Categories
ଆଜିର ଖବର ଜାତୀୟ ଖବର

ଶେଷରେ ଗିରଫ ହେଲେ ହେମନ୍ତ ସୋରେନ, ସାତଘଣ୍ଟା ଧରି ଇଡି କଲା ଜେରା

ନୂଆଦିଲ୍ଲୀ: ଶେଷରେ ଗିରଫ ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଆଜି ଇଡି ସାତ ଘଣ୍ଟା ଧରି ଜେରା କରିବା ପରେ ତାଙ୍କୁ ଗିରଫ କରାଯାଇଛି। ଇଡି ତାଙ୍କୁ ପଚାରାଉଚୁରା କରିବା ପରେ ସେ ସିଧା ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପରେ ତାଙ୍କୁ ଇଡି ଗିରଫ କରିଥିବାର ଜଣାପଡିଛି।

ଜମି ଦୁର୍ନିତି ମାମଲାରେ ଇଡି ହେମନ୍ତଙ୍କୁ 10 ଥର ନୋଟିସ ଜାରୀ କରିଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ହେଲେ ଗତକାଲି ତାଙ୍କର ନୂଆଦିଲ୍ଲୀ ଏବଂ ରାଞ୍ଚି ଘରେ ଚଢାଉ କରିଥିଲା ଇଡି ଟିମ୍। ହେଲେ ସେଠାରେ ତାଙ୍କୁ ପାଇ ନ ଥିବାର ସୂଚନା ଦେଇଥିଲା। ସୋରେନ ଇସ୍ତପା ଦେବା ପରେ ବର୍ତ୍ତମାନ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜ୍ୟପାଳଙ୍କୁ ଦାବୀ ପତ୍ର ଦେଇଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କଲା ବିକଶିତ ଭାରତ ସଂକଳ୍ପ ଯାତ୍ରା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ଶତ ପ୍ରତିଶତ ଲାଭ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜୋର ଧରିଛି। ୨୦୨୩ ନଭେମ୍ବର ୧୫ ତାରିଖରେ ଝାଡ଼ଖଣ୍ଡର ଖୁଣ୍ଟି ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ସ୍ଥାନରୁ ଏକକାଳୀନ ଏକାଧିକ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ଭ୍ୟାନ୍ ଯୋଗେ ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ୨୦୨୪ ଜାନୁଆରୀ ୨୫ ସୁଦ୍ଧା ସାରା ଦେଶରେ ୨.୬୦ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ଏବଂ ୪୦୦୦ ରୁ ଅଧିକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ଯାତ୍ରା ସହ ଯୋଡ଼ିବା ଲକ୍ଷ୍ୟ ରଖାଯାଇଛି।

ସମଗ୍ର ଭାରତରେ ସଚେତନତା ସୃଷ୍ଟି କରୁଛି ବିକଶିତ ଭାରତ ସଂକଳ୍ପ ଯାତ୍ରା 

ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରି ଏହି ଯାତ୍ରା ଦେଶର ସୁଦୂର ଅଂଚଳର କୋଣଅନୁକୋଣରେ ପହଞ୍ଚିଛି। ଏହି ପଦକ୍ଷେପ ଏହା ସୁନିଶ୍ଚିତ କରେ, ଯେପରି ଏହି ସାମାଜିକ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ, ଏପରିକି ଅତି ଦୁର୍ଗମ ଅଂଚଳର ଲୋକ ମାନଙ୍କ ପାଖରେ ମଧ୍ୟ ପହଞ୍ଚି ପାରିବ।

ଏହି ଯାତ୍ରାରେ ପିଏମ୍ ଉଜ୍ଜ୍ୱଳା ଯୋଜନା ପଞ୍ଜୀକରଣ, ମାଇଁ ଭାରତ ସ୍ୱେଚ୍ଛାସେବୀ ପଞ୍ଜୀକରଣ, ଆୟୁଷ୍ମାନ କାର୍ଡ ବଣ୍ଟନ ଭଳି ସେବା ଯୋଗାଇ ଦିଆଯାଉଛି। ଏହା ଯାତ୍ରା ସମୟରେ ବହୁ ସଂଖ୍ୟକ ନାଗରିକ ବିଭିନ୍ନ ସରକାରୀ ଯୋଜନାରେ ପଞ୍ଜୀକୃତ ହେଉଛନ୍ତି। ଏହି ଯାତ୍ରାରେ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଅଧିକାର ପରିସରରେ ଆସୁଥିବା ସୁବିଧାକୁ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯାଉଛି।

ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ଅଧୀନରେ ୯.୪୭ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ୱଚ୍ଛ ରୋଷେଇ ଇନ୍ଧନ ସଂଯୋଗ ଯୋଗାଇ ଦିଆଯାଇଛି, ଯାହା ଫଳରେ ସେମାନଙ୍କ ପରିବାରକୁ ଧୂଆଁ ଭର୍ତ୍ତି ରୋଷେଇ ଘରରୁ ମୁକ୍ତି ମିଳିବ। ୧.୬୪ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ ସୁନିଶ୍ଚିତ କରୁଛି ଯେ ନାଗରିକ ମାନଙ୍କୁ ପ୍ରତି ବର୍ଷ ପରିବାର ପିଛା ୫ ଲକ୍ଷ ଟଙ୍କାର ବ୍ୟାପକ ସ୍ୱାସ୍ଥ୍ୟ ବୀମା ମିଳିବ।

ଯାତ୍ରାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସ୍‌ବିୱାଇ) ୧୮.୧୫ ଲକ୍ଷରୁ ଅଧିକ ନାଗରିକଙ୍କ ପାଇଁ ଦୁର୍ଘଟଣା ବୀମା ପ୍ରଦାନ କରିଛି । ଜୀବନ ବୀମା ପ୍ରଦାନ କରୁଥିବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ) ର ଲାଭ ୧୦.୮୬ ଲକ୍ଷରୁ ଅଧିକ ଲୋକ ପାଇଛନ୍ତି। ଏହି ଦୁଇଟି ଯୋଜନା ସମଗ୍ର ଭାରତରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଉଛି।

ଏହା ସହିତ, ସଙ୍କଳ୍ପ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି (ପିଏମ୍ ସ୍ୱନିଧି) ଅଧୀନରେ ୬.୭୯ ଲକ୍ଷରୁ ଅଧିକ ବୁଲା ବିକାଳିଙ୍କୁ କାର୍ଯ୍ୟକାରୀ ପୁଞ୍ଜି ଋଣ ପ୍ରଦାନ କରାଯାଇଛି। ‘ମାଇଁ ଭାରତ’ କୁ ଗ୍ରହଣ କରି ୨୭.୩୧ ଲକ୍ଷରୁ ଅଧିକ ଯୁବକ ନାମ ପଞ୍ଜୀକରଣ କରିଛନ୍ତି, ଯାହା ବିକଶିତ ଭାରତ ସଂକଳ୍ପ ଯାତ୍ରା ପରିସରରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜବତ ନୋଟ୍ ଗୁଡ଼ିକୁ ଗଣିବା ପାଇଁ ମଗା ଗଲା ଅଧିକ ମେସିନ୍: ବଢିଲା କର୍ମଚାରୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆୟକର ବିଭାଗ ଝାଡଖଣ୍ଡରୁ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଘରେ ଚଢାଉ କରି ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି। ଜବତ ହୋଇଥିବା ନଗଦ ଗଣନାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ, ଆୟକର ବିଭାଗ ଆଜି ଅଧିକ ନୋଟ୍ ଗଣନା ମେସିନ୍ ପାଇଁ ନିର୍ଦ୍ଦେଶ ଦେଇଛି।

ସବୁଠୁ ବଡ ଅପରେସନ୍:

ଆଇଟି ଅଧିକାରୀଙ୍କ କହିବାନୁସାରେ, ଧୀରଜ ସାହୁଙ୍କ ନିକଟରୁ ଜବତ ହୋଇଥିବା ନଗଦ ପ୍ରାୟ ୩୦୦ କୋଟି ଟଙ୍କା ହେବାର ସମ୍ଭାବନା ରହିଛି, ଯାହା ଏପର୍ଯ୍ୟନ୍ତ କୌଣସି ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ହୋଇଥିବା ଏକ ଅପରେସନରେ ସର୍ବାଧିକ ଜବତ ଟଙ୍କା।

ପ୍ରଥମେ ଜବତ ହୋଇଥିବା ନଗଦ ଗଣିବା ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ସହ ୩୦ରୁ ଅଧିକ ଅଧିକାରୀ ଜଡିତ ଥିଲେ। ଜବତ ହୋଇଥିବା ନଗଦ ଗଣନାକୁ ଶୀଘ୍ର ସମାପ୍ତ କରିବାକୁ ଆଇଟି ବିଭାଗ ପ୍ରାୟ ୪୦ ଟି ବଡ ଏବଂ ଛୋଟ ମେସିନ ତଥା ଅଧିକ କର୍ମଚାରୀଙ୍କୁ ଡାକିଛି। ସେପଟେ ଏତେ ପରିମାଣର ନଗଦ ଟଙ୍କା ଜବତ ହେବା ପରେ କଂଗ୍ରେସ ନିଜ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କଠାରୁ ଦୂରେଇ ଯାଇଛି।

ଏହି ପ୍ରସଙ୍ଗରେ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟରରେ କହିଛନ୍ତି ଯେ, “ସାଂସଦ ଧୀରଜ ସାହୁଙ୍କ ବ୍ୟବସାୟ ସହ ଭାରତୀୟ ଜାତୀୟ କଂଗ୍ରେସର କୌଣସି ସମ୍ପର୍କ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଦେଓଘର ଜନ ଔଷଧି କେନ୍ଦ୍ର ପରିଚାଳକ ଓ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି  କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆଜି ଝାଡଖଣ୍ଡର ଦେଓଘରସ୍ଥିତ ଏମ୍ସରେ ଦେଶର ୧୦ ହଜାରତମ ଜନଔଷଧୀ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି।

ପ୍ରଧାନମନ୍ତ୍ରୀ ଗତ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଇଥିବା ଭାଷଣରେ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫ ହଜାର କରିବା ଏବଂ ମହିଳା କିଷାନ ଡ୍ରୋନ କେନ୍ଦ୍ର  ସ୍ଥାପନ ସମ୍ପର୍କରେ ଘୋଷଣା କରିଥିଲେ। ସେହି ପ୍ରତିଶ୍ରୁତି ପାଳନ ପର୍ବ ଆଜିଠାରୁ ଆରମ୍ଭ ହୋଇଛି।

ଦେଓଘର ଠାରେ  ଖୋଲିଥିବା ଜନ ଔଷଧି କେନ୍ଦ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ପରିଚାଳକ ରୁଚି କୁମାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଲୋଚନା କରିଥିଲେ। ରୁଚି କହିଥିଲେ ଯେ ବଜାର ଦରଠାରୁ ଯଥେଷ୍ଟ ଶସ୍ତାରେ ଜନଔଷଧି କେନ୍ଦ୍ରରୁ ଉନ୍ନତ ମାନର ଔଷଧ ମିଳୁଥିବାରୁ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକେ ବିଶେଷ ଉପକୃତ ହେବେ। ଏସବୁ କେନ୍ଦ୍ରରେ ୧୦୦ ଟଙ୍କାର ବଜାର ମୂଲ୍ୟ ଔଷଧ ୧୦ ରୁ ୫୦ଟଙ୍କା ମଧ୍ୟରେ ମିଳୁଛି। ବାବା ଧାମରେ ଦେଶର ୧୦ହଜାରତମ ଜନ ଔଷଧି କେନ୍ଦ୍ର ଖୋଲିବା ଖୁସିର ବିଷୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନ ଔଷଧି କେନ୍ଦ୍ର ଓ ଏହାର ବିଶେଷତ୍ୱ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ଉଚିତ। ରୁଚି କୁମାରୀଙ୍କୁ ଏହି କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଜନଔଷଧି ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୋନା ମିଶ୍ର ନାମକ ଜଣେ ଦୋକାନୀ  ତଥା ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଆଗରୁ ସେ ଯେଉଁ ଔଷଧ ବଜାରରୁ କିଣୁଥିଲେ, ସେଥି ପାଇଁ ଯେତେ ଟଙ୍କା ଖର୍ଚ୍ଚ ହେଉଥିଲା ଜନ ଔଷଧି କିଣିବା ପରେ ତାଙ୍କ ମାସିକ ପ୍ରାୟ ୧୦ହଜାର ଟଙ୍କା କମ୍ ପଡୁଛି। ଶସ୍ତା ଔଷଧ ମିଳିବା ଘେନି ଲୋକଙ୍କୁ ସଚେତନ କରିବାକୁ ନିଜ ଦୋକାନରେ ଏକ ବୋର୍ଡ ଲଗାଇବାକୁ ପ୍ରଧାନମନ୍ତ୍ରୀ ଏହି ହିତାଧିକାରୀ ଶ୍ରୀ ମିଶ୍ରଙ୍କୁ ପରାମର୍ଶ ଦେଇଥିଲେ।

