Categories
ଆଜିର ଖବର ରାଜ୍ୟ ଖବର

ସରିଲା ରାଜ୍ୟସ୍ତରୀୟ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା: ୪୫ ଟି ଦକ୍ଷତାରେ ପ୍ରତିଭା ଦେଖାଇଲେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକର ୮ଟି କେନ୍ଦ୍ରରେ ଦୁଇଦିନ ଧରି ଚାଲିଥିବା ‘ଓଡ଼ିଶା ସ୍କିଲ୍ସ’ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଶେଷ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇ, ପଲିଟେକନିକ୍ ଏବଂ ବିଭିନ୍ନ ଦକ୍ଷତା ବିକାଶ ତାଲିମ ଅନୁଷ୍ଠାନରୁ ଆସିଥିବା ୭୦୦ରୁ ଅଧିକ ଛାତ୍ରଛାତ୍ରୀ ମୋଟ ୪୫ଟି ଦକ୍ଷତାରେ ସେମାନଙ୍କ ପ୍ରତିଭା ଦେଖାଇଥିଲେ।

ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ପ୍ରତିବର୍ଷ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା କରାଯାଉଛି। ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ଯେଉଁ ଅନନ୍ୟ ଦକ୍ଷତା ରହିଛି ତାହା ପ୍ରଦର୍ଶନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ବଡ଼ ମାଧ୍ୟମ ହୋଇପାରିଛି। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନେ ‘ଇଣ୍ଡିଆ ସ୍କିଲ୍ସ’ ଏବଂ ‘ୱାର୍ଲ୍ଡ ସ୍କିଲ୍ସ’ ଭଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ଦେଖାଇବା ଲାଗି ସୁଯୋଗ ପାଇବେ।

ମାର୍ଚ୍ଚ ୧୨ ତାରିଖରେ ‘ଓଡ଼ିଶା ସ୍କିଲ୍ସ’ର ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରତିଯୋଗିତା ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ତାଲିମ ପ୍ରତିଷ୍ଠାନରୁ ଆସିଥିବା ୭୦୦ରୁ ଅଧିକ ପ୍ରତିଯୋଗୀ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେମାନଙ୍କ ଭିତରୁ ୩୫୦ରୁ ଅଧିକ ଛାତ୍ରଛାତ୍ରୀ ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସିଥିଲେ। ସେମାନଙ୍କୁ ନେଇ ମାର୍ଚ୍ଚ ୧୪, ଗୁରୁବାର ଦିନ ଫାଇନାଲ ରାଉଣ୍ଡ ପ୍ରତିଯୋଗିତା କରାଯାଇଥିଲା। ପ୍ରତି ବିଷୟରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ ଶୁକ୍ରବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।

ପ୍ରତିଯୋଗୀମାନଙ୍କ ଦକ୍ଷତାକୁ ପରଖିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ସ୍ୱତନ୍ତ୍ର ବିଚାରକମାନେ ନିୟୋଜିତ ହୋଇଥିଲେ। ଏହା ସହିତ ‘ଇଣ୍ଡିଆ ସ୍କିଲ୍ସ’ ବିଶେଷଜ୍ଞମାନେ ମଧ୍ୟ ବିଭିନ୍ନ କେନ୍ଦ୍ରରେ ଉପସ୍ଥିତ ରହି ପ୍ରତିଯୋଗିତାର ଗୁଣାତ୍ମକ ଦିଗକୁ ସୁନିଶ୍ଚିତ କରିଥିଲେ। ଗୁରୁବାର ଦିନ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ରେଘୁ ଜି ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକଙ୍କ ସହିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ପ୍ରତିଯୋଗିତାର ପରିଚାଳନା ଅନୁଧ୍ୟାନ କରିଥିଲେ।

‘‘ସାରା ବିଶ୍ୱରେ ଆଜି ବିଭିନ୍ନ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ଚାହିଦା ବଢ଼ିଛି। ତେଣୁ ଏ ଦିଗରେ ଯୁବପିଢ଼ିଙ୍କୁ ସୁଦକ୍ଷ କରିବା ଉପରେ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ‘ଓଡ଼ିଶା ସ୍କିଲ୍ସ’ ଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜର ଦକ୍ଷତା ପ୍ରଦର୍ଶନ ସହ ଏକ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବାରେ ସାହାଯ୍ୟ କରୁଛି। ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍କିଲ୍ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ବେଶ୍ ଭଲ ପ୍ରଦର୍ଶନ କରିବେ ବୋଲି ମୋର ବିଶ୍ୱାସ’’, କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର।

ଚଳିତବର୍ଷ ‘ଓଡ଼ିଶା ସ୍କିଲ୍ସ’ରେ କନଷ୍ଟ୍ରକ୍ସନ ଆଣ୍ଡ ବିଲ୍ଡିଂ ଟେକ୍ନୋଲୋଜି, କ୍ରିଏଟିଭ୍ ଆର୍ଟ୍ସ ଆଣ୍ଡ ଫ୍ୟାସନ, ଇନଫରମେସନ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି, ମାନୁଫାକ୍ଚରିଂ ଆଣ୍ଡ ଇଞ୍ଜିନିୟରିଂ ଟେକ୍ନୋଲୋଜି, ସୋସିଆଲ ଆଣ୍ଡ ପର୍ସନାଲ ସର୍ଭିସେସ୍ ଏବଂ ଟ୍ରାନ୍ସପୋର୍ଟେସନ ଆଣ୍ଡ ଲଜିଷ୍ଟିକ୍ସ ଆଦି ୬ଟି କ୍ଷେତ୍ରକୁ ନେଇ ପ୍ରତିଯୋଗିତା ପରିକଳ୍ପନା କରାଯାଇଥିଲା।

ଓଡ଼ିଶା ସ୍କିଲ୍ସ ପ୍ରତିଯୋଗିତା ୮ଟି କେନ୍ଦ୍ରରେ ପରିଚାଳିତ ହୋଇଥିଲା। ତା’ ମଧ୍ୟରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ୧୬ଟି ସ୍କିଲକୁ ନେଇ ପ୍ରତିଯୋଗିତା କରାଯାଇଥିଲା। ସେହିପରି ଭୁବନେଶ୍ୱରର ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ, ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ସିଟିଟିସି, ଏନଆଇଏଫଟି ସହିତ କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ ଏବଂ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ବିଭିନ୍ନ ଦକ୍ଷତାକୁ ନେଇ ପ୍ରତିଯୋଗିତା ପରିଚାଳନା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକଠାରେ ବ୍ରହ୍ମକୁମାରୀଙ୍କ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଭାରତରେ ଆଧ୍ୟାତ୍ମିକ ଚେତନାର ପ୍ରସାର ପାଇଁ ଅନେକ ଆଧ୍ୟାତ୍ମିକ ଓ ଧାର୍ମିକ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି। ବ୍ରହ୍ମକୁମାରୀମାନେ ଅହିଂସା, ଶାନ୍ତି, ସଦ୍ଭାବ, ଭାଇଚାରା ଏବଂ ସହନଶୀଳତା ଭଳି ଚିରନ୍ତ ଓ ଭାରତୀୟ ମୂଲ୍ୟବୋଧକୁ ଭାରତ ତଥା ବିଦେଶରେ ପ୍ରସାର କରୁଛନ୍ତି। ବ୍ରହ୍ମକୁମାରୀଙ୍କ ଅନୁଷ୍ଠାନ ଯୋଗ ଓ ଧ୍ୟାନକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବା ଦିଗରେ କାର୍ଯ୍ୟ କରୁଛି ବୋଲି କହି ସେ ଖୁସି ବ୍ୟକ୍ତ କରିଥିଲେ।

ରାଷ୍ଟ୍ରପତି କହିଛନ୍ତି ଯେ ଲୋକମାନେ ଆଜି ଭୌତିକ ସୁଖ ପଛରେ ଦୌଡୁଛନ୍ତି। ସେମାନେ ଭାବନ୍ତି ଯେ ସୁଖର ଅର୍ଥ କେବଳ ଭୌତିକ ସୁଖ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଆମେ ଆମର ଭୌତିକ ଇଚ୍ଛାକୁ ସୀମିତ କରିବୁ ସେତେବେଳେ ହିଁ ଆମେ ପ୍ରକୃତ ସୁଖ ହାସଲ କରିପାରିବୁ।

ରାଷ୍ଟ୍ରପତି କହିଥିଲେ ଯେ ଧର୍ମ ହେଉଛି ଏକ ଜୀବନ ଶୈଳୀ ଏବଂ ବ୍ରହ୍ମକୁମାରୀମାନେ ଲୋକମାନଙ୍କୁ ସେମାନଙ୍କ ଜୀବନର ଉଦ୍ଦେଶ୍ୟ ଅନୁଭବ କରାଇବା ପାଇଁ ପ୍ରୟାସ କରୁଛନ୍ତି। ସେମାନେ ଜ୍ଞାନର ଆଲୋକ ବିସ୍ତାର କରୁଛନ୍ତି ଏବଂ ଲୋକଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ସହିତ ଜୀବନ ଯାପନ କରିବାରେ ସାହାଯ୍ୟ କରୁଛନ୍ତି। ଶାନ୍ତି ବଜାୟ ରହିଲେ ହିଁ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଆଧ୍ୟାତ୍ମିକ ମାର୍ଗ ଅନୁସରଣ କରିବା ପାଇଁ ଜଣେ ବ୍ୟକ୍ତି ନିଜର ସାଂସାରିକ କର୍ତ୍ତବ୍ୟ ଛାଡିବାର ଆବଶ୍ୟକତା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଧାର୍ମିକ ଜୀବନଶୈଳୀ ଗ୍ରହଣ କରି ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଲୋକମାନେ ସୁଖୀ ଏବଂ ଶାନ୍ତିପୂର୍ଣ୍ଣ ହୋଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱର ଏବଂ କଟକ ରେଲୱେ ଷ୍ଟେସନ୍ ପୁନର୍ବିକାଶର ପ୍ରଗତି ସମୀକ୍ଷା

ଭୁବନେଶ୍ୱର: ରେଳ, ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭଦ୍ରକ-ଭୁବନେଶ୍ୱର ରେଳ ସେକ୍ସନ ନିରୀକ୍ଷଣ କରି ନିରାପତ୍ତା, ଟ୍ରାଫିକ ସୁବିଧା ସମୀକ୍ଷା କରିବା ସହିତ ରେଳ ସେକ୍ସନରେ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ନିରୀକ୍ଷଣ ସମୟରେ ସେ ରେଳ ଅଧିକାରୀଙ୍କୁ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ଯାତ୍ରୀଙ୍କ ସୁବିଧା କାର୍ଯ୍ୟ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି।

ପରେ, ଶ୍ରୀ ବୈଷ୍ଣବ କଟକ ଏବଂ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ବିଶ୍ୱ ସ୍ତରୀୟ ଷ୍ଟେସନ ଭାବରେ ଏହି ଷ୍ଟେସନଗୁଡିକର ପୁନର୍ବିକାଶ ସମ୍ବନ୍ଧୀୟ ନିର୍ମାଣ ପାଇଁ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଶ୍ରୀ ବୈଷ୍ଣବ ଖୁସି ବ୍ୟକ୍ତ କରିଛନ୍ତି।

ମାଣିଆବନ୍ଧ ହସ୍ତଶିଳ୍ପ:

ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନ ଗସ୍ତ ସମୟରେ ମାଣିଆବନ୍ଧ ହସ୍ତାଶିଳ୍ପ ସାମଗ୍ରୀ ଷ୍ଟଲ୍ ପରିଦର୍ଶନ କରିଥିଲେ। କଟକ ରେଳ ଷ୍ଟେସନରେ ଥିବା ଏକ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଷ୍ଟଲ୍ କଟକ ଜିଲ୍ଲାର ମାଣିଆବନ୍ଧ ଗ୍ରାମର ହ୍ୟାଣ୍ଡଲୁମ୍ ଉତ୍ପାଦ ସହିତ ପ୍ରଦର୍ଶିତ ଓ ବିକ୍ରି ପ୍ରାରମ୍ଭ ହୋଇଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ନିକଟରେ ଓଡ଼ିଶା ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ସ୍ଥାନୀୟ ବୁଣାକାରମାନଙ୍କୁ “ୱାନ ଷ୍ଟେସନ ୱାନ ପ୍ରଡକ୍ଟ” ପଦକ୍ଷେପ ଅନ୍ତର୍ଗତ କଟକ ଷ୍ଟେସନରେ ମାଣିଆବନ୍ଧ ଷ୍ଟଲ ଖୋଲିବାକୁ ଆଶ୍ୱାସନା ଦେଇଥିଲେ।

