Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାଇବର ଲୁଟେରାଙ୍କ ଟାର୍ଗେଟ୍ ରେ ନାବାଳିକା

କଟକ: କଟକରେ ପ୍ରଥମ ଥର ପାଇଁ ହେଲା ଭିନ୍ନ ଧରଣର ସାଇବର ଠକେଇ। ସବୁ ଦିନିଆ ଅନଲାଇନ ଜିନିଷ ମଗାଉଥିବ ଯୁବତୀଙ୍କୁ ଟାର୍ଗେଟ୍ କଲେ ସାଇବର ଲୁଟେରା। ପ୍ରଥମେ ଅନଲାଇନ ଡେଲିଭରି ଓ ପରେ ସେଥିରୁ ବାହାରିଲା ଦୁର୍ଗନ୍ଧ କପଡ଼ା। ଏହାପରେ ଟଙ୍କା ରିଫଣ୍ଡ ପାଇଁ କହି ଫୋନପେ ଲିଙ୍କ୍ ମାଧ୍ୟମରେ ଲୁଟିନେଲେ ଲୁଟେରା।

ତେବେ ଏହି ଗାଙ୍ଗର ଉତ୍ପତ୍ତି ପଡ଼ୋଶୀ ରାଜ୍ୟ ମାନଙ୍କରେ ହିଁ ଦୃଷ୍ଟି ଗୋଚର ହୋଇଥାଏ। ଯାହା ନିରୀହ ଓ ବେଶୀ ଅନଲାଇନ ବ୍ୟବହାର କରୁଥିବା ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରିଥାନ୍ତି। ବିଗତ ଦିନ ମାନଙ୍କରେ ଅନେକ ସାଇବର ଲୁଟ ସାମ୍ନାକୁ ଆସିଥିବା ବେଳେ ଏହିଭଳି ଘଟଣା ହୁଏତ ଓଡ଼ିଶାରେ ପ୍ରଥମ।

କଟକ ନୂଆ ବଜାର ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜର ଅନଲାଇନ ଅର୍ଡର ରିସିଭ କରିବା ପାଇଁ ଇ-କାର୍ଟରୁ ଏକ କଲ ଆସିଥିଲା। ନାବାଳିକା ଜଣକ ଘରେ ନଥିବାରୁ ତାଙ୍କ ମା’ ଙ୍କୁ କଲ କରି କହିଥିଲେ ଅନଲାଇନ ଅର୍ଡର ଟିକୁ ରିସିଭ କରିବା ପାଇଁ। ଏହାପରେ ନାବାଳିକାଙ୍କ ମା’ ୪୦୦ ଟଙ୍କା କ୍ୟାସ ଦେଇ ଅର୍ଡରକୁ ରିସିଭ କରିଥିଲେ। ହେଲେ ତା ଭିତରୁ ଦୁର୍ଗନ୍ଧ କପଡ଼ା ବାହାରିଥିଲା। ଯାହା ଫଳରେ ଏହାକୁ ଫେରସ୍ତ କରିବା ପାଇଁ ଉକ୍ତ ନମ୍ବରରେ ଡେଲିଭରି ବଏ ସହ ଯୋଗାଯୋଗ କରିଥିଲେ। ଏହାପରେ ସାଇବର ଲୁଟେରା ତାଙ୍କୁ ମାଗିଥିଲେ ଆପଣଙ୍କ ଫୋନପେ ନମ୍ବର ଅଛି ଯଦି ଦିଅନ୍ତୁ ଆମେ ଆପଣଙ୍କ ଟଙ୍କାକୁ ଫୋନପେ ମାଧ୍ୟମରେ ଫେରସ୍ତ କରିଦେବୁ।