ସ୍ଥାନୀୟ ଲୋକ ଜନ ଔଷଧି ଯୋଜନା ସମ୍ପର୍କରେ ଅବଗତ ଥିବା ପ୍ରଧାନମନ୍ତ୍ରୀ ଜାଣିବା ପରେ ସନ୍ତୋଷ ପ୍ରକାଶ କରିଥିଲେ। ଲୋକଙ୍କୁ ଉତ୍ତମ ମାନର ଓ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ଏକ ବଡ ସେବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।

Categories
ବିଶେଷ ଖବର

‘ପଣ୍ଡିତ ନେହେରୁଙ୍କ ଆଦିବାସୀ ପତ୍ନୀ’, ଯିଏ କି ସାରା ଜୀବନ ବହିଷ୍କାରର ଶିକାର ହୋଇଥିଲେ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଦିବାସୀ ପତ୍ନୀ ବୁଦ୍ଧନୀ ମାଝୀଁଙ୍କ ପାଇଁ ସାନ୍ଥାଲିରେ ଏକ ସ୍ମାରକୀ ନିର୍ମାଣ ପାଇଁ ଦାବି ହୋଇଛି। ଶୁକ୍ରବାର ରାତିରେ ୮୦ ବର୍ଷୀୟା ବୁଧନୀ ମାଝୀଁଙ୍କର ଏହି ଦୁନିଆରୁ ବିଦାୟ ହୋଇଯାଇଛି। ଗତ ୬୪ ବର୍ଷ ଧରି ସେ ନିଜ ଜାତି ଓ ସମାଜରେ ବହିଷ୍କାରର ଶିକାର ହୋଇ ଆସୁଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଉପସ୍ଥିତିରେ ଦାମୋଦର ଭ୍ୟାଲି କର୍ପୋରେସନର ପଞ୍ଚେତ ଡ୍ୟାମ ଓ ଜଳ ବିଦ୍ୟୁତ ପ୍ଲାଣ୍ଟକୁ ବୁଦ୍ଧନି ଉଦଘାଟନ କରିଥିଲେ। ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସମ୍ମାନରେ ମିଳିଥିବା ମାଳ ଉଠାଇ ବୁଧନୀ ମାଝୀଁଙ୍କୁ ପିନ୍ଧାଇଥିଲେ। ସେତେବେଳେ ବୁଧନୀଙ୍କୁ ୧୬ ବର୍ଷ ହୋଇଥିଲା।

ପଣ୍ଡିତ ନେହେରୁ ପଞ୍ଚେତ ବନ୍ଧ ଉଦଘାଟନ ଅବସରରେ ବୁଧନୀଙ୍କୁ ମାଲ୍ୟାର୍ପଣ କରିଥିବା ମାଳ ତାଙ୍କ ପାଇଁ ଆଜୀବନ ଯନ୍ତ୍ରଣା ପାଲଟିଥିଲା। ବାସ୍ତବରେ ସାନ୍ଥାଲ ଆଦିବାସୀ ଅଞ୍ଚଳରେ ଜଣେ ପୁରୁଷ ଜଣେ ମହିଳା କିମ୍ବା ଝିଅଙ୍କୁ ମାଲ୍ୟାର୍ପଣ କରିବାକୁ ବିବାହଭାବେ ବିବେଚନା କରୁଥିଲେ। ସେହି ସମୟରେ ସମ୍ପ୍ରଦାୟ ବାହାରେ ବିବାହ କରିବା ଲୋକ ସମାଜରୁ ବହିଷ୍କୃତ ହେଉଥିଲା। ଆଦିବାସୀ ସମ୍ପ୍ରଦାୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ମାଳପିନ୍ଧାକୁ ବିବାହ ବୋଲି ବିବେଚନା କରିଥିଲେ। ସମ୍ପ୍ରଦାୟ ବାହାରେ ଜଣେ ଅଣ ଆଦିବାସୀ ବ୍ୟକ୍ତିଙ୍କୁ ‘ବିବାହ’ କରିଥିବାରୁ ବୁଦ୍ଧି ମାଝୀଁଙ୍କୁ ସମାଜରୁ ବହିଷ୍କାର କରାଯାଇଥିଲା। ବୁଦ୍ଧନୀଙ୍କୁ ତାଙ୍କ ଗାଁକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ନଭେମ୍ବର ୧୭ ତାରିଖରେ ବୁଦ୍ଧନୀ ମାଝୀଁଙ୍କ ଏହି କାହାଣୀ ସାମ୍ନାକୁ ଆସିଥିଲା, ଯେତେବେଳେ ବୁଦ୍ଧନୀଙ୍କ ପଞ୍ଚେତ ଏକ କୁଡ଼ିଆରେ ମୃତ୍ୟୁବରଣ କରିଥିଲେ। ଏଠାରେ ଥିବା କୁଡ଼ିଆରେ ସେ ତାଙ୍କ ଝିଅ ରତ୍ନାଙ୍କ ସହ ରହୁଥିଲେ।

ଏହିପରି ଆରମ୍ଭ ହୋଇଥିଲା ବୁଦ୍ଧନୀଙ୍କ ଜୀବନର ଉତ୍‍ଥାନ-ପତନ

କୁହାଯାଏ ଯେ ବୁଦ୍ଧନୀଙ୍କ ଜୀବନରେ ଉତ୍‍ଥାନ-ପତନ ୧୯୫୨ ମସିହାରୁ ଆରମ୍ଭ ହୋଇଥିଲା। ଡ୍ୟାମ୍ ନିର୍ମାଣ ସମୟରେ ତାଙ୍କ ପୈତୃକ ଜମି ଜଳମଗ୍ନ ହୋଇଯାଇଥିଲା। ଜମି ବ୍ୟତୀତ ତାଙ୍କର ରୋଜଗାରର ଅନ୍ୟ କୌଣସି ଉତ୍ସ ନ ଥିଲା। ତେବେ ଏହାପରେ ବି ବୁଦ୍ଧନୀ ହାର ମାନିନଥିଲେ। ଡ୍ୟାମ୍ ନିର୍ମାଣ ସମୟରେ ସେ ଶ୍ରମିକଭାବେ କାମ କରୁଥିଲେ। ବୁଦ୍ଧନୀ ପ୍ରଥମ ଠିକା ଶ୍ରମିକଙ୍କ ମଧ୍ୟରେ ଥିଲେ।

ତା’ପରେ ୧୯୫୯ ଡିସେମ୍ବର ୫ ତାରିଖରେ ଉଦଘାଟନୀ ଉତ୍ସବରେ ନେହେରୁ ତାଙ୍କୁ ମାଲ୍ୟାର୍ପଣ କରିବା ପରେ ସମସ୍ୟା ପୁଣି ସାମ୍ନାକୁ ଆସିଥିଲା। ନେହେରୁଙ୍କୁ ସ୍ୱାଗତ କରିବା ପାଇଁ ଡିଭିସି ମ୍ୟାନେଜମେଣ୍ଟ ସାନ୍ଥାଲିମାନ ରାବଣ ମାଝୀଙ୍କ ସହ ମିଶି ବୁଦ୍ଧନୀଙ୍କୁ ବାଛିଥିଲେ। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ଯେ ବୁଦ୍ଧନୀ ଡ୍ୟାମ୍ ଆରମ୍ଭ କରିବା ପାଇଁ ବଟନ ଦବାଇଥିଲେ।

୧୯୬୨ମସିହାରେ ବୁଦ୍ଧନୀଙ୍କୁ ଅନ୍ୟ କେତେକ ଡିଭିସି ଠିକା କର୍ମଚାରୀଙ୍କ ସହ ହଟାଇ ଦିଆଯାଇଥିଲା। ସେ ପଡ଼ୋଶୀ ବଙ୍ଗଳାର ପୁରୁଲିଆର ସାଲଟୋରାକୁ ଚାଲି ଆସି ଦିନ ମଜୁରିଆ ଭାବେ କାମ କରିବା ଆରମ୍ଭ କରିଥିଲେ। ସେଠାରେ ବୁଦ୍ଧନୀ ଏକ କୋଲିୟରିର ଠିକା କର୍ମଚାରୀ ସୁଧୀର ଦତ୍ତଙ୍କୁ ଭେଟିଥିଲେ, ଯିଏ ତାଙ୍କୁ ଆଶ୍ରୟ ଦେଇଥିଲେ ଏବଂ ପରେ ତାଙ୍କୁ ବିବାହ କରିଥିଲେ।

୧୯୮୫ ମସିହାରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀଭାବେ ବଙ୍ଗଳାର ଆସାନସୋଲ ଯାଇଥିବାବେଳେ ଜଣେ ସ୍ଥାନୀୟ କଂଗ୍ରେସ ନେତା ତାଙ୍କୁ ବୁଦ୍ଧନୀଙ୍କ ସହ ପରିଚିତ କରାଇ ତାଙ୍କର ଦୁଃଖ ଦୃଶ୍ୟ ବର୍ଣ୍ଣନା କରିଥିଲେ। ଏହାପରେ ବୁଦ୍ଧନୀଙ୍କୁ ଡିଭିସିରେ ଚାକିରି ମିଳିଥିଲା, ଯେଉଁଠାରୁ ସେ ୨୦୦୫ରେ ଅବସର ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଜନଜାତୀୟ ଗୌରବ ଦିବସ, ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏବଂ ପ୍ରଧାନମନ୍ତ୍ରୀ ବିଶେଷ ରୂପେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ବିକାଶ ମିଶନର ଶୁଭାରମ୍ଭ କରିଥିଲେ। ସେ ପିଏମ୍ – କିଷାନର ୧୫ତମ କିସ୍ତି ମଧ୍ୟ ପ୍ରଦାନ କରିଛନ୍ତି। ଶ୍ରୀ ମୋଦୀ ଝାଡ଼ଖଣ୍ଡ ରାଜ୍ୟରେ ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଏକାଧିକ କ୍ଷେତ୍ର ସହିତ ସମ୍ପର୍କିତ ୭୨୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଥିଲେ ଓ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନତାଙ୍କୁ ବିକଶିତ ଭାରତ ସଂକଳ୍ପ  ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ଆଜି ପରିଦର୍ଶନ କରିଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମ ଏବଂ ରାଞ୍ଚି ଠାରେ ଥିବା ବିର୍ସା ମୁଣ୍ଡା ମେମୋରିଆଲ ପାର୍କ ତଥା ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସମ୍ପର୍କରେ ମନେ ପକାଇ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କରିବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଜନଜାତୀୟ ଗୌରବ ଦିବସ ଅବସରରେ ଶ୍ରୀ ମୋଦୀ ପ୍ରତ୍ୟେକ ନାଗରିକଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି।

ଝାଡଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ସେ ଶୁଭେଚ୍ଛା ଜଣାଇବା ସହ ଏହାର ଗଠନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ବିଭିନ୍ନ କ୍ଷେତ୍ର ସହିତ ସମ୍ପର୍କିତ ଆଜିର ବିକାଶମୂଳକ ପ୍ରକଳ୍ପ ଗୁଡିକ ପାଇଁ ସେ ଝାଡ଼ଖଣ୍ଡର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଖୁସି ବ୍ୟକ୍ତ କରିଥିଲେ ଯେ ଝାଡ଼ଖଣ୍ଡ ରାଜ୍ୟରେ ଏବେ ଶତ ପ୍ରତିଶତ ବିଦ୍ୟୁତିକରଣ ହୋଇଥିବା ରେଳ ପଥ ରହିଛି।