ମାଣିଆବନ୍ଧ ଗ୍ରାମ ପରିଦର୍ଶନ ସମୟରେ ଏହାରୀ ବୈଷ୍ଣବ ହୃଦୟଙ୍ଗମ କରିଥିଲେ ଯେ 10 ଟି ପରିବାର ଯିଏକି ଲୁଗାବୁଣା କାର୍ଯ୍ୟରେ ସୁତା କାଟିବା, ରଙ୍ଗଦେବା ଓ ବୁଣିବା ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ଲୁଗାବୁଣି ସ୍ୱଳ୍ପ ପଇସାରେ ମଧ୍ୟମ ବ୍ୟକ୍ତି ମାଧ୍ୟମରେ ବିକ୍ରି କରୁଥିଲେ ଯାହାକି ପରିଶ୍ରମର ସିଂହଭାଗ ମଧ୍ୟମ ବ୍ୟକ୍ତି ନେଉଥିବାବେଳେ ଏମାନଙ୍କୁ ସ୍ୱଳ୍ପ ଅର୍ଥରାଶି ମିଳୁଥିଲା। ସେଥିପାଇଁ ଶ୍ରୀ ବୈଷ୍ଣବ ଏହି 10ଟି ପରିବାରର ସାମଗ୍ରୀ ବିକ୍ରିପାଇଁ କଟକ ଷ୍ଟେସନ ଠାରେ ଗୋଟିଏ ଷ୍ଟେସନ ଗୋଟିଏ ଦ୍ରବ୍ୟ / ପ୍ରଡକ୍ଟ ସ୍ଟଲ ଯୋଗାଇ ଦେବାପାଇଁ ମାଣିଆବନ୍ଧ ଗ୍ରାମର ଏହି ବୁଣାକାର ମାନଙ୍କୁ ଗତ ସପ୍ତାହରେ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ବୈଷ୍ଣବ ଦେଇଥିବା ପ୍ରତିଶୃତିକୁ ମାତ୍ର ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରାଯାଇଅଛି। ଏବେ ଏହି ବୁଣାକାର ମାନେ ସିଧାସଳଖ ଭାବେ ସେମାନଙ୍କର ସାମଗ୍ରୀ ବିକ୍ରିକରି ନିଜ ପରିଶ୍ରମର ଉଚିତ ପାଉଣା ପାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

କଟକ ଟାଙ୍ଗୀରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଏହି କ୍ରମରେ ଆଜି କଟକ ଜିଲ୍ଲାର ଟାଙ୍ଗି ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆୟୋଜିତ ଏକ ଅଭିନବ ପ୍ରୟାସ ସ୍ୱରୂପ ମହାରାଷ୍ଟ୍ରର ବରିଷ୍ଠ ସାମ୍ବାଦିକମାନଙ୍କର ଏକ ୭ ଜଣିଆ ପ୍ରତିନିଧି ଦଳ ଆଜି ଟାଙ୍ଗୀ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଥିଲେ। ସେମାନେ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ।

ଏହାବ୍ୟତୀତ ମହାରାଷ୍ଟ୍ରର ସାମ୍ବାଦିକ ପ୍ରତିନିଧି ଦଳ ଆଜି ଐତିହାସିକ କଟକ ସହରର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଛନ୍ତି। ସାମ୍ବାଦିକମାନେ ହାଇକୋର୍ଟ ନିକଟରେ ପ୍ରତିଷ୍ଠା ହୋଇଥିବା ଅଭିନବ ନ୍ୟାୟ ସଂଗ୍ରହାଳୟ ବୁଲି ଦେଖିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଏଭଳି ଅଭିନବ ପରିକଳ୍ପନାକୁ ଦେଖି ମହାରାଷ୍ଟ୍ର ସାମ୍ବାଦିକମାନେ ପ୍ରଭାବିତ ହୋଇଥିଲେ। ବିଶେଷ କରି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଭଳି ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିବା ସେମାନଙ୍କୁ ସୂଚନା ଦିଆଯାଇଥିଲା।

କଟକ ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) କ୍ୟାମ୍ପସ୍ ଠାରେ ସାମ୍ବାଦିକଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସାମ୍ବାଦିକମାନେ ଏନଡିଆରଏଫର କାର୍ଯ୍ୟଧାରା ସମ୍ପର୍କରେ ଅବଗତ ହୋଇଥିଲେ।
ସାମ୍ବାଦିକଙ୍କ ଦଳ କଟକ ବିଦ୍ୟାଧରପୁର ଠାରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ ଅମରେଶ କୁମାର ନାୟକ, ଅନୁଷ୍ଠାନର ଲକ୍ଷ୍ୟ, ସଫଳତା, କାର୍ଯ୍ୟକଳାପ ଏବଂ ଆକାଂକ୍ଷା ବିଷୟରେ ସୂଚନା ପ୍ରଦାନ କରିଥିଲେ।

ସେ କହିଥିଲେ, ଅନୁଷ୍ଠାନ ସବୁଜ ବିପ୍ଳବରେ ଏକ ମହତ୍ୱପୂର୍ଣ୍ଣ ଅବଦାନ ଦେଇଥିଲା ଏବଂ ଭାରତକୁ ଖାଦ୍ୟ ଶସ୍ୟର ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିଥିଲା। ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାର ବ୍ୟାପକ ଲକ୍ଷ୍ୟ ସହିତ ଜଳବାୟୁ ସହନଶୀଳ କିସମର ଫସଲ ବିକଶିତ କରାଯାଉଛି ବୋଲି ସେ କହିଥିଲେ। ସାମ୍ବାଦିକମାନେ ଅନୁଷ୍ଠାନର ସମସ୍ତ ବିଭାଗର ମୁଖ୍ୟ ଏବଂ ବୈଜ୍ଞାନିକମାନଙ୍କ ସହିତ ମତବିନିମୟ କରିଥିଲେ, ସେମାନେ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗଶାଳା, ସୁବିଧା ଏବଂ ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିଥିଲେ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନର ବିଷୟରେ ବିଭିନ୍ନ ରାଜ୍ୟର ଗଣମାଧ୍ୟମକୁ ଅବଗତ କରାଇବା ଉଦ୍ଦେଶ୍ୟରେ ସାମ୍ବାଦିକଙ୍କ ପାଇଁ ଏଭଳି ମତବିନିମୟ ଓ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ଫେବ୍ରୁଆରୀ ଶେଷ ସୁଦ୍ଧା କଟକରେ ଚାଲିବ ଲକ୍ଷ୍ମୀବସ, ବିଶାଳ ଜନସମାବେଶରେ କହିଲେ ପାଣ୍ଡିଆନ

ଭୁବନେଶ୍ୱର: ବଡଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଆଉ ବଡ ମେ ଡିକାଲର ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ବଡ ସ୍ୱପ୍ନ ଥିଲା। କଟକ ଏସସିବି ମେଡିକାଲର ରୂପାନ୍ତରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଚାହୁଁଥିଲେ, ଚିକିତ୍ସା ପାଇଁ କେହି ଓଡ଼ିଶା ବାହାରକୁ ନ ଯାଆନ୍ତୁ। ଏମସ ପ୍ଲସ ଭଳି ଏସସିବିକୁ କରିବାକୁ ଚାହୁଁଥିଲେ।

ଏବେ ଏହାକୁ ଭାରତରେ ୫ନମ୍ବର ବଡ଼ ହସପିଟାଲ କରିଛନ୍ତି। ବଡଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଆଉ ବଡ ମେଡିକାଲର ରୂପାନ୍ତରଣ କାମ ମୁଖ୍ୟମନ୍ତ୍ରୀଙ୍କ ବଡ ସ୍ୱପ୍ନ ଥିଲା ବୋଲି କହିଛନ୍ତି ପାଣ୍ଡିଆନ। ଆସନ୍ତା ଶହେ ବର୍ଷକୁ ପ୍ଲାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ରୂପାନ୍ତରଣ କରିଛନ୍ତି। ଦିନିକିଆ କଟକ ଗସ୍ତରେ ଯାଇଥିବାବେଳେ ଉପର ବାଲିଯାତ୍ରା ପଡିଆଠାରେ ଆୟୋଜିତ ସଭାରେ ଏହା କହିଛନ୍ତି ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

କଟକର ମେରୁଦଣ୍ଡ ତାଳଦଣ୍ଡା କେନାଲକୁ ନୂଆ ରୂପ ଦିଆଯିବା ପଛର କାହାଣୀ କହିଥିଲେ ପାଣ୍ଡିଆନ। ସେ କହିଥିଲେ ଯେ, ଥରେ କେନ୍ଦ୍ରାପଡ଼ାରୁ ହେଲିକପ୍ଟରରେ ଆସିଲା ବେଳେ ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ କଥା କହିଥିଲେ। ତାଳଦଣ୍ଡା କେନାଲର ଐତିହ୍ୟ ଓ କେମିତି ବ୍ରିଟିଶ ଅମଳରେ ଜାହାଜ ଚଳପ୍ରଚଳ କରୁଥିଲା ସେ ସମ୍ପର୍କରେ ବଖାଣିଥିଲେ। ତେବେ ତାଳଦଣ୍ଡା କେନାଲ ସଂକୁଚିତ ଓ ଦୂଷିତ ହୋଇ ରହିଥିବା ଯୋଗୁଁ ତାଙ୍କ ମନ ଭିତରେ କେଉଁଠି ନା କେଉଁଠି ଦୁଃଖ ଥିବା ଜଣାପଡୁଥିଲା।

ତାଳଦଣ୍ଡା କେନାଲ ସଫା ହୋଇପାରିଲେ ସେ ବହୁତ ଖୁସୀ ହେବେ ବୋଲି ମଧ୍ୟ କହିଥିଲେ।ମୁଖ୍ୟମନ୍ତ୍ରୀଙ୍କ ଆଖିରେ ନିଜ ଜନ୍ମମାଟି କଟକ ପ୍ରତି ପ୍ରଚଣ୍ଡ ଭଲପାଇବା ସ୍ପଷ୍ଟ ବାରି ହୋଇ ପଡୁଥିଲା। ପହଞ୍ଚିବା ପରେ ତାଳଦଣ୍ଡା କେନାଲ ସଫା କରିବାକୁ ସ୍ଥାନୀୟ ନେତୃବୃନ୍ଦ ଓ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ମାତ୍ର ଗୋଟିଏ ବର୍ଷ ଭିତରେ ତାଳଦଣ୍ଡା କେନାଲ ଏବେ ପ୍ୟାରିସ, ଭେନିସ ଭଳି ଲାଗୁଛି। ସେଠାରେ ରାତିରେ ବୋଟିଂ ଚାଲିଛି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ।

ବାଦାମବାଡ଼ି ବସଷ୍ଟାଣ୍ଡକୁ ନେତାଜୀ ବସ ଟର୍ମିନାଲ କରାଯାଇଛି। କଟକ ଚଣ୍ଡିମନ୍ଦିରର ରୂପାନ୍ତରଣ ଚାଲିଛି। ସାରା ରାଜ୍ୟରେ କଟକରେ ହିଁ ସବୁଠୁ ବେଶୀ ରୂପାନ୍ତରଣ କରାଯାଇଛି। ପ୍ରତି ପଞ୍ଚାୟତକୁ ଲକ୍ଷ୍ମୀ ଯୋଜନାରେ ସରକାରୀ ବସ ଗଡିବ ଏବଂ ୬ଟି ଜିଲ୍ଲାରେ ଲକ୍ଷ୍ମୀବସ ଗଡିଲାଣି।

କଟକରେ ଫେବ୍ରୁଆରୀ ଶେଷ ସୁଦ୍ଧା ଯୋଜନାର ଶୁଭାରମ୍ଭ କରାଯିବ। ମହିଳା ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କାରେ ଲକ୍ଷ୍ମୀ ବସରେ ଯାତାୟତ କରିପାରିବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି କାର୍ତ୍ତିକ ପାଣ୍ଡିଆନ ନିଜ ଦଳର ଛାତ୍ର ଓ ଯୁବ ସଂଗଠନକୁ ଆହ୍ୱାନ ଦେଇଥିଲେ।

ଆମ ବ୍ୟାଙ୍କ ଯୋଜନାରେ କଟକ ଜିଲ୍ଲାର ସବୁ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ମିଳିବ। ୫ଞରେ ସମସ୍ତ ସ୍କୁଲ ଓ କଲେଜର ରୂପାନ୍ତରଣ କରାଯାଉଛି। ୮୦ ପ୍ରତିଶତ ଲୋକ ସରକାରୀ ସ୍କୁଲ ଉପରେ ନିର୍ଭର କରନ୍ତି। ସେମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ସଶକ୍ତ କରାଯାଉଛି ବୋଲି କହିଥିଲେ ପାଣ୍ଡିଆନ।

କଟକ ଜିଲ୍ଲାରେ ବିଜେଡିର ସ୍ଥିତି ମଜବୁତ ରହିଛି। ଜିଲ୍ଲାର ସବୁ ନିର୍ବାଚନମଣ୍ଡଳିରେ ବିଜେଡି ଜିତିକି ଆସିବ। ୨୦୧୪ ଓ ୨୦୧୯ ନିର୍ବାଚନରେ କେଉଁ ନିର୍ବାଚନମଣ୍ଡଳୀରେ କେତେ ମାର୍ଜିନରେ ଜିତିଛନ୍ତି ତାହା ଜଣାଅଛି। ଏବେ ୨୦୨୪ରେ ରେକର୍ଡ ମାର୍ଜିନରେ ଜିତି ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେବାକୁ ୫ଟି ଅଧ୍ୟକ୍ଷ ଆହ୍ୱାନ ଦେଇଛନ୍ତି।

