Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପେଟ୍ରୋଲରେ ୨୫ ଟଙ୍କା ହ୍ରାସ କଲେ ଝାଡ଼ଖଣ୍ଡ ସରକାର, ଏହି ଲୋକଙ୍କୁ ମିଳିବ ଲାଭ

ରାଞ୍ଚି: ଝାଡଖଣ୍ଡର ହେମନ୍ତ ସୋରେନ୍ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ସରକାରର କାର୍ଯ୍ୟକାଳ ଦୁଇ ବର୍ଷ ପୂରଣ ହେବା ପରେ ପେଟ୍ରୋଲ ମୂଲ୍ୟରେ ବଡ ହ୍ରାସ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଯେଉଁଥିପାଇଁ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି। ଯଦି ରାସନ କାର୍ଡଧାରୀମାନେ ସେମାନଙ୍କ ମୋଟରସାଇକେଲ କିମ୍ବା ସ୍କୁଟରରେ ପେଟ୍ରୋଲ ଭରନ୍ତି। ତେବେ ଆମେ ଲିଟର ପିଛା ୨୫ ଟଙ୍କା ହାରରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବୁ। ଜାନୁଆରୀ ୨୬ ତାରିଖରୁ ଆମେ ଏହି ସିଷ୍ଟମ୍ ଲାଗୁ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏକ ଗରିବ ପରିବାର ଏହି ମୂଲ୍ୟରେ ପ୍ରତି ମାସରେ ୧୦ ଲିଟର ପେଟ୍ରୋଲ ପେଟ୍ରୋଲ ପାଇପାରିବ।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ରାଞ୍ଚିରେ ଏକ ଲିଟର ପେଟ୍ରୋଲ ୯୮ ଟଙ୍କା ୫୨ ପଇସାରେ ବିକ୍ରି ହେଉଛି। ସେହିଭଳି ଡିଜେଲ ଲିଟର ପିଛା ୯୧ ଟଙ୍କା ୫୬ ପଇସା ମୂଲ୍ୟରେ ବିକ୍ରି ହେଉଛି।

Categories
ଜାତୀୟ ଖବର ବିଶେଷ ଖବର

ଟିକାକରଣରେ ପଛୁଆ ରହିଥିବା ଜିଲ୍ଲାକୁ ନେଇ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ କଣ କହିଲେ

ନୂଆଦିଲ୍ଲୀ: ଇଟାଲୀ ଏବଂ ଗ୍ଲାସଗୋ ଗସ୍ତରୁ ଫେରିବାର ତୁରନ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣରେ ପଛୁଆ ରହିଥିବା ଜିଲ୍ଲାମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ 50 ପ୍ରତିଶତରୁ କମ ପ୍ରଥମ ଡୋଜ୍ ଟିକାକରଣ ଏବଂ ଦ୍ୱିତୀୟ ଡୋଜ୍ ଟିକାକରଣରେ ବିଶେଷ ଅଗ୍ରଗତି କରିପାରିନଥିବା ଜିଲ୍ଲାମାନଙ୍କୁ ସାମିଲ କରାଯାଇଥିଲା। କମ୍ ଟିକାକରଣ ହୋଇଥିବା ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟ ରାଜ୍ୟର 40ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋଚନା କରିଥିଲେ।

ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ କମ ଟିକାକରଣର କାରଣ ଏବଂ ଏ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ ବାଧାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ସେମାନେ ବିଭିନ୍ନ କାରଣ ଦର୍ଶାଇଥିଲେ, ଯେଉଁଥିରେ ଗୁଜବ କାରଣରୁ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱ, କଠିନ ଅପହଞ୍ଚ ଇଲାକା, ବିଗତ କିଛି ମାସ ଧରି ଦେଖାଦେଇଥିବା ଖରାପ ପାଣିପାଗ ଆଦି ପ୍ରମୁଖ କାରଣ ଥିଲା। ଏସବୁ ଆହ୍ୱାନର ମୁକାବିଲା ଲାଗି ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେମାନେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସାର୍ବଜନୀନ ଟିକାକରଣ ପ୍ରସାରକୁ ତ୍ୱରାନ୍ୱିତ କରିବା ଲାଗି ସେମାନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ଗୁଡ଼ିକ ବିଷୟରେ ଜିଲ୍ଲାପାଳମାନେ ବିସ୍ତୃତ ସୂଚନା ଦେଇଥିଲେ।

ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଏବଂ ସ୍ଥାନୀୟ କାରଣଗୁଡ଼ିକ ବିଷୟରେ ବିସ୍ତୃତ ଭାବେ କଥା ହୋଇଥିଲେ। ସେ ଏସବୁ ଜିଲ୍ଲାରେ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟକାରୀ କରାଯିବାକୁ ଥିବା ସମ୍ଭାବ୍ୟ ଉପାୟଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଅଧିକରୁ ଅଧିକ ଗୋଷ୍ଠୀ ସହଭାଗିତା ସୁନିଶ୍ଚିତ କରିବା ଲାଗି ଧାର୍ମିକ ଓ ଜନନେତାମାନଙ୍କୁ ଟିକାକରଣ ଅଭିଯାନରେ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଟିକାକରଣର ବ୍ୟାପକ ପ୍ରସାର ସୁନିଶ୍ଚିତ କରିବା ସହିତ ନୂତନ ଆତ୍ମବିଶ୍ୱାସ ଏବଂ ଦୃଢ଼ ମନୋବଳ ନେଇ ନୂତନ ବର୍ଷରେ ପ୍ରବେଶ କରିବା ଲାଗି ପଦକ୍ଷେପ ନେବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶରେ ଟିକାକରଣ ପ୍ରସାର ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ରାଜ୍ୟମାନଙ୍କ ନିକଟରେ ଉପଲବ୍ଧ ଟିକା ଡୋଜ ସମ୍ପର୍କରେ ସେ ତଥ୍ୟ ପ୍ରଦାନ କରିଥିଲେ। ସେହିପରି ଟିକାକରଣ ପ୍ରସାର ବୃଦ୍ଧି କରିବା ଲାଗି ରାଜ୍ୟମାନଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ଅଭିନବ ପଦକ୍ଷେପ ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ସେମାନେ ଏଥିପ୍ରତି ଧ୍ୟାନ ଦେବା କାରଣରୁ ଜିଲ୍ଲାମାନେ ଆହୁରି ପ୍ରତିବଦ୍ଧତା ସହିତ କାମ କରିବା ଲାଗି ଅନୁପ୍ରାଣିତ ହେବେ। ଶ୍ରୀ ମୋଦୀ କହିଥିଲେ ଯେ ଏହା ହେଉଛି ଶତାବ୍ଦୀର ସବୁଠୁ ବଡ଼ ମହାମାରୀ, ଦେଶ ଅନେକ ବିପତ୍ତିର ସମ୍ମୁଖିନ ହୋଇଛି। ସେ କହିଥିଲେ ଯେ, କରୋନା ମହାମାରୀ ବିରୋଧରେ ଦେଶର ଲଢ଼େଇରେ ଗୋଟିଏ ବିଶେଷ କଥା ହେଉଛି ଆମେ ନୂଆ ସମାଧାନ ପାଇଛୁ ଏବଂ ଅଭିନବ ପଦ୍ଧତି ଆପଣାଇଛୁ। ସେ ପ୍ରଶାସକମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ସେମାନଙ୍କ ଜିଲ୍ଲାରେ ଟିକାକରଣ ବଢ଼ାଇବା ଲାଗି ନୂଆ ଅଭିନବ ଉପାୟ ସନ୍ଧାନ କରି ତା’ଉପରେ ସେମାନେ କାର୍ଯ୍ୟ କରିବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଜିଲ୍ଲାଗୁଡ଼ିକ ମଧ୍ୟ ଏପରି ସମସ୍ୟାର ସମ୍ମୁଖିନ ହୋଇଥିଲେ, ମାତ୍ର ସମର୍ପଣ ଏବଂ ଅଭିନବ ଉପାୟ ମାଧ୍ୟମରେ ସେମାନେ ନିଜ ଲକ୍ଷ୍ୟରେ ସଫଳ ହୋଇପାରିଛନ୍ତି। ସ୍ଥାନୀୟ ସ୍ତରରେ ରହିଥିବା ବ୍ୟବଧାନକୁ ଦୂର କରିବା ସହିତ ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ବର୍ତ୍ତମାନର ଅଭିଜ୍ଞତାକୁ ଧ୍ୟାନରେ ରଖି, ସୂକ୍ଷ୍ମ ରଣନୀତି ବିକଶିତ କରାଯିବା ଆବଶ୍ୟକ ବୋଲି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ  କହିଥିଲେ। ଆବଶ୍ୟକତା କ୍ଷେତ୍ରରେ ଜିଲ୍ଲାରେ ଥିବା ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ସହର ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ।

କ୍ଷେତ୍ର ଉପରେ ଆଧାର କରି 20-25 ଜଣ ଲୋକଙ୍କୁ ନେଇ ଏକ ଦଳ ଗଢ଼ିବା ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରିବା ସମ୍ଭବ ବୋଲି ସେ ପରାମର୍ଶ ଦେଇଥିଲେ। ଦଳଗୁଡ଼ିକର ପ୍ରଦର୍ଶନରେ ଏକ ସୁସ୍ଥ ପ୍ରତିଯୋଗିତା ବିକଶିତ କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଲକ୍ଷ୍ୟ ହାସଲ ପାଇଁ କ୍ଷେତ୍ର ସ୍ତରୀୟ ସମୟସାରଣୀ ପ୍ରସ୍ତୁତ କରିବା ଲାଗି ଅଧିକାରୀମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆପଣଙ୍କ ଜିଲ୍ଲାକୁ ଜାତୀୟ ହାର ସହ ନିକଟତର କରିବାକୁ ହେଲେ ଆପଣମାନଙ୍କୁ ଶ୍ରେଷ୍ଠ ଯୋଗଦାନ ଦେବାକୁ ହେବ।”

ଟିକାକୁ ନେଇ ରହିଥିବା ଗୁଜବ ଏବଂ ଭ୍ରାନ୍ତ ଧାରଣା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ସଚେତନତା ହିଁ ଏହାର ଏକମାତ୍ର ସମାଧାନ। ଧାର୍ମିକ ନେତାମାନଙ୍କ ଠାରୁ ଏ କ୍ଷେତ୍ରରେ ସହାୟତା ନେବା ଲାଗି ସେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଧାର୍ମିକ ନେତାମାନେ ଟିକାକରଣ ଅଭିଯାନ ସମ୍ପର୍କରେ ଅତ୍ୟନ୍ତ ଉତ୍ସାହୀ ଥାଆନ୍ତି। କିଛିଦିନ ପୂର୍ବରୁ ଭାଟିକାନ ସିଟିରେ ପରମପୂଜ୍ୟ ପୋପ୍ ଫ୍ରାନ୍ସିସଙ୍କ ସହ ତାଙ୍କ ସାକ୍ଷାତ ବିଷୟରେ ଶ୍ରୀ ମୋଦୀ ସ୍ମରଣ କରିଥିଲେ। ଟିକାକରଣ ସମ୍ପର୍କରେ ଧାର୍ମିକ ନେତାମାନଙ୍କର ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ଲାଗି ବିଶେଷ ଜୋର ଦେଇଥିଲେ।

ଲୋକମାନଙ୍କୁ ନିରାପଦ ଭାବେ ଟିକାକରଣ କେନ୍ଦ୍ରକୁ ନେଇ ଟିକା ଦେବା ଠାରୁ ଏବେ ଘରକୁ ଘର ଯାଇ ଟିକାକରଣ କରିବା ଲାଗି ରଣନୀତିରେ ପରିବର୍ତ୍ତନ ଆଣିବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ‘ହର ଘର ଟିକା, ଘର ଘର ଟିକା’- ସମସ୍ତଙ୍କ ଘର ଦୁଆରେ ଟିକା ପହଞ୍ଚାଇବାର ଉତ୍ସାହ ନେଇ ପ୍ରତ୍ୟେକ ଘରକୁ ଘର ବୁଲିବା ଲାଗି ସେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବର୍ତ୍ତମାନ ପ୍ରତ୍ୟେକ ପରିବାର ନିକଟରେ ଟିକାକରଣ ଅଭିଯାନ ପହଞ୍ଚାଇବା ଲାଗି ଆମେ ପ୍ରସ୍ତୁତ ହେଉଛୁ। ‘ହର ଘର ଦସ୍ତକ’, ପ୍ରତ୍ୟେକଙ୍କ ଘରଦୁଆରେ ପହଞ୍ଚିବା ମନ୍ତ୍ର ସହିତ ଡବଲ ଡୋଜ୍ ଟିକା ସୁରକ୍ଷାରୁ ବଞ୍ଚିତ ପ୍ରତ୍ୟେକ ପରିବାର ନିକଟରେ ଆମେ ପହଞ୍ଚିବୁ।”

ପ୍ରତ୍ୟେକ ଘର ଦୁଆରେ ପହଞ୍ଚିବା ସମୟରେ ଦୁଇଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ। ଟିକାକରଣ ସମୟରେ ଦ୍ୱିତୀୟ ଡୋଜ୍ ସହିତ ପ୍ରଥମ ଡୋଜ୍ ଦିଆଯିବା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କାରଣ ଯେତେବେଳେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥାଏ, ସେତେବେଳେ ଜରୁରି ପଦକ୍ଷେପ ଗ୍ରହଣ କରିବାର ଭାବନା ମଧ୍ୟ ହ୍ରାସ ପାଇଥାଏ। ଟିକା ନେବାର ଜରୁରି ଆବଶ୍ୟକତା ଲୋକମାନଙ୍କ ମନରୁ ଧିରେ ଧିରେ କମି ଯାଇଥାଏ। ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ପ୍ରାଥମିକତା ଭିତ୍ତିରେ ଦ୍ୱିତୀୟ ଡୋଜ୍ ଟିକା ଗ୍ରହଣ କରିନଥିବା ଲୋକମାନଙ୍କ ସହିତ ଆପଣମାନଙ୍କୁ ଯୋଗାଯୋଗ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କାରଣ ଏହାକୁ ଅଣଦେଖା କରିବାର କୁପରିଣାମ ଆଜି ବିଶ୍ୱର ଅନେକ ରାଷ୍ଟ୍ର ଭୋଗୁଛନ୍ତି ବୋଲି ଶ୍ରୀ ମୋଦୀ ଚେତାଇ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନ ଅନ୍ତର୍ଗତ ଭାରତ ଗୋଟିଏ ଦିନରେ ରେକର୍ଡ ଅଢ଼େଇ କୋଟି ଟିକାକରଣ କରିଛି, ଏହା ଉପଲବ୍ଧି ଭାରତର ସାମର୍ଥ୍ୟକୁ ଦର୍ଶାଉଛି ବୋଲି ସେ କହିଥିଲେ। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଜିଲ୍ଲାର ସହଯୋଗୀମାନଙ୍କ ଠାରୁ ଅଭିନବ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଶିକ୍ଷାଲାଭ କରିବା ଲାଗି ଜିଲ୍ଲା ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଆବଶ୍ୟକତା ଓ ପରିବେଶ ପାଇଁ ଅନୁକୂଳ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ଉପରେ ସେ ଜୋର ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଆଭାଷା ଉପରେ ଝାଡଖଣ୍ଡ ଓ ଆନ୍ଧ୍ରର ଆକ୍ରମଣ: ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ଝାଡ଼ଖଣ୍ଡ ରାଜ୍ୟରେ ଓଡ଼ିଆଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ଦିଆଯାଇଥିଲା। ୨୦୧୧ ମସିହା ସେପ୍ଟେମ୍ବର ୧୧ ତାରିଖରୁ ଝାଡ଼ଖଣ୍ଡ ସରକାର ଓଡ଼ିଆ ସମେତ ସାନ୍ତାଳୀ, ବଙ୍ଗାଳୀ ଓ ଉର୍ଦ୍ଦୁ ଭାଷାକୁ ୨ୟଃ ଭାଷାର ମାନ୍ୟତା ପ୍ରଦାନ କରିଥିଲେ। କିନ୍ତୁ ଦୁଃଖର କଥା ସାନ୍ତାଳୀ, ବଙ୍ଗାଳୀ ଓ ଉର୍ଦ୍ଦୁଭାଷାର ୨ୟଃ ମାନ୍ୟତା ବଜାୟ ରହିଥିଲା ବେଳେ ୨୦୨୧-୨୨ ଶିକ୍ଷାବର୍ଷରୁ ଓଡ଼ିଆଭାଷାକୁ ୨ୟଃ ଭାଷା ମାନ୍ୟତା ତାଲିକାରୁ ସେଠାକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବାଦ୍ ଦେଇଛନ୍ତି।

ଏହା ଝାଡ଼ଖଣ୍ଡ ରାଜ୍ୟର ସିଂହଭୂମି ଅଞ୍ଚଳରେ ରହୁଥିବା ଓଡ଼ିଆମାନଙ୍କ ଭିତରେ ତୀବ୍ର ପ୍ରତିକ୍ର୍ରିୟା ସୃଷ୍ଟି କରିଛି ଏବଂ ସେମାନେ ଏହାର ପ୍ରତିବାଦ ମଧ୍ୟ କରୁଛନ୍ତି। କିନ୍ତୁ ଦୁଃଖର କଥା ସବୁ ପ୍ରତିବାଦ ସତ୍ତ୍ୱେ ମଧ୍ୟ ଝାଡ଼ଖଣ୍ଡ ସରକାର ଏପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ କରିନାହାଁନ୍ତି କି ଓଡ଼ିଆଭାଷାକୁ ପୁନଶ୍ଚ ତାର ସମ୍ମାନଜନକ ସ୍ଥାନ ପ୍ରଦାନ କରିବା ପାଇଁ କୌଣସି ପଦକ୍ଷେପ ନେଇନାହାଁନ୍ତି। ଏହା କେବଳ ସେଠାକାର ଓଡ଼ିଆ ଭାଷାଭାଷୀମାନଙ୍କର ଦାବି ଓ ଆନ୍ଦୋଳନ ନୁହେଁ, ଏହା ସମସ୍ତ ଓଡ଼ିଆ ଭାଷାଭାଷୀମାନଙ୍କର ମନର କଥା। ତେଣୁ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ତୁରନ୍ତ ଓଡ଼ିଆଭାଷାକୁ ୨ୟଃ ରାଜ୍ୟ ଭାଷାର ମାନ୍ୟତା ପୁନଶ୍ଚ ଝାଡ଼ଖଣ୍ଡ ସରକାର କିଭଳି ପ୍ରଦାନ କରିବେ, ସେ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ସେହିଭଳି ବାତ୍ୟା ‘ଗୁଲାବ’ ଆତଙ୍କରେ ଯେତେବେଳେ ଓଡ଼ିଶାବାସୀ ତଥା କୋରାପୁଟ ଜିଲ୍ଲାବାସୀ ଆତଙ୍କିତ ହୋଇପଡ଼ିଥିଲେ ତାହାର ସୁଯୋଗ ନେଇ ଆନ୍ଧ୍ର ପ୍ରଶାସନ କୋଟିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ତେଲୁଗୁ ଭାଷାରେ ଲିଖିତ ନାମଫଳକ ଲଗାଇ ଦେଇଛି। ବାତ୍ୟା ଜନିତ ବର୍ଷା ଯୋଗୁ ଗମନାଗମନ କୋଟିଆ ଅଞ୍ଚଳକୁ ବ୍ୟାହତ ହୋଇଥିଲା ବେଳେ ଆନ୍ଧ୍ରର ଏହି ଚୋରା ପଦକ୍ଷେପ ଓଡ଼ିଆଭାଷା ଉପରେ ଏକ ଚରମ ଆକ୍ରମଣ। ଗୋଟିଏ ଦିଗରେ ଓଡ଼ିଶାର ଭୂଗୋଳକୁ ଖଣ୍ଡବିଖଣ୍ଡିତ କରିବା ପାଇଁ ଷଡ଼ଯନ୍ତ୍ର ଏବଂ ଅନ୍ୟ ଦିଗରେ ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଆନ୍ଧ୍ରର ଏହି ଆକ୍ରମଣ ଅସହ୍ୟ ହେଲାଣି। ତୁରନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଘଟଣାର ହସ୍ତକ୍ଷେପ କରି କୋଟିଆ ଓଡ଼ିଆଭାଷାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସ ହାତରେ ଧରା ହେଲେ ଝାଡଖଣ୍ଡି ସାଇବର ଲୁଟେରା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ପୋଲିସ ହାତରେ ୩ ଜଣ ସାଇବର ଲୁଟେରା ଧରା ପଡିଛନ୍ତି। ହେଲେ ସମସ୍ତ ଲୁଟେରା ପଡୋଶୀ ଝାଡଖଣ୍ଡର ହୋଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଏକାଧିକ ଅନଲାଇନ ଠକେଇରେ ସାମିଲ ଥିବା ନେଇ ପ୍ରାଥମିକ ତଦନ୍ତରୁ ସୂଚନା ରହିଛି।