ଆଦିବାସୀ ଗୌରବ ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରେରଣାଦାୟୀ ସଂଘର୍ଷ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅସଂଖ୍ୟ ଆଦିବାସୀ ନାୟକଙ୍କ ସହ ଝାଡ଼ଖଣ୍ଡ ମାଟିର ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ। ତିଲକା ମାନ୍‌ଝୀ, ସିଦ୍ଧୁ କାହ୍ନୁ, ଚାନ୍ଦ ଭୈରବ, ଫୁଲୋ ଝାନୋ, ନୀଳାମ୍ବର, ପୀତାମ୍ବର, ଯାତ୍ରା ତାନା ଭଗତ ଓ ଆଲବର୍ଟ ଏକ୍କାଙ୍କ ଭଳି ଅନେକ ବୀର ଏହି ଭୂମିକୁ ଗର୍ବିତ କରିଛନ୍ତି ବୋଲି ସେ କହିଥିଲେ। ଦେଶର କୋଣ ଅନୁକୋଣରେ ଆଦିବାସୀ ଯୋଦ୍ଧାମାନେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ଏବଂ ମାନଗଡ଼ ଧାମର ଗୋବିନ୍ଦ ଗୁରୁ, ମଧ୍ୟପ୍ରଦେଶର ତାନ୍ତ୍ୟା ଭିଲ, ଛତିଶଗଡ଼ର ଭୀମା ନାୟକ, ସହିଦ ବୀର ନାରାୟଣ ସିଂହ, ମଣିପୁରର ବୀର ଗୁଣ୍ଡାଧୂର, ରାଣୀ ଗାଇଦିନଲିଉ , ତେଲଙ୍ଗାନାର ବୀର ରାମଜୀ ଗୋଣ୍ଡ, ଆନ୍ଧ୍ରପ୍ରଦେଶର ଆଲୁରୀ ସୀତାରାମ ରାଜୁ, ଗୋଣ୍ଡ ପ୍ରଦେଶର ରାଣୀ ଦୁର୍ଗାବତୀଙ୍କ ବିଷୟରେ ସେ ଉଲ୍ଲେଖ କରିଥିଲେ । ଏଭଳି ବ୍ୟକ୍ତିତ୍ୱ ମାନଙ୍କ  ପ୍ରତି ଅବହେଳା ପାଇଁ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଅମୃତ ମହୋତ୍ସବ ସମୟରେ ଏହି ବୀରମାନଙ୍କୁ ମନେ ପକାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଝାଡ଼ଖଣ୍ଡ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ଆୟୁଷ୍ମାନ ଯୋଜନା ଝାଡ଼ଖଣ୍ଡରୁ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଝାଡ଼ଖଣ୍ଡରୁ ଦୁଇଟି ଐତିହାସିକ ପଦକ୍ଷେପର ଶୁଭାରମ୍ଭ କରାଯାଉଛି । ପ୍ରଥମଟି ହେଉଛି ବିକଶିତ ଭାରତ ସଂକଳ୍ପ ଯାତ୍ରା , ଯାହା ସରକାରଙ୍କ ଲକ୍ଷ୍ୟ ଏବଂ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନର ଏକ ମାଧ୍ୟମ ହେବ ଯାହା ବିଲୁପ୍ତ ହେବାକୁ ଯାଉଥିବା ଜନଜାତି ମାନଙ୍କୁ ସୁରକ୍ଷା ପ୍ରଦାନ କରିବ ଏବଂ ସେମାନଙ୍କୁ ପରିପୁଷ୍ଟ କରିବ ।

ବିକଶିତ ଭାରତର ଚାରିଟି ‘ଅମୃତ ସ୍ତମ୍ଭ’ ବା ଖୁଣ୍ଟ ଯଥା ନାରୀ ଶକ୍ତି, ଭାରତର ଖାଦ୍ୟ ଉତ୍ପାଦନକାରୀ ଅର୍ଥାତ୍ କୃଷକ , ଦେଶର ଯୁବକ ଏବଂ ଶେଷରେ ଭାରତର ନବ – ମଧ୍ୟବିତ୍ତ ଓ ଗରିବ ଲୋକମାନଙ୍କ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ବିକାଶର ଏହି ସ୍ତମ୍ଭ ଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଭାରତରେ ବିକାଶର ପରିମାଣ ଆମର ସାମର୍ଥ୍ୟ ଉପରେ ନିର୍ଭର କରେ ବୋଲି ସେ କହିଥିଲେ । ବର୍ତ୍ତମାନର ସରକାରଙ୍କ ବିଗତ ୯ ବର୍ଷର ଶାସନ କାଳରେ ଚାରୋଟି ସ୍ତମ୍ଭକୁ ସୁଦୃଢ଼ କରିବା ପାଇଁ ଯେତିକି ପ୍ରୟାସ ଏବଂ କାର୍ଯ୍ୟ କରାଯାଇଛି ସେଥିରେ ପ୍ରଧାନମନ୍ତ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ୧୩ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର‌୍ୟମୁକ୍ତ କରିବାରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଫଳତା ଉପରେ ଆଲୋକପାତ କରିଥିଲେ । “୨୦୧୪ରେ ଆମ ସରକାର କ୍ଷମତାକୁ ଆସିବା ପରେ ଆମର ସେବା କାଳ ଆରମ୍ଭ ହୋଇଥିଲା”, ବୋଲି ସେ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ ଦେଶର ଏକ ବିଶାଳ ଜନସଂଖ୍ୟା ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଥିଲେ । ତତ୍କାଳୀନ ସରକାରଙ୍କ ବେପରୁଆ ଆଭିମୁଖ୍ୟ ଯୋଗୁଁ ଗରିବ ଲୋକମାନେ ସମସ୍ତ ଆଶା ହରାଇଥିଲେ ବୋଲି ସେ କହିଛନ୍ତି । “ବର୍ତ୍ତମାନର ସରକାର ସେବା ଭାବନା ସହିତ କାର୍ଯ୍ୟ ଆରମ୍ଭ କରିଛନ୍ତି” ବୋଲି ସେ କହିଥିଲେ ଏବଂ ଗରିବ ଏବଂ ବଞ୍ଚିତ ଲୋକମାନେ  ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ପାଲଟିବା ସହିତ ସେମାନଙ୍କ ଦ୍ୱାରରେ ସୁବିଧା ପହଞ୍ଚାଇ ଦିଆଯାଇଛି । ପରିବର୍ତ୍ତନ ପାଇଁ ସରକାରଙ୍କ ଆଭିମୁଖ୍ୟକୁ ସେ ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ୨୦୧୪ ପୂର୍ବରୁ ଗାଁରେ ସ୍ୱଚ୍ଛତାର ପରିସର ମାତ୍ର ୪୦ ପ୍ରତିଶତ ଥିବା ବେଳେ ଆଜି ଦେଶ ଏଥିରେ ସଂତୃପ୍ତି ପାଇଁ ଲକ୍ଷ୍ୟ ରଖିଛି । ୨୦୧୪ ପରେ ଅନ୍ୟାନ୍ୟ ଉପଲବ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସ୍ୱାଧୀନତା ପରବର୍ତ୍ତୀ ଦଶ ଦଶନ୍ଧି ମଧ୍ୟରେ ଆଜି ଗ୍ରାମର ୫୦ – ୫୫ ପ୍ରତିଶତରୁ ପ୍ରାୟ ୧୦୦ ପ୍ରତିଶତକୁ ଏଲ୍‌ପିଜି ସଂଯୋଗ ବୃଦ୍ଧି ପାଇବା, ୫୫ ପ୍ରତିଶତରୁ ୧୦୦ ପ୍ରତିଶତ ପିଲାଙ୍କୁ ଜୀବନ ରକ୍ଷାକାରୀ ଟିକା ପ୍ରଦାନ କରାଯିବା, ୧୭ ପ୍ରତିଶତରୁ ବୃଦ୍ଧି ପାଇ ୭୦ ପ୍ରତିଶତ ପରିବାରକୁ ଜଳ ସଂଯୋଗ ଯୋଗାଇ ଦିଆ ଯାଉଥିବା ବିଷୟରେ ସୂଚନା ଦେଇଥିଲେ । ମୋଦି ବଞ୍ଚିତ ମାନଙ୍କୁ ପ୍ରାଥମିକତା ଦେଇଛନ୍ତି ବୋଲି ସେ କହିଛନ୍ତି । ଦାରିଦ୍ର‌୍ୟ ଏବଂ ବଞ୍ଚିତ ହେବା ଭଳି ପ୍ରସଙ୍ଗ ସହିତ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା କାରଣରୁ ବଞ୍ଚିତ ଲୋକଙ୍କ ପ୍ରତି ତାଙ୍କର ଆକର୍ଷଣ ବିଷୟରେ ପ୍ରଧାନମନ୍ତ୍ରୀ ଜଣାଇଥିଲେ ଏବଂ କହିଥିଲେ ଯେ ସେମାନେ ସରକାରଙ୍କ ପାଇଁ ପ୍ରାଥମିକତା ପାଲଟିଛନ୍ତି । “ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ଏହି ଭୂମିକୁ ଆସିଛି, ଯେଉଁଠାରେ ବଞ୍ଚିତ ମାନଙ୍କ ଉପରେ ମୋର ଋଣ ପରିଶୋଧ କରିବାକୁ ଅଛି”, ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ କହିଛନ୍ତି ଯେ , ସରକାର ନିମ୍ନ ମାନର ଫଳକୁ ଆପଣାଇବାର ପ୍ରଲୋଭନକୁ ପ୍ରତିହତ କରିଛନ୍ତି ଏବଂ ଦୀର୍ଘ ଦିନ ଧରି ଅଟକି ରହିଥିବା ସମସ୍ୟାର ସମାଧାନ କରିଛନ୍ତି । ସେ ଅନ୍ଧାର ଯୁଗରେ ବଞ୍ଚିବା ପାଇଁ ଅଭିଶାପିତ ହୋଇଥିବା ୧୮,୦୦୦ ଗାଁର ବିଦ୍ୟୁତିକରଣର ଉଦାହରଣ ଦେଇଥିଲେ । ଲାଲକିଲ୍ଲା ପ୍ରାଚୀରରୁ କରାଯାଇଥିବା ଘୋଷଣା ଅନୁଯାୟୀ ନିର୍ଦ୍ଧାରିତ ସମୟରେ ବିଦ୍ୟୁତିକରଣ କରାଯାଇଥିଲା । ପଛୁଆ ମାନ୍ୟତା ପାଇଥିବା ୧୧୦ଟି ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସହଜ ଜୀବନଶୈଳୀର ପ୍ରମୁଖ ମାନଦଣ୍ଡ ସୃଷ୍ଟି କରାଯାଇଥିଲା । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏହି ଜିଲ୍ଲା ଗୁଡ଼ିକରେ ଅନେକ ପରିବର୍ତ୍ତନ ଆଣିଛି । ଏହି ଜିଲ୍ଲା ଗୁଡ଼ିକରେ ସର୍ବାଧିକ ଆଦିବାସୀ ଜନସଂଖ୍ୟା ରହିଛି ବୋଲି ସେ ସୂଚନା ଦେଇଛନ୍ତି । “ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ମାଧ୍ୟମରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସଫଳତାକୁ ବ୍ୟାପକ କରାଯାଉଛି” ବୋଲି ସେ କହିଥିଲେ ।

ଦେଶର କୌଣସି ନାଗରିକଙ୍କ ପ୍ରତି ଭେଦଭାବର ସମସ୍ତ ସମ୍ଭାବନା ଦୂର ହେଲେ ହିଁ ପ୍ରକୃତ ଧର୍ମନିରପେକ୍ଷତା ଆସିଥାଏ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ଏବଂ ସମସ୍ତ ସରକାରୀ ଯୋଜନାର ଲାଭ ସମସ୍ତଙ୍କ ପାଖରେ ସମାନ ପରିମାଣରେ ପହଞ୍ଚିଲେ ହିଁ ସାମାଜିକ ନ୍ୟାୟ ସୁନିଶ୍ଚିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ପୁଣି ଥରେ କହିଥିଲେ । ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହୋଇ ଆସନ୍ତା ବର୍ଷ ଜାନୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ପଛରେ ଏହି ଭାବନା ରହିଛି । ସରକାର ମିଶନ ମୋଡରେ ଦେଶର ପ୍ରତ୍ୟେକ ଗାଁକୁ ଯିବେ ଏବଂ ପ୍ରତ୍ୟେକ ଗରିବ ଓ ବଞ୍ଚିତ ବ୍ୟକ୍ତିଙ୍କୁ ସରକାରୀ ଯୋଜନାର ହିତାଧିକାରୀ କରିବେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ୨୦୧୮ରେ ଗ୍ରାମ ସ୍ୱରାଜ ଅଭିଯାନର ଆୟୋଜନକୁ ମନେ ପକାଇଥିଲେ ଯେଉଁଥିରେ ୭ଟି ପ୍ରମୁଖ ସରକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ହଜାର ସରକାରୀ ଅଧିକାରୀଙ୍କୁ ଗାଁକୁ ପଠାଯାଇଥିଲା ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମାନ ଭାବରେ ସଫଳ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । “ମୁଁ ସେହି ଦିନକୁ ଅପେକ୍ଷା କରିଛି ଯେତେବେଳେ ପ୍ରତ୍ୟେକ ଗରିବ ଲୋକଙ୍କ ପାଖରେ ମାଗଣାରେ ରାସନ କାର୍ଡ, ଉଜ୍ଜ୍ୱଳା ଯୋଜନାରୁ ଗ୍ୟାସ ସଂଯୋଗ, ଘରେ ବିଜୁଳି ଯୋଗାଣ, ଟ୍ୟାପ୍ ପାଣି ସଂଯୋଗ, ଆୟୁଷ୍ମାନ କାର୍ଡ ଏବଂ ପକ୍କା ଘର ରହିବ” । ପ୍ରଧାନମନ୍ତ୍ରୀ ମୋଦୀ ପେନସନ ଯୋଜନାରେ ପ୍ରତ୍ୟେକ କୃଷକ ଏବଂ ଶ୍ରମିକ ଯୋଗ ଦେବା ଏବଂ ଯୁବକ ମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ମୁଦ୍ରା ଯୋଜନାର ଲାଭ ଉଠାଇବା ବିଷୟରେ ତାଙ୍କର ଦୃଷ୍ଟିକୋଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଭାରତର ଗରିବ, ବଞ୍ଚିତ, ମହିଳା, ଯୁବକ ଓ କୃଷକ ମାନଙ୍କ ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି ।

