ନୂଆଦିଲ୍ଲୀ: ଭାରତ ଏବଂ ଡେନମାର୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଡେନମାର୍କର ବୈଦେଶିକ ମନ୍ତ୍ରୀ ଲାର୍ସ ଲୋକେ ରାସମୁସେନଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନାରେ ଉଭୟ ଦେଶ ସେମାନଙ୍କ ସମ୍ପର୍କକୁ ‘ବ୍ୟାପକ ସବୁଜ ରଣନୈତିକ ଭାଗିଦାରୀ’ ସ୍ତରକୁ ଉନ୍ନୀତ କରିବାକୁ ସହମତ ହୋଇଛନ୍ତି। ଏଥିସହ ୨୦୨୭-୩୧ ପାଇଁ ଏକ ମିଳିତ କାର୍ଯ୍ୟ ଯୋଜନା ଗ୍ରହଣ କରାଯାଇଛି। ଗତ ମେ ମାସରେ ଓସଲୋଠାରେ ଅନୁଷ୍ଠିତ ନର୍ଡିକ୍ ସମ୍ମିଳନୀ ଅବସରରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା ସହ ପ୍ରତିରକ୍ଷା, ସାମୁଦ୍ରିକ ବ୍ୟାପାର, ଅକ୍ଷୟ ଶକ୍ତି, ନବସୃଜନ, ସ୍ୱାସ୍ଥ୍ୟ, କୃଷି ଓ ମହାକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ଡେନମାର୍କକୁ ‘ବିକଶିତ ଭାରତ’ ଅଭିଯାନର ଏକ ପ୍ରମୁଖ ଅଂଶୀଦାର ଭାବେ ଅଭିହିତ କରି ଜୟଶଙ୍କର କହିଛନ୍ତି ଯେ ଜଳ ପରିଚାଳନା, ସ୍ୱଚ୍ଛ ଶକ୍ତି ଏବଂ ସବୁଜ ଜାହାଜ ଚଳାଚଳ କ୍ଷେତ୍ରରେ ଡେନମାର୍କର ବୈଷୟିକ ଦକ୍ଷତା ଭାରତର ବିଶାଳ ବଜାର ଓ ସାମର୍ଥ୍ୟ ସହ ଯୋଡ଼ି ହୋଇ ନୂଆ ସୁଯୋଗ ସୃଷ୍ଟି କରିବ। ଅଧିକ ଦ୍ୱିପାକ୍ଷିକ ବ୍ୟବସାୟିକ ସହଭାଗିତା ପାଇଁ ମଧ୍ୟ ସେ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷରେ ରାସମୁସେନ୍ ଭାରତକୁ ଏକ ଉଦୀୟମାନ ମହାଶକ୍ତି ତଥା ନିୟମ-ଆଧାରିତ ବହୁପାକ୍ଷିକ ବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି କହିଛନ୍ତି। ଉଭୟ ନେତା ରୁଷ-ୟୁକ୍ରେନ ସଂଘର୍ଷ, ଚୀନ୍ ଏବଂ ମଧ୍ୟପ୍ରାଚ୍ୟ ସମେତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ମତ ବିନିମୟ କରିଥିଲେ।
ଏହି ଅବସରରେ ଦକ୍ଷତା ବିକାଶ, ଧନ୍ଦାମୂଳକ ତାଲିମ, ଆଇଏଫ୍ଏସ୍ସିଏ ଏବଂ ଡେନମାର୍କ ଆର୍ଥିକ ପର୍ଯ୍ୟବେକ୍ଷକ ପ୍ରାଧିକରଣ ମଧ୍ୟରେ ଆର୍ଥିକ ସେବା ସହଯୋଗ ନେଇ ରାଜିନାମା ହୋଇଛି। ଏଥିସହ ସୋଲାପୁର, ଉମରେଡ, ଡିଆଇ ୱାଟର ଏବଂ ଆରହୁସକୁ ସାମିଲ କରି ମହାରାଷ୍ଟ୍ରରେ ସ୍ଥାୟୀ ଜଳ ପରିଚାଳନା ସମ୍ବନ୍ଧୀୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦିନକ ପୂର୍ବରୁ ବେଙ୍ଗାଲୁରୁସ୍ଥିତ ଇସ୍ରୋ, ହାଲ୍ ଏବଂ ବିଭିନ୍ନ ନବସୃଜନ କେନ୍ଦ୍ର ପରିଦର୍ଶନ କରିବା ପରେ ରାସମୁସେନ୍ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ରଣନୈତିକ ସମ୍ପର୍କ ତଥା ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଉପରେ ଆଲୋଚନା କରିଥିଲେ।


