ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘର ଦୁଆରେ କରୋନା ଭୂତାଣୁ, ରାଜ୍ୟରେ ବଢୁଛି ସଂକ୍ରମଣ

Published: Jul 7, 2020, 3:16 pm IST

ପାଟନା, କିଛି ଦିନ ହେଲା ବିହାରରେ କରୋନା ସଂକ୍ରମଣ ନିୟମିତ ବୃଦ୍ଧି ପାଇବାରେ ଲାଗିଛି। ଏବେ ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘର ଦୁଆରେ ପହଞ୍ଚିଛି କରୋନା ଭୂତାଣୁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଣିଜୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ତାଙ୍କୁ ପାଟନା ଏମସରେ ଭର୍ତ୍ତି କରାଯାଇଛି।

ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ବିଶୋଧନ କରାଯାଇଛି। ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ନିକଟରେ ନୀତୀଶ କୁମାର ବିଧାନ ପରିଷଦ ଅଧ୍ୟକ୍ଷ ଅବଧେଶ ନାରାୟଣ ସିଂହ ଓ ତାଙ୍କୁ ପତ୍ନୀଙ୍କୁ ଭେଟିଥିଲେ। ଏହା ପରେ ସିଂହ ଦମ୍ପତି କରୋନା ସଂକ୍ରମିତ ଜଣାପଡିବା ପରେ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ହେଲେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

ଇତିମଧ୍ୟରେ ଜେଡିୟୁ-ବିଜେପି ସରକାରକୁ ସମାଲୋଚନା କରି ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ବନୀ ଯାଦବ କହିଛନ୍ତି, ରାଜ୍ୟରେ ନା ଅଧିକ ପରୀକ୍ଷା କରାଯାଉଛି ନା ଚିକିତ୍ସା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। କିଛି ବି ହେଉନଥିବା ସେ ଅଭିଯୋଗ କରିଛନ୍ତି। ଏହି ପରିସ୍ଥିତି ଲାଗି ରହିଲେ ଅଗଷ୍ଟ-ସେପଟେମ୍ବର ମାସ ବେଳକୁ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇ ପଡିବ ବୋଲି ସେ ସରକାରଙ୍କୁ ଚେତାଇ ଦେଇଛନ୍ତି। (ଏଜେନ୍ସି)

Related posts