ଏକ ବିକଶିତ ଭାରତ ପାଇଁ ସଂକଳ୍ପର ଏକ ପ୍ରମୁଖ ଭିତ୍ତିଭୂମି ହେଉଛି ପିଏମ ଜନମନ ବା ପିଏମ୍ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ଅଟଳଜୀଙ୍କ ସରକାର ହିଁ ଆଦିବାସୀ ସମାଜ ପାଇଁ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରି ଅଲଗା ବଜେଟ ଆବଣ୍ଟନ କରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ । ଆଦିବାସୀ କଲ୍ୟାଣ ପାଇଁ ବଜେଟ୍ ପୂର୍ବ ତୁଳନାରେ ୬ ଗୁଣା ବୃଦ୍ଧି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏମ୍ ଜନମନ ଅଧୀନରେ ସରକାର ଆଦିବାସୀ ଗୋଷ୍ଠୀ ଏବଂ ଆଦିମ ଜନଜାତିଙ୍କ ପାଖରେ ପହଞ୍ଚିବେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ବି ଜଙ୍ଗଲରେ ବାସ କରନ୍ତି । ଦେଶର ୨୨ ହଜାରରୁ ଅଧିକ ଗ୍ରାମରେ ବସବାସ କରୁଥିବା ଲକ୍ଷାଧିକ ଜନସଂଖ୍ୟା ବିଶିଷ୍ଟ ୭୫ଟି ଆଦିବାସୀ ସମ୍ପ୍ରଦାୟ ଓ ଆଦିମ ଜନଜାତିଙ୍କୁ ସରକାର ଚିହ୍ନଟ କରିଛନ୍ତି । “ପୂର୍ବ ସରକାରମାନେ ତଥ୍ୟକୁ ଯୋଡ଼ିବା କାମ କରୁଥିଲେ, କିନ୍ତୁ ମୁଁ ତଥ୍ୟ ନୁହେଁ, ଜୀବନକୁ ଯୋଡ଼ିବାକୁ ଚାହୁଁଛି । ଏହି ଲକ୍ଷ୍ୟ ନେଇ ପିଏମ୍ ଜନମନ ଆଜି ଠାରୁ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ବୃହତ୍ ଅଭିଯାନ ପାଇଁ କେନ୍ଦ୍ର ସରକାର ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ଜନଜାତି ସମ୍ପ୍ରଦାୟ ଗୁଡିକର ବିକାଶ ପାଇଁ ରାଷ୍ଟ୍ରପତି ଦ୍ରୁପଦୀ ମୁର୍ମୁଙ୍କ ଦୃଢ଼ ପ୍ରତିବଦ୍ଧତା ନିମନ୍ତେ ପ୍ରଧାନମନ୍ତ୍ରୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ତାଙ୍କୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶର ପ୍ରେରଣାଦାୟୀ ପ୍ରତୀକ ବୋଲି କହିଥିଲେ । ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ମହିଳା ମାନଙ୍କର ନେତୃତ୍ୱାଧୀନ ବିକାଶ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ଅନେକ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । “ଆମ ସରକାର ମହିଳା ମାନଙ୍କ ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଯୋଜନା କରିଛନ୍ତି”, ବୋଲି  ସେ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ , ବେଟି ବଚାଓ ବେଟି ପଢ଼ାଓ, ବିଦ୍ୟାଳୟରେ ଝିଅ ମାନଙ୍କ ପାଇଁ ପୃଥକ ଶୌଚାଳୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୈନିକ ସ୍କୁଲ ଏବଂ ପ୍ରତିରକ୍ଷା ଏକାଡେମୀ ଖୋଲିବା, ୭୦ ପ୍ରତିଶତ ମୁଦ୍ରା ହିତାଧିକାରୀ ମହିଳା ହେବା, ସ୍ୱୟଂ ସହାୟକ ଗୋଷ୍ଠୀକୁ ରେକର୍ଡ ପରିମାଣର ସହାୟତା ଏବଂ ନାରୀ ଶକ୍ତି ବନ୍ଦନ ଅଧିନିୟମ ପରି ପଦକ୍ଷେପ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ।. ଆଜି ଭାଇ ଦୂଜ ଭଳି ଏକ ପବିତ୍ର ପର୍ବର ଦିନ । ଏହି ଭାଇ ଦେଶର ସମସ୍ତ ଭଉଣୀମାନଙ୍କୁ ଗ୍ୟାରେଣ୍ଟି ଦେଉଛି ଯେ ଆମ ସରକାର ଆମ ଭଉଣୀମାନଙ୍କ ବିକାଶରେ ଥିବା ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂର କରିବା ପାଇଁ କାର୍ଯ୍ୟ ଜାରି ରଖିବେ । ମହିଳା ଶକ୍ତିର ଅମୃତ ସ୍ତମ୍ଭ ଏକ ବିକଶିତ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ପିଏମ୍ ବିଶ୍ୱକର୍ମା ଯୋଜନା ଏହି ସୂଚନା ପ୍ରଦାନ କରୁଛି ଯେ ଏକ ବିକଶିତ ଭାରତର ଯାତ୍ରାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସାମର୍ଥ୍ୟକୁ ଉପଯୋଗ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଏହି ଯୋଜନା ବିଶ୍ୱକର୍ମା ବନ୍ଧୁମାନଙ୍କୁ ଆଧୁନିକ ପ୍ରଶିକ୍ଷଣ ଏବଂ ଉପକରଣ ପ୍ରଦାନ କରିବ ବୋଲି ସେ କହିଛନ୍ତି । ଏହି ଯୋଜନାରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ଆଜି ଜାରି ହୋଇଥିବା ପିଏମ୍ କିଷାନ ସମ୍ମାନ ନିଧିର ୧୫ତମ କିସ୍ତି ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୃଷକ ମାନଙ୍କ ଆକାଉଣ୍ଟକୁ ୨,୭୫,୦୦୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର  କରାଯାଇଛି । ସେ ଗୋପାଳନକାରୀ ଓ ମତ୍ସ୍ୟଜୀବୀ ମାନଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ, ପଶୁ ମାନଙ୍କର ମାଗଣା ଟିକାକରଣ ପାଇଁ ୧୫,୦୦୦ କୋଟି ଟଙ୍କାର ସରକାରୀ ଖର୍ଚ୍ଚ, ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଆର୍ôଥକ ସହାୟତା ଏବଂ ଦେଶରେ ୧୦ ହଜାର ନୂତନ କୃଷକ ଉତ୍ପାଦନ ସଂଘ ଗଠନ କରି ବଜାରକୁ ଅଧିକ ସୁଗମ କରି କୃଷକମାନଙ୍କ ପାଇଁ ଖର୍ଚ୍ଚ ହ୍ରାସ କରିବା ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବରେ ପାଳନ କରିବା ଏବଂ ଶ୍ରୀ ଅନ୍ନକୁ ବିଦେଶୀ ବଜାରକୁ ନେବା ପାଇଁ ସରକାରଙ୍କ ପ୍ରୟାସ ବିଷୟକୁ  ମଧ୍ୟ ସ୍ପର୍ଶ କରିଥିଲେ ।

ଝାଡ଼ଖଣ୍ଡରେ ନକ୍ସଲ ହିଂସା ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ସାମଗ୍ରିକ ବିକାଶକୁ ଶ୍ରେୟ ଦେଇଛନ୍ତି । ଖୁବ୍ ଶୀଘ୍ର ରାଜ୍ୟ ଗଠନର ୨୫ ବର୍ଷ ପୂରଣ ହେବ ବୋଲି ଆକଳନ କରି ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡରେ ୨୫ଟି ଯୋଜନାର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହା ରାଜ୍ୟର ବିକାଶକୁ ନୂଆ ପ୍ରୋତ୍ସାହନ ଦେବା ସହ ସହଜ ଜୀବନଧାରଣକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି । ଆଧୁନିକ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ, “ଶିକ୍ଷାର ପ୍ରସାର ଏବଂ ଯୁବକ ମାନଙ୍କୁ ସୁଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ”, ଯାହା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ମାତୃଭାଷାରେ ଡାକ୍ତରୀ  ଏବଂ ଇଞ୍ଜିନିୟରିଂ ପଢ଼ିବାରେ ସକ୍ଷମ କରେ ।  ଗତ ୯ ବର୍ଷ ମଧ୍ୟରେ ଦେଶରେ ୩୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଓ ୫୫୦୦ ନୂଆ କଲେଜ ପ୍ରତିଷ୍ଠା ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ସେ ଡିଜିଟାଲ ଇଣ୍ଡିଆ ଅଭିଯାନ ଏବଂ ଏକ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ ଅପ୍ ପାରିବେଶିକ ବ୍ୟବସ୍ଥାରେ ପରିଣତ ହେବା ବିଷୟରେ ମଧ୍ୟ ଆଲୋକପାତ କରିଥିଲେ ।  ରାଞ୍ଚିର ଆଇଆଇଏମ୍ କ୍ୟାମ୍ପସ୍ ଏବଂ ଧାନବାଦସ୍ଥିତ ଆଇଆଇଟି – ଆଇଏସ୍‌ଏମ୍‌ରେ ନୂତନ ହଷ୍ଟେଲ୍‌ର ଉଦଘାଟନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ ମଧ୍ୟବିତ୍ତଙ୍କ ଶକ୍ତି ଭାରତକୁ ଏକ ନୂତନ ଉଚ୍ଚତାକୁ ନେଇଯିବ ଏବଂ ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ବିକଶିତ ଭାରତ ସଂକଳ୍ପ ଯାତ୍ରା

ଏହି ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡ଼ିକୁ ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି । ଯୋଜନାର ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଜନଜାତୀୟ ଗୌରବ ଦିବସ ଅବସରରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ର ଶୁଭାରମ୍ଭ କରିଥିଲେ ।

ଲୋକଙ୍କ ପାଖରେ ପହଞ୍ଚିବା, ସଚେତନତା ସୃଷ୍ଟି କରିବା, ପରିମଳ ସୁବିଧା ଯୋଗାଇ ଦେବା, ଅତ୍ୟାବଶ୍ୟକ ଆର୍ଥିକ ସେବା ପ୍ରଦାନ କରିବା, ବିଜୁଳି ସଂଯୋଗ, ଏଲ୍‌ପିଜି ସିଲିଣ୍ଡର, ଗରିବ ଲୋକଙ୍କ ପାଇଁ ବାସଗୃହ ଯୋଗାଣ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୋଷଣ, ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ ଇତ୍ୟାଦି କଲ୍ୟାଣକାରୀ ଯୋଜନାର ଲାଭ ପ୍ରଦାନ ଉପରେ ଯାତ୍ରାରେ ଗୁରୁତ୍ୱ ଦିଆଯିବ । ସମ୍ଭାବ୍ୟ ହିତାଧିକାରୀ ମାନଙ୍କ ପଞ୍ଜୀକରଣ ଯାତ୍ରା ସମୟରେ ହୋଇଥିବା ବିବରଣୀ ମାଧ୍ୟମରେ କରାଯିବ ।

‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆଇଇସି (ସୂଚନା, ଶିକ୍ଷା ଓ ଯୋଗାଯୋଗ) ଭ୍ୟାନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏବଂ ୨୦୨୪ ଜାନୁଆରି ୨୫ ତାରିଖ ସୁଦ୍ଧା ବହୁ ସଂଖ୍ୟାରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଯାତ୍ରା ଆରମ୍ଭ ହେବ ଏବଂ ଏହା ଦେଶର ସମସ୍ତ ଜିଲ୍ଲାକୁ ପରିକ୍ରମା କରିବ ।

ପିଏମ୍ ପିଭିଟିଜି ମିଶନ

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରଥମ ପଦକ୍ଷେପ – ‘ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଏମ୍ ପିଭିଟିଜି) ବିକାଶ ମିଶନ’ ର ଶୁଭାରମ୍ଭ କରିଥିଲେ । ପ୍ରାୟ ୨୮ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୨୨,୫୪୪ଟି ଗାଁ (୨୨୦ଟି ଜିଲ୍ଲା) ରେ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୫ ପିଭିଟିଜି ବସବାସ କରୁଛନ୍ତି ।

ଏହି ଜନଜାତିମାନେ ବିଚ୍ଛିନ୍ନ, ଦୁର୍ଗମ ଏବଂ ଅପହଞ୍ଚ ବସ୍ତିରେ ରୁହନ୍ତି, ପ୍ରାୟତଃ ଜଙ୍ଗଲ ଅଞ୍ଚଳରେ ରୁହନ୍ତି ଏବଂ ତେଣୁ ପ୍ରାୟ ୨୪,୦୦୦ କୋଟି ଟଙ୍କାର ବଜେଟରେ ପିଭିଟିଜି ପରିବାର ଏବଂ ବସ୍ତିଗୁଡ଼ିକୁ ସଡ଼କ ଏବଂ ଟେଲିକମ୍ ଯୋଗାଯୋଗ, ବିଜୁଳି, ସୁରକ୍ଷିତ ବାସଗୃହ, ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ, ଶିକ୍ଷାର ଉନ୍ନତ ଉପଲବ୍ଧତା, ସ୍ୱାସ୍ଥ୍ୟ ଏବଂ ପୋଷଣ ଏବଂ ସ୍ଥାୟୀ ଜୀବିକା ସୁଯୋଗ ଭଳି ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଏକ ମିଶନ ଯୋଜନା କରାଯାଇଛି ।