ଯେଉଁ ବୁଥରେ ପୂର୍ବ ମାର୍ଜିନରୁ ଅଧିକ ଭୋଟ୍ ଅର୍ଥାତ ୫୦ ପ୍ରତିଶତରୁ ଅଧିକ ଭୋଟ କରିକି ଦେଖାଇବେ ସେମାନଙ୍କୁ ନବୀନ ନିବାସ ଡକାଯାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ କରାଯିବ। ସେମାନଙ୍କ କାମ ମଧ୍ୟ ଜୋରଦାର ହେବ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ଜିଲ୍ଲାରେ ବହୁ ବିକାଶମୂଳକ କାର୍ଯ୍ୟ ଚାଲିଛି। କିନ୍ତୁ ସେ କହୁଥିବା କାର୍ଯ୍ୟକ୍ରମଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆନ୍ତରିକତାର ସହ ସେ ସବୁର ସଠିକ ତଦାରଖ କଲେ ୧୦ ବର୍ଷ ଭିତରେ ସଶକ୍ତ ଓ ସମୃଦ୍ଧ ଓଡିଶା ଗଠନ ହେବ ବୋଲି କହିଛନ୍ତି ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଗ୍ରାମାଞ୍ଚଳ ପରେ ସହରାଞ୍ଚଳ ଲୋକ ଓ ସରକାରୀ କର୍ମଚାରୀ ପର୍ଯ୍ୟାୟକ୍ରମେ ବିଏସକେଓ୍ବାଇ ନବୀନ କାର୍ଡ ପାଇବେ। କଟକ ବାଲିଯାତ୍ରା ଉପର ପଡ଼ିଆରେ ଏନେଇ ସୂଚନା ଦେଇଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏବେ ଗ୍ରାମାଞ୍ଚଳରେ ସମସ୍ତଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲିଠୁ ଏଥିପାଇଁ ଅନଲାଇନରେ ପଂଜୀକରଣ କରାଯିବ। ଏହି ପଞ୍ଜିକରଣ ଚଳିତମାସ ୧୬ ତାରିଖ ଯାଏଁ ଚାଲିବ। ପ୍ରତି ପଞ୍ଚାୟତରେ ବାକି ରହିଥିବା ଲୋକଙ୍କୁ ଯୋଜନାରେ ସାମିଲ କରିବାକୁ ୫ଟି ଅଧ୍ୟକ୍ଷ ଆହ୍ୱାନ ଦେଇଛନ୍ତି।

ଏଥିପୂର୍ବରୁ କଟକ ବାଲିଯାତ୍ରା ତଳ ପଡିଆରେ ନୂଆ-ଓ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୂଆ ଓ କାର‌୍ୟ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି ଫାଇଭ ଟି -ଅଧ୍ୟକ୍ଷ। ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେ କହିଥିଲେ।ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛନ୍ତି।

ସଫଳତା ପାଇବାକୁ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢିବାର ଅଛି। ହେଲେ କେବଳ ଭଲ ପାଠ ପଢିଲେ ସଫଳତା ପାଇବେନି। ସଫଳତା ପାଇବାକୁ ହେଲେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବାକୁ ପଡିବ। ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ସେଥିଲାଗି ଏ ନୂଆ ଓ କାର୍ଯ୍ୟକ୍ରମ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଭାର ବିକାଶ ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀମାନେ ବିଜୟ ହେଲେ ଖୁସି ଲାଗିବ। ସେଥିଲାଗି ଅଂଶଗ୍ରହଣ କରିବାକୁ ପଡିବ। ସବୁଥିରେ ଅଂଶଗ୍ରହଣ କଲେ ବହୁତ ଜିନିଷ ଶିଖି ପାରିବେ। ଯାହା ଜୀବନରେ ଅନେକ କାର‌୍ୟ୍ୟରେ ଆସିବ। ଏହା ଆତ୍ମବିଶ୍ୱାସ ବଢାଇବ। ପ୍ରତିଯୋଗିତାକୁ ସାମନା କରିବାକୁ ହେଲେ ଆତ୍ମବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀ ନିଜ ପାଇଁ ବିଶ୍ୱସ୍ତ ରୁହନ୍ତୁ। ପ୍ରତିଦିନ ୩୦ ମିନିଟ ଶରୀର ପାଇଁ ଧ୍ୟାନ ଦିଅନ୍ତୁ। ଶାରିରୀକ ବ୍ୟାୟାମ ସହ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଆବଶ୍ୟକ। ମାନସିକ ସ୍ୱାସ୍ଥ୍ୟ ପାଇଁ ଦିନକୁ ୧୫ ମିନିଟ ଧ୍ୟାନ କରନ୍ତୁ।

ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ କଠିନ ପରିଶ୍ରମ ଆବଶ୍ୟକ। ଦିନରାତି ଯିଏ ଏକା କରି ଖଟିବ ସିଏ ଉପରକୁ ଯିବ। ସିଏ ସଫଳତା ହାସଲ କରିବ। ସଫଳତାର କାରଣ କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ। ସଚ୍ଚିନ ତେନ୍ଦୁଲକର ଓ ଶାହାରୁଖ ଖାନଙ୍କ ଭଳି ସଫଳ ବ୍ୟକ୍ତିତ୍ୱମାନେ ମଧ୍ୟ ସଫଳତାର ଗୋଟିଏ ସୂତ୍ର- କଠିନ ପରିଶ୍ରମ ବୋଲି ତାଙ୍କୁ କହିଥିଲେ ବୋଲି ପିଲାଙ୍କୁ ପାଣ୍ଡିଆନ କହିଥିଲେ। ଆତ୍ମବିଶ୍ୱାସ, କଠିନ ପରିଶ୍ରମ ପାଇଁ ସମସ୍ତେ ଲାଗି ପଡିବେ।

୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସିରେ ରହିବେ। ଆପଣମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କଟକ ବାଲିଯାତ୍ରା ତଳ ପଡିଆରେ କଟକ ଜିଲ୍ଲାର ୧୪୦ଟି କଲେଜରୁ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଟକ ସହରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା: ଅନୁଭୂତି ବାଣ୍ଟିଲେ ହିତାଧିକାରୀ

ନୂଆଦିଲ୍ଲୀ: କଟକ ମହାନଗର ନିଗମ ଅଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଆଜି ଖାନନଗର ଅଞ୍ଚଳରେ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ବାହନ ପହଞ୍ଚିଛି। ଯାତ୍ରା ରହଣୀ ସ୍ଥଳରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି। ଯାତ୍ରା ବାହନରେ ଲାଗିଥିବା ଏଲଇଡି ସ୍କ୍ରିନ୍‌ ଜରିଆରେ ଭିଡିଓ ବାର୍ତ୍ତା ପ୍ରସାରଣ କରାଯାଇ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଯାତ୍ର ରହଣୀ ସ୍ଥଳରେ ପ୍ରଧାନମନ୍ତ୍ରୀ ଉଠାଦୋକାନୀ ଆତ୍ମନିର୍ଭର ନିଧି (ପିଏମ୍‌ ସ୍ୱନିଧି), ପିଏମ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ଆଦିର ଷ୍ଟଲ୍‌ ଖୋଲାଯାଇ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା। ହିତାଧିକାରୀଙ୍କ ସଚେତନତା ପାଇଁ କ୍ୟାଲେଣ୍ଡର ଓ ପ୍ରଚାର ପୁସ୍ତିକା ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସରକାରୀ ଯୋଜନାର ହିତାଧିକାରୀମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରିଥିଲେ। ବିଶେଷ କରି ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ ଓ ରିହାତି ମୂଲ୍ୟରେ ସିଲିଣ୍ଡର ପାଇଥିବା ମହିଳା ହିତାଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ପୂର୍ବରୁ କାଠ ଚୁଲିରେ ରୋଷେଇ କରୁଥିବା କାରଣରୁ ସେମାନେ ଧୂଆଁରେ ଅଣନିଃଶ୍ୱାସୀ ହୋଇପଡ଼ୁଥିଲେ। ଏବେ ସେମାନେ ପ୍ରଦୂଷଣମୁକ୍ତ ପରିବେଶରେ ରୋଷେଇ କରୁଥିବାରୁ ନିଜ ସ୍ୱାସ୍ଥ୍ୟ ରକ୍ଷା କରିପାରୁଛନ୍ତି।

ସେହିପରି ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ପାଇଖାନା ନିର୍ମାଣ ପାଇଁ ସହାୟତା ପାଇଥିବା ହିତାଧିକାରୀ ମଧ୍ୟ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ । ଯାତ୍ରା ରହଣୀ ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ରୋଗୀଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହିତ ବିଭିନ୍ନ ରୋଗ ପାଇଁ ଅଧିକ ଚିକିତ୍ସା ନିମନ୍ତେ ସୁପାରିସ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ଆଶା, ଅଙ୍ଗନୱାଡ଼ି କର୍ମୀ, ବିକଶିତ ଭାରତ ସଂକଳ୍ପ ଯାତ୍ରାର ନୋଡାଲ୍‌ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତେ ମିଶି ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଶପଥ ପାଠ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ସହରାଞ୍ଚଳରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା। ପ୍ରଥମ ଦିନରେ ବଡ଼ଗଡ଼ ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା। ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ଯାତ୍ରାକୁ ଶୁଭାରମ୍ଭ କରିଥିଲେ।

ବଡ଼ଗଡ଼ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଏମସି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଉପ କମିଶନର ମନୋରଞ୍ଜନ ସାହୁ, ରମେଶ ଚନ୍ଦ୍ର ଜେନା, ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି, କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର ପ୍ରଦର୍ଶନୀ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ପିଆଇବିର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ଉପସ୍ଥିତ ଥିଲେ। ଏଥିରେ ଆଧାର ସଂଶୋଧନ ଶିବିର ଓ ପ୍ରଧାନମନ୍ତ୍ରୀ ସ୍ବନିଧି ଶିବିର ଆୟୋଜନ କରାଯାଇ ହିତାଧିକାରୀମାନଙ୍କୁ ସଚେତନ କରାଯାଇଥିଲା। ସ୍ବାସ୍ଥ୍ୟ ଶିବିର ମାଧ୍ୟମରେ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଉଜ୍ବଳା ଓ ଆଧାର କାର୍ଡ ହିତାଧିକାରୀମାନେ ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ସୂଚନାଯୋଗ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରାର ତୃତୀୟ ପର୍ଯ୍ୟାୟରେ ଆଜିଠାରୁ ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର ଆଦି ସହରରେ ଅଭିଯାନ ଆରମ୍ଭ ହୋଇଛି । କଟକରେ ଏହି ଅଭିଯାନରେ ମେୟର ସୁବାସ ସିଂ ଏବଂ ବିଧାୟକ ମହମ୍ମଦ ମୁକିମ ଯୋଗଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ନଭେମ୍ବର ୧୫ ତାରିଖରେ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ। ହିତାଧିକାରୀଙ୍କ ପାଖରେ କେନ୍ଦ୍ରୀୟ ଯୋଜନାର ଶତ ପ୍ରତିଶତ ଲାଭ ପହଞ୍ଚାଇବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ।

Categories
ବିଶେଷ ଖବର

କଟକ ଭୁବନେଶ୍ବରକୁ ସଂଯୋଗ କରୁଥିବା ମେଟ୍ରୋ ରେଳ ପ୍ରକଳ୍ପ କାମ ସମୀକ୍ଷା କଲେ ଭି କେ ପାଣ୍ଡିଆନ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭି କେ ପାଣ୍ଡିଆନ୍ ଅଧ୍ୟକ୍ଷ, 5T ଓ ନବୀନ ଓଡିଶା, ଆଜି ଭୋର୍ 4.30 ରେ ବରିଷ୍ଠ ଅଧିକାରୀଙ୍କ ସହିତ କଟକ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ସ୍ଥାନକୁ ଯାଇ ପ୍ରକଳ୍ପ କାମ ବୁଲି ଦେଖିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ମେଟ୍ରୋ ପ୍ରକଳ୍ପ ତ୍ରିଶୂଳିଆ କୁ ଭାୟା ଚନ୍ଦ୍ରଶେଖରପୁର,ଜୟଦେବ ବିହାର, ବାଣୀ ବିହାର ମାଷ୍ଟର କ୍ୟାଣ୍ଟିନ ଓ ରାଜମହଲ ଛକ ଦେଇ ଭୁବନେଶ୍ବର ବିମାନ ବନ୍ଦରକୁ ସଂଯୋଗ କରିବ।

ମେଟ୍ରୋ ପ୍ରକଳ୍ପ ନିର୍ମାଣ କାମ ଯେପରି ଠିକ୍ ସମୟରେ ଆରମ୍ଭ ହେବ ସେ ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯୋଗ୍ୟ ଯେ ଏପ୍ରିଲ 2023 ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ।

ଏଥିପାଇଁ DPR ମଧ୍ୟ ସରକାର ଙ୍କ ଅନୁମୋଦନ ଲାଭ କରିଛି . ଭୁବନେଶ୍ଵର ରୁ ଖୋର୍ଦ୍ଧା ,ପୁରୀ ଓ କଟକ ସହର ରେ ମେଟ୍ରୋ ରେଳ ସମ୍ପ୍ରସାରିତ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ corporation ଜରିଆରେ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଟିକୁ ଚଳିତ ବର୍ଷ ଏପ୍ରିଲ୍ ପହିଲାରେ ଘୋଷଣା କରିଥିଲେ। ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ୍ ମଧ୍ୟ ସରକାର ଅନୁମୋଦନ କରିଛନ୍ତି।

ମେଟ୍ରୋ ରେଳ ସେବାକୁ ଭୁବନେଶ୍ଵର ର ଅନ୍ୟ ସ୍ଥାନ ଗୁଡ଼ିକ ସହ ଖୋର୍ଦ୍ଧା, ପୁରୀ ଓ କଟକର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ସମ୍ପ୍ରସାରିତ କରିବା ପାଇଁ Delhi Metro Rail Corporation ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି।

