ପୁରୀ: ପୁରୀ ସହର ଉପକଣ୍ଠରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାୟ ୧,୦୬୦ କୋଟି ଟଙ୍କା ମୂଲ୍ୟର ୮୧ ଏକରରୁ ଊର୍ଦ୍ଧ୍ୱ ଜମି ଶେଷରେ ଶ୍ରୀମନ୍ଦିର ଖାତାକୁ ଫେରିଛି। ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ଓଡ଼ିଶା ରାଜସ୍ୱ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁ ଶ୍ରୀମନ୍ଦିର ସପକ୍ଷରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପୁରୀ ସଦର ତହସିଲ ଅନ୍ତର୍ଗତ ସମଙ୍ଗରା ମୌଜାର ହାଲ୍ ଖାତା ନଂ. ୨୨୨ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଖାତାରେ ଥିବା ଏହି ଜମିର ସ୍ୱତ୍ୱଲିପି ‘ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ’ଙ୍କ ନାମରେ ସଂଶୋଧନ କରିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦାଏର ଦୁଇଟି ମାମଲା (ଏସ୍ଆରପି କେସ୍ ନଂ. ୧୦୧/୨୦୨୩ ଏବଂ ୧୦୨/୨୦୨୩)ର ବିଚାର କରି ପର୍ଷଦ ଏହି ନିଷ୍ପତ୍ତି ନେଇଛନ୍ତି। ପୁରୀ ମହାନଗର ନିଗମ ଅଞ୍ଚଳର ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ନିକଟରେ ଏହି ମୂଲ୍ୟବାନ ଭୂସମ୍ପତ୍ତି ରହିଛି।
ମନ୍ଦିର ପ୍ରଶାସନର ଯୁକ୍ତି ଅନୁଯାୟୀ, ସମଙ୍ଗରା ମୌଜାର ଏହି ଜମିଗୁଡ଼ିକ ମୂଳତଃ ମହାପ୍ରଭୁଙ୍କ ସମ୍ପତ୍ତି ଥିଲା। ରଥଯାତ୍ରା ସମୟରେ ‘କଳା ବେଠିଆ’ ସେବା ସମ୍ପାଦନ କରିବାର ପ୍ରତିବଦଳରେ କେତେକ ସେବାୟତଙ୍କୁ କେବଳ ଏହି ଜମିର ଭୋଗଦଖଲ ଅଧିକାର ପ୍ରଦାନ କରାଯାଇଥିଲା। ଅର୍ଥାତ୍, ଜମି ଉପରେ ସେମାନଙ୍କର ଅଧିକାର କେବଳ ସେବା ସହ ଜଡ଼ିତ ଥିଲା ଏବଂ ଏହା ମାଧ୍ୟମରେ ସେମାନଙ୍କୁ ନିରଙ୍କୁଶ ମାଲିକାନା ଦିଆଯାଇନଥିଲା। ଏହି ଦାବିର ସମର୍ଥନରେ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ବିଧିବଦ୍ଧ ସ୍ୱତ୍ୱଲିପି ଉପସ୍ଥାପନ କରାଯାଇଥିଲା। ଏଥିରେ କଳା ବେଠିଆ ସେବା ସମ୍ପର୍କିତ ସ୍ପଷ୍ଟ ଉଲ୍ଲେଖ ରହିଥିବାରୁ ଜମିର ମୂଳ ପ୍ରକୃତି ଓ ଏହାର ଐତିହାସିକ ଅଧିକାର ନିର୍ଦ୍ଧାରଣ କ୍ଷେତ୍ରରେ ଏହି ଦସ୍ତାବିଜ ନିର୍ଣ୍ଣାୟକ ପ୍ରମାଣ ସାଜିଥିଲା।


