ମିଳିଲାନି ସେବାର ମୂଲ୍ୟ: ସମସ୍ତଙ୍କ ପାଇଁ ବାହାରିଲେ, ଏବେ ତାଙ୍କ ପାଇଁ କେହି ନାହିଁ

Published: Jul 19, 2020, 6:04 pm IST

ନୂଆଦିଲ୍ଲୀ, କରୋନା ଭୂତାଣୁର ଭୟ ଭିତରେ ଯିଏ ସାହସର ସହିତ କୋଭିଡ-19 ମୃତକଙ୍କ ଅନ୍ତିମ ସଂସ୍କାର ଭଳି ମହତ କାମ କରି ଆସିଛନ୍ତି, ସେ କରୋନା ସଂକ୍ରମିତ ହେବା ପରେ ଆଜି ତାଙ୍କ ପାଖରେ କେହି ନାହାଁନ୍ତି। ଏପରିକି ସରକାର ମଧ୍ୟ ଆଖି ବୁଜି ଦେଇଛନ୍ତି।

ଏ ହେଉଛନ୍ତି ଦିଲ୍ଲୀର ଜିତେନ୍ଦ୍ର ସିଂ ସୁଣ୍ଟି। କୋଭିଡ-19 ମୃତକଙ୍କ ପାଖକୁ କେହି ଯିବାକୁ ସାହସ କରୁନଥିବା ବେଳେ ଜିତେନ୍ଦ୍ର ଏଥିପାଇଁ ଆଗେଇ ଆସି ସେମାନଙ୍କର ଶେଷକୃତ୍ୟ କରିବାରେ ମୁଖ୍ୟ ଭୂମିକା ତୁଲାଇଛନ୍ତି। ଏହାବାଦ୍ ଅନେକ କୋଭିଡ ରୋଗୀଙ୍କୁ ସେ ହସ୍ପିଟାଲ ନେବା ଓ ସୁସ୍ଥ ହେବା ପରେ ଘରେ ଛାଡ଼ିବା ଭଳି ମହତ କାମ କରିଛନ୍ତି। ଏହି କାମ କରି କରି ଏବେ ସେ ଓ ତାଙ୍କ ପରିବାର କରୋନାରେ ଆକ୍ରାନ୍ତ।

ହେଲେ ଏବେ ତାଙ୍କଠାରୁ ସମସ୍ତେ ଦୂରେଇ ଯାଇଛନ୍ତି। ଏପରିକି ଦିଲ୍ଲୀ ସରକାରଙ୍କ ପକ୍ଷରୁ ତାଙ୍କୁ କିଛି ସହାୟତା ମିଳୁନାହିଁ। ଚାରିମାସ ହେଲା ଜିତେନ୍ଦ୍ର ଦିଲ୍ଲୀର ବିବେକ ବିହାରରେ ସହିଦ ଭଗତ ସିଂହ ସେବା ଦଳ ଜରିଆରେ ସାମାଜିକ ସେବା କରି କୋଭିଡ ସଂକ୍ରମିତ ନେବା ଆଣିବା, ମୃତକଙ୍କ ସଂସ୍କାର ଆଦି କାମ କରୁଥିଲେ। ଏଥିପାଇଁ 18ଟି ଗାଡି ଲଗାଇଥିଲେ। ତାଙ୍କୁ ଏଥିରେ ସହଯୋଗ କରୁଥିଲେ 22 ଜଣ ସ୍ବେଚ୍ଛାସେବୀ।

ସେ ