ଭୋପାଳ: ମହିଳା ହକି ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଚତୁର୍ଥ ଥର ପାଇଁ ବିଜୟୀ ହୋଇ ନୂଆ ଇତିହାସ ରଚିଛି। ଭୋପାଳର ନାଥୁଖେଡ଼ା ସ୍ଥିତ କ୍ରୀଡ଼ା ସଂକଳ୍ପରେ ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ ଭାରତ ୩-୧ ଗୋଲରେ ଚୀନ୍କୁ ହରାଇ ଟାଇଟଲ୍ ହାତେଇଛି। ଦୀପିକାଙ୍କ ଦମଦାର ଦୁଇଟି ଗୋଲ୍ ଓ ଇଶିକାଙ୍କ ଗୋଟିଏ ଗୋଲ୍ ବଳରେ ଭାରତ ଏହି ସଫଳତା ପାଇଛି। ଏହାସହ ଏହି ପ୍ରତିଯୋଗିତାରେ ସର୍ବାଧିକ ଥର ଚାମ୍ପିଅନ୍ ହେବାର କୀର୍ତ୍ତିମାନ ଭାରତ ନିଜ ନାମରେ କରିଛି। ପୂର୍ବରୁ ଭାରତ ଓ ଦକ୍ଷିଣ କୋରିଆ ସମାନ ତିନି ଥର ଲେଖାଏଁ ଟ୍ରଫି ଜିତିଥିଲେ। ଭାରତ ୨୦୧୬, ୨୦୨୩ ଏବଂ ୨୦୨୪ରେ ମଧ୍ୟ ବିଜୟୀ ହୋଇଥିଲା।
ଫାଇନାଲ ମ୍ୟାଚ୍ରେ ଚୀନ୍ ଭାରତ ବିପକ୍ଷରେ ପ୍ରଥମ ଗୋଲ୍ ଦେଇ ଅଗ୍ରଣୀ ହାସଲ କରିଥିଲା। ଚେନ୍ ୟୁଜୁନ୍ ୨୪ ମିନିଟ୍ ୫୫ ସେକେଣ୍ଡରେ ଗୋଲ୍ ସ୍କୋର କରି ଚୀନ୍କୁ ୧-୦ରେ ଆଗୁଆ କରିଥିଲେ। କିନ୍ତୁ ଭାରତୀୟ ଖେଳାଳି ମ୍ୟାଚ୍କୁ ବରାବର ସ୍ଥିତିକୁ ଆଣିବା ପାଇଁ ଭରପୂର ଚେଷ୍ଟା ଜାରି ରଖିଥିଲେ। କିନ୍ତୁ ଏଥିପାଇଁ ଭାରତକୁ ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଭାରତ ପକ୍ଷରୁ ଦୀପିକା ୩୭ ମିନିଟ୍ ୫୦ ସେକେଣ୍ଡରେ ଗୋଲ୍ ଦେଇ ସ୍କୋରକୁ ୧-୧ କରିଥିଲେ। ଏହାର ପ୍ରାୟ ସାଢ଼େ ତିନି ମିନିଟ୍ ପରେ ଅର୍ଥାତ୍ ୪୧ ମିନିଟ୍ ୧୫ ସେକେଣ୍ଡରେ ଇଶିକା ମଧ୍ୟ ଆଉ ଏକ ଗୋଲ୍ ସ୍କୋର କରିବାରେ ସଫଳ ହୋଇଥିଲେ, ଯାହାଫଳରେ ଭାରତକୁ ୨-୧ର ଅଗ୍ରଣୀ ମିଳିଥିଲା। ତେବେ ଖେଳର ୪୨ ମିନିଟ୍ ୨୫ ସେକେଣ୍ଡରେ ଦୀପିକା ତାଙ୍କର ଦ୍ୱିତୀୟ ଗୋଲ୍ ଦେଇ ଭାରତର ଅଗ୍ରଣୀକୁ ୩-୧ରେ ପହଞ୍ଚାଇଥିଲେ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଟୁର୍ଣ୍ଣାମେଣ୍ଟରେ ଭାରତ ଗୋଟିଏ ବି ମ୍ୟାଚ୍ ହାରିନାହିଁ। ଭାରତ ଲିଗ୍ ପର୍ଯ୍ୟାୟରେ ମାଲେସିଆ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ଚୀନ୍ ଏବଂ ଜାପାନକୁ ପରାସ୍ତ କରିଥିଲା। ପରେ ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲରେ ମାଲେସିଆକୁ ୬-୨ ଗୋଲରେ ହରାଇ ଭାରତ ଫାଇନାଲ୍ ମ୍ୟାଚ୍ରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଦୀପିକା ଦୁଇଟି ଗୋଲ୍ ଦେଇଥିଲେ। ତାଙ୍କ ବ୍ୟତୀତ ମୁମତାଜ୍ ଖାନ୍, ନବନୀତ କୌର, ସୁନେଲିତା ଟପ୍ପୋ ଏବଂ ଇଶିକା ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଅନ୍ୟ ସେମିଫାଇନାଲରେ ଚୀନ୍ ଜାପାନକୁ ୧-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା।


