1984 ମସିହା ଦଙ୍ଗା ମାମଲାରେ ସଜ୍ଜା ଭୋଗୁଥିବା ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବଙ୍କ କରୋନା ଯୋଗୁଁ ମୃତ୍ୟୁ

Published: Jul 5, 2020, 4:56 pm IST

ନୂଆଦିଲ୍ଲୀ : 1984 ମସିହାର ଶିଖ୍‌ ଦଙ୍ଗା ମାମଲାରେ 10 ବର୍ଷର କାରଦାଣ୍ଡ ଭୋଗୁଥିବା ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବଙ୍କ ତିହାର ଜେଲ୍‌ରେ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 70 ବର୍ଷ ବୟସ ହୋଇଥିଲା । ମହେନ୍ଦ୍ର ପାଲମ୍‌ ବିଧାନସଭା କ୍ଷେତ୍ରରୁ ବିଧାୟକ ହୋଇଥିଲା । ଏବଂ 84 ମସିହା ଦଙ୍ଗା ମାମଲାରେ ସିବିଆଇ ଦ୍ବାରା ତଦନ୍ତ କରାଯିବା ଯିବା ପରେ ଏକ ମାମଲାରେ ସେ ଦୋଷୀ ହୋଇଥିଲେ। କୋର୍ଟ ତାଙ୍କୁ 10 ବର୍ଷ ପାଇଁ ସଜ୍ଜା ଶୁଣାଇଥିଲେ । ତେବେ ତିହାର୍‌ ଜେଲ୍‌ରେ ଏହା ହେଉଛି କରୋନା ଯୋଗୁଁ ଦ୍ବିତୀୟ ମୃତ୍ୟୁ ।

ମିଳିଥିବା ସୂଚନା ଅନୁସାରେ ମହେନ୍ଦ୍ର ଯାଦବ ତିହାଡ ଜେଲ୍‌ର ସବ୍‌ ଜେଲ୍‌ ମଣ୍ଡୋଲୀ ଜେଲ୍‌ରେ ଜେଲ ନମ୍ବର 14ରେ ବନ୍ଦୀ ରହିଥିଲେ । ପୂର୍ବରୁ ଏହି ଜେଲ୍‌ରେ କ୍ବଓ୍ବର ସିଂ ନାମକ ଜଣେ କଏଦୀର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସେ ପଜିଟିଭ୍‌ ଥିବାର ସୂଚନା ରହିଥିଲା । ଏହାପରେ ଜେଲ୍‌ ପ୍ରଶାସନ ସମସ୍ତ 29 କଏଦୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ଏଥିରୁ 17 ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଓ 12 ଜଣ ନେଗେଟିଭ ଆସିଥିଲା । କିନ୍ତୁ ଜୁନ୍‌ 25ରେ ପୁନର୍ବାର ପରୀକ୍ଷା ପରେ ଏହି 12 ଜଣଙ୍କ ଭିତରୁ ତିନିଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା ।  ଜୁନ୍‌ 25ରେ ମହେନ୍ଦ୍ର ଯାଦବଙ୍କ କରୋନା ଟେଷ୍ଟ  ହୋଇଥିଲା । ସେ ପଜିଟିଭ୍‌ ହୋଇଥିବାର ସୂଚନା ରହିଥିଲା ।

ମହେନ୍ଦ୍ର ଯାଦବଙ୍କ ମୃତ୍ୟୁର ତଦନ୍ତ ମେଟ୍ରୋପଲିଟିଆନ୍‌ ମାଜିଷ୍ଟ୍ରେଟ୍‌ କରୁଛନ୍ତି । ତିହାର୍‌ ଜେଲ୍‌ ପ୍ରଶାସନ ମୁତାବକ କେନ୍ଦ୍ରୀୟ କାରାଗାରେ ଏବେ ସୁଦ୍ଧା ମୋଟ୍‌ 53 କଏଦୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଙଛନ୍ତି । ଯେଉଁଥିରୁ 31 ଜଣ ଠିକ୍‌ ହୋଇଥିବାବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।ଜେଲ୍‌ର ସମସ୍ତ 88 ଜଣଙ୍କ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ 28 ଜଣ ସୁସ୍ଥ ହୋଇଛନ୍ତି ।

Related posts