
ରାଞ୍ଚି, ରାଜେଶ କୁମାର ସିଂହ। ଦୃଷ୍ଟିହୀନ ହେଲେ ବି କର୍ତ୍ତବ୍ୟ ଆଗରେ କେବେ ବି ହାର୍ ମାନିନାହାଁନ୍ତି। ଝାଡଖଣ୍ଡ ସରକାର ତାଙ୍କୁ ବୋକାରୋ ଜିଲ୍ଲାର ଡେପୁଟୀ କମିଶନର ଭାବେ ଅବସ୍ଥାପିତ କରିଛନ୍ତି, ଏହି ପଦକୁ ଜିଲ୍ଲାପାଳ ବୋଲି ମଧ୍ୟ କୁହାଯାଉଛି।
ରାଜେଶ କୁମାର ସିଂହ ବୁଧବାର ଦିନ ବୋକାରୋର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଛନ୍ତି। ଜିଲ୍ଲାର ଦାୟିତ୍ବ ନେବାରେ ସେ ହେଉଛନ୍ତି ପ୍ରଥମ ଦୃଷ୍ଟିହୀନ ଆଇ.ଏ.ଏସ ଅଫିସର। ବିଦାୟୀ ଜିଲ୍ଲାପାଳ ମୁକେଶ କୁମାରଙ୍କ ଠାରୁ ସେ ଦାୟିତ୍ବ ନେଇଛନ୍ତି। ରାଜ୍ୟ ସରକାର ମଙ୍ଗଳବାର ଦିନ 18 ଜଣ ଆଇ.ଏ.ଏସ ଅଫିସର ଏବଂ କେତେକ ଜିଲ୍ଲାର ଡେପୁଟୀ କମିଶନର ପଦରେ ଅଦଳ ବଦଳ କରିଛନ୍ତି।
ଏହି ଅବସରରେ ରାଜେଶ କୁମାର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ମୁଖ୍ୟ ଶାସନ ସଚିବ ସୁଖଦେବ ସିଂହ ଜଣେ ଦୃଷ୍ଟିହୀନ ଜଣେ ଅଧିକାରୀଙ୍କୁ ଏକ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି। ଏଥିପାଇଁ ଉଭୟଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି।
ରାଜେଶ କୁମାର ହେଉଛନ୍ତି 2007 ବ୍ୟାଚର ଆଇ.ଏ.ଏସ ଅଫିସର। ସେ ଏସଡିଓ ଏବଂ ଏସଡିଏମ ଭାବେ କାର୍ଯ୍ୟ କରି ସାରିଛନ୍ତି। ଯଦି ଦୃଢ ଇଚ୍ଛାଶକ୍ତି ଥାଏ, ଦୃଷ୍ଟିହୀନତା କୌଣସି କାମକୁ ଅଟକାଇ ପାରିବ ନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।