ପରବର୍ତ୍ତୀ ବୈଠକରେ ନିଶ୍ଚିତ ହେବ ୭୮୩ ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭାଗ୍ୟ

Published: Mar 12, 2019, 4:54 pm IST

କଟକସ୍ଥିତ  ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ  ମାଟ୍ରିକ୍‌ ପରୀକ୍ଷା ପରିଚାଳନା କମିଟି ବୈଠକ ବିଫଳ ହୋଇଛି। ବୈଠକରୁ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ। ଏବେ ବି ୭୮୩ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଅନିଶ୍ଚିତତା ଘେରରେ ରହିଛି । ଶିକ୍ଷା ପରିଷଦ ସଭାପତିଙ୍କ ଅଧ୍ୟକ୍ଷତାରେ ୬ ଜଣିଆ କମିଟି ବୈଠକ ବସିଥିଲା। ଏହି ବୈଠକରେ ଚଳିତ ମାଟ୍ରିକ ପରୀକ୍ଷାରେ ବାତିଲ୍‌ ହୋଇଥିବା ତିନୋଟି କେନ୍ଦ୍ରର ପରୀକ୍ଷା ଓ ଗାଏବ ହୋଇଥିବା ୧୦୮ଟି ଗଣିତ ଓଏମ୍‌ଆର ସିଟ୍‌କୁ ନେଇ ନିଷ୍ପତ୍ତି ନିଆଯିବାର ଥିଲା। ତେବେ ଏହି ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ ।  ମାଟ୍ରିକ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ  ଅନେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଚଳିତ ବର୍ଷ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବାର ଲକ୍ଷ୍ୟ କରାଯାଇଛି। ପରୀକ୍ଷାର ପ୍ରଥମ ଦିନରୁ  ପ୍ରଶ୍ନପତ୍ର ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏପରିକି କିଛି ଅଞ୍ଚଳରେ ବ୍ୟାପକ କପି ହୋଇଥିବାର ମଧ୍ୟ ଅଭିଯୋଗ ଆସିଛି।  ମାଟ୍ରିକ ପରୀକ୍ଷାର ବିଭ୍ରାଟ ପରିଷଦ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବ୍ୟାଥାର କାରଣ ପାଲଟିଛି। ଖୁବ୍‌ ଶୀଘ୍ର ପରବର୍ତ୍ତୀ ବୈଠକ ରଖାଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

Related posts