ଏହି ପ୍ରକଳ୍ପ ଦ୍ବାରା ଭୁବନେଶ୍ଵର ଓ କଟକ ମଧ୍ୟରେ ତ୍ରିଶୁଲିଆ ଏକ ପ୍ରମୁଖ ଜଙ୍କସନ ଭାବରେ ଗଢି ଉଠିବ। ଏହା ସହିତ ବାଙ୍କୀ ଓ ଆଠଗଡ ପଟରୁ ଦ୍ୱେତ ନଗରୀକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ଭାବରେ ଠିଆ ହେବ। ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ଟ୍ରିଶୁଲିଆ ନିକଟରେ ନିର୍ମାଣ କରାଯିବ। ଏଠାରେ ପ୍ରକଳ୍ପର command ଓ control ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ stabling ସୁବିଧା ମଧ୍ୟ ରହିବ। ତ୍ରିଶୂଲିଆ ଛକରେ ଏକ ନୂଆ ବସ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି। ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ ସହିତ ସମନ୍ୱିତ କରାଯାଇ ଏକକ ରହଣି ସ୍ଥଳ ଭାବରେ ବିକଶିତ କରାଯିବ।

ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପରେ ସଂଶ୍ଳିଷ୍ଟ ଥିବା ବିଭିନ୍ନ ବିଭାଗ ଓ ଏଜେନ୍ସି ମାନଙ୍କ କାମର ଅଗ୍ରଗତିରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପଣ୍ଡିଆନ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଭିତ୍ତି ଭୂମି ସ୍ଥାପନ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଯୋଗ୍ୟ ଯେ 2024 ଜାନୁୟାରୀ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖିବେ।

ନିର୍ଦ୍ଧାରିତ ଚାରି ବର୍ଷର ସମୟ ସୀମା ମଧ୍ୟରେ ଯେପରି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ସେଥିପାଇଁ 5T ନୀତି ଅନୁସରଣ କରି ପ୍ରକଳ୍ପର ସମସ୍ତ କାମକୁ ଭଲ ଭାବରେ ତଦାରଖ କରିବା ପାଇଁ ଶ୍ରୀ ପଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ଏକ ଆକାଂକ୍ଷି ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଅନୁଯାୟୀ ଏକ ବିଶ୍ବ ସ୍ତରୀୟ ସହରାଞ୍ଚଳ ଗମନା ଗମନ ବ୍ୟବସ୍ଥାର ବିକାଶ ଲକ୍ଷ୍ୟ ହାସଲରେ ଏହି ପ୍ରକଳ୍ପ ଯେପରି ସଫଳ ହେବ ତାହା ସୁନିଶ୍ଚିତ କରିବାକୁ ଶ୍ରୀ ପଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଯାତ୍ରୀ ମାନଙ୍କ ପାଇଁ ଏକ ଉନ୍ନତ ଦକ୍ଷ ପରିବହନ ବ୍ୟବସ୍ଥାର ବିକାଶ ପାଇଁ ଏହି ପ୍ରକଳ୍ପ ରେ ସଦ୍ୟତମ technology ର ପ୍ରୟୋଗ ସହିତ ଅତ୍ୟାଧୁନିକ ଉପକରଣର ବ୍ୟବହାର ପାଇଁ ଶ୍ରୀ ପଣ୍ଡିଆନ ପରାମର୍ଶ ଦେଇଥିଲେ।

ଯାତ୍ରୀ ମାନେ ଯେପରି ସୁରୁଖୁରରେ ଏଠାରୁ ସବୁ ସ୍ଥାନକୁ ଯିବଆସିବା କରି ପାରିବେ ସେଥିପାଇଁ ଅନ୍ୟାନ୍ୟ ପରିବହନ ବ୍ୟବସ୍ଥାକୁ ମେଟ୍ରୋ ରେଳ ସହିତ ଯୋଡ଼ିବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହିତ ଭବିଷ୍ୟତରେ ଯେପରି ଆବଶ୍ୟକ ପଡ଼ିଲେ ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ପାରିବ, ତାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ସେ କହିଁଥିଲେ।

ଶ୍ରୀ ପଣ୍ଡିଆନ ମଧ୍ୟ ଅଚାନକ ଭାବେ କଟକ ନେତାଜୀ ବସ ଟର୍ମିନାଲ ପରିଦର୍ଶନ କରି ସେଠାରେ ସାଧାରଣ ଲୋକ ଓ ଯାତ୍ରୀଙ୍କ ଠାରୁ ମତାମତ ନେଇଥିଲେ ଓ ପରିଷ୍କାର ପରିଚ୍ଛନ୍ନତା ପରଖି ଥିଲେ। ସେ ଯାତ୍ରୀ ମାନଙ୍କ ବ୍ୟତୀତ ଦୋକାନୀ, ବିଭିନ୍ନ ସେବା ପ୍ରଦାନକାରୀ, ବସ ଅପରେଟର, ଓ ଅନ୍ୟ ଷ୍ଟାଫ ମାନଙ୍କ ସହ କଥା ବାର୍ତ୍ତା ହୋଇ ଅଧିକାରୀ ମାନଙ୍କୁ ସମନ୍ୱିତ ସୂଚନା ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ବାରା ଯାତ୍ରୀମାନେ ଆହୁରି ଆରାମ ଦାୟକ ଯାତ୍ରା କରିବା ସହିତ ଭଲ ଅନୁଭବ ନେଇ ଯିବେ ବୋଲି ସେ କହିଥିଲେ।

ଏହାପରେ ସେ ରୂପାନ୍ତରିତ ତାଳଦଣ୍ଡା କେନାଲ ମଧ୍ୟ ପରିଦର୍ଶନ କରିଥିଲେ। କେନାଲ କଡେ କଡେ ସୌନ୍ଦର୍ଯ୍ୟ କରଣ ବ୍ୟବସ୍ଥାର ବିକାଶ କରିବାକୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା କଟକ ସହର ବାସିଙ୍କ ପାଇଁ ଉତ୍ତମ ମନୋରଞ୍ଜନ ବ୍ୟବସ୍ଥାର ବିକାଶ ହୋଇ ପାରିବ।

ଶ୍ରୀ ପଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଅନୁ ଗର୍ଗ, ଇଲକ୍ଟ୍ରୋନିକ୍ସ ତଥା ଆଇ. ଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, କଟକ ଜିଲ୍ଲା ପ୍ରଶାସନ, ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ, ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଗସ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନ୍ୟୁଜ ୧୮ ଓଡ଼ିଆ ଶାରଦୀୟ ସମ୍ମାନ ୨୦୨୩

ଭୁବନେଶ୍ଵର: ଟୁଇନସିଟି କଟକ ଓ ଭୁବନେଶ୍ୱରର ଶାରଦୀୟ ଦୁର୍ଗାପୂଜାରେ ବିଭିନ୍ନ ପୂଜା ମଣ୍ଡପ ଗୁଡିକୁ ନେଇ ଓଡ଼ିଆ ନ୍ୟୁଜ ଚ୍ୟାନେଲ ନ୍ୟୁଜ ୧୮ ଓଡ଼ିଆ ପକ୍ଷରୁ ଏକ ଅଭିନବ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରିଛି। ପ୍ରଥମ ପର୍ଯ୍ୟାୟରେ ତିନିଜଣ ବିଚାରକ ବିଭିନ୍ନ ବିଭାଗରେ ଚୟନ କରିଥିଲେ କଟକ ଓ ଭୁବନେଶ୍ୱରର ଶ୍ରେଷ୍ଠ ୧୦ଟି ପୂଜା ମଣ୍ଡପ।

ପରବର୍ତ୍ତୀ ପର୍ଯ୍ୟା ରେ ଓଲିଉଡ଼ ତାରକା ଦମ୍ପତ୍ତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସେହି ସବୁ ମଣ୍ଡପ ଗୁଡିକୁ ବୁଲି ବୁଲି ସମ୍ବର୍ଦ୍ଧିତ କରୁଛନ୍ତି। ଏହି କାର୍ଯ୍ୟକ୍ରମ ନ୍ୟୁଜ ୧୮ ଓଡ଼ିଆରେ ଆସନ୍ତା ୨୩ ଓ ୨୪ ତାରିଖରେ ପ୍ରସାରିତ ହେବ।

ଚ୍ୟାନେଲ ପକ୍ଷରୁ ସରୋଜ ପଟ୍ଟନାୟକ ଓ ଜୟନ୍ତ ଶେଠ ପ୍ରଯୋଜନା ଦାଇତ୍ୱରେ ଥିବାବେଳେ ମିଡ଼ିଆ ପ୍ଳାନର ପ୍ରଣୟ ଜେଠୀ ଏହାର ପରିଚାଳନା କରିଛନ୍ତି। ଉପସ୍ଥାପନା କରିଛନ୍ତି ଗୁଡ୍ଡୀ।

Categories
ବିଶେଷ ଖବର

କଟକ ନେତାଜୀ ବସ ଟର୍ମିନାଲ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଠାରେ ୫-ଟି ଉପକ୍ରମରେ ନବ ନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ୍‌କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ କଟକ ସହରର ୯ଟି  ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମୁଦାୟ ୫୪୧ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଆଜି ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

କଟକଠାରେ ଆୟୋଜିତ ଏହି ଲୋକାର୍ପଣ କାର‌୍ୟ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଆଜି ଆମ କଟକ ସହର ପାଇଁ ଏକ ଉତ୍ସବର ଦିନ। କଟକ ସହର ପାଇଁ ୫୪୦ କୋଟିରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକଳ୍ପ ଆରମ୍ଭ ହେଲା। କଟକ ଓଡିଶାବାସୀଙ୍କ ପ୍ରିୟ ସହର। କଟକର ପୂଜା, କଟକର ବାଲିଯାତ୍ରା, ବାରବାଟୀ କ୍ରିକେଟ ମ୍ୟାଚ, ଏସ୍.ସି.ବି. ମେଡିକାଲ କଲେଜ ସବୁବେଳେ ଓଡିଶାର ବଡ ପରିଚୟ ହୋଇ ରହିଛି। ଏହି ପରିଚୟକୁ ଆମକୁ ଆହୁରି ଗୌରବମୟ କରିବାକୁ ପଡିବ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ହଜାର ବର୍ଷର ସହର ଏହି କଟକ। ଏ ସହର ଏବେ ନୂଆ ରୂପ ନେଉଛି। ରୂପାନ୍ତର ପର୍ବ ଆଗେଇ ଚାଲିଛି। ଓଡିଶାର ଗର୍ବ ରେଭେନ୍ସା କଲେଜ ଆଜି ୟୁନିଭର୍ସିଟି ହୋଇଛି। ଏସ୍.ସି.ବି. ମେଡିକାଲ କଲେଜକୁ ଇଓଓଗଝ ଚକ୍ଷଙ୍କଗ୍ଦ  ଐରବକ୍ଷଗ୍ଧଷ ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧସକ୍ଟଦ୍ଭରେ ରୂପାନ୍ତର କରିବା ପାଇଁ କାର‌୍ୟ୍ୟ ଜାରି ରହିଛି। ସ୍ୱାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ, ଭିତ୍ତିଭୂମି ସବୁ କ୍ଷେତ୍ରରେ ରୂପାନ୍ତର ଏକ ସମୃଦ୍ଧ ଭବିଷ୍ୟତକୁ ନିର୍ଦ୍ଦେଶ କରୁଛି। ଆପଣମାନଙ୍କ ସହଯୋଗରେ ଏହି ରୂପାନ୍ତର ପ୍ରକ୍ରିୟା ଆହୁରି ଆଗେଇବ ବୋଲି ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣକୁ ଆହ୍ୱାନ କରିବା ସହ ରାଜ୍ୟରେ କାର‌୍ୟ୍ୟକାରୀ ହେଉଥିବା ମିଶନ ଶକ୍ତି କାର‌୍ୟ୍ୟକ୍ରମ, ୫ଞ ସ୍କୁଲ ରୂପାନ୍ତରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବସ୍ତି ବାସିନ୍ଦାଙ୍କ ଜାଗା ମିଶନ ଆଦି ଜନକଲ୍ୟାଣକାରୀ କାର‌୍ୟ୍ୟକ୍ରମ ଓ ଯୋଜନା ସାଧାରଣ ଲୋକଙ୍କ ଭିତରେ ଭରଷା ସୃଷ୍ଟି କରି କୋଟି କୋଟି ଲୋକଙ୍କ ମୁହଁରେ ହସ ଫୁଟାଇପାରିଛି ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକ ସହର ମୋର ପ୍ରିୟ ସହର । ମୋର ଜନ୍ମଭୂମୀ। କଟକ ସବୁବେଳେ ମୋ ପାଇଁ ସ୍ୱତନ୍ତ୍ର ହୋଇ ରହିଛି ଓ ରହିବ।