ସୂଚନା ଅନୁଯାୟୀ ଗତ ଜୁନ ୬ ତାରିଖରେ ଜିଲ୍ଲାର କେସିଙ୍ଗା ସହରର ଯୁବ ବ୍ୟବସାୟୀ ବିବେକ ଅଗ୍ରୱାଲ ଅନଲାଇନରେ କିଛି ସାମଗ୍ରୀ ମଗାଇ ଥିଲେ, ଯାହା ସ୍କାଏକିଙ୍ଗ କୋରିଅର ମାଧ୍ୟମରେ ତାଙ୍କ ନିକଟକୁ ଆସିବାର ଥିଲା। ନିର୍ଦ୍ଧାରିତ ଡେଲିଭରି ତାରିଖ ବିଳମ୍ବ ହେବାରୁ ସେ ଅନଲାଇନରେ କୋରିଅର ସଂସ୍ଥାର ଗ୍ରାହକ ସେବା କେନ୍ଦ୍ର ନମ୍ବରରେ ଯୋଗାଯୋଗ କରିଥିଲେ। ପରେ ତାଙ୍କ ନିକଟକୁ ଏକ ଫୋନ କଲ ଆସିବା ସହ ଏକ ଲିଙ୍କ ପଠାଯାଇଥିଲା। ଫୋନ ବାର୍ତ୍ତାଳପରେ ଦୀର୍ଘ ସମୟ ଧରି ବ୍ୟସ୍ତ ରଖି ବିବେକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୮୯ ହଜାର ଟଙ୍କା ଲୁଟି ନେଇଥିଲେ ସାଇବର ଲୁଟେରା।

ଠକେଇର ଶିକାର ହୋଇଥିବା ଜାଣିବା ପରେ ବ୍ୟାଙ୍କକୁ ଅବଗତ କରି ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିବେକ। ଅଭିଯୋଗ ଆଧାରରେ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଟିମ ଘଟଣାରେ ସମ୍ପୃକ୍ତ ଝାଡଖଣ୍ଡର ଜମତାରା ଜିଲ୍ଲାର ୩ ଜଣ ସାଇବର ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ରଇଶ ଆନସାରୀ, ମହମ୍ମଦ ସଜ୍ଵାଦ ଓ ଅବଦୁଲ ଅନସାରୀ ସମସ୍ତଙ୍କ ଘର ଝାଡଖଣ୍ଡ ଅଞ୍ଚଳର ହୋଇଥିବାବେଳେ ଏମାନେ ପୂର୍ବରୁ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସାଇବର ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯାଇଥିବା କଳାହାଣ୍ଡି ଏସପି ଏମ ଶ୍ରବଣ ବିବେକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୁଣି ଏହି ରାଜ୍ୟକୁ ଫେରିଲା ଲକଡାଉନ: ୮ ଦିନ ଯାଏଁ ସମଗ୍ର ରାଜ୍ୟରେ ଲାଗିବ କଟକଣା

ରାଞ୍ଚି: ଦେଶରେ କରୋନା ସଂକ୍ରମଣ ଯେତେ ବଢୁଛି ସେତେ କଟକଣାକୁ କଡାକଡି କରାଯାଉଛି। କରୋନାର ଦ୍ଵିତୀୟ ଲହର ପରେ ଦେଶର ପ୍ରଥମ ରାଜ୍ୟ ଭାବେ ଆଜି ଝାଡଖଣ୍ଡ ସରକାର ସମଗ୍ର ରାଜ୍ୟ ପାଇଁ ଲକଡାଉନ ଲାଗୁକରିଛନ୍ତି। ୮ ଦିନ ପାଇଁ ଝାଡଖଣ୍ଡ ସରକାର ଲକଡାଉନ ଲାଗୁ କରିଛନ୍ତି। ଏପ୍ରିଲ ୨୨ ତାରିଖରୁ ୨୯ ତାରିଖ ଯାଏଁ ଏହି ରାଜ୍ୟରେ କଟକଣା ବଳବତ୍ତର ରହିବ। ତେବେ ଅତ୍ୟାବଶ୍ୟକ ସେବାକୁ ଛାଡି ଏହି ସମୟରେ ସବୁ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ସମୁଦ୍ର କୂଳରେ ଗାଧୋଉଥିବା ବେଳେ ଭାସିଗଲେ ଝାଡଖଣ୍ଡର ୭ ଜଣ ପର୍ଯ୍ୟଟକ

ପୁରୀ: ପୁରୀ ସମୁଦ୍ର କୂଳରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ସମୁଦ୍ରରେ ଗାଧୋଉଥିବା ୭ ଜଣ ପର୍ଯ୍ୟଟକ ଲହଡିରେ ଭାସିଯାଇଥିବା ଖବର ହସ୍ତଗତ ହୋଇଛି। ହେଲେ ସେମାନଙ୍କ ମଧ୍ୟରୁ ୬ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ସନ୍ଧାନ ମିଳିପାର ନାହିଁ। ସମସ୍ତ ୭ ଜଣ ପର୍ଯ୍ୟଟକ ଝାଡଖଣ୍ଡର ବୋଲି ଜଣାପଡିଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

