ରାମଗଡ଼: ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲା ଅନ୍ତର୍ଗତ ରାଞ୍ଚି-ପାଟନା ଜାତୀୟ ରାଜପଥରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପ୍ରସିଦ୍ଧ ରାଜରପ୍ପା ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଏକ ଯାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣ ଶିଶୁ ଓ ୪ ଜଣ ମହିଳାଙ୍କ ସମେତ ମୋଟ୍ ୧୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ରାମଗଡ଼ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, କୁଜୁ ଥାନା ଅନ୍ତର୍ଗତ ପାଇଙ୍କି ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ଭୋର ପ୍ରାୟ ୨ଟା ସମୟରେ ଏହି ଅଘଟଣ ଘଟିଥିଲା। ଗାଡ଼ିଟିରେ ମୋଟ୍ ୧୪ ଜଣ ଯାତ୍ରୀ ଥିଲେ। ମୃତକମାନେ ବିହାରର ନାଳନ୍ଦା ଜିଲ୍ଲା ଅନ୍ତର୍ଗତ ଜଙ୍ଘାରୋ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ସେମାନେ ରାଜରପ୍ପା ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ଯାଉଥିବାବେଳେ ରାଜପଥରେ ସେମାନଙ୍କ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା। ମୃତକଙ୍କ ମଧ୍ୟରେ ୪ ଶିଶୁ, ୪ ମହିଳା ଏବଂ ୫ ଜଣ ପୁରୁଷ ଅଛନ୍ତି। ଦୁର୍ଘଟଣାରେ କେବଳ ଜଣେ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ଏବଂ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।
ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ସେମାନେ କ୍ଷତିଗ୍ରସ୍ତ ଗାଡ଼ି ଭିତରୁ ମୃତାହତଙ୍କୁ ବାହାର କରିବା ସହ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ପଠାଇବାରେ ସହାୟତା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆବଶ୍ୟକୀୟ ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହାର କାରଣ ଖୋଜାଯାଉଛି।
ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରୁ ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ ମଧ୍ୟ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଏକ ଟ୍ରକ୍ରେ ନିଆଁ ଲାଗିଯିବାରୁ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପାଲକୋଟ ରୋଡ୍ର କାର୍ତ୍ତିକ ଓରାଓଁ ମହାବିଦ୍ୟାଳୟ ନିକଟରେ ଓଡ଼ିଶାର ରାଉରକେଲାରୁ ଉତ୍ତରପ୍ରଦେଶର ଆଲିଗଡ଼କୁ ଲୁହା ଛଡ଼ ନେଇ ଯାଉଥିବା ଉକ୍ତ ଟ୍ରକ୍ଟି ସାମ୍ନାରୁ ଆସୁଥିବା ଏକ ଗାଡ଼ିକୁ ବଞ୍ଚାଇବାକୁ ଯାଇ ଅନ୍ୟ ଏକ କାର୍କୁ ଧକ୍କା ଦେଇଥିଲା। ଏହାପରେ ଟ୍ରକ୍ଟି ଭାରସାମ୍ୟ ହରାଇ ୧୧,୦୦୦ ଭୋଲ୍ଟ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବାରୁ ସେଥିରେ ଭୟଙ୍କର ନିଆଁ ଲାଗିଯାଇଥିଲା। କ୍ୟାବିନ୍ ଭିତରେ ଫସି ରହିଥିବା ଉତ୍ତରପ୍ରଦେଶ ହାଥରସ ଜିଲ୍ଲାର ୩୫ ବର୍ଷୀୟ ଚାଳକ ପଙ୍କଜ କୁମାରଙ୍କର ଏଥିରେ ମୃତ୍ୟୁ ଘଟିଥିଲା।