ଏହା ବ୍ୟତୀତ ପିଏମ୍‌ଜେଏୱାଇ, ସିକେଲ ସେଲ ରୋଗ ନିରାକରଣ, ଯକ୍ଷ୍ମା ନିରାକରଣ, ଶତ ପ୍ରତିଶତ ଟିକାକରଣ, ପିଏମ୍ ସୁରକ୍ଷିତ ମାତୃତ୍ୱ ଯୋଜନା, ପିଏମ୍ ମାତୃ ବନ୍ଦନା ଯୋଜନା, ପିଏମ୍ ପୋଷଣ, ପିଏମ୍ ଜନ ଧନ ଯୋଜନା ଇତ୍ୟାଦି ପାଇଁ ପୃଥକ ଭାବେ ସଂତୃପ୍ତି ସୁନିଶ୍ଚିତ କରାଯିବ ।

ପିଏମ୍ – କିଷାନ ଏବଂ ଅନ୍ୟାନ୍ୟ ବିକାଶମୂଳକ ପଦକ୍ଷେପର ୧୫ତମ କିସ୍ତି

କୃଷକଙ୍କ କଲ୍ୟାଣ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଆଉ ଏକ ଉଦାହରଣ ପ୍ରଦର୍ଶିତ କରୁଥିବା ଏହି ପଦକ୍ଷେପରେ ୮ କୋଟିରୁ ଅଧିକ ହିତାଧିକାରୀ ମାନଙ୍କୁ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ – କିଷାନ) ଅଧୀନରେ ପାଖାପାଖି ୧୮,୦୦୦ କୋଟି ଟଙ୍କାର ପଞ୍ଚଦଶ କିସ୍ତି ରାଶି ପ୍ରଦାନ କରାଯାଇଛି । ଏହି ଯୋଜନା ଅଧୀନରେ , ବର୍ତ୍ତମାନ ସୁଦ୍ଧା ୧୪ଟି କିସ୍ତିରେ ୨.୬୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି ।

ପ୍ରଧାନମନ୍ତ୍ରୀ ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଭଳି ଏକାଧିକ କ୍ଷେତ୍ର ସହିତ ସମ୍ପର୍କିତ ପ୍ରାୟ ୭୨୦୦ କୋଟି ଟଙ୍କାର ପ୍ରକଳ୍ପ ଗୁଡିକର ଉଦଘାଟନ କରିଥିଲେ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ଏବଂ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିଥିଲେ, ସେଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ ୧୩୩ର ମହାଗାମା – ହଂସଡିହା ସେକ୍ସନର ୫୨ କିଲୋମିଟର ଅଂଶକୁ ୪ ଲେନ୍ କରିବା : ୧୧୪ ଏ ନମ୍ବର ଜାତୀୟ ରାଜପଥର ବାସୁକିନାଥ – ଦେଓଘର ସେକ୍ସନର ୪୫ କିଲୋମିଟର ରାସ୍ତାକୁ ୪ ଲେନ୍ କରିବା ; କେଡିଏଚ୍ – ପୂର୍ଣ୍ଣଡିହା କୋଇଲା ପରିଚାଳନା କାରଖାନା ; ଆଇଆଇଆଇଟି ରାଞ୍ଚିର ନୂତନ ଶୈକ୍ଷିକ ଏବଂ ପ୍ରଶାସନିକ କୋଠା ନିର୍ମାଣ ଅନ୍ତର୍ଭୁକ୍ତ ।

ଉଦ୍‌ଘାଟିତ ହୋଇଥିବା  ଓ ଦେଶ ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଆଇଆଇଏମ୍ ରାଞ୍ଚିର ନୂତନ କ୍ୟାମ୍ପସ୍‌; ଆଇଆଇଟି ଆଇଏସ୍‌ଏମ୍ ଧାନବାଦର ନୂଆ ହଷ୍ଟେଲ; ବୋକାରୋରେ ପେଟ୍ରୋଲିୟମ ତୈଳ ଓ ଲୁବ୍ରିକାଂଟସ୍ (ପିଓଏଲ୍‌) ଡିପୋ ; ହଟିଆ – ପାକ୍ରା ସେକ୍ସନର ଦୋହରୀକରଣ, ତାଳଗଡ଼ିଆ – ବୋକାରୋ ସେକ୍ସନ ଏବଂ ସାରଙ୍ଗଡିହ – ପତ୍ରାତୁ ସେକ୍ସନ ଭଳି ଅନେକ ରେଳ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଝାଡ଼ଖଣ୍ଡ ରାଜ୍ୟରେ ଶତ ପ୍ରତିଶତ ରେଳ ବିଦ୍ୟୁତିକରଣର ସଫଳତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍‌ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ଲଗାତାର ପ୍ରୟାସ କରି ଆସୁଛନ୍ତି। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାରୀ ଯୋଜନାର ସୁଫଳ ଯେପରି ସବୁ ହିତାଧିକାରୀଙ୍କୁ ମିଳିପାରିବ ସେଥିପ୍ରତି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି।

ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି ତୃତୀୟ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଶ୍ରୀ ମୋଦୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବେ। ସ୍ୱଚ୍ଛତା ସୁବିଧା, ଜରୁରି ଆର୍ଥିକ ସେବା, ବିଦ୍ୟୁତ ସଂଯୋଗ, ଏଲପିଜି ସିଲିଣ୍ଡର ଯୋଗାଣ, ଗରିବଙ୍କୁ ପକ୍କା ଆବାସ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୁଷ୍ଟିସାଧନ, ଭରସାଯୋଗ୍ୟ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ପାନୀୟ ଜଳ ଆଦି ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ହିତାଧିକାରୀଙ୍କୁ ଏସବୁ ଯୋଜନାର ଅଧିକରୁ ଅଧିକ ଲାଭ ଯୋଗାଇ ଦେବା ନିମନ୍ତେ ଜନସମ୍ପର୍କ ସ୍ଥାପନ ଲାଗି ଯାତ୍ରାରେ ଗୁରୁତ୍ୱ ଦିଆଯିବ। ଯାତ୍ରା ଆୟୋଜନ ସମୟରେ ସଂଗ୍ରହ କରାଯାଇଥିବା ବିବରଣୀ ଆଧାରରେ ସମ୍ଭାବ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯିବ।

‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଖୁଣ୍ଟିରୁ ଆଇଇସି (ସୂଚନା, ଶିକ୍ଷା ଓ ଯୋଗାଯୋଗ) ବାହନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅଧିକ ଆଦିବାସୀ ବହୁଳ ଜନସଂଖ୍ୟା ଥିବା ଜିଲ୍ଲାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ ହେବ ଏବଂ ୨୫ ଜାନୁଆରୀ ୨୦୨୪ ସୁଦ୍ଧା ଦେଶର ସବୁ ଜିଲ୍ଲାରେ ଯାତ୍ରା ପହଞ୍ଚିବ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ସକାଳ ପ୍ରାୟ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ରାଞ୍ଚିସ୍ଥିତ ଭଗବାନ ବିର୍ସା ମୁଣ୍ଡା ସ୍ମାରକୀ ଉଦ୍ୟାନ ତଥା ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କରିବେ। ଏହାପରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମରେ ପହଞ୍ଚି ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଶ୍ରୀ ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗାଁକୁ ଗସ୍ତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଖୁଣ୍ଟିଠାରେ ତୃତୀୟ ଜନଜାତୀୟ ଗୌରବ ଦିବସ, ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ସେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏବଂ ‘ପିଏମ୍‌ ପିଭିଟିଜି ମିଶନର ଶୁଭାରମ୍ଭ କରିବେ। ସେ ପିଏମ-କିଷାନର ୧୫ତମ କିସ୍ତି ମଧ୍ୟ ଜାରି କରିବେ ଏବଂ ଝାଡ଼ଖଣ୍ଡରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ତଥା ଶିଳାନ୍ୟାସ କରିବେ।

Categories
ଆଜିର ଖବର ଜାତୀୟ ଖବର

୭ ଟି ବିଧାନସଭା ଆସନ ଉପ-ନିର୍ବାଚନରେ ​​ଜିତିଲେ ଏକମାତ୍ର ମୁସଲିମ ପ୍ରାର୍ଥୀ, ବିଜେପି ଦେଇଥିଲା ଟିକେଟ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଡୁମ୍ରି, କେରଳର ପୁଥୁପଲ୍ଲୀ, ତ୍ରିପୁରାର ଧନପୁର, ବକ୍ସନଗର, ୟୁପିରେ ଘୋଷୀ, ଉଉତ୍ତରାଖଣ୍ଡର ବାଗେଶ୍ୱର ଏବଂ ପଶ୍ଚିମବଙ୍ଗର ଧୁପଗୁଡୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଶୁକ୍ରବାର ଦିନ ଘୋଷଣା କରାଯାଇଛି।

ଏହି ସାତୋଟି ଆସନ ମଧ୍ୟରୁ ୩ ଟି ବିଜେପି ଜିତିଛି। ସମାଜବାଦୀ ପାର୍ଟି, କଂଗ୍ରେସ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରାନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି। ଏହି ସାତୋଟି ଆସନ ମଧ୍ୟରୁ ଗୋଟିଏରେ ଜଣେ ମୁସଲମାନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ଏବଂ ସେ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ତ୍ରିପୁରାର ବକ୍ସନଗର ଆସନରେ ଉପ-ନିର୍ବାଚନରେ ​​ତଫଜଲ ହୁସେନ୍ ଏକ ବଡ଼ ବିଜୟ ପଞ୍ଜିକରଣ କରିଛନ୍ତି। ତଫଜଲ ହୁସେନ୍ ୩୪ ହଜାର ୧୪୬ ଭୋଟ୍ ପାଇଥିବାବେଳେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ମାର୍କ୍ସବାଦୀ (ସିପିଏମ୍) ପ୍ରାର୍ଥୀ ମିଜାନ୍ ହୁସେନ୍ ୩ ହଜାର ୯୦୯ ଭୋଟ୍ ପାଇଛନ୍ତି। ମିଜାନକୁ ତଫଜଲ ୩୦ ହଜାର ୨୩୭ ଭୋଟରେ ପରାସ୍ତ କରିଛନ୍ତି।

ଧନପୁରରୁ ବିଜେପି ମଧ୍ୟ ଜିତିଛି:

ତ୍ରିପୁରାର ଦ୍ୱିତୀୟ ଆସନ ଧନପୁର ଉପ-ନିର୍ବାଚନରେ ​​ମଧ୍ୟ ବିଜେପି ଜିତିଛି। ବିନ୍ଦୁ ଦେବନାଥ ଏଠାରେ ୧୮,୮୭୧ ଭୋଟ ବ୍ୟବଧାନରେ ଜିତିଛନ୍ତି। ଦେବନାଥଙ୍କୁ ୩୦ ହଜାର ୧୭ ଭୋଟ୍ ଏବଂ କୌଶିକ ଚନ୍ଦ୍ର ୧୧ ହଜାର ୧୪୮ ଭୋଟ୍ ପାଇଛନ୍ତି। ସାତ ମାସ ପୂର୍ବରୁ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରଥମ ଥର ପାଇଁ ଧନପୁର ଆସନ ଜିତିଥିଲା। ଧନପୁରର ବିଧାୟକ ପଦରୁ କେନ୍ଦ୍ର ମନ୍ତ୍ରୀ ପ୍ରତୀମା ଭୌମିକଙ୍କ ଇସ୍ତଫା କାରଣରୁ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ତ୍ରିପୁରାରେ ବର୍ତ୍ତମାନ କେତେ ସିଟ୍ ଅଛି?:

ତ୍ରିପୁରାର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ବର୍ତ୍ତମାନ ୩୩ କୁ ବୃଦ୍ଧି ପାଇଛି। ଏହାର ସହଯୋଗୀ ଆଇପିଡିଟି ର ଜଣେ ବିଧାୟକ ଅଛନ୍ତି। ଟିପ୍ରା ମୋଥାରୁ ୧୩ ଜଣ ବିଧାୟକ, ସିପିଆଇଏମରୁ ୧୦ ଜଣ ଏବଂ କଂଗ୍ରେସରୁ ତିନିଜଣ ଅଛନ୍ତି।

କେଉଁଠାରୁ କେଉଁ ଦଳ ନିର୍ବାଚନରେ ​​ଜିତିଲେ?:

କେରଳରେ କଂଗ୍ରେସ ପ୍ରାର୍ଥୀ ଚଣ୍ଡି ଓମନ ପୁଥୁପଲୀ ଆସନରୁ ନିର୍ବାଚନରେ ​​ବିଜୟୀ ହୋଇଥିବା ବେଳେ ୟୁପିର ଘୋସିରୁ ସମାଜବାଦୀ ପାର୍ଟିର ସୁଧାକର ସିଂ, ଧୁପଗୂଢରୁ ଟିଏମସିର ନିର୍ମଳ ଚନ୍ଦ୍ର ରୟ, ଉତ୍ତରାଖଣ୍ଡର ବାଗେଶ୍ୱରରୁ ବିଜେପି ର ପାର୍ବତୀ ଦାସ ଏବଂ ଝାଡଖଣ୍ଡର ଡୁମ୍ରିରୁ ଜେଏମଏମ ପ୍ରାର୍ଥୀ ବେବି ଦେବୀ ଜିତିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଝାଡଖଣ୍ଡର ଧନବାଦ୍ ଜିଲ୍ଲାରେ ଜଣେ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସାମ୍ନାରୁ ୬ ଟି ଗୁଳି ଚାଳନା କରାଯାଇଛି। ଏହି ଘଟଣା ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଘଟିଛି। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର

ବଜ୍ରପାତ ଯୋଗୁଁ ଅତି କମରେ ୧୨ ମୃତ

ରାଞ୍ଚି: ଝାଡଖଣ୍ଡର ବିଭିନ୍ନ ସ୍ଥାନରେ ବଜ୍ରପାତ ହେତୁ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ଧନବାଦ୍ ଜିଲ୍ଲାର ବାରୱାଡା ଅଞ୍ଚଳରେ ବଜ୍ରପାତରେ ଜଣେ ମହିଳା ଏବଂ ତାଙ୍କ ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ଦିନ ଜାମସେଦପୁରର ବେହେରାଗୌଡା ଏବଂ ଗୁମଲା ଜିଲ୍ଲାର ଚିରୋଡିହରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଅଧିକାରୀ କହିଛନ୍ତି। ଲୋହରଦାଗାରୁ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଗୁରୁବାର ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଚତରା, ହଜରିବାଗ, ରାଞ୍ଚି, ବୋକାରୋ ଏବଂ ଖୁଣ୍ଟି ଜିଲ୍ଲାରେ ଜଣେ ଏବଂ ପଲାମୁ ହୁସେନାବାଦରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସଂପୃକ୍ତ ଜିଲ୍ଲାମାନଙ୍କୁ ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଦେବା ପାଇଁ କେତେ କ୍ଷୟକ୍ଷତି ଆକଳନ କରିବାକୁ କୁହାଯାଇଛି। ବଜ୍ରପାତରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଝାଡଖଣ୍ଡ ସରକାର ଚାରି ଲକ୍ଷ ଟଙ୍କା ପ୍ରଦାନ କରିଥାଏ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସରକାରୀ ଜମି ଦଖଲ ଅଭିଯୋଗରେ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ଇଡି ର ଚଢାଉ: ୭ ଗିରଫ

ନୂଆଦିଲ୍ଲୀ: ଗୁରୁବାର ଦିନ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ୨୦ ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଥିଲା। ଯେଉଁଥିରେ ୭ ଜଣଙ୍କୁ ଗିରଫ କରାଯାଇଥିଲା। ସମସ୍ତେ ସରକାରୀ ଏବଂ ପ୍ରତିରକ୍ଷା ଜମି ଅକ୍ତିଆର କରିଥିବା ଅଭିଯୋଗ ହୋଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଫସର ଅଲି, ଇମତିଆଜ ଅହମ୍ମଦ, ପ୍ରଦୀପ ବାଗଚି, ଏମଡି ସଦ୍ଦାମ ହୁସେନ୍, ତଲହା ଖାନ୍, ଭାନୁ ପ୍ରତାପ ପ୍ରସାଦ ଏବଂ ଫୟାଜ ଖାନ ଅଛନ୍ତି। ଆଇଏଏସ୍ ଅଧିକାରୀ (୨୦୧୧ ବ୍ୟାଚ୍) ଛବି ରଂଜନଙ୍କ ପରିସରରେ ଚଢାଉ କରାଯାଇଥିଲା। ଏହା ହେଉଛି ଦ୍ୱିତୀୟ ମାମଲା, ଯେତେବେଳେ ଝାଡଖଣ୍ଡ କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ ଇଡି ସ୍କାନରରେ ଆସିଛନ୍ତି। ଗତ ବର୍ଷ ଅର୍ଥ ହେରଫେର ମାମଲାରେ ଚଢାଉ କରିବା ପରେ ଇଡି ଆଇଏଏସ୍ ଅଧିକାରୀ ପୂଜା ସିଙ୍ଗଲଙ୍କୁ ଗିରଫ କରିଥିଲା।

ସର୍ବଶେଷ ଇଡି କାର୍ଯ୍ୟ ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କ’ଣ ପଦକ୍ଷେପ ନେବେ ତାହା ଜାଣିବାକୁ ବିଜେପି ନେତା ବାବୁଲାଲ ମାରାଣ୍ଡି ଜାଣିବାକୁ ଚାହୁଁଥିଲେ। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମାରାଣ୍ଡି କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କ’ଣ ଆପଣ ଜମି ସ୍କାମର ଆଇଏଏସ୍ ଛବି ରଂଜନଙ୍କ ତଦନ୍ତ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବେ, ତାଙ୍କୁ ନିଲମ୍ବନ କରିବେ ଏବଂ କୋର୍ଟ ଚାଲାଣ କରିବେ କିମ୍ବା ଆପଣ ମଧ୍ୟ ଏହି ମାମଲାରେ ଧରା ପଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିବେ?”

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡରେ ନକ୍ସଲମାନଙ୍କ ଆତଙ୍କ, ବୋମାରେ ଉଡେଇଦେଲେ ପଞ୍ଚାୟତ ଭବନ

ନୂଆଦିଲ୍ଲୀ: ଝାଡଖଣ୍ଡରେ ନକ୍ସଲମାନେ ଆତଙ୍କ ସୃଷ୍ଟି କରିଛନ୍ତି। ନକ୍ସଲମାନଙ୍କ ବିରୁଦ୍ଧରେ ଲଗାତାର ଅପରେସନ ପରେ ଚାଇବାସା ଜିଲ୍ଲାର ଚକ୍ରଧରପୁର ପରି ବହୁ ଜନବହୁଳ ସହରାଞ୍ଚଳ ନିକଟରେ ଥିବା ଗୋଇଲକେରା ପୋଲିସ୍ ଷ୍ଟେସନ ଅଞ୍ଚଳର କଦମଡିହାରେ ଅବସ୍ଥିତ ପଞ୍ଚାୟତ ଭବନକୁ ବିସ୍ଫୋରଣ କରାଯାଇଛି। ନକ୍ସଲମାନେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାମ ନେଇ ପଞ୍ଚାୟତର ଦ୍ୱାରରେ ନିଜର ଦାବି ରଖିଛନ୍ତି।

ଗୋଇଲକେରା ପଞ୍ଚାୟତ ଭବନରେ ବିସ୍ଫୋରଣ ପରେ ନକ୍ସଲମାନେ ୧୨ ରୁ ୨୧ ଫେବୃଆରୀ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିରୋଧ ଦିବସ ବିଷୟରେ ସୂଚନା ଦେଇଥିବାବେଳେ ସେମାନେ ସିପିଆଇ ମାଓବାଦୀ ଜିନ୍ଦବାଦ୍ ଏବଂ ପିଏନଜିଇଏ ଜିନ୍ଦାବାଦର ସ୍ଲୋଗାନ ମଧ୍ୟ ଲେଖିଛନ୍ତି। ସେମାନେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାମ ଲେଖିଛନ୍ତି ଏବଂ ମାଓବାଦୀଙ୍କୁ ଘଉଡାଇବା ନାମରେ କୋହ୍ଲାନ ଆଦିବାସୀଙ୍କୁ ପୋଲିସ ଓ ସାମରିକ ବାହିନୀ କାହିଁକି ନିର୍ଯାତନା ଦେଉଛନ୍ତି ଏବଂ କୋହ୍ଲାନର ଗ୍ରାମ ଓ ଜଙ୍ଗଲକୁ କାହିଁକି ବୋମାମାଡ଼ କରାଯାଉଛି ବୋଲି ପଚାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଧନବାଦର ନର୍ସିଂହୋମରେ ଅଗ୍ନିକାଣ୍ଡ: ଦୁଇ ଡାକ୍ତରଙ୍କ ସମେତ ୫ ମୃତ

ଧନବାଦ୍: ଶୁକ୍ରବାର ବିଳମ୍ବିତ ରାତିରେ ଝାଡଖଣ୍ଡର ଧନବାଦରେ ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ଡାକ୍ତରଙ୍କ ସମେତ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ମୃତ ବ୍ୟକ୍ତିଙ୍କ ମଧ୍ୟରେ ମେଡିକାଲ ପ୍ରତିଷ୍ଠାନର ମାଲିକ ଡକ୍ଟର ବିକାଶ ହାଜରା, ତାଙ୍କ ପତ୍ନୀ ଡକ୍ଟର ପ୍ରେମା ହାଜରା, ମାଲିକଙ୍କ ପୁତୁରା ସୋହାନ ଖମାରି ଏବଂ ଘରୋଇ ସହାୟିକା ତାରା ଦେବୀ ଅଛନ୍ତି।

ଅଧିକାରୀଙ୍କ କହିବାନୁସାରେ, ରାଞ୍ଚିଠାରୁ ପ୍ରାୟ ୧୭୦ କିଲୋମିଟର ଦୂରରେ ଧନବାଦର ବ୍ୟାଙ୍କ ମୋଡ ଅଞ୍ଚଳରେ ଅବସ୍ଥିତ ନର୍ସିଂହୋମର ଷ୍ଟୋର ରୁମରେ ରାତି ପ୍ରାୟ ୨ ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଧନବାଦ୍ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ ପ୍ରେମ କୁମାର ତିୱାରୀ କହିଛନ୍ତି ଯେ, ଷ୍ଟୋର ରୁମରେ ନିଆଁ ଲାଗିବା ପରେ ନର୍ସିଂହୋମର ମାଲିକ ଏବଂ ତାଙ୍କ ପତ୍ନୀଙ୍କ ସମେତ ଅତି କମରେ ପାଞ୍ଚ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି।

ଏକ ଘରୋଇ ନର୍ସିଂହୋମରେ ନିଆଁ ଲାଗି ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବର୍ତ୍ତମାନ ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି। ” ଧନବାଦ୍ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ ପ୍ରେମ ତିୱାରୀଙ୍କ ଅନୁଯାୟୀ ମୃତକଙ୍କ ମଧ୍ୟରୁ ୪ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ପଞ୍ଚମ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ହୃଦୟ ବିଦାରକ ହତ୍ୟାକାଣ୍ଡ: ଦ୍ୱିତୀୟ ପତ୍ନୀଙ୍କୁ ଅନେକ ଖଣ୍ଡରେ କାଟିଲା ସ୍ଵାମୀ

ରାଞ୍ଚି: ଝାଡଖଣ୍ଡର ସାହିବଗଞ୍ଜ ଜିଲ୍ଲାରେ ଦିଲ୍ଲୀର ଶ୍ରଦ୍ଧା ହତ୍ୟା ଭଳି ମାମଲା ସାମ୍ନାକୁ ଆସିଛି। ଜଣେ ଆଦିବାସୀ ବ୍ୟକ୍ତି ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଅନେକ ଖଣ୍ଡରେ କାଟି ଦେଇଛନ୍ତି। ପୋଲିସ ଅଧିକାରୀଙ୍କ ମୁତାବକ, “ସାହିବଗଞ୍ଜର ୨୨ ବର୍ଷ ବୟସ୍କା ଆଦିବାସୀ ମହିଳାଙ୍କ ମୃତଦେହର ୧୨ ଖଣ୍ଡ ମିଳିଛି। ଶରୀର ଆଉ କିଛି ଅଂଶକୁ ପୋଲିସ ଖୋଜିବାରେ ନିୟୋଜିତ ଅଛି। ଅଭିଯୁକ୍ତ ସ୍ୱାମୀ ଦିଲଦାର ଅନସାରୀଙ୍କୁ ଗିରଫ କରାଯାଇଛି, ମୃତ ମହିଳାଜଣଙ୍କ ତାଙ୍କର ଦ୍ୱିତୀୟ ପତ୍ନୀ। ”

ପୋଲିସର ସୂଚନାନୁସାରେ, ଶନିବାର ସନ୍ଧ୍ୟା ୬ ଟା ସମୟରେ ସନ୍ଥାଲି ମୋମିନ ଟୋଲା ଅଞ୍ଚଳର ଏକ ପୁରୁଣା ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ବିବାହର ବାହାନା କରି ମହିଳାଙ୍କୁ ଆଣିଥିଲେ।

Categories
ବିଶେଷ ଖବର

ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦର ୨୫ତମ ବୈଠକ: ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