ପ୍ରକାଶଯୋଗ୍ୟ ଯେ ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କଟକ ନେତାଜୀ ବସ ଟର୍ମିନାଲରେ ଏକା ସାଙ୍ଗରେ ୧୯୨ଟି ବସ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଯାତ୍ରୀମାନଙ୍କ ପାଇଁ ପ୍ରତିକ୍ଷାଳୟ, ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଟିକେଟ କାଉଣ୍ଟର ସହିତ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇ ଟର୍ମିନାଲ ଭିତରେ ଯାତ୍ରୀମାନଙ୍କ ପାଇଁ ବିମାନ ବନ୍ଦର ଭଳି ସୁବିଧା କରାଯାଇଛି। ଏଠାରେ ନିର୍ମିତ ଆହାର କେନ୍ଦ୍ର ଓଡିଶାର ସର୍ବବୃହତ ଆହାର କେନ୍ଦ୍ର । ଏଥି ସହିତ ମିଶନ ଶକ୍ତି କାଫେ ମଧ୍ୟ ରହିଛି। ଆଜି ଏହି ନୂତନ ଟର୍ମିନାଲରୁ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କଲେ ପୁରୀ ପାଇଁ ପ୍ରଥମ ବସ୍।

ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୨୦୨୦ ମାର୍ଚ୍ଚ ୨୦ ତାରିଖରେ ୫-ଟି ସଚିବ ଭି.କେ. ପାଣ୍ଡିଆନ କଟକ ବାଦମବାଡି ବସ୍‌ଷ୍ଟାଣ୍ଡ ଯାଇ ସେଠାର ଅବସ୍ଥା ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ପରବର୍ତ୍ତୀ ସମୟରେ ଖାନନଗର ଠାରେ ଏକ ନୂତନ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ରେ କଟକବାସୀଙ୍କ ପୂର୍ଣ୍ଣ ସହଯୋଗ ରହିଥିବାରୁ, କଟକବାସୀଙ୍କୁ  ୫-ଟି ସଚିବ ଧନ୍ୟବାଦ ଜଣାଇଥିଲେ।

କଟକ ନେତାଜୀ ବସ୍ ଟର୍ମିନାଲ ସହିତ ଆଜି ମୁଖ୍ୟମନ୍ତ୍ରୀ କଟକ ସହରରେ ୬୬.୬୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ମହାନଦୀ କ୍ୟାମ୍ପସ୍, ୩୦ କୋଟି ବ୍ୟୟରେ ନିର୍ମିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ, ୨୩.୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡି.ଏ.ଭି. ଏସ.ସି.ବି. ମେଡିକାଲ ପବ୍ଲିକ ସ୍କୁଲ, ୮୮.୩୧ କୋଟି ଟଙ୍କା ବ୍ୟୟରେ ନରଣପୁରଠାରେ ନିର୍ମିତ ୫୫୦ଟି ଋ.ଡ.ଝ. ଏବଂ ୩୨୦ଟି ଖ.ଓ.ଏ. ବାସଗୃହ, ୯.୭୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ସିଲ୍‌ଭର ସିଟି ବୋଟ କ୍ଲବ, ୫.୨୩ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲର ସମ୍ମୁଖ ବିକାଶ, ଫୁଡ କୋର୍ଟ ଓ ଜଳକ୍ରୀଡା କେନ୍ଦ୍ର, ୩.୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ତାଳଦଣ୍ଡା କେନାଲ ନିକଟରେ ଅର୍ବାନ ହାଟ, ୫୪ ଲକ୍ଷ ଟଙ୍କା ବ୍ୟୟରେ ରାଣିହାଟଠାରେ ନିର୍ମିତ କ୍ଲକ ଟାୱାର। ୨୩.୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ତାଳଦଣ୍ଡା କେନାଲ ବ୍ରିଜର ଉଦ୍‌ଘାଟନ କରିବା ସହ ୧୨୩ କୋଟି ଟଙ୍କା ବ୍ୟୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅନାନ୍ୟ ଭିତ୍ତିଭୂମି ନିର୍ମାଣ, ୨୨.୩୯ କୋଟି ଟଙ୍କା ବ୍ୟୟରେ ନେତାଜୀ ସୁଭାଷ ଚନ୍ଦ ବୋଷ ସ୍ମାରକୀ ନିର୍ମାଣ, ୪୫.୧୯ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲଠାରେ ଜନସୁବିଧା କେନ୍ଦ୍ର ଏବଂ ୮.୯୫ କୋଟି ଟଙ୍କା ବ୍ୟୟରେ ରେଳ ଷ୍ଟେସନ ପୂର୍ବ ଫାଟକରୁ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହି ଉତ୍ସବରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ସାସଂଦ ଭର୍ତ୍ତୃହରି ମହତାବ, ମେୟର ସୁବାସ ସିଂ, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ଓଡ଼ିଶାର ସର୍ବପ୍ରଥମ ସିଏନଜି ଗ୍ୟାସ ଚାଳିତ ‘ଶବଦାହ ଗୃହ’ ଲୋକାର୍ପିତ

ଭୁବନେଶ୍ଵର: ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀର ଅନେକ ଘରକୁ ଗେଲ୍ ଇଣ୍ଡିଆ ଦ୍ୱାରା ପାଇପ ଯୋଗେ ରୋଷେଇ ଗ୍ୟାସର ସୁବିଧା ଦିଆଯିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଗରିକଙ୍କ ପାଇଁ  ‘ଇଜ୍ ଅଫ୍ ଲିଭିଂ’ ବା ସହଜ ଜୀବନଯାପନର ବଡ ଉଦାହରଣ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାର ଠାରେ ଗେଲ୍ ଇଣ୍ଡିଆ ଲିମିଟେଡର ସିଏସଆର୍ ଅଧୀନରେ ରାଜ୍ୟର ସର୍ବପ୍ରଥମ ପ୍ରାକୃତିକ ଗ୍ୟାସ ଆଧାରିତ ‘ଶବଦାହ ଗୃହ’ର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗେଲ୍ ୧୬ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ଭୁବନେଶ୍ୱର ଓ କଟକରେ ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହ ନିର୍ମାଣ କରୁଥିବା ବେଳେ ଆଜି ଭୁବନେଶ୍ଵରର ଧର୍ମବିହାରରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଶ୍ମଶାନଘାଟ ଉଦଘାଟିତ ହୋଇଯାଇଛି। ବିଏମସି ଏଥିରେ ସହଯୋଗୀ ହୋଇଛି । ଏହାବ୍ୟତିତ ଆଉ ଦୁଇଟି ଶ୍ମଶାନାଗାର ଆଇଗଣିଆ ଓ କଟକର ଖାନନଗର ଠାରେ ତିଆରି କରାଯାଉଛି । ଖୁବ ଶୀଘ୍ର ଏହାର ଲୋକାର୍ପଣ ହେବ। ଏହା ଦ୍ୱାରା ଦ୍ଵୈତ-ନଗରୀରେ ଶବଦାହ ପାଇଁ ଯେଉଁ ଅସୁବିଧା ପରିଲକ୍ଷିତ ହେଉଛି, ତାହା ଦୂର ହେବ । ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଇଜ୍ ଅଫ୍ ଲିଭିଂ’ କଳ୍ପନାରେ ଏହି ନୂଆ ଅତ୍ୟାଧୁନିକ ଶବଦାହ ନିର୍ମାଣ କରିଥିବାରୁ ଗେଲ୍ ଇଣ୍ଡିଆକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇଜ୍ ଅଫ୍ ଲିଭିଂକୁ ଗୁରୁତ୍ୱ ଦେଉଛନ୍ତି ।  ଭୁବନେଶ୍ୱର ସ୍ମାର୍ଟ ସିଟି ପାଇଁ ଅନୁଦାନ, ସହରାଞ୍ଚଳର ବିକାଶ ସ୍ମଶାନଘାଟକୁ ଉନ୍ନତିକରଣ କରାଯାଇଛି । ମୋଦି ସରକାରଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡ଼ିଶା ସମେତ ପୂର୍ବ ଭାରତରେ ତୈଳ ଓ ଗ୍ୟାସ ଭିତ୍ତିଭୂମିକୁ ମଜଭୂତ କରାଯାଇଛି । ବିଗତ ୯ ବର୍ଷରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୨ ଲକ୍ଷ ୩ ହଜାର ୪୭୨ କୋଟି ଟଙ୍କାର ପ୍ରେଟ୍ରୋଲିୟମ, ପେଟ୍ରୋ କେମିକାଲ ପ୍ରକଳ୍ପ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପାଇପଲାଇନ କାମ ଶେଷ ହୋଇଛି । ଧାମରାରେ ଏଲଏନଜି ଟର୍ମିନାଲ ବି ହୋଇଯାଇଛି।

କଟକ ଓ ଭୁବନେଶ୍ୱରରେ ୨୦୧୮ ଅକ୍ଟୋବରରେ ଗେଲ୍ ଦ୍ୱାରା ଆରମ୍ଭ ହୋଇଥିବା ଗ୍ୟାସ ପାଇପଲାଇନ ପ୍ରାୟ ୫୦ ହଜାର ଘରେ ପହଞ୍ଚାଯାଇଛି ।  ଭୁବନେଶ୍ୱରରେ ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଘରେ ସୁଲଭ ମୂଲ୍ୟରେ ଗ୍ୟାସ ପହଞ୍ଚାଯାଯିବାର ବ୍ୟବସ୍ଥା ହୋଇଛି । ମୋଦି ସରକାରରେ ସରହାଞ୍ଚଳର ବିକାଶ ସହରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଦ୍ୟୁତ ଯାନ, ଏବଂ ସିଏନଜି ଚାଳିତ ଗାଡି ଉପରେ ଧ୍ୟାନ ଦିଆଯାଉଛି । କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ୨୩ଟି ସିଏନଜି ଷ୍ଟେସନ ପ୍ରତିଷ୍ଠା ହୋଇଛି । ସ୍ମାର୍ଟ ସିଟି ଭୁବନେଶ୍ୱର ସମେତ ସବୁ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଏହାକୁ ଆମେ ସମସ୍ତେ ଜନଆନ୍ଦୋଳନରେ ପରିଣତ କରିବା ଦରକାର।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭୁବନେଶ୍ୱରରେ ଗରିବଙ୍କୁ ରଖାଯାଇ ଭୋଟ୍ ରାଜନୀତି ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପିଏମ ଆବାସ ଯୋଜନାରେ ସହରାଞ୍ଚଳର ଗରିବ ଓ ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇବା ପାଇଁ ଯୋଜନା କରିଛନ୍ତି । ରାଜ୍ୟ ସରକାର ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଜାଗା ଉପଲବ୍ଧ କଲେ ଭାରତ ସରକାର ପ୍ରଧାନମନ୍ତ୍ରୀ ଆବାସ ସହରରୁ ପର୍ଯ୍ୟାପ୍ତ ମାତ୍ରାରେ ଏମାନଙ୍କୁ ଘର ଯୋଗାଇଦେବେ ।  ଭୁବନେଶ୍ୱରରେ ବସ୍ତି ରହିବନି । ପକ୍କା ଘର ବସ୍ତିବାସିନ୍ଦାଙ୍କୁ ଦିଆଯିବ । ଏହା ଅମୃତ ମହୋତ୍ସବର ସଂକଳ୍ପ ହେବା ଦରକାର । ଗରିବଙ୍କ କଲ୍ୟାଣ କରିବା ପାଇଁ କୌଣସି ଜାତି କିମ୍ବା ଧର୍ମ ନାହିଁ । ଓଡ଼ିଶାକୁ ଦେଶରେ ୧ ନମ୍ବର କରିବା ସହ ଦାରିଦ୍ୟକୁ ଦୂର କରିବା ପାଇଁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ କଟକ ଜିଲ୍ଲା ଗସ୍ତ, ସବୁ କଲେଜ ହେବ ରୂପାନ୍ତରିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ମଙ୍ଗଳବାର କଟକ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଶ୍ରୀ ପାଣ୍ଡିଆନ୍ ଆଠଗଡ, ତିଗିରିଆ, ଟାଙ୍ଗି , ଚୌଦ୍ବାର, ନରସିଂହପୁର, ବଡମ୍ବା, ମାହାଙ୍ଗା ଏବଂ ନିଶ୍ଚିତ କୋଇଲି ବ୍ଲକରେ ୧୨୫୮ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଥିଲେ। ୨୦୨୪ ଜାନୁଆରୀ ରୁ ଏହି ପ୍ରକଳ୍ପଗୁଡିକ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହେବ । ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଠଗଡର ଧବଳେଶ୍ୱର ମନ୍ଦିର, ବଡମ୍ବା ଭଟ୍ଟାରିକା ମନ୍ଦିର, ନରସିଂହପୁରର ପ୍ରଗାଲାପୀଠ ମନ୍ଦିର ବିଷୟରେ ସେ ଆଲୋଚନା କରିଥିଲେ। ମନ୍ଦିର ବିକାଶ ପାଇଁ ଡିଆରପି ପ୍ରସ୍ତୁତ କରାବେଳେ ମନ୍ଦିର କମିଟି ଏବଂ ସ୍ଥାନୀୟ ଲୋକଙ୍କ ସହ ପରାମର୍ଶ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଭକ୍ତମାନଙ୍କ ପାଇଁ ସୁବିଧାଗୁଡ଼ିକର ବିକାଶ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ସେ ନରସିଂହପୁରର ସିଏଚସି ହସ୍ପିଟାଲ ଏବଂ ଡାୟଲିସିସ୍ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହାର ବିକାଶ ପାଇଁ ଡାକ୍ତର, କର୍ମଚାରୀ, ରୋଗୀ ଏବଂ ନର୍ସଙ୍କ ସହ ଆଲୋଚନା କରିଥିଲେ।