୫୦ ଘର ଭାଙ୍ଗି ଝାଡଖଣ୍ଡ ଅଂଚଳର ଅନୁପ୍ରବେଶକାରୀଙ୍କୁ ହଟାଇଲା ପ୍ରଶାସନ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଉପଖଣ୍ଡର କିସିଣ୍ଡା ଥାନା ମାଛୁଡିହି ନିକଟସ୍ଥ ଲଣ୍ଡାକୋଟ ଜଙ୍ଗଲରେ ଅନୁପ୍ରବେଶକାରୀମାନେ ଘର କରି ରହିବା ଓ ଶହ ଶହ ଜଙ୍ଗଲ କାଟି ଜଙ୍ଗଲ ନଷ୍ଟ କରିଥିବାରୁ ଆଜି ଜେସିବି ଲଗାଇ ଅନୁପ୍ରବେଶ କାରୀଙ୍କର ୫୦ ଘର ଭାଙ୍ଗି ଦେଇଛି ପ୍ରଶାସନ।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଲଣ୍ଡାକୋଟ୍ ରିଜର୍ଭ ଜଙ୍ଗଲରେ ଝାଡଖଣ୍ଡ ଅଂଚଳର ଅନୁପ୍ରବେଶକାରୀମାନେ ୩୦୦ ଏକର ଜଙ୍ଗଲ କାଟି ଜବର ଦଖଲ କରିବା ସହ ଘର କରି ରହୁଥିବାର ପ୍ରଶାସନ ଠାରେ କିସିଣ୍ଡା ଆଂଚଳିକ ବନସୁରକ୍ଷା ସମିତି ପୂର୍ବରୁ ବହୁବାର ଅଭିଯୋଗ କରିଆସୁଥିଲା।

ଗତ ୧୮ ଜାନୁଆରୀରେ ବନସୁରକ୍ଷା ସମିତିର ଶହ ଶହ ସଦସ୍ୟ ରେଢାଖୋଲ ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ମଧ୍ୟ ବସିଥିଲେ। ସେମାନଙ୍କର ଦାବୀକୁ ପାଳନ କରିବା ପାଇଁ ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖିତାକାରରେ ଜଣାଇ କମ୍ ଦିନ ମଧ୍ୟରେ ତାର ପ୍ରତିକାର ନେବା ପାଇଁ ପ୍ରତିଶୃତି ଦେଇଥିଲେ। ସଂରକ୍ଷଣ ଜଙ୍ଗଲରୁ ୨୧/୧/୨୦୨୧ ରୁ ବେଆଇନ୍ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ, ବନୀକରଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ କରାଯିବ, ବନ୍ୟ ଜନ୍ତୁଙ୍କ ପାଇଁ ପାଣିର ବ୍ୟବସ୍ଥା ୨ ମାସ ମଧ୍ୟରେ କରାଯିବ, ସଂରକ୍ଷଣ ଜଙ୍ଗଲରୁ ଅନୁପ୍ରବେଶ ରୋକିବା ପାଇଁ ଖଣା ୨ ମାସ ମଧ୍ୟରେ ଖୋଳାଯିବ, ଜଳ ସଂରକ୍ଷଣ ପାଇଁ ଖାତ ୨ ମାସ ମଧ୍ୟରେ କରାଯିବ ବୋଲି ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖିତାକାରରେ ଜଣାଇବା ପରେ ବନ ସୁରକ୍ଷା ସମିତିର ସଭ୍ୟମାନେ ଧାରଣାରୁ ଓହରି ଯାଇଥିଲେ।

ସୁଚନା ଯୋଗ୍ୟ ଯେ, କିସିଣ୍ଡା ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରେ ବାହାର ରାଜ୍ୟର ଅନୁପ୍ରବେଶ କାରୀମାନେ ଆସି ବସବାସ କରୁଛନ୍ତି। ଅନୁପ୍ରବେଶକାରୀମାନେ ଶହ ଶହ ଏକର ଜଙ୍ଗଲ ଜମିକୁ କାଟି ଚାଷ କରିବା ସହ ହଜାର ହଜାର ଗଛ କାଟି ଲଣ୍ଡାକୋର୍ଟ ଜଙ୍ଗଲକୁ ଧ୍ୱଂସ କରିଦେଇଥିବା ବନ ସୁରକ୍ଷା ସମିତି ଅଭିଯୋଗ କରିଆସୁଥିଲା। ୭ ଦିନ ମଧ୍ୟରେ ଏହାର କୌଣସି ସମାଧାନ ନ ହେଲେ ଆସନ୍ତା ୧୮ ଜାନୁଆରୀରେ ଡିଏଫ୍‌ଓ ଙ୍କୁ ଘେରାଉ କରିବା ସହ ରେଢାଖୋଲ ଠାରେ ଥିବା ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବାକୁ ବନ ସୁରକ୍ଷା ସମିତି ଚେତାବନୀ ଦେଇଥିଲା। ଏପରିକି ତାହାର କପି, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗକୁ ମଧ୍ୟ ପଠାଇଥିଲା।

ଗତ ୧୦ ଜାନୁଆରୀରେ କିସିଣ୍ଡା ଠାରେ ମଧ୍ୟ ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ବନ୍ଧଙ୍କୁ ସାକ୍ଷାତ୍ କରି ଏହାର ତଦନ୍ତ କରିବାକୁ ବନ ସୁରକ୍ଷା ସମିତିର ସମସ୍ତ ସଭ୍ୟ/ସଭ୍ୟା ମାନେ ଦାବୀ କରିଥିଲେ। ଗତ ତା ୧୬ /୧ ରେ ମଧ୍ୟ ବନଖଣ୍ଡ ଅଧିକାରୀ, ଉପଜିଲ୍ଲାପାଳ, ରେଢାଖୋଲ ଥାନାଧିକାରୀ ଆଦି ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଆଲୋଚନା ହୋଇଥିଲା।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସମିତି ବହୁବାର ଏ ସଂପର୍କରେ ବନବିଭାଗର ବରିଷ୍ଠ ଅଧିକାରୀଙ୍କୁ ଲିଖିତାକାରରେ ଜଣାଇବା ସହ ବହୁବାର ଅନ୍ଦୋଳନ ମଧ୍ୟ କରିଥିଲା। ଆଗାମୀ ଦିନରେ ଲଣ୍ଡାକୋର୍ଟ ଜଙ୍ଗଲରେ ବାସ କରୁଥିବା ଆହୁରି ୫୦ ଘର ଅନୁପ୍ରବେଶ କାରୀମାନଙ୍କୁ ହଟାଯିବ ବୋଲି ମଧ୍ୟ ପୋଲିସ୍ କହିଛି। ଅଂଚଳରେ ଅନୁପ୍ରବେଶକାରୀମାନଙ୍କୁ ପ୍ରଶାସନ ହଟାଇଥିବାରୁ ଅଂଚଳବାସୀ ମାନଙ୍କ ମଧ୍ୟରେ ଖୁସି ଦେଖାଦେଇଛି।

ଆଜିର ଏହି ଅନୁପ୍ରବେଶକାରୀ ହଟାଓ ଅଭିଯାନରେ ସମ୍ବଲପୁର ଅତିରିକ୍ତ ଏସପି ଅମରେଶ ପଣ୍ଡା, ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ, ରେଢାଖୋଲ ଡିଏଫ୍‌ଓ ପ୍ରଦୀପ୍ତ କୁମାର ସାହୁ, କିସିଣ୍ଡା ଥାନାଧିକାରୀ ଚିତରଂଜନ ନାଏକ, ନାକଟିଦେଉଳ ତହସିଲ୍‌ଦାର ସୁକାନ୍ତ କୁମାର ନାଏକ, ରେଢାଖୋଲ ଉପଜିଲ୍ଲାପାଳ ପଦ୍ମନାଭ ବେହେରା, ଯୁଯୋମୁରା ଥାନାଧିକାରୀ ରାଜକୁମାର ବିଶ୍ୱାଳ ପ୍ରମୁଖ ପଦାଧିକାରୀ ସାମିଲ ହୋଇଥିଲେ। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ୩ ପ୍ଲାଟୁନ୍ ଫୋର୍ସ ଓ ୧୦୦ ଜଣ ଜଙ୍ଗଲ ବିଭାଗର କର୍ମଚାରୀ ଓ ରାଜସ୍ୱ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ତେବେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିବା କିସିଣ୍ଡା ଥାନାଧିକାର ଚିତରଞନ ନାଏକ ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରେଳବାଇ ସେପ୍ଟେମ୍ବର ୪ ସୁଦ୍ଧା ୮ ଲକ୍ଷ ୯ ହଜାର ଶ୍ରମ ଦିବସ ସୃଷ୍ଟି କରି ଦେଇଛି ୧,୬୧୩ କୋଟି ଟଙ୍କା

ଭୁବନେଶ୍ବର, ଚଳିତ ସେପ୍ଟେମ୍ବର ୪ ସୁଦ୍ଧା ୮,୦୯,୦୪୬ ଶ୍ରମ ଦିବସ ସୃଷ୍ଟି କରିଛି ଭାରତୀୟ ରେଳବାଇ। ଏହି କାର୍ଯ୍ୟକ୍ରମ ଲାଗୁ ହେଉଥିବା ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରାଜ୍ୟର ୧୧୬ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଏହା କରାଯାଇଛି। ଏଥିରେ ୧୨,୨୬୭ ଶ୍ରମିକଙ୍କୁ ନିୟୋଜିତ କରାଯାଇ ସେମାନଙ୍କୁ ମଜୁରି ବାବଦରେ ୧ ହଜାର ୬ଶହ ୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ବ୍ୟକ୍ତିଗତ ଭାବେ ଏସବୁ ପ୍ରକଳ୍ପର କାମକୁ ନିବିଡ ଭାବେ ଅନୁଧ୍ୟାନ କରୁଛନ୍ତି। କରୋନା ଯୋଗୁଁ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇଦେବାକୁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ୬ଟି ରାଜ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ୧୬୪ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଭାରତୀୟ ରେଳବାଇ ଏହି କାର୍ଯ୍ୟ ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲା ଏବଂ ରାଜ୍ୟରେ ନୋଡାଲ ଅଫିସର ନିଯୁକ୍ତି କରିଛି । ଏହାଫଳରେ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସମ୍ଭବ ହୋଇଛି ।

ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଲେବଲ କ୍ରସିଂ ନିକଟରେ ସଂଯୋଗ ପଥ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ, ରେଳପଥ ପାଶ୍ୱର୍ରେ ଥିବା ଜଳପଥ ଓ ନାଳନର୍ଦ୍ଦମା ସଫେଇ ଏବଂ ରକ୍ଷଣାବେକ୍ଷଣ, ରେଳ ଷ୍ଟେସନକୁ ସଂଯୋଗ ପଥର ନିର୍ମାଣ ଏବଂ ତାହାର ରକ୍ଷଣାବେକ୍ଷଣ, ରେଳପଥଗୁଡିକର ମରାମତି ଏବଂ ଏହାର ଚଉଡା ବୃଦ୍ଧି, ରେଳପଥ ଜାଗାର ସୀମାରେଖା ନିକଟରେ ବୃକ୍ଷରୋପଣ ତଥା ରେଳପଥ ଓ କଟିଂ ଏବଂ ସେତୁଗୁଡିକର ସୁରକ୍ଷା କାର୍ଯ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଯୋଗୁଁ ସ୍ୱଗୃହକୁ ପଳାଇ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ଉଦ୍ଦେଶ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଥିଲେ । ଏହାଛଡା ଗ୍ରାମ୍ୟ ସ୍ତରରେ କାମଧନ୍ଦା ପାଉନଥିବା ଶ୍ରମିକଙ୍କୁ ମଧ୍ୟ ଏଥିରେ ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା । ଜୁନ୍ ୨୦ରେ ଏହି ରୋଜଗାର ଅଭିଯାନ ଘୋଷଣା କରାଯାଇଥିଲା । ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ଗଢି ତୋଳିବାକୁ ୫୦ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ଅଭିଯାନ ଏବେ ୧୨୫ ଦିନ ସଂପୂର୍ଣ୍ଣ କରିଛି। ମିଶନ ମୋଡରେ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନରେ ୨୫ ପ୍ରକାର କାର‌୍ୟ୍ୟ ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଭଳି ପ୍ରବାସୀ ଶ୍ରମିକପ୍ରବଣ ରାଜ୍ୟର ୧୧୬ଟି ଜିଲ୍ଲାରେ କାର‌୍ୟ୍ୟକାରୀ ହେଉଛି। ଏହି ଯୋଜନା ପାଇଁ ମୋଟ ୫୦ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ସରକାରଙ୍କ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ, ସଡ଼କ ପରିବହନ ଓ ରାଜମାର୍ଗ, ଖଣି, ପାନୀୟଜଳ ଏବଂ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌, ନୂଆ ଓ ଅଣପାରମ୍ପରିକ ଶକ୍ତି, ସୀମାନ୍ତ ସଡ଼କ, ଟେଲିକମ୍ ଓ କୃଷି ଆଦି ୧୨ଟି ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଏହି ଅଭିଯାନ କାର୍ଯ୍ୟକାରୀ ହେଉଛି ।

Categories
ଆଜିର ଖବର ଜାତୀୟ ଖବର

ଝାଡ଼ଖଣ୍ଡରେ କଲେକ୍ଟର ହେଲେ ଦୃଷ୍ଟିହୀନ ଅଫିସର

ରାଞ୍ଚି, ରାଜେଶ କୁମାର ସିଂହ। ଦୃଷ୍ଟିହୀନ ହେଲେ ବି କର୍ତ୍ତବ୍ୟ ଆଗରେ କେବେ ବି ହାର୍ ମାନିନାହାଁନ୍ତି। ଝାଡଖଣ୍ଡ ସରକାର ତାଙ୍କୁ ବୋକାରୋ ଜିଲ୍ଲାର ଡେପୁଟୀ କମିଶନର ଭାବେ ଅବସ୍ଥାପିତ କରିଛନ୍ତି, ଏହି ପଦକୁ ଜିଲ୍ଲାପାଳ ବୋଲି ମଧ୍ୟ କୁହାଯାଉଛି।

ରାଜେଶ କୁମାର ସିଂହ ବୁଧବାର ଦିନ ବୋକାରୋର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଛନ୍ତି। ଜିଲ୍ଲାର ଦାୟିତ୍ବ ନେବାରେ ସେ ହେଉଛନ୍ତି ପ୍ରଥମ ଦୃଷ୍ଟିହୀନ ଆଇ.ଏ.ଏସ ଅଫିସର। ବିଦାୟୀ ଜିଲ୍ଲାପାଳ ମୁକେଶ କୁମାରଙ୍କ ଠାରୁ ସେ ଦାୟିତ୍ବ ନେଇଛନ୍ତି। ରାଜ୍ୟ ସରକାର ମଙ୍ଗଳବାର ଦିନ 18 ଜଣ ଆଇ.ଏ.ଏସ ଅଫିସର ଏବଂ କେତେକ ଜିଲ୍ଲାର ଡେପୁଟୀ କମିଶନର ପଦରେ ଅଦଳ ବଦଳ କରିଛନ୍ତି।

ଏହି ଅବସରରେ ରାଜେଶ କୁମାର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ମୁଖ୍ୟ ଶାସନ ସଚିବ ସୁଖଦେବ ସିଂହ ଜଣେ ଦୃଷ୍ଟିହୀନ ଜଣେ ଅଧିକାରୀଙ୍କୁ ଏକ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି। ଏଥିପାଇଁ ଉଭୟଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି।

ରାଜେଶ କୁମାର ହେଉଛନ୍ତି 2007 ବ୍ୟାଚର ଆଇ.ଏ.ଏସ ଅଫିସର। ସେ ଏସଡିଓ ଏବଂ ଏସଡିଏମ ଭାବେ କାର୍ଯ୍ୟ କରି ସାରିଛନ୍ତି। ଯଦି ଦୃଢ ଇଚ୍ଛାଶକ୍ତି ଥାଏ, ଦୃଷ୍ଟିହୀନତା କୌଣସି କାମକୁ ଅଟକାଇ ପାରିବ ନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।