କଟକ: ଓଡ଼ିଶାର ପ୍ରମୁଖ ମେଡିକାଲ କଲେଜ କଟକ ଏସ୍ସିବି ମାନସିକ ରୋଗ ବିଭାଗରୁ ଏକ ଅତ୍ୟନ୍ତ ସାଙ୍ଘାତିକ ଓ ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସିଛି। ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ମାନସିକ ରୋଗୀଙ୍କୁ ହସ୍ପିଟାଲ ପରିସରରେ ପିଟିପିଟି ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ରୋଗୀ ଜଣକ ଯାଜପୁର ଜିଲ୍ଲା ଅଞ୍ଚଳର ଶ୍ରୀକାନ୍ତ ଦାସ ବୋଲି ଚିହ୍ନଟ ହୋଇଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଶ୍ରୀକାନ୍ତଙ୍କୁ ମାନସିକ ରୋଗ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ହସ୍ପିଟାଲ ଭିତରେ ତାଙ୍କୁ ନିର୍ମମ ଭାବେ ମାଡ଼ ମରାଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଏହି ସଂବେଦନଶୀଳ ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ କଟକ ମଙ୍ଗଳବାଗ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି। ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଅନ୍ୟପକ୍ଷରେ, ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ପୋଲିସ ହସ୍ପିଟାଲର ସମ୍ପୃକ୍ତ ୱାର୍ଡ, ସୁରକ୍ଷା କର୍ମୀ ଏବଂ ସିସିଟିଭି ଫୁଟେଜ୍ଗୁଡ଼ିକୁ ଯାଞ୍ଚ କରୁଛି। ସେହିପରି ମାନସିକ ରୋଗ ବିଭାଗର ସୁରକ୍ଷା ବ୍ୟବସ୍ଥା ଓ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଭୂମିକାକୁ ନେଇ ମଧ୍ୟ ପୋଲିସ ପଚରାଉଚୁରା ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।


