ସାଇବର ଲୁଟେରାଙ୍କ ଟାର୍ଗେଟ୍ ରେ ନାବାଳିକା

Published: Dec 10, 2022, 5:31 pm IST

କଟକ: କଟକରେ ପ୍ରଥମ ଥର ପାଇଁ ହେଲା ଭିନ୍ନ ଧରଣର ସାଇବର ଠକେଇ। ସବୁ ଦିନିଆ ଅନଲାଇନ ଜିନିଷ ମଗାଉଥିବ ଯୁବତୀଙ୍କୁ ଟାର୍ଗେଟ୍ କଲେ ସାଇବର ଲୁଟେରା। ପ୍ରଥମେ ଅନଲାଇନ ଡେଲିଭରି ଓ ପରେ ସେଥିରୁ ବାହାରିଲା ଦୁର୍ଗନ୍ଧ କପଡ଼ା। ଏହାପରେ ଟଙ୍କା ରିଫଣ୍ଡ ପାଇଁ କହି ଫୋନପେ ଲିଙ୍କ୍ ମାଧ୍ୟମରେ ଲୁଟିନେଲେ ଲୁଟେରା।

ତେବେ ଏହି ଗାଙ୍ଗର ଉତ୍ପତ୍ତି ପଡ଼ୋଶୀ ରାଜ୍ୟ ମାନଙ୍କରେ ହିଁ ଦୃଷ୍ଟି ଗୋଚର ହୋଇଥାଏ। ଯାହା ନିରୀହ ଓ ବେଶୀ ଅନଲାଇନ ବ୍ୟବହାର କରୁଥିବା ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରିଥାନ୍ତି। ବିଗତ ଦିନ ମାନଙ୍କରେ ଅନେକ ସାଇବର ଲୁଟ ସାମ୍ନାକୁ ଆସିଥିବା ବେଳେ ଏହିଭଳି ଘଟଣା ହୁଏତ ଓଡ଼ିଶାରେ ପ୍ରଥମ।

କଟକ ନୂଆ ବଜାର ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜର ଅନଲାଇନ ଅର୍ଡର ରିସିଭ କରିବା ପାଇଁ ଇ-କାର୍ଟରୁ ଏକ କଲ ଆସିଥିଲା। ନାବାଳିକା ଜଣକ ଘରେ ନଥିବାରୁ ତାଙ୍କ ମା’ ଙ୍କୁ କଲ କରି କହିଥିଲେ ଅନଲାଇନ ଅର୍ଡର ଟିକୁ ରିସିଭ କରିବା ପାଇଁ। ଏହାପରେ ନାବାଳିକାଙ୍କ ମା’ ୪୦୦ ଟଙ୍କା କ୍ୟାସ ଦେଇ ଅର୍ଡରକୁ ରିସିଭ କରିଥିଲେ। ହେଲେ ତା ଭିତରୁ ଦୁର୍ଗନ୍ଧ କପଡ଼ା ବାହାରିଥିଲା। ଯାହା ଫଳରେ ଏହାକୁ ଫେରସ୍ତ କରିବା ପାଇଁ ଉକ୍ତ ନମ୍ବରରେ ଡେଲିଭରି ବଏ ସହ ଯୋଗାଯୋଗ କରିଥିଲେ। ଏହାପରେ ସାଇବର ଲୁଟେରା ତାଙ୍କୁ ମାଗିଥିଲେ ଆପଣଙ୍କ ଫୋନପେ ନମ୍ବର ଅଛି ଯଦି ଦିଅନ୍ତୁ ଆମେ ଆପଣଙ୍କ ଟଙ୍କାକୁ ଫୋନପେ ମାଧ୍ୟମରେ ଫେରସ୍ତ କରିଦେବୁ।

ନାବାଳିକା ଜଣକ ଆମର କୌଣସି ଫୋନପେ ନମ୍ବର ନାହିଁ କହି ଉକ୍ତ ଡେଲିଭରି ବଏକୁ ପଡ଼ୋଶୀଙ୍କର ଫୋନେପ ନମ୍ବର ଟି ଦେଇଥିଲେ। ଲୁଟେରା ଜଣକ ପ୍ରତିଉତ୍ତରରେ କହିଥିଲେ ଫୋନପେ ରେ ଯେଉଁ ଲିଙ୍କ ଯିବ ତାକୁ କ୍ଲିକ କରିଦେବେ। ତେବେ ପଡ଼ୋଶୀ ଜଣକ ସେଇ ଲିଙ୍କ କୁ କ୍ଲିକ କଲା ପରେ ତାଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ଗାୟବ ହେଇଗଲା ୧୯ ହଜାର ଟଙ୍କା। ଏ ନେଇ ନାବାଳିକା ଜଣକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ଦେଇଛନ୍ତି କଟକ ଆଡସ୍ନାଲ ଡିସିପି ଅନିଲ ମିଶ୍ର।

Related posts