କୋଲକାତା: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି କୋଲକାତା ଠାରେ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦର ୨୫ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ବିହାରର ଉପମୁଖ୍ୟମନ୍ତ୍ରୀ, ଓଡ଼ିଶାର ମନ୍ତ୍ରୀମାନଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ପରିଷଦ ଅଧୀନରେ ଆସୁଥିବା ରାଜ୍ୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଗତ ୮ ବର୍ଷ ମଧ୍ୟରେ କ୍ଷେତ୍ରୀୟ ପରିଷଦର ବୈଠକରେ ୧୦୦୦ରୁ ଅଧିକ ବିଷୟ ଉପରେ ଆଲୋଚନା ହୋଇଛି ସେଥିମଧ୍ୟରୁ ୯୩ ପ୍ରତିଶତରୁ ଅଧିକ ପ୍ରସଙ୍ଗର ସମାଧାନ ହୋଇଛି। ଏହା ବହୁତ ବଡ଼ ସଫଳତା। ସେ କହିଥିଲେ ଯେ ୨୦୦୬ରୁ ୨୦୧୩ ପର୍ଯ୍ୟନ୍ତ କ୍ଷେତ୍ର ପରିଷଦର ମୋଟ ୬ଟି ବୈଠକ ଅନୁଷ୍ଠିତ ହୋଇଥିଲା (ବାର୍ଷିକ ହାରାହାରୀ ଗୋଟିଏରୁ ମଧ୍ୟ କମ ବୈଠକ), କିନ୍ତୁ ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୮ ବର୍ଷ ମଧ୍ୟରେ, କୋଭିଡ ମହାମାରୀ ସତ୍ତ୍ବେ, ମୋଟ୍‌ ୨୩ଟି ବୈଠକ (ଆଜିକୁ ମିଶାଇ) ଅନୁଷ୍ଠିତ ହୋଇସାରିଛି (ବାର୍ଷିକ ହାରାହାରୀ ୩ଟି ବୈଠକ)। ଶ୍ରୀ ଶାହା କହିଥିଲେ ଯେ,  କ୍ଷେତ୍ରୀୟ ପରିଷଦ ବୈଠକର ପୁନରାବୃତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ଏବଂ ଏହାର ପରିଣାମ ମଧ୍ୟ ମିଳିଛି ଯାହାକୁ ସବୁ ରାଜ୍ୟ ସରକାର, କେନ୍ଦ୍ର ମନ୍ତ୍ରଣାଳୟ ଓ ବିଭାଗର ସହଯୋଗ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଛି ଏବଂ ଏଥିରେ ଆନ୍ତଃରାଜ୍ୟ ପରିଷଦ ସଚିବାଳୟ ସକ୍ରିୟ ଭୂମିକା ଗ୍ରହଣ କରୁଛି।

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା କହିଥିଲେ ଯେ, କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ବିଗତ ବର୍ଷଗୁଡ଼ିକ ମଧ୍ୟରେ ପୂର୍ବାଞ୍ଚଳ କ୍ଷେତ୍ରର ରାଜ୍ୟମାନଙ୍କରେ ଭିତ୍ତିଭୂମି ବିକଶିତ କରିବା ଲାଗି ଯଥେଷ୍ଟ କାର୍ଯ୍ୟ କରିଛନ୍ତି। ସେ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗତିଶକ୍ତି ଯୋଜନାର ପରିକଳ୍ପନାରେ ଏକ ବଡ଼ ଭାଗ ପୂର୍ବାଞ୍ଚଳର ରାଜ୍ୟମାନଙ୍କରେ ରହିଛି କାରଣ ଶ୍ରୀ ମୋଦୀ ସବୁବେଳେ ଏହି ଅଞ୍ଚଳର ବିକାଶ ଉପରେ ଗୁରୁତ୍ବାରୋପ କରି ଆସିଛନ୍ତି। ଆସନ୍ତା ୨୫ ବର୍ଷ ସ୍ବାଧୀନତାର ଅମୃତ କାଳ ସମୟରେ ଭାରତର ବିକାଶ ଯାତ୍ରାରେ ଦେଶର ପୂର୍ବାଞ୍ଚଳ କ୍ଷେତ୍ର ମହତ୍ବପୂର୍ଣ୍ଣ ଯୋଗଦାନ ଦେବ। ଶ୍ରୀ ଅମିତ ଶାହା କହିଥିଲେ ଯେ, ୨୫ତମ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦ ବୈଠକ ଭଲ ଓ ସକାରାତ୍ମକ ପରିବେଶରେ ଅନୁଷ୍ଠିତ ହୋଇଛି, ଅନେକ ପ୍ରସଙ୍ଗରେ ସହମତି ହୋଇଛି ଏବଂ ବାକି ପ୍ରସଙ୍ଗ ଉପରେ ମଧ୍ୟ ଆପୋସ ବିଚାରବିମର୍ଶ କରାଯାଇ ସମସ୍ୟାର ସମାଧାନ କରାଯିବ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ଦେଶର ପୂର୍ବାଞ୍ଚଳ କ୍ଷେତ୍ର ପ୍ରାୟତଃ ବାମପନ୍ଥୀ ଉଗ୍ରବାଦ ମୁକ୍ତ ହୋଇସାରିଛି ଏବଂ ଏହି ନିର୍ଣ୍ଣାୟକ ପ୍ରଭାବକୁ ବଜାୟ ରଖିବା ଲାଗି ପ୍ରୟାସ କରାଯିବା ଉଚିତ। ଏସବୁ ରାଜ୍ୟକୁ ବାମପନ୍ଥୀ ଉଗ୍ରବାଦ ମୁକ୍ତ ରଖିବା ଏବଂ ଦେଶର ଅନ୍ୟ ପ୍ରାନ୍ତ ଭଳି ସମାନ ବିକାଶ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ନାର୍କୋଟିକ୍ସ ନିରାକରଣ ଲାଗି ଏନସିଓଆରଡି ପ୍ରଣାଳୀର ଜିଲ୍ଲାସ୍ତରୀୟ ଢାଞ୍ଚ ଓ ଏହାର ନିୟମିତ ବୈଠକ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ। ସେ କହିଥିଲେ ଯେ ଆଜି ଦେଶରେ ମାଦକ ଦ୍ରବ୍ୟ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଜାରି ରହିଛି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଡ୍ରଗ୍ସ ବିରୋଧରେ ଅଭିଯାନକୁ ଆହୁରି ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି।

ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ନିଜ ନିଜ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ଜି-୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମୟରେ ରାଜ୍ୟମାନଙ୍କର ସାଂସ୍କୃତିକ ବିବିଧତା ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବିଶ୍ବ ସମ୍ମୁଖରେ ଉପସ୍ଥାପିତ କରିବା ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅନୁରୋଧ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡ: କଂଗ୍ରେସ ବିଧାୟକଙ୍କ ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢାଉ

ରାଞ୍ଚି: ଆଜି ସକାଳେ ଝାଡଖଣ୍ଡର ଦୁଇ କଂଗ୍ରେସ ବିଧାୟକ ଅନୁପ ସିଂ ଏବଂ ପ୍ରଦୀପ ଯାଦବଙ୍କ ଘରେ ଆୟକର ବିଭାଗ ଚଢାଉ ଆରମ୍ଭ କରିଛି। ସୂଚନାନୁସାରେ, ଆୟକର ବିଭାଗର ଟିମ୍ ପୋଡେୟାହାଟ ବିଧାୟକ ପ୍ରଦୀପ ଯାଦବ, ବେରମୋ ବିଧାୟକ ଅନୁପ ସିଂ ଏବଂ ନେତା ଶିବଶଙ୍କର ଯାଦବଙ୍କ ପରିସରରେ ପହଞ୍ଚି ଚଢାଉ ଆରମ୍ଭ କରିଥିଲେ। ଯାହାକି ଏପର୍ଯ୍ୟନ୍ତ ଜାରି ରହିଛି। ବିହାର ଏବଂ ଝାଡଖଣ୍ଡର ଆଇଡି ଦଳ ଗୋଡଡା, ରାଞ୍ଚିର କାଙ୍କେ ରୋଡ ଏବଂ ଡୋରାଣ୍ଡାରେ ଅବସ୍ଥିତ ବିଭିନ୍ନ ସ୍ଥାନ ଉପରେ ଏହି ଚଢାଉ କରୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ପରୋକ୍ଷ ଭାବେ ଆକ୍ରମଣ କରି କହିଛନ୍ତି ଯେ, ଆଦିବାସୀ, ଦଳିତ ଓ ଅଳ୍ପସଂଖ୍ୟକଙ୍କ ମଧ୍ୟରେ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ର ଲୋକପ୍ରିୟତାକୁ ନେଇ ଅନେକ ଲୋକ ଭୟଭୀତ ହେଉଛନ୍ତି।

ପ୍ରକୃତରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗତକାଲି ଇଡିରେ ହାଜର ହେବାରଥିଲା, କିନ୍ତୁ ସେ ତାହା କରିନାହାଁନ୍ତି। ଏହା ପରେ ସେ କହିଥିଲେ ଯେ, ତାଙ୍କ ନିକଟକୁ ସମନ ପଠାଇବା ଦରକାର ନାହିଁ, ତାଙ୍କୁ ସିଧାସଳଖ ଗିରଫ କରି ଦେଖାନ୍ତୁ। ସେମାନଙ୍କୁ ଜେଲରେ ରଖି ଭୟଭୀତ ହେବ ବୋଲି ବିଜେପି ଭାବୁଛି। ଏହି ଷଡଯନ୍ତ୍ରକୁ ଆମେ ଏକ ଉପଯୁକ୍ତ ଉତ୍ତର ଦେବୁ। ଯଦି ଲୋକମାନେ ଆମ ସହିତ ଅଛନ୍ତି, ତେବେ ସେମାନେ ଯେକୌଣସି ଯୁଦ୍ଧ କରିବାକୁ ପ୍ରସ୍ତୁତ। ବିଜେପି ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, ଆଜି ସିବିଆଇ ଏବଂ ଇଡିକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ସେମାନେ ଆମ ସରକାରକୁ ମଧ୍ୟ ନଷ୍ଟ କରିପାରିବେ ନାହିଁ ଏବଂ ପାଞ୍ଚ ବର୍ଷ ପୂରଣ କରିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସବୁ ବିଜେଡି ବିଧାୟକ ଏବଂ ସାଂସଦଙ୍କୁ କାହିଁକି ଏକାଠି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ?

ଭୁବନେଶ୍ବର: ଅଣ ବିଜେପି ରାଜ୍ୟରେ ଗୋଟିଏ ପରେ ଗୋଟିଏ ସରକାର ଭାଙ୍ଗିବାରେ ଲାଗିଛି। ବର୍ତ୍ତମାନ ଏହି ପର୍ବ ଦିଲ୍ଲୀ ଏବଂ ଝାଡଖଣ୍ଡରେ ଆରମ୍ଭ ହୋଇଯାଇଛି। ସେଠାରେ ବିଧାୟକଙ୍କୁ କିଣିବା ପାଇଁ ବିଜେପି ପ୍ରୟାସ ଜାରୀ ରଖିଛି ବୋଲି ଖୋଦ ଆମ ଆଦମୀ ପାର୍ଟି କହିଛି। ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ଭୁଷୁଡି ପଡିଲା। ଏ ସବୁ ଦେଖି ଅଣ ବିଜେପି ରାଜ୍ୟଗୁଡିକର ସରକାର ଭୟଭିତ ହେବାରେ ଲାଗିଛନ୍ତି।

ହେଲେ ଏହି ଭୟରୁ ଦୂରେଇ ରହିଛନ୍ତି ଓଡିଶା ଏବଂ ପଶ୍ଚିମବଂଗ ସରକାର। ଏହି ଦୁଇ ରାଜ୍ୟରେ ବିଜେପି ଭାଲୁ ପୁରାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ସଫଳ ହୋଇପାରୁ ନାହିଁ। କାରଣ ହେଲା ଓଡିଶାରେ ନବୀନଙ୍କ ବିନା କୌଣସି ନେତାଙ୍କର ନେତୃତ୍ବ ନେବାର କ୍ଷମତା ନାହିଁ। ସେହିପରି ବଙ୍ଗଳାରେ ମଧ୍ୟ ଦିଦିଙ୍କ କଡା ଆଭିମୁଖ୍ୟକୁ ଭେଦ କରିପାରୁ ନାହିଁ ବିଜେପି ସକ୍ଷମ ହୋଇପାରୁ ନାହିଁ।

ତଥାପି ଉଭୟ ମମତା ବାନାର୍ଜି ଏବଂ ନବୀନ ପଟ୍ଟନାୟକ ନିଶ୍ଚିନ୍ତ ହୋଇ ରହିପାରୁ ନାହାଁନ୍ତି। ବିଜେପି କେତେବେଳେ କଣ କରିଦେବ ତାହା କହିହେବ ନାହିଁ। ଏସବୁକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ତାହା ହେଲା ସେ ଆସନ୍ତା 28 ତାରିଖରେ ସବୁ ବିଧାୟକ ଏବଂ ସାଂସଦଙ୍କୁ ଏକାଠି କରୁଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ହେବ ବୋଲି ସ୍ଥିର କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରି ନିର୍ବାଚିତ ପ୍ରତିନିଧୀଙ୍କୁ କର୍ଣ୍ଣ ମନ୍ତ୍ର ପ୍ରଦାନ କରିବେ। ଏ ନେଇ ସବୁ ବିଧାୟର ସାଂସଦଙ୍କୁ ଭୁବନେଶ୍ବରରେ ପହଁଞ୍ଚିବା ପାଇଁ ହୁକୁମ ଜାରୀ କରାଯାଇଛି। ରବିବାର ଏହି ବୈଠକ ହେଉଥିବାରୁ ସମସ୍ତଙ୍କୁ ଶନିବାର ଦିନ ଆସି ପହଁଞ୍ଚିବା ପାଇଁ କୁହାଯାଇଛି।

