Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଚମ ‘କାଶୀ ତାମିଲ ସଙ୍ଗମମ୍’ ଉଦ୍‌ଘାଟନ କଲେ ଉପରାଷ୍ଟ୍ରପତି
ଆଜିର ଖବର

ପଞ୍ଚମ ‘କାଶୀ ତାମିଲ ସଙ୍ଗମମ୍’ ଉଦ୍‌ଘାଟନ କଲେ ଉପରାଷ୍ଟ୍ରପତି

November 29, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
Vice-President inaugurates fifth edition of Kashi Tamil Sangamam in Varanasi
Vice-President inaugurates fifth edition of Kashi Tamil Sangamam in Varanasi

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଉତ୍ତରପ୍ରଦେଶର ବାରାଣସୀଠାରେ କାଶୀ ତାମିଲ ସଙ୍ଗମମ୍‌ର ପଞ୍ଚମ ସଂସ୍କରଣ (କେଟିଏସ୍‌ ୫.୦) ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ୧୦ଟି ବିଦେଶୀ ଭାଷା ସମେତ ୫୦ଟି ଭାଷାରେ ତିରୁକ୍କୁରଳର ଅନୁବାଦିତ ସଂସ୍କରଣ ଉନ୍ମୋଚନ କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି କହିଥିଲେ ଯେ, କାଶୀ ଓ ତାମିଲନାଡୁ ମଧ୍ୟରେ ହଜାର ହଜାର ବର୍ଷର ପ୍ରାଚୀନ ସଭ୍ୟତା, ସଂସ୍କୃତି ଓ ଆଧ୍ୟାତ୍ମିକ ସମ୍ପର୍କ ରହିଛି। କାଶୀକୁ ବିଶ୍ୱର ଆଧ୍ୟାତ୍ମିକ ରାଜଧାନୀ ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ, ତାମିଲ ଲୋକଙ୍କ ହୃଦୟରେ ଏହି ସହରର ସ୍ୱତନ୍ତ୍ର ସ୍ଥାନ ରହିଛି। କାଶୀ ଯାତ୍ରା ଓ ବାବା ବିଶ୍ୱନାଥଙ୍କ ଦର୍ଶନ ସେମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଆକାଂକ୍ଷା।

ଭାରତରେ ଭାଷା, ଅଞ୍ଚଳ ଓ ସଂସ୍କୃତିର ଅପାର ବିବିଧତା ସତ୍ତ୍ୱେ ଏକ ସାଧାରଣ ସଭ୍ୟତାଗତ ଓ ଆଧ୍ୟାତ୍ମିକ ଭାବଧାରା ଦେଶକୁ ସର୍ବଦା ଏକତାର ସୂତ୍ରରେ ବାନ୍ଧି ରଖିଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ କାଶୀ ତାମିଲ ସଙ୍ଗମମ୍‌ର ଆରମ୍ଭ ପଛରେ ଏହି ଐତିହାସିକ ସମ୍ପର୍କର ପ୍ରେରଣା ରହିଥିଲା। ଏହି ପଦକ୍ଷେପ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ସୀମା ଅତିକ୍ରମ କରି ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଆନ୍ଦୋଳନର ରୂପ ନେଇଛି। ଏହା ତାମିଲନାଡୁ ଓ କାଶୀ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ପୁନର୍ଜୀବିତ କରିବା ସହ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ଅଧିକ ସୁଦୃଢ଼ କରୁଛି ବୋଲି ଉପରାଷ୍ଟ୍ରପତି କହିଥିଲେ।

ଚଳିତ ବର୍ଷର କାଶୀ ତାମିଲ ସଙ୍ଗମମ୍‌ର ବିଷୟବସ୍ତୁ ରହିଛି ‘ତିରୁକ୍କୁରଳ ପୟିଲଭୋମ୍‌ – ତିରୁକ୍କୁରଳ ଅଭ୍ୟାସ କରେଁ’। ବିଶେଷକରି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ନିକଟରେ ତିରୁକ୍କୁରଳର ଚିରନ୍ତନ ଜ୍ଞାନ ଓ ନୈତିକ ମୂଲ୍ୟବୋଧ ପହଞ୍ଚାଇବା ଏହାର ଉଦ୍ଦେଶ୍ୟ। ତିରୁକ୍କୁରଳକୁ ଜୀବନର ଏକ ସାର୍ବଜନୀନ ମାର୍ଗଦର୍ଶିକା ଭାବେ ବର୍ଣ୍ଣନା କରି ଉପରାଷ୍ଟ୍ରପତି କହିଥିଲେ ଯେ, ଏଥିରେ ଥିବା ସମାନତା, ମାନବବାଦ ଓ ନ୍ୟାୟପରାୟଣତାର ବାର୍ତ୍ତା ଭାଷା, ଅଞ୍ଚଳ ଓ ରାଷ୍ଟ୍ରର ସୀମାକୁ ଅତିକ୍ରମ କରିଛି। ଏହାର ଶିକ୍ଷାକୁ ଅଧ୍ୟୟନ କରି ଦୈନନ୍ଦିନ ଜୀବନରେ ଅନୁସରଣ କରିବାକୁ ସେ ଲୋକଙ୍କୁ ଆହ୍ୱାନ ଦେଇଥିଲେ।

ବିଦେଶୀ ଭାଷା ସମେତ ୫୦ଟି ଭାଷାରେ ତିରୁକ୍କୁରଳ ଅନୁବାଦ ହେବା ତାମିଲ ଭାଷା ଓ ସାହିତ୍ୟ ପାଇଁ ଏକ ବଡ଼ ଉପଲବ୍ଧି ଏବଂ ତିରୁବଲ୍ଲୁଭରଙ୍କ ଶିକ୍ଷାର ସର୍ବଜନୀନ ଗୁରୁତ୍ୱ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ। କାଶୀ ତାମିଲ ସଙ୍ଗମମ୍‌ର ପ୍ରଥମ ସଂସ୍କରଣରେ ତିରୁକ୍କୁରଳ ୧୩ଟି ଭାଷାରେ ପ୍ରକାଶିତ ହୋଇଥିବାବେଳେ ଦ୍ୱିତୀୟ ସଂସ୍କରଣରେ ଆଉ ୧୬ଟି ଭାଷାରେ ଅନୁବାଦ ହୋଇଥିଲା। ପଞ୍ଚମ ସଂସ୍କରଣରେ ଏହା ୫୦ଟି ଭାଷାରେ ଉପଲବ୍ଧ ହେବା ତାମିଲ ସାହିତ୍ୟର ଐତିହ୍ୟକୁ ବ୍ୟାପକ ପାଠକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏକ ଐତିହାସିକ ସଫଳତା ବୋଲି ସେ ଉଲ୍ଲେଖ କରିଥିଲେ।

ଭାଷାଗତ ସମନ୍ୱୟର ଗୁରୁତ୍ୱ ଉପରେ ଜୋର ଦେଇ ଉପରାଷ୍ଟ୍ରପତି କହିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ନିଜ ମାତୃଭାଷା ପାଇଁ ଗର୍ବ ଅନୁଭବ କରିବା ସହ ଅନ୍ୟ ଭାଷାଗୁଡ଼ିକୁ ମଧ୍ୟ ସମ୍ମାନ ଦେବା ଉଚିତ। ନିଜ ଭାଷା ପ୍ରତି ଭଲପାଇବା କେବେହେଲେ ଅନ୍ୟ ଭାଷା ପ୍ରତି ଶତ୍ରୁତାର କାରଣ ହେବା ଉଚିତ ନୁହେଁ ବୋଲି ସେ କହିଥିଲେ। ଭାରତର ଶକ୍ତି ଏହାର ବହୁଭାଷା ଓ ସାମୂହିକ ଆଦର୍ଶରେ ନିହିତ ରହିଛି। ଜାତିସଂଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଙ୍ଗମ ଯୁଗର କବି କନିୟାନ ପୁଙ୍ଗୁନ୍ଦ୍ରନାରଙ୍କ ପ୍ରସିଦ୍ଧ ଉକ୍ତି ‘ୟାଧୁମ୍ ଊରେ, ୟାଭାରୁମ୍ କେଳିର୍’ (ସବୁ ସ୍ଥାନ ଆମର, ସମସ୍ତେ ଆମର ଆତ୍ମୀୟ)ର ଉଲ୍ଲେଖ କରିଥିବା କଥା ମଧ୍ୟ ସେ ମନେ ପକାଇଥିଲେ। ଏହାଦ୍ୱାରା ତାମିଲ ସଂସ୍କୃତିର ସାର୍ବଜନୀନ ଭାତୃତ୍ୱର ବାର୍ତ୍ତା ବିଶ୍ୱସ୍ତରରେ ପହଞ୍ଚିଥିଲା ବୋଲି ସେ କହିଥିଲେ।

ଯୁବପିଢ଼ି ପେରୁନ୍ଥଲାଇଭର କେ. କାମରାଜ ଓ ପାସୁମ୍ପନ୍ ମୁଥୁରାମଲିଙ୍ଗ ଥେଭରଙ୍କ ଭଳି ମହାନ ନେତାଙ୍କ ଠାରୁ ପ୍ରେରଣା ନେବା ସହ ଜାତୀୟ ଏକତାର ଭାବନାକୁ ବଜାୟ ରଖିବାକୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଥିଲେ। ଭାରତର ସଭ୍ୟତାଗତ ମୂଲ୍ୟବୋଧକୁ ଆଗକୁ ବଢ଼ାଇବା ଏବଂ ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିଥିବା ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଯୁବପିଢ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶର ବିକାଶ ସମ୍ପର୍କରେ ଉଲ୍ଲେଖ କରି ଉପରାଷ୍ଟ୍ରପତି ରାଜ୍ୟର ପରିବର୍ତ୍ତନ ଓ ଅର୍ଥନୈତିକ ବିକାଶ ତଥା ଜନସୁରକ୍ଷା ଭଳି କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ପ୍ରଶଂସା କରିଥିଲେ। ୧୯୯୮ରେ ସଂସଦରେ ଏକାଠି କାର୍ଯ୍ୟ କରିବା ସମୟରୁ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ଓ ବନ୍ଧୁତା ରହିଥିବା କଥା ମଧ୍ୟ ସେ ସ୍ମରଣ କରିଥିଲେ।

୨୦୪୭ ସୁଦ୍ଧା ଭାରତର ଲକ୍ଷ୍ୟ ସମ୍ପର୍କରେ ଉପରାଷ୍ଟ୍ରପତି କହିଥିଲେ ଯେ, ବିକଶିତ ଭାରତର ସ୍ୱପ୍ନ କେବଳ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ସଭ୍ୟତାଗତ ଐତିହ୍ୟ, ସାଂସ୍କୃତିକ ମୂଲ୍ୟବୋଧ ଓ ମାନବବାଦ କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱ ପାଇଁ ଏକ ଉଦାହରଣ ହେବା ଆବଶ୍ୟକ। ସଂଘର୍ଷ, ଅନିଶ୍ଚିତତା ଓ ବିଭାଜନର ସମ୍ମୁଖୀନ ହେଉଥିବା ବିଶ୍ୱ ପାଇଁ ଭାରତର ପାରମ୍ପରିକ ଦର୍ଶନ ‘ବସୁଧୈବ କୁଟୁମ୍ବକମ୍‌’ ଓ ‘ସର୍ବେ ଭବନ୍ତୁ ସୁଖିନଃ’ର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ। ନିଜ ଅଭିଭାଷଣ ଶେଷରେ ଦେଶର ନଦୀଗୁଡ଼ିକୁ ସଂଯୋଗ କରିବାର ଯୋଜନା ଉପରେ ଆସ୍ଥା ପ୍ରକଟ କରି ଦିନେ ଗଙ୍ଗା ନଦୀର ଜଳ କାବେରୀ ନଦୀରେ ପହଞ୍ଚିବ ବୋଲି ଉପରାଷ୍ଟ୍ରପତି ଆଶା ପ୍ରକାଶ କରିଥିଲେ।

ଚଳିତ ବର୍ଷର କାଶୀ ତାମିଲ ସଙ୍ଗମମ୍‌ରେ ତାମିଲନାଡୁରୁ ପ୍ରାୟ ୧୪୦୦ ଜଣ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ, ଲେଖକ, ସାମ୍ବାଦିକ, କୃଷକ, କାରିଗର, ମହିଳା ଓ ଶିଳ୍ପ ଜଗତର ପ୍ରତିନିଧିଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ମାଡ୍ରାସ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଚେନ୍ନାଇସ୍ଥିତ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ଲାସିକାଲ ତାମିଲ, ଉତ୍ତରପ୍ରଦେଶ ସରକାର ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହେଉଛି।

ଏହି ଉତ୍ସବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଉତ୍ତରପ୍ରଦେଶର ମନ୍ତ୍ରୀ ଅନିଲ ରାଜଭର, ରବୀନ୍ଦ୍ର ଜୟସୱାଲ, ଦୟାଶଙ୍କର ମିଶ୍ର ଓ ହଂସରାଜ ବିଶ୍ୱକର୍ମା, ଉଚ୍ଚଶିକ୍ଷା ବିଭାଗର ସଚିବ ଦୀପ୍ତି ଉମାଶଙ୍କର, ଭାରତୀୟ ଭାଷା ସମିତିର ଅଧ୍ୟକ୍ଷ ଚାମୁ କୃଷ୍ଣ ଶାସ୍ତ୍ରୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ଭି. କାମାକୋଟି ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଜିତ କୁମାର ଚତୁର୍ବେଦୀ ଯୋଗ ଦେଇଥିଲେ। ଏହାସହ ଆଧ୍ୟାତ୍ମିକ ଗୁରୁ, ବିଦ୍ୱାନ, ତାମିଲନାଡୁର ପ୍ରତିନିଧିମଣ୍ଡଳୀ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମଧ୍ୟ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଉପରାଷ୍ଟ୍ରପତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ବାରାଣସୀର ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଓ ଶ୍ରୀ କାଳଭୈରବ ମନ୍ଦିର ପରିଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

କାଶୀ- ତାମିଲ ସଙ୍ଗମମ୍ ବାରାଣସୀ ସି.ପି. ରାଧାକୃଷ୍ଣନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଡେନମାର୍କ ସମ୍ପର୍କକୁ ନୂଆ ଦିଶା: ସ୍ୱଚ୍ଛ ଶକ୍ତି ଓ ଜଳ ପରିଚାଳନା ନେଇ ବୁଝାମଣା

November 29, 2026

ସୋନିଆଙ୍କ ନାଗରିକତା ବିବାଦ: କୋର୍ଟରେ ଦିଲ୍ଲୀ ପୁଲିସର ଷ୍ଟାଟସ୍ ରିପୋର୍ଟ ଦାଖଲ

November 29, 2026

ଚୀନ୍‌କୁ ହରାଇ ଚତୁର୍ଥ ଥର ମହିଳା ହକି ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ

November 29, 2026

ଇଫି ୨୦୨୬: ଆର୍ଜେଣ୍ଟିନୀୟ ଚଳଚ୍ଚିତ୍ର ‘ଦ ରିଭର୍ ଟ୍ରେନ୍’ ଜିତିଲା ସିଲଭର୍ ପିକକ୍ – ସ୍ୱତନ୍ତ୍ର ଜୁରୀ ପୁରସ୍କାର

November 29, 2026
Latest News

ପଞ୍ଚମ ‘କାଶୀ ତାମିଲ ସଙ୍ଗମମ୍’ ଉଦ୍‌ଘାଟନ କଲେ ଉପରାଷ୍ଟ୍ରପତି

November 29, 2026

ଭାରତ-ଡେନମାର୍କ ସମ୍ପର୍କକୁ ନୂଆ ଦିଶା: ସ୍ୱଚ୍ଛ ଶକ୍ତି ଓ ଜଳ ପରିଚାଳନା ନେଇ ବୁଝାମଣା

November 29, 2026

ସୋନିଆଙ୍କ ନାଗରିକତା ବିବାଦ: କୋର୍ଟରେ ଦିଲ୍ଲୀ ପୁଲିସର ଷ୍ଟାଟସ୍ ରିପୋର୍ଟ ଦାଖଲ

November 29, 2026

ଚୀନ୍‌କୁ ହରାଇ ଚତୁର୍ଥ ଥର ମହିଳା ହକି ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ

November 29, 2026

ଇଫି ୨୦୨୬: ଆର୍ଜେଣ୍ଟିନୀୟ ଚଳଚ୍ଚିତ୍ର ‘ଦ ରିଭର୍ ଟ୍ରେନ୍’ ଜିତିଲା ସିଲଭର୍ ପିକକ୍ – ସ୍ୱତନ୍ତ୍ର ଜୁରୀ ପୁରସ୍କାର

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.