ନାବାଳିକା ଜଣକ ଆମର କୌଣସି ଫୋନପେ ନମ୍ବର ନାହିଁ କହି ଉକ୍ତ ଡେଲିଭରି ବଏକୁ ପଡ଼ୋଶୀଙ୍କର ଫୋନେପ ନମ୍ବର ଟି ଦେଇଥିଲେ। ଲୁଟେରା ଜଣକ ପ୍ରତିଉତ୍ତରରେ କହିଥିଲେ ଫୋନପେ ରେ ଯେଉଁ ଲିଙ୍କ ଯିବ ତାକୁ କ୍ଲିକ କରିଦେବେ। ତେବେ ପଡ଼ୋଶୀ ଜଣକ ସେଇ ଲିଙ୍କ କୁ କ୍ଲିକ କଲା ପରେ ତାଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ଗାୟବ ହେଇଗଲା ୧୯ ହଜାର ଟଙ୍କା। ଏ ନେଇ ନାବାଳିକା ଜଣକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ଦେଇଛନ୍ତି କଟକ ଆଡସ୍ନାଲ ଡିସିପି ଅନିଲ ମିଶ୍ର।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସ ହାତରେ ଧରା ହେଲେ ଝାଡଖଣ୍ଡି ସାଇବର ଲୁଟେରା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ପୋଲିସ ହାତରେ ୩ ଜଣ ସାଇବର ଲୁଟେରା ଧରା ପଡିଛନ୍ତି। ହେଲେ ସମସ୍ତ ଲୁଟେରା ପଡୋଶୀ ଝାଡଖଣ୍ଡର ହୋଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଏକାଧିକ ଅନଲାଇନ ଠକେଇରେ ସାମିଲ ଥିବା ନେଇ ପ୍ରାଥମିକ ତଦନ୍ତରୁ ସୂଚନା ରହିଛି।

ସୂଚନା ଅନୁଯାୟୀ ଗତ ଜୁନ ୬ ତାରିଖରେ ଜିଲ୍ଲାର କେସିଙ୍ଗା ସହରର ଯୁବ ବ୍ୟବସାୟୀ ବିବେକ ଅଗ୍ରୱାଲ ଅନଲାଇନରେ କିଛି ସାମଗ୍ରୀ ମଗାଇ ଥିଲେ, ଯାହା ସ୍କାଏକିଙ୍ଗ କୋରିଅର ମାଧ୍ୟମରେ ତାଙ୍କ ନିକଟକୁ ଆସିବାର ଥିଲା। ନିର୍ଦ୍ଧାରିତ ଡେଲିଭରି ତାରିଖ ବିଳମ୍ବ ହେବାରୁ ସେ ଅନଲାଇନରେ କୋରିଅର ସଂସ୍ଥାର ଗ୍ରାହକ ସେବା କେନ୍ଦ୍ର ନମ୍ବରରେ ଯୋଗାଯୋଗ କରିଥିଲେ। ପରେ ତାଙ୍କ ନିକଟକୁ ଏକ ଫୋନ କଲ ଆସିବା ସହ ଏକ ଲିଙ୍କ ପଠାଯାଇଥିଲା। ଫୋନ ବାର୍ତ୍ତାଳପରେ ଦୀର୍ଘ ସମୟ ଧରି ବ୍ୟସ୍ତ ରଖି ବିବେକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୮୯ ହଜାର ଟଙ୍କା ଲୁଟି ନେଇଥିଲେ ସାଇବର ଲୁଟେରା।

ଠକେଇର ଶିକାର ହୋଇଥିବା ଜାଣିବା ପରେ ବ୍ୟାଙ୍କକୁ ଅବଗତ କରି ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିବେକ। ଅଭିଯୋଗ ଆଧାରରେ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଟିମ ଘଟଣାରେ ସମ୍ପୃକ୍ତ ଝାଡଖଣ୍ଡର ଜମତାରା ଜିଲ୍ଲାର ୩ ଜଣ ସାଇବର ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ରଇଶ ଆନସାରୀ, ମହମ୍ମଦ ସଜ୍ଵାଦ ଓ ଅବଦୁଲ ଅନସାରୀ ସମସ୍ତଙ୍କ ଘର ଝାଡଖଣ୍ଡ ଅଞ୍ଚଳର ହୋଇଥିବାବେଳେ ଏମାନେ ପୂର୍ବରୁ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସାଇବର ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯାଇଥିବା କଳାହାଣ୍ଡି ଏସପି ଏମ ଶ୍ରବଣ ବିବେକ ସୂଚନା ଦେଇଛନ୍ତି।