ବିଜେଡି ଦଳ ଭିତରେ ତୀର ମାରିବାର କ୍ଷମତା ବିଜେପିର ନ ଥିଲେ ମଧ୍ୟ ଏହି ବୈଠକରେ ନବୀନ ସେମାନଙ୍କୁ ଏକାଠି ରହିବାର କୌଶଳ ଶିଖାଇବେ। ଏହାକୁ ନେଇ ରାଜ୍ୟ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର

ଆଇଏଏସ ପୂଜା ସିଙ୍ଘଲଙ୍କ ସହିତ ଜଡିତ ୧୮ ରୁ ଅଧିକ ସ୍ଥାନରେ ଇଡିର ଚଢାଉ, ମିଳିଲା ୧୯.୩୧ କୋଟି

ନୂଆଦିଲ୍ଲୀ: ଝାଡଖଣ୍ଡର ଖୁଣ୍ଟି ଜିଲ୍ଲାର ମନରେଗା ପାଣ୍ଠିରୁ ୧୮ କୋଟି ଟଙ୍କାରୁ ଅଧିକ ଟଙ୍କା ହଡପ କରିଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଝାଡଖଣ୍ଡର ଖଣି ସଚିବ ପୂଜା ସିଙ୍ଘଲ ଏବଂ ତାଙ୍କ ସମ୍ପର୍କୀୟଙ୍କ ଉପରେ ଚଢାଉ କରିଛି। ରାଞ୍ଚିରେ ଦୁଇଟି କୋଠରୀ ଉପରେ ଚଢାଉ ବେଳେ ଏଜେନ୍ସି ମୋଟ ୧୯.୩୧ କୋଟି ଟଙ୍କା ପାଇଛି।

ସୂଚନାନୁସାରେ, ଆଇଏଏସ୍ ଅଧିକାରୀ ପୂଜା ସିଙ୍ଘଲଙ୍କ ସହ ତିନୋଟି ମାମଲା ରହିଛି। ଆଯ ବହିର୍ଭୂତ ସମ୍ପତ୍ତି, ବେଆଇନ ଖଣି ଏବଂ ମନରେଗା ଦୁର୍ନୀତି। ପୂଜା ସିଙ୍ଘଲଙ୍କ ସହିତ ଜଡିତ ୧୮ ରୁ ଅଧିକ ସ୍ଥାନରେ ଇଡି ଶୁକ୍ରବାର ଦିନ ଚଢାଉ କରିଛି। ଅଧିକାଂଶ ଚଢାଉ ଝାଡଖଣ୍ଡରେ ହୋଇଛି। ଇଡି ୧୯ କୋଟି ଟଙ୍କା ନଗଦ ଜବତ କରିଛି।

Categories
ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡରେ ବିଦ୍ୟୁତ କାଟ ଯୋଗୁଁ ବିରକ୍ତ ହେଲେ ଧୋନୀଙ୍କ ପତ୍ନୀ ସାକ୍ଷୀ, ଟ୍ୱିଟ କରି ପଚାରିଲେ ପ୍ରଶ୍ନ

ରାଞ୍ଚି: ଦିନକୁ ଦିନ ବଢୁଥିବା ତାପମାତ୍ରା ହେତୁ ଥର୍ମୋମିଟରର ପାରଦ ଉଚ୍ଚତାକୁ ସ୍ପର୍ଶ କରୁଛି। ଏହା ସହିତ ଗ୍ରୀଷ୍ମ ପ୍ରବାହ ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛି। ଏଥି ସହିତ ଦିନରେ ଅନେକ ରାଜ୍ୟରେ ଗରମ ପବନ ବହିବା କାରଣରୁ ଲୋକମାନେ ନିଜ ଘରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କ ସବୁଠାରୁ ବଡ ସମର୍ଥନ ହେଉଛି ବିଦ୍ୟୁତ୍। ଯାହାଫଳରେ ସେମାନେ ଘର ଭିତରେ ଚାଲୁଥିବା ଫ୍ୟାନ୍ ଏବଂ ଏସିରୁ ଆରାମ ପାଇପାରିବେ।

କେତେକ ରାଜ୍ୟରେ ପାୱାର୍ କଟ୍ ଏକ ବଡ ସମସ୍ୟା, ଯେଉଁଥିପାଇଁ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହ ସାଧାରଣ ଲୋକମାନେ ଏହାର ସାମ୍ନା କରିବାକୁ ପଡୁଛି। ନିକଟରେ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ଏମଏସ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ଏକ ଟୁଇଟ୍ କରିଛନ୍ତି। ଯେଉଁଥିରେ ସେ ଝାଡଖଣ୍ଡରେ ବିଦ୍ୟୁତ୍ ସଙ୍କଟ ନେଇ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ, ସାକ୍ଷୀଙ୍କ ଏହି ଟୁଇଟ୍ ଦୀର୍ଘ ସମୟ ପରେ ଆସିଛି, ଯେଉଁଥିପାଇଁ ଝାଡଖଣ୍ଡରେ ବିଦ୍ୟୁତ୍ କାଟ କେତେ ବଡ ସମସ୍ୟା ବୋଲି ଅନୁମାନ କରାଯାଉଛି।

ସାକ୍ଷୀ ଧୋନି ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଝାଡଖଣ୍ଡର ଜଣେ କରଦାତା ଭାବରେ ମୁଁ ଜାଣିବାକୁ ଚାହେଁ କାହିଁକି ଏତେ ବର୍ଷ ଧରି ଝାଡଖଣ୍ଡ ବିଦ୍ୟୁତ୍ ସଙ୍କଟ ଦେଇ ଗତି କରୁଛି? ଶକ୍ତି ସଞ୍ଚୟ କରିବାରେ ଆମେ ଆମର କାର୍ଯ୍ୟ କରୁଛୁ! ‘ ଆମେ ଆପଣଙ୍କୁ କହିବୁ ଯେ, ଏହି ଟୁଇଟ୍ ପୂର୍ବରୁ ମଧ୍ୟ ସେ ପ୍ରାୟ ଦୁଇ ବର୍ଷ ପୂର୍ବେ ଝାଡଖଣ୍ଡରେ ବିଦ୍ୟୁତ୍ କାଟ ବିଷୟରେ ଟ୍ୱିଟ୍ କରିଥିଲେ।

ସେହି ସମୟରେ ମଧ୍ୟ ସେ ବିଦ୍ୟୁତ୍ କାଟ ଉପରେ ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଯେ ରାଜ୍ୟରେ ପ୍ରାୟ ୪ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହେଉଛି। ବର୍ତ୍ତମାନ, ସାକ୍ଷୀଙ୍କ ଟ୍ୱିଟକୁ ଦେଖି ଏହା ଅନୁମାନ କରାଯାଇପାରେ ଯେ ଝାଡଖଣ୍ଡରେ ବିଦ୍ୟୁତ କାଟ ବିଷୟରେ ଏତେ ଦିନ ପର୍ଯ୍ୟନ୍ତ କିଛି କରାଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଆଜି ଭୁବନେଶ୍ୱରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଆଞ୍ଚଳିକ ସମ୍ମିଳନୀ

ନୂଆଦିଲ୍ଲୀ: ଆଜି ଭୁବନେଶ୍ୱରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ପୂର୍ବାଞ୍ଚଳ ରାଜ୍ୟ ସରକାର ଏବଂ ଅଂଶୀଦାରମାନଙ୍କର ଜୋନ ସ୍ତରୀୟ ସମ୍ମିଳନୀ ଆୟୋଜିତ ହେବ। ଏହି ବୈଠକରେ ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଅଂଶ ଗ୍ରହଣ କରିବେ। ଏହି ବୈଠକରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନି ଯୋଗଦେବେ।

ମିଶନ ପୋଷଣ ୨.୦, ମିଶନ ଶକ୍ତି ଏବଂ ମିଶନ ବାତ୍ସଲ୍ୟ ଯୋଜନାର ସଫଳ ରୂପାୟନ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ ଅଂଶୀଦାରମାନଙ୍କ ସହ ବିଚାର ବିମର୍ଷ ପାଇଁ ଜୋନ ସ୍ତରୀୟ ସମ୍ମିଳନୀର ଆୟୋଜନ କରୁଛି।

ଭାରତର ମୋଟ୍ ଜନସଂଖ୍ୟା ମଧ୍ୟରୁ ୬୭.୭ ପ୍ରତିଶତ ମହିଳା ଓ ଶିଶୁ। ଏମାନଙ୍କର ସୁରକ୍ଷା ଏବଂ ସଶକ୍ତିକରଣ ସହିତ ସାମଗ୍ରିକ ବିକାଶ ପାଇଁ ଏକ ନିରାପଦ ଓ ସୁରକ୍ଷିତ ପରିବେଶ ଯୋଗାଇ ଦେବା ମାଧ୍ୟମରେ ଦେଶର ଦୀର୍ଘସ୍ଥାୟୀ ଏବଂ ସମାନତା ପୂର୍ଣ୍ଣ ବିକାଶ ସମ୍ଭବ ହୋଇପାରିବ ତଥା ଆର୍ଥିକ ଏବଂ ସାମାଜିକ ପରିବର୍ତ୍ତନ ଲକ୍ଷ୍ୟ ହାସଲ କରାଯାଇ ପାରିବ। ଏହି ଲକ୍ଷ୍ୟ ହାସଲ କରିବା ଲାଗି, ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୩ଟି ପ୍ରମୁଖ ଯୋଜନାକୁ ମଞ୍ଜୁରି ମିଳିଛି। ଏସବୁ ଯୋଜନା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବ।

ଭୁବନେଶ୍ଵରରେ ଏହା ପଞ୍ଚମ ଓ ଅନ୍ତିମ ସମ୍ମିଳନୀ। ପ୍ରଥମ ସମ୍ମିଳନୀ ୦୨ ଏପ୍ରିଲରେ ଚଣ୍ଡିଗଡ଼, ଦ୍ଵିତୀୟ ସମ୍ମିଳନୀ ୦୪ ଏପ୍ରିଲରେ ବେଙ୍ଗାଲୁରୁ, ତୃତୀୟ ୧୦ ଏପ୍ରିଲରେ ଗୌହାଟି ଏବଂ ଚତୁର୍ଥ ୧୨ ଏପ୍ରିଲରେ ମୁମ୍ବାଇ ଠାରେ ଅନୁଷ୍ଠିତ ହୋଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡରେ ରେଳ ଟ୍ରାକ୍ ଉଡ଼ାଇଲେ ନକ୍ସଲ, ଟ୍ରେନର ଯାତାୟାତ ବାଧାପ୍ରାପ୍ତ

ରାଞ୍ଚି: ଝାଡଖଣ୍ଡର ଗିରିଡିହରେ ନକ୍ସଲମାନେ ନୂଆଦିଲ୍ଲୀ-ହାୱଡା ରେଳ ଡିଭିଜନ (ଗୟା-ଧନବାଦ୍ ଦେଇ) ରେ ବିସ୍ଫୋରଣ କରିଛନ୍ତି। ସରିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ଚିଚାକି ଏବଂ ଚୌଧୁରୀବାନ୍ଧ ରେଳ ଷ୍ଟେସନ ମଧ୍ୟରେ ଏହି ବିସ୍ଫୋରଣ ଘଟିଛି। ଉଭୟ ଅପ୍ ଏବଂ ଡାଉନ୍ ଟ୍ରାକରେ ବିସ୍ଫୋରଣ ଘଟିଛି। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।

ଉଲ୍ଲେଖ ଯୋଗ୍ୟ ଯେ, ନିଷିଦ୍ଧ ନକ୍ସଲ ସଂଗଠନ ଭକପା ମାଓବାଦୀର ପ୍ରଶାନ୍ତ ବୋଷ ଏବଂ ତାଙ୍କ ପତ୍ନୀ ଶୀଲାଙ୍କୁ ମୁକ୍ତ କରିବା ଦାବିରେ ନକ୍ସଲମାନେ ରାଗିଛନ୍ତି। ଏଭଳି ପରିସ୍ଥିତିରେ ନକ୍ସଲମାନେ ଜାନୁୟାରୀ ୨୧ ରୁ ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତିରୋଧ ଦିବସ ପାଳନ କରିଥିଲେ ଏବଂ ଆଜି ସେମାନେ ଏକ ବନ୍ଦ ଘୋଷଣା କରିଥିଲେ।