ସେ କଟକ ଜିଲ୍ଲାର ବିଭିନ୍ନ ଜୁନିଅର ଏବଂ ଡିଗ୍ରୀ କଲେଜର ଛାତ୍ରମାନଙ୍କ ସହିତ ଭାବ ବିନିମୟ କରିଥିଲେ। ୫-ଟି ରୂପାନ୍ତର ପ୍ରକଳ୍ପ ଅଧୀନରେ କଟକ ଜିଲ୍ଲାର ସମସ୍ତ କଲେଜକୁ ଅନ୍ତର୍ଭୁକ୍ତ କରାଯିବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ୬୩ କୋଟି ଟଙ୍କା ମଞ୍ଜୁର କରିଥିବା ସେ ସୂଚନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ଵର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। କଟକ ଏବଂ ନୟାଗଡ ଏସପିଙ୍କ ଏହି କ୍ରମରେ ବଦଳି ହୋଇଛି। ଆଇପିଏସ ଅଧିକାରୀ ସପିନ ଅହମ୍ମଦ କେ. କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ସାର୍ଥକ ଷଡଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡର ଡିଆଇଜି ଭାବେ ଦାୟିତ୍ଵ ମିଳିଛି। ସତ୍ୟଜିତ ନାୟକ ଏଚଆରପିସି ଡିଆଇଜି ହୋଇଛନ୍ତି।

ତେବେ ଯୁଗଳ କିଶୋର ବାନୋଥଙ୍କୁ ଏଆଇଜି ହେର୍ଡକ୍ଵାର୍ଟର ଦାୟିତ୍ଵ ମିଳିଥିବା ବେଳେ ରାହୁଲ ଜୈନଙ୍କୁ ନୟାଗଡ ଏସପି ଏବଂ ମିହିର କୁମାର ପଣ୍ଡାକୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ନିଯୁକ୍ତି ମିଳିଛି।

Categories
ବିଶେଷ ଖବର

କଟକ, ବ୍ରହ୍ମପୁର ଓ ବୁର୍ଲା ତିନି ମେଡିକାଲ କଲେଜର ଅଗ୍ନିସୁରକ୍ଷା ପାଇଁ ୪୫ ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ମଂଜୁରୀ ଲାଭ କରିଥିବା ଅଗ୍ନିଶମ ବିଭାଗର ଏହି ନୂତନ ପଦବୀଗୁଡିକ ହେଲା – ତିନି ଗୋଟି Station Officer, ଚାରିଗୋଟି Leading Fireman, ତିନି ଗୋଟି ହାବିଲଦାର, ତିନି ଗୋଟି Fireman Driver ଏବଂ ୩୦ଟି Fireman ପଦବୀ। ଏହି ନୂତନ ପଦବୀ ସୃଷ୍ଟି ଦ୍ୱାରା ଉପରୋକ୍ତ ତିନୋଟି ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ନିରାପତ୍ତା ଅଧିକ ସୁଦୃଢ ହୋଇପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନ ରେ କଟକ ଜ଼ିଲ୍ଲା କଂଗ୍ରେସ ର ଅଭିନବ ବିକ୍ଷୋଭ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନରେ କଟକ ଜ଼ିଲ୍ଲା କଂଗ୍ରେସର ଅଭିନବ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଜ଼ିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କଟକ ଜ଼ିଲ୍ଲାର କିଛି ଚାଷୀ ଏବଂ ଅନ୍ୟାନ୍ୟ ବର୍ଗର ଲୋକ ପ୍ରାଚୀ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି କଟକ ସଦର ବ୍ଲକ ଅନ୍ତର୍ଗତ ଖଣ୍ଡେଇତା ପଞ୍ଚାୟତ ର କେନାଲ ବନ୍ଧ ରାସ୍ତା ଓ କେନାଲର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚରାଉଚରା କରିଥିଲେ।

ଏହି ରାସ୍ତା କାମ ପାଇଁ ଉକ୍ତ ଅଧିକାରୀ ଲାଞ୍ଚ ମାଗୁଥିବାର ଅଭିଯୋଗ ଆସିଥିଲା। ରାସ୍ତା କାମପାଇଁ ଯେତେ ଅନୁରୋଧ କଲେବି ସମ୍ପୃକ୍ତ ଅଧିକାରୀ ଶୁଣିଲେ ନାହିଁ। ବିନା ଲାଞ୍ଚରେ କାମ ହୋଇପାରିବ ନାହିଁ ବୋଲି ଜାଣିବା ପରେ ସ୍ଥାନୀୟ ଅଧିବାସୀ ହତାଶ ହୋଇପଡ଼ିଥିଲେ। ସେମାନେ ଏ ସଂକ୍ରାନ୍ତ ରେ କଟକ ଜ଼ିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ଅବଗତ କରାଇଲେ। ଆଜି ଶ୍ରୀ ଚୌଧୁରୀ ଏବଂ ଖଣ୍ଡେଇତା ପଂଚାୟତର ସ୍ଥାନୀୟ ବାସିନ୍ଦା ପ୍ରାଚୀ ଡିଭିଜନ ଯାଇ ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀଙ୍କୁ କିଛି ପରିବାପତ୍ର ପ୍ୟାଣ୍ଟ ସାର୍ଟ ଦେଇ ଏହି ରାସ୍ତା କରିଦେବାକୁ ଅନୁରୋଧ କରିଥିଲେ। ଯେହେତୁ ସେମାନେ ଚାଷୀ ଓ ଗରିବ ଶ୍ରେଣୀର ଲୋକ ସେଥିପାଇଁ ସେମାନେ ଟଙ୍କା ଲାଞ୍ଚ ଦେବାପାଇଁ ଅକ୍ଷମ ବୋଲି କହିଥିଲେ। ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀ ନିଜର ଭୁଲ ସ୍ୱୀକାର କରି ଏକ ସପ୍ତାହ ମଧ୍ୟରେ ରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଟକ ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଚୌଧୁରୀ ନିଆରା ଢଙ୍ଗ ରେ ସବୁବେଳେ ଜନସାଧାରଣଙ୍କ ସମସ୍ୟାକୁ ନେଇ ପ୍ରତିବାଦ କରିଥାନ୍ତି। ଆଜି ମଧ୍ୟ ସେଠାରେ ଅନେକ ଯୁବ ଚାଷୀ ମୁହଁରେ ମାନସ ଚୌଧୁରୀ ଙ୍କ ମୁଖା ପିନ୍ଧି ଏବଂ ହାତରେ “ମୁଁ ମାନସ ଚୌଧୁରୀ “ଶୀର୍ଷକ ପ୍ଲାକାର୍ଡ ଧରି ଅଧିକାରୀଙ୍କ ନିକଟରେ ବିକ୍ଷୋଭ କରିଥିଲେ।  କାରଣ ସମ୍ପୃକ୍ତ ରାସ୍ତାକାମ ପାଇଁ ଅନୁରୋଧ କରିଥିବl ଚାଷୀମାନେ ଯେତେବେଳେ ତାଙ୍କର ଦାବିକୁ ମାନସ ଚୌଧୁରୀଙ୍କର ସମର୍ଥନ ଅଛି ବୋଲି କହିଥିଲେ, ସେତେବେଳେ ଅଫିସର ଜଣକ ଉକ୍ତ ଚାଷୀଙ୍କୁ ଅପମାନ ଦେବାସହ କହିଥିଲେ ଯେ “ସେ କିଏ ମୁଁ ଜାଣିନି ‘”।

ଅନ୍ୟ ଏକ ଘଟଣାରେ ଜଣେ ବିରୋଧୀ ଦଳର କର୍ପୋରେଟର କଟକ ମେୟର ଶ୍ରୀ ସୁବାଷ ସିଂ ଙ୍କ ନିକଟରେ ନିଜ ୱାର୍ଡ ର ଉର୍ନ୍ନତି ମୂଳକ କାଯ୍ୟର ଦାଵୀ କରିଥିଲେ ଏବଂ ଶ୍ରୀ ସିଂ ଏହାର ଉତ୍ତରରେ କହିଥିଲେ ଯେ ତାଙ୍କ ସରକାରୀ ଅଫିସର ବାଥରୁମ କବାଟ ଲଗାଇବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ। ଏହି ପ୍ରସଙ୍ଗ ରେ ଶ୍ରୀ ଚୌଧୁରୀ ଏକ କବାଟ ଏବଂ ଫିଟିଙ୍ଗ ବାବଦକୁ ୫୦୦ ଟଙ୍କା କଟକ ମୁନସିପାଲ କର୍ପୋରେସନ ରେ ପହଞ୍ଚି କମିଶନର ଙ୍କୁ ଦେବା ଘଟଣା ଚର୍ଚ୍ଚା ର ବିଷୟ ହୋଇଥିଲା।

ସେହିପରି ଶ୍ରୀ ଚୌଧୁରୀ ମଧ୍ୟ ଭୁବନେଶ୍ୱର ଜ଼ିଲ୍ଲା କଂଗ୍ରେସ ସଭାପତି ଥିବାବେଳେ ଇସ୍କନ ମନ୍ଦିର ପାଖ ରାଜପଥରେ ବନ୍ୟା ପରିସ୍ଥିତି ସୃଷ୍ଟିର ପ୍ରତିବାଦରେ ଆଠ ନମ୍ବର କଲ୍ୟାଣ ମଣ୍ଡପ ପାଖରେ ଥିବା ଜାତୀୟ ରାଜପଥ ମୁଖ୍ୟ କାର୍ଯ୍ୟାଳୟ ଭିତରେ ପାଣି ପମ୍ପ ଲଗାଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଦେଇଥିଲେ। ଉଦ୍ଧେଶ୍ୟ ଥିଲା ଇସ୍କନ ମନ୍ଦିର ପାଖ ରାଜପଥ ର ବନ୍ୟା ପରିସ୍ଥିତିକୁ ଏନ. ଏଚ. ଏ. ଆଇ କତୃପକ୍ଷ ହୃଦୟଙ୍ଗମ କରନ୍ତୁ।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ଼, ମନୋଜ ରାଉତ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ରଂଜିତ ପାତ୍ର, ଅଜୟ ସାହୁ,ସଂକୁନା କାଁଅର ଓ ପ୍ରଭାତ ପ୍ରତାପ ସିଂ ଅଂଶ ଗ୍ରହଣ କରିଥିଲେ।

Categories
ବିଶେଷ ଖବର

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ନବୀକରଣ କାମ ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଓଡିଶା ନୁହେଁ ସାରା ଦେଶର ଏକ ମର୍ଯ୍ୟଦାଜନକ ଚିକିତ୍ସା ପ୍ରତିଷ୍ଠାନ। ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଏହାର ଏକ ବିଶେଷ ସୁନାମ ରହିଛି। ଏହାକୁ ଏକ ବିଶ୍ୱସ୍ତରୀୟ ଚିକିତ୍ସା ଓ ଶିକ୍ଷା ଅନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ତଦନୁଯାୟୀ ୫-ଟି ଉପକ୍ରମରେ ଏହାର ସଂପ୍ରସାରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହାକୁ ୫୦୦୦ ଶଯ୍ୟା ବିଶିଷ୍ଟ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ଗଢିବା ପାଇଁ କାମ ଜାରି ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ସକାଳେ କଟକ ଯାଇ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ବର୍ତ୍ତମାନ L&T ଦ୍ୱାରା ଚାରି ଗୋଟି କ୍ଲିନିକାଲ ବ୍ଲକ ଓ NCC ଦ୍ୱାରା ୧୩ ଟି ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ବ୍ଲକ ଗୁଡିକର କାମ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ସମୟରେ ପୂର୍ତ୍ତ ବିଭାଗର ସଚିବ ଶ୍ରୀ ଭି.ଭି.କେ. ଯାଦବ ଓ ଜିଲ୍ଲାପାଳ ଭବାନୀ ପ୍ରସାଦ ଚଇନି ପ୍ରମୁଖ ଉପସ୍ଥିତି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଚାର୍ଯ୍ୟ ହରିହର କ୍ୟାନସର୍ ପ୍ରତିଷ୍ଠାନରେ ନିଦାନ ଶାସ୍ତ୍ର ସ୍ପେସାଲିଷ୍ଟ୍ ପାଠ୍ୟକ୍ରମ ପାଇଁ ମିଳିଲା ସ୍ୱୀକୃତି

ଭୁବନେଶ୍ୱର: କଟକ ସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକତ୍ତୋର କ୍ୟାନସର୍ ପ୍ରତିଷ୍ଠାନରେ ନିଦାନ ଶାସ୍ତ୍ର ସ୍ପେସାଲାଇଜେସନ୍ ପାଠ୍ୟକ୍ରମ ଖୋଲିବା ପାଇଁ ଜାତୀୟ ମେଡିକାଲ୍ କାଉନସିଲ୍ ତରଫରୁ ସ୍ୱୀକୃତି ପ୍ରକାଶ କରାଯାଇଛି। ୪ ଟି ସିଟ୍ ପାଇଁ ଏହି ସ୍ୱୀକୃତି ମିଳିଛି। ଏଥିପାଇଁ ଚଳିତବର୍ଷ ଫେବୃଆରୀ ମାସରେ ମେଡିକାଲ୍ କାଉନସିଲ୍ ତରଫରୁ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଏହି ପ୍ରତିଷ୍ଠାନରେ ନିଶ୍ଚେତକ ସ୍ପେସାଲିଷ୍ଟ୍ ପାଠ୍ୟକ୍ରମ ଆରମ୍ଭ ପାଇଁ ମେଡିକାଲ୍ କାଉନସିଲ୍ ୨୦୨୨ ମସିହାରେ ଅନୁମତି ଦେଇଥିଲେ। ତଦନୁଯାୟୀ ପ୍ରଥମ ବ୍ୟାଚ୍ ନାମଲେଖା ସରିଛି।

ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନସର କେନ୍ଦ୍ରକୁ ୨୦୨୦ ମସିହା ଫେବୃଆରୀ ମାସରେ କ୍ୟାନସର ସ୍ନାତକତ୍ତୋର ପ୍ରତିଷ୍ଠାନ ଭାବେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହି ପ୍ରତିଷ୍ଠାନରେ ସର୍ଜିକାଲ୍ ଅଙ୍କୋଲୋଜି, ସ୍ତ୍ରୀ ଓ ପ୍ରସୂତୀ ରୋଗ, ରେଡ଼ିଏସନ୍ ଅଙ୍କୋଲୋଜି ଆଦି ବିଷୟରେ ସୁପର ସ୍ପେସାଲାଇଜେସନ୍ ପାଠ୍ୟକ୍ରମ ଚାଲୁ ରହିଛି।

ଏହା ବ୍ୟତୀତ, ଏହି ଅନୁଷ୍ଠାନରେ ମେଡ଼ିକାଲ୍ ପରୀକ୍ଷାଗାର ପ୍ରଯୁକ୍ତିବିଦ୍ୟା, ଅପରେସନ୍ ଥିଏଟର୍ ପ୍ରଯୁକ୍ତିବିଦ୍ୟା ଆଦି ପାରା-ମେଡ଼ିକାଲ୍ ଡ଼ିପ୍ଲୋମା ପାଠ୍ୟକ୍ରମ ତାଲିମ୍ ଦିଆଯାଉଛି। ଚଳିତବର୍ଷ ରେଡ଼ିଓ ଥେରାପି ପ୍ରଯୁକ୍ତିବିଦ୍ୟାରେ ଡ଼ିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ମଧ୍ୟ ଓଡିଶା ସରକାର ଅନୁମୋଦନ ଦେଇଛନ୍ତି। ମେଡ଼ିକାଲ୍ ଅଙ୍କୋଲୋଜି ଏବଂ ମୁଣ୍ଡ ଓ ବେକ ଅଙ୍କୋଲୋଜିରେ ଖୁବ୍ ଶିଘ୍ର ସୁପର ସ୍ପେସାଲିଷ୍ଟ୍ ପାଠ୍ୟକ୍ରମ ପାଇଁ ପ୍ରତିଷ୍ଠାନ ତରଫରୁ ଯୋଜନା କରାଯାଉଥିବାର ମଧ୍ୟ ସୂଚନା ମିଳିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

କଟକ ଓ ଅନୁଗୁଳ ସହରରେ ରିଲାଏନ୍ସ ଜୁଏଲ୍‌ସ ସହିତ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଅନୁଭୂତି

କଟକ/ଅନୁଗୁଳ: ଭାରତର ଅଗ୍ରଣୀ ଉତ୍କୃଷ୍ଟ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ଗତ ୧୫ ବର୍ଷ ଧରି ଡିଜାଇନ ଉତ୍କର୍ଷ ଜରିଆରେ ଏହାର ପୃଷ୍ଠପୋଷକମାନଙ୍କୁ ରୋମାଂଚିତ କରୁଥିବା ବେଳେ କଂପାନି ଏହାର କଟକ ଓ ଅନୁଗୁଳ ସହରରେ ରହିଥିବା ସୋ’ରୁମ୍‌ରେ ଅଳଙ୍କାର ପ୍ରେମୀ ଓ ବିଜେତାଗଣଙ୍କୁ ‘ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’ ର ସ୍ୱତନ୍ତ୍ର ଅନୁଭୁତି ପ୍ରଦାନ କରିଛି।

ଓଡ଼ିଶା ସହିତ ଥିବା ସମ୍ପର୍କକୁ ପାଳନ କରିବା ଏବଂ ପୃଷ୍ଠପୋଷକମାନଙ୍କୁ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବା ଲାଗି ରିଲାଏନ୍ସ ଜୁଏଲସ୍ ପକ୍ଷରୁ “ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’ ପ୍ରତିଯୋଗିତା ଘୋଷଣା କରାଯାଇଛି ଯେଉଁଥିରେ ଓଡ଼ିଶାର ଭାଗ୍ୟଶାଳୀ ବିଜେତାଙ୍କୁ ଚମତ୍କାର ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ସହ ଏକ ସ୍ୱତନ୍ତ୍ର ମିଟ୍ ଆଣ୍ଡ୍ ଗ୍ରିଟ୍ ପାଇଁ ଏବଂ ବହୁ ଆକର୍ଷଣୀୟ କାର୍ଯ୍ୟକ୍ରମର ଅଂଶ ହେବା ଲାଗି ଆମନ୍ତ୍ରଣ କରାଯାଇଛି। ଶୁକ୍ରବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରିଲାଏନ୍ସ ଜୁଏଲସ୍ ସୋରୁମ୍ ଠାରୁ ଶୁଭାରମ୍ଭ ହୋଇଥିବା ‘ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’ ଶନିବାର ଓ ରବିବାର ଯଥାକ୍ରମେ କଟକ ଓ ଅନୁଗୁଳ ପହଁଚିଥିବା ବେଳେ ଆସନ୍ତା ୧୦ ତାରିଖରେ ବ୍ରହ୍ମପୁର ପହଁଚିବା ସହ ୧୨ ତାରିଖରେ ରାଉରକେଲା ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହିତ ଉଦ୍‌ଯାପିତ ହେବ।

ରିଲାଏନ୍ସ ଜୁଏଲସ୍ ଗହଣା ଡିଜାଇନ୍ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଥିବା ବେଳେ ତ୍ରୁଟିହୀନ ଗୁଣବତା ଓ ସୁଲଭ ମୂଲ୍ୟ ସହିତ ଗ୍ରାହକଙ୍କୁ ବ୍ୟାପକ ବର୍ଗମାଳାର ବିଆଇଏସ୍ ହଲ୍‌ମାର୍କ ସୁନା ଏବଂ ଅନ୍ତର୍ଜାତୀୟ ସାର୍ଟିଫାଏଡ୍ ହୀରା ଗହଣା ସହ ରୁପା ଏବଂ ପ୍ଲାଟିନମ୍ ପ୍ରଦାନ କରୁଛି। ଡାଇମଣ୍ଡ୍ ସମ୍ଭାରରେ ରହିଛି ବ୍ୟାପକ ବର୍ଗର ନେକ୍‌ଲେସ୍‌, ନେକ୍‌ଲେସ୍ ସେଟ୍‌, ଇୟରରିଙ୍ଗ, ରିଙ୍ଗ, ପେଣ୍ଡାଂଟ୍‌, ଚୁଡ଼ି ଓ ପ୍ରତି ଅବସର, ବୟସ ବର୍ଗ ଏବଂ ବଜେଟ୍ ପାଇଁ ସୁନ୍ଦର ହୀରା ସହ ବ୍ରେସ୍‌ଲେଟ୍। ବିବାହଠାରୁ ଆରମ୍ଭ କରି ପାର୍ଟି, ଉତ୍ସବରୁ ଜନ୍ମଦିନ ଏବଂ ବାର୍ଷିକୀ ପାଳନ ଭଳି ବିଭିନ୍ନ ଅବସର, ଉପହାର ବିକଳ୍ପରୁ ଶିଶୁଙ୍କ ଡିଜାଇନ୍ ପର୍ଯ୍ୟନ୍ତ, ପୁରୁଷଙ୍କ ପାଇଁ ଆକର୍ଷଣୀୟ ଗହଣାଠାରୁ ମହିଳାଙ୍କ ପାଇଁ ହାଲୁକା ଏବଂ ୱାର୍କ ଓୟାର ଗହଣା ଆଦି ଆବଶ୍ୟକତା ପୂରଣ କରିବା ଲାଗି ହୀରା ସମ୍ଭାରରେ ଡିଜାଇନ୍ ଗହଣା ରହିଛି।

ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର ଅଫ୍ ଓଡ଼ିଶା ସମ୍ପର୍କରେ ରିଲାଏନ୍ସ ଜୁଏଲ୍‌ସର ସିଇଓ ସୁନିଲ ନାୟକ କହିଛନ୍ତି ଯେ, “ଏକ ବଜାର ଭାବେ ଓଡ଼ିଶା ଆମର ଅତ୍ୟନ୍ତ ନିକଟତର। ଆମେ ରିଲାଏନ୍ସ ଜୁଏଲ୍‌ସର ୧୫ ବର୍ଷ ପାଳନ କରୁଥିବା ବେଳେ ମୁଁ ଗର୍ବର ସହିତ ଜଣାଉଛି ଯେ ୧୨ଟି ସହରରେ ୧୭ଟି ଷ୍ଟୋର ସହ ଓଡ଼ିଶା ରାଜ୍ୟରେ ଆମେ ଦୃଢ଼ ଉପସ୍ଥିତି ସ୍ଥାପିତ କରିପାରିଛୁ, ଯାହା ହେଉଛି ଓଡ଼ିଶାରେ ଗହଣା ରିଟେଲରଙ୍କ ମଧ୍ୟରେ ଅନ୍ୟତମ ସର୍ବବୃହତ ନେଟ୍‌ୱର୍କ। ଏହି ବର୍ଷଗୁଡ଼ିକରେ ଆମ ଗ୍ରାହକମାନେ ଆମ ଉପରେ ଯେଉଁ ପ୍ରବଳ ଭରସା, ବିଶ୍ୱାସନୀୟତା ଓ ପୃଷ୍ଠପୋଷକତା ପ୍ରଦର୍ଶନ କରିଛନ୍ତି କେବଳ ତାହା ପାଇଁ ଏହା ସମ୍ଭବପର ହୋଇପାରିଛି।’’

ହୀରାର ଜଣେ ଉତ୍ସାହୀ ପ୍ରଶଂସକ ଥିବା ଏଲିନା ରିଲାଏନ୍ସ ଜୁଏଲସ୍‌ରେ ଆକର୍ଷଣୀୟ ସୁନା ଓ ହୀରା ଗହଣା ଡିଜାଇନ ଦେଖି ବିମୋହିତ ହୋଇପଡ଼ିଛନ୍ତି। ରିଲାଏନ୍ସ ଜୁଏଲ୍‌ସ ସହିତ ସହଯୋଗିତା ସମ୍ପର୍କରେ ଏଲିନା ସାମନ୍ତରାୟ କହିଛନ୍ତି ଯେ, “ରିଲାଏନ୍ସ ଜୁଏଲସ୍ ଷ୍ଟୋର୍‌ରେ ପାଦ ଦେବା କ୍ଷଣି ପ୍ରଦର୍ଶନ କରାଯାଇଥିବା ଆକର୍ଷଣୀୟ ଗହଣାଗୁଡ଼ିକ ଦେଖି ମୁଁ ବିମୋହିତ ହୋଇଯାଇଥିଲି ଏବଂ ତତ୍କାଳ ସେଗୁଡ଼ିକ ପ୍ରେମରେ ପଡ଼ିଯାଇଥିଲି। ରିଲାଏନ୍ସ ଜୁଏଲ୍‌ସ ସହିତ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ବାସ୍ତବରେ ଏକ ସ୍ୱପ୍ନ ସାକାର ହେବା ଭଳି।

ଓଡ଼ିଶାର ଲୋକମାନଙ୍କ ସହ ଯୋଡ଼ି ହେବା ଓ ହୀରା ପ୍ରତି ମୋର ଥିବା ଭଲପାଇବାକୁ ସେମାନଙ୍କ ସହ ବାଂଟିବା ଲାଗି ଏହା ଏକ ସୁଯୋଗ ହୋଇଥିବା ବେଳେ ଏହି ଅତୁଲ୍ୟ ଯାତ୍ରାର ଅଂଶ ହୋଇଥିବାରୁ ମୁଁ ଗର୍ବିତ। ଏହି ଉତ୍ସାହ ଦ୍ୱିଗୁଣିତ ହୋଇଥିଲା ଯେତେବେଳେ ମୁଁ ସାରା ଓଡ଼ିଶାରେ ଥିବା ରିଲାଏନ୍ସ ଜୁଏଲସ୍ ସୋ’ରୁମ୍ ପରିଦର୍ଶନ କରିବା ଏବଂ ଆକର୍ଷଣୀୟ ହୀରା ଅନୁଭବ ହାସଲ କରିବାର ସୁଯୋଗ ପାଇଥିଲି। ବ୍ୟକ୍ତିଗତ ଭାବେ ମୋର ପସନ୍ଦ ହେଉଛି ଉତ୍କଳ ଓ ମହାଳୟା ସମ୍ଭାରରେ ଥିବା ପାରମ୍ପରିକ ହୀରା ଡିଜାଇନ ଏବଂ କିଛି ପାରମ୍ପରିକ ସୁନା ଡିଜାଇନ୍ ଯାହା ଅସୀମ, ଆକର୍ଷଣୀୟ ଏବଂ ପ୍ରତି ଷ୍ଟାଇଲ୍ ପାଇଁ ଉପଯୁକ୍ତ।’’

ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା ୫ଟି ସହରରେ ଅନୁଷ୍ଠିତ ହେଉଛି ଯେଉଁଥିରେ ଏଲିନା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, କଟକ, ଅନୁଗୁଳ, ବ୍ରହ୍ମପୁର ଓ ରାଉରକେଲାରେ ଥିବା ୫ଟି ରିଲାଏନ୍ସ ଜୁଏଲସ୍ ଷ୍ଟୋର୍‌କୁ ଯଥାକ୍ରମେ ୨୦୨୩ ଫେବ୍ରୁଆରି ୩, ୪, ୫, ୧୦ ଓ ୧୨ ତାରିଖରେ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏଲିନା ପ୍ରତିଯୋଗିତାର ବିଜେତାମାନଙ୍କୁ ଏକ ମିଟ୍ ଆଣ୍ଡ୍ ଗ୍ରିଟ୍‌ରେ ଭେଟିବେ, ୱାକ୍ ଦି ର‌୍ୟାମ୍ପ୍ ୱିଥ୍ ଏଲିନା, ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଲୁକ୍ ଉପରେ ଆଲୋଚନା କରିବେ ଏବଂ କଫି ସହ ବାର୍ତାଳାପ କରିବେ।

Categories
ଆଜିର ଖବର ରାଜ୍ୟ ଖବର

କଟକରେ ଆଜାଦି କା ଅମୃତ ମହୋତ୍ସବ ଏବଂ ନେତାଜୀଙ୍କ ୧୨୬ତମ ଜୟନ୍ତୀ ପାଳିତ

ନୂଆଦିଲ୍ଲୀ: ଆଜାଦିର ଅମୃତ ମହୋତ୍ସବ ଏବଂ ନେତାଜୀଙ୍କ ୧୨୬ତମ ଜୟନ୍ତୀ ଉପଲକ୍ଷେ ସିଆରପିଏଫ୍ ଏବଂ ଆଇଟିବିପି ପକ୍ଷରୁ ଓଡିଶା ସରକାରଙ୍କ ସହଯୋଗରେ ଐତିହାସିକ ନଗରୀ କଟକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଐତିହାସିକ ନଗରୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମଲାଭ କରିବା ସହିତ ନିଜର କୈଶୋର ସମୟ ମଧ୍ୟ ଅତିବାହିତ କରିଥିଲେ।

ସକାଳେ ନେତାଜୀଙ୍କ ଜନ୍ମସ୍ଥାନ ଓଡିଆ ବଜାରରୁ ଏକ ବିରାଟ ରାଲି ବାହାରି କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ତୁଳସୀପୁର ଆନନ୍ଦ ଭବନକୁ ଯାଇଥିଲା। ଏଥିରେ ସିଆର୍ପିଏଫ, ଆଇଟିବିପି, ଓଡିଶା ପୁଲିସର ସଦସ୍ୟଗଣ ଛାତ୍ରଛାତ୍ରୀ, ଏବଂ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହି ଅବସରରେ ଏକ ସାଇକେଲ ର୍ୟାଲି ମଧ୍ୟ ଆୟୋଜିତ ହୋଇଥିଲା। କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂହ ଏହାକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ସିଆରପିଏଫ ଓ ଆଇଟିବିପିର ଅଧିକାରୀଗଣ ଉପସ୍ଥିତ ଥିଲେ।

ଷ୍ଟିୱାର୍ଟ ସାଇନ୍ସ କଲେଜ ପରିସରରେ ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହାଛଡା ନେତାଜୀ ପାଠ ପଢିଥିବା ରେଭେନ୍ସା କଲେଜିଏଟ୍ ସ୍କୁଲ ପରିସରରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା। ନେତାଜୀଙ୍କ ବୀରତ୍ୱ ଓ ଆଜାଦ ହିନ୍ଦ୍ ଫୌଜର ସାହାସକୁ ସ୍ମରଣ କରିବା ପାଇଁ ସହିଦଭବନରେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ସବୁ ଅସ୍ତ୍ରଶସ୍ତ୍ର ମଧ୍ୟରେ ଥିଲା ସିଜିଆର୍ଏଲ୍, ଅଟୋମେଟିକ୍ ଗ୍ରେଜେଡ୍ ଲଞ୍ଚର, ୮୧ ଏମ୍ଏମ୍ ମୋର୍ଟାସ୍, ୭.୬୨ଏମ୍ମ୍ ଏମ୍ଏମ୍ଜି, ୭.୬୨ଏମ୍ଏମ୍ ସ୍ନାଇପର, ଘାତକ ରାଇଫଲ, ଓୟାରଲେସ୍ କମ୍ୟୁନିକେସନ ସିଷ୍ଟମ ଆଦି ଅନ୍ତର୍ଭୁକ୍ତ।

ଏହାଛଡା ନେତାଜୀଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଏକ ଡାକଟିକଟ ପ୍ରଦର୍ଶନୀ ଓ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ସନ୍ଧ୍ୟାରେ ସହିଦମାନଙ୍କ ପରିବାରର ସଦସ୍ୟଙ୍କୁ ସମ୍ମାନୀତ କରାଯିବା ସହିତ ଦେଶାତ୍ମବୋଧକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଜାଦି କି ଅମୃତ ମହୋତ୍ସବ ଆଇକନିକ୍ ଇଭେଣ୍ଟସ୍ ସପ୍ତାହ ଚଳିତ ଜାନୁୟାରୀ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି।

ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ଅବସରରେ ଏସବୁ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ଭାଗରେ ଆୟୋଜିତ ହେଉଛି। ଏଥିରେ ନେତାଜୀ ସୁଭାଷ ବୋଷଙ୍କ ଜୀବନୀ ଏବଂ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ତାଙ୍କର ଅବଦାନ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାନ ପାଇଛି।
ଏହି କାର୍ଯ୍ୟକ୍ରମର ଭବ୍ୟ ଉଦ୍ଯାପନ ଉତ୍ସବ ଚଳିତମାସ ୨୩ତାରିଖ (୨୩ଜାନୁୟାରୀ ୨୦୨୩)ରେ ଆଣ୍ଡାମାନ ନିକୋବର ଦ୍ୱୀପର ପୋର୍ଟ ବ୍ଲେୟାରଠାରେ ଅନୁଷ୍ଠିତ ହେବ। ଏଥିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା ମୁଖ୍ୟ ଅତିଥିଭାବେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି କଟକସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ପରିସରରେ ଆୟୋଜିତ ହେବ ଆଇକନିକ୍‌ ସପ୍ତାହ: ଜାଣନ୍ତୁ କାର୍ଯ୍ୟସୂଚୀ

ଭୁବନେଶ୍ବର: ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ଉପଲକ୍ଷେ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୧୭ରୁ ୨୩ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଆଇକନିକ ସପ୍ତାହ ପାଳନ କରାଯାଉଛି। ଆଜି ନେତାଜୀଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ସିଆରପିଏଫ, ଆଇଟିବିପି ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୁଲ୍ୟରେ ନେତାଜୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି।

ଆଜି ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଠାରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ସ୍ଥାନ ଆନନ୍ଦ ଭବନ ପର୍ଯ୍ୟନ୍ତ ପ୍ରଭାତ ଫେରି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସିଆରିପିଏଫ, ଆଇଟିବିପି ଏବଂ ସ୍କୁଲ ଛାତ୍ରଛାତ୍ରୀ ସାମିଲ ହେବେ।  ସେହିପରି ସକାଳ ସାଢ଼େ ୭ଟା ଠାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଗଣଦୌଡ଼ ଆୟୋଜନ କରାଯିବ। ଏହା କଟକ ଇନଡୋର ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ସାରଳ ଭବନ, ଡିୟର ପାର୍କ, ରିଙ୍ଗ ରୋଡ, ରିଙ୍ଗ ରୋଡ, କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେସନ, ସିଲଭର ସିଟି ବୋଟ କ୍ଲବ, ସେଣ୍ଟ ଯୋଶେଫ ସ୍କୁଲ, ବିଜୁ ପଟ୍ଟନାୟକ ଛକ, ଆନନ୍ଦ ଭବନ ଆଦି ସ୍ଥାନ ଦେଇ ପୁଣି ଇନଡୋର ଷ୍ଟାଡିୟମରେ ପହଞ୍ଚିବ। ଏଥିରେ ମଧ୍ୟ ୪୦ ଜଣ ସିଆରପିଏଫ ଯବାନ, ୨୦ ଜଣ ଆଇଟିବିପି ଯବାନ, ସାଧାରଣ ନାଗରିକ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ଏହାଛଡ଼ା ସମାନ ସ୍ଥାନରେ ସକାଳ ସାଢ଼େ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସାଇକେଲ ରାଲି ଆୟୋଜନ କରାଯିବ।

କଟକ ଷ୍ଟୁଆର୍ଟ ସ୍କୁଲ ପରିସରରେ ପରିସରରେ ସକାଳ ୯ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଆୟୋଜନ କରାଯିବ। ରେଭେନ୍ସ କଲେଜିଏଟ୍‌ ସ୍କୁଲ କ୍ୟାମ୍ପସରେ ସକାଳ ୧୦ଟା ୨୦ରୁ ୧୧ଟା ମଧ୍ୟରେ ବୃକ୍ଷରୋପଣ କରାଯିବ। କଟକ ସହିଦ ଭବନ ପରିସରରେ ଡାକ ଟିକେଟ ପ୍ରଦର୍ଶନୀ, ଯୁଦ୍ଦାସ୍ତ୍ର ପ୍ରଦର୍ଶନୀ, କବି ସମ୍ମିଳନୀ ଆୟୋଜନ କରାଯିବ। ସେହିପରି ଅପରାହ୍ଣ ସାଢ଼େ ୫ଟାରେ ସହିଦ ଭବନ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଚଳିତ ବର୍ଷ ନେତାଜୀ ଜୟନ୍ତୀ ସମାରୋହକୁ ଜନଭାଗିଦାରୀ ମାଧ୍ୟମରେ ଦେଶବ୍ୟାପୀ ବ୍ୟାପକ ଆକାରରେ ଆୟୋଜନ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୋଜନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଜନସାଧାରଣ ସାମିଲ ହେବାକୁ ମନ୍ତ୍ରଣାଳୟ ପକ୍ଷରୁ ଆହ୍ବାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇକନିକ୍‌ ସପ୍ତାହ: କଟକରେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ବର: ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ଉପଲକ୍ଷେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୧୭ରୁ ୨୩ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଆଇକନିକ ସପ୍ତାହ ପାଳନ କରାଯାଉଛି। ଜାନୁଆରୀ ୨୦ ତାରିଖରେ ନେତାଜୀଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ସିଆରପିଏଫ, ଆଇଟିବିପି ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୁଲ୍ୟରେ ନେତାଜୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି।

ଆସନ୍ତା ୨୦ ତାରିଖ ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ହାଇକୋର୍ଟ ଠାରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପର୍ଯ୍ୟନ୍ତ ପ୍ରଭାତ ଫେରି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସିଆରପିଏଫ, ଆଇଟିବିପି ଏବଂ ସ୍କୁଲ ଛାତ୍ରଛାତ୍ରୀ ସାମିଲ ହେବେ।  ସେହିପରି ସକାଳ ସାଢ଼େ ୭ଟା ଠାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ହାଇକୋର୍ଟରୁ ନେତାଜୀଙ୍କ ଜନ୍ମସ୍ଥାନ ପର୍ଯ୍ୟନ୍ତ ଗଣଦୌଡ଼ ଆୟୋଜନ କରାଯିବ। ଏଥିରେ ମଧ୍ୟ ସିଆରପିଏଫ ଓ ଆଇଟିବିପି ଯବାନ, ସାଧାରଣ ନାଗରିକ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ଏହାଛଡ଼ା ସମାନ ସ୍ଥାନରେ ସକାଳ ସାଢ଼େ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସାଇକେଲ ରାଲି ଆୟୋଜନ କରାଯିବ।

ଅନ୍ୟପକ୍ଷରେ ଖୋର୍ଦ୍ଧାସ୍ଥିତ ଆଇଟିବିପି ଶିବିର ଏବଂ ଭୁବନେଶ୍ବରସ୍ଥିତ ସିଆରପିଏଫ ଗ୍ରୁପ କେନ୍ଦ୍ର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କଟକ ଷ୍ଟିୱ।ର୍ଟ କଲେଜ ପରିସରରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଆୟୋଜନ କରାଯିବ। ଅପରାହ୍ନ ୫ଟାରେ କଟକ ସାରଳା ଭବନ ପରିସରରେ ଆଇଟିବିପି ଏବଂ ସିଆରପିଏଫ ପକ୍ଷରୁ ସହିଦଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଠାରେ ସାଢ଼େ ୫ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।  କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଡାକ ଟିକଟ ପ୍ରଦର୍ଶନୀ ଏବଂ ନେତାଜୀଙ୍କ ଜୟନ୍ତୀ ଉପରେ ଡାକ ଟିକଟ ଉନ୍ମୋଚନ କରାଯିବ। ସେହିପରି ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ। କଟକସ୍ଥିତ ଓଡ଼ିଶା ସାହିତ୍ୟ ଏକାଡେମୀ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବ।

ଚଳିତ ବର୍ଷ ନେତାଜୀ ଜୟନ୍ତୀ ସମାରୋହକୁ ଜନଭାଗିଦାରୀ ମାଧ୍ୟମରେ ଦେଶବ୍ୟାପୀ ବ୍ୟାପକ ଆକାରରେ ଆୟୋଜନ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଜନସାଧାରଣ ସାମିଲ ହେବାକୁ ମନ୍ତ୍ରଣାଳୟ ପକ୍ଷରୁ ଆହ୍ବାନ କରାଯାଇଛି।