁ କୋଉ ଦିଗକୁ ପ୍ରବାହିତ ହେଉଛି । ନିର୍ବାଚିତ ହେବା ପରେ ସମସ୍ତ ବିଜୟୀ ପ୍ରାର୍ଥୀ ସେମାନଙ୍କ ସମର୍ଥକମାନଙ୍କୁ ଅନେକ ସାଧୁବାଦ ଦେଇଛନ୍ତି ।

Related posts