ପ୍ରେମିକକୁ ସ୍ବାମୀ କହି କ୍ବାରେଣ୍ଟାଇନ୍‌ରେ ଏକାଠି ରହିଲେ ମହିଳା କନେଷ୍ଟବଳ, ସତ ସାମ୍ନାକୁ ଆସିବା ପରେ ଜାଣନ୍ତୁ କ’ଣ ହେଲା

Published: Jul 18, 2020, 11:31 am IST

ନାଗପୁର :  କ୍ବାରେଣ୍ଟାଇନ୍‌ ବା ସଙ୍ଗରୋଧ କେନ୍ଦ୍ରରେ ରହି କରୋନାରୁ ସୁସ୍ଥ ହେବାକୁ ଉଦ୍ଦିଷ୍ଟ ହୋଇଥିବାବେଳେ କେହି କେହି ଏହାର ଫାଇଦା ଉଠାଇବାକୁ ଚାହୁଁଛନ୍ତି । ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ସଙ୍ଗରୋଧ କେନ୍ଦ୍ରଗୁଡିକ କରୋନାର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ଏହି କେନ୍ଦ୍ରରେ ନିଜ ପ୍ରେମୀ ସହ ଏକାଠି ରହିବାର ପ୍ଲାନ୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ମହିଳା କନେଷ୍ଟବଳ ।

ମହାରାଷ୍ଟ୍ର ନାଗପୁର ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁଆସିଛି । ଯେଉଁଠାରେ ଜଣେ ମହିଳା କନେଷ୍ଟବଳ ନିଜ ପ୍ରେମିକକୁ ନିଜ ସ୍ବାମୀ ରୂପେ ପରିଚୟ ଦେଇ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏହି ଘଟଣାଟି ବେଶ୍‌ ରୋଚକ୍‌ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁସାରେ ବଜାଜ ନଗର ଥାନାରେ ଜଣେ ମହିଳା କନେଷ୍ଟବଳ ଓ  ତାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟର ପଠାଯାଇଥିଲା । ମହିଳା କନେଷ୍ଟବଳ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ନିଜକୁ ବିବାହିତ କହିବା ସହ ତାଙ୍କ ସ୍ବାମୀ ପୋଷ୍ଟାଲ୍‌ ଡିପାର୍ଟମେଣ୍ଟରେ କାର୍ଯ୍ୟ କରୁଥିବାର କହିଥିଲେ । ତାଙ୍କୁ ମଧ୍ୟ କ୍ବାରେଣ୍ଟାଇନ୍‌ ରଖିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ମହିଳା କନେଷ୍ଟବଳ ଜଣକ ତାଙ୍କ ପ୍ରେମିକକୁ ସ୍ବାମୀ ବୋଲି ଦର୍ଶାଇ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖିବାରେ ସଫଳ ହୋଇଥିଲେ। କିନ୍ତୁ ତାଙ୍କ ପ୍ରେମିକ ଜଣକ ବିବାହିତ ଥିଲେ । ତିନି ଦିନ ଘରେ ନ ପହଞ୍ଚିବା ପରେ ତାଙ୍କ ସ୍ତ୍ରୀ ଏହି ଘଟଣାର ଅନୁସନ୍ଧାନ କରି କ୍ବାରେଣ୍ଟାଇନ୍‌ ସେଣ୍ଟରରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ତାଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟର ଭିତରକୁ ଯିବାକୁ ଦିଆଯାଇନଥିଲା । ଏହାପରେ ସ୍ତ୍ରୀ ବଜାଜ ନଗର ଥାନାରେ ଏତଲା ଦେଇଥିଲେ । ଏହା ପରେ ପୋଲିସ୍‌ ଆୟୁକ୍ତ ଡ. ଭୂଷଣ କୁମାର ଉପାଧ୍ୟାୟ ଏହି ଘଟଣାର ଯାଞ୍ଚର ଆଦେଶ ଦେଇଥିଲେ ।

ମହିଳା କନେଷ୍ଟବଳ ଜଣକ ଅବିବାହିତା ଥିବାବେଳେ ଜଣେ ସହକର୍ମୀଙ୍କ ସହ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ମହିଳାଙ୍କ ପ୍ରେମୀଙ୍କୁ ପୃଥକ କ୍ବାରେଣ୍ଟାଇନ୍‌ କରାଯାଇଛି । ସୂଚନାଯୋଗ୍ୟ, ମହିଳା କନେଷ୍ଟବଳ ଜଣକ ଗତ ବର୍ଷ ଅକ୍ଟୋବରରେ ପୋଷ୍ଟାଲ୍‌ ଡିପାର୍ଟମେଣ୍ଟରେ ସାକ୍ଷାତ କରିଥିଲେ । ଏହାପରେ ଦୁହେଁ ସମ୍ପର୍କରେ ଆସିଥିଲେ । (ଏଜେନ୍ସି)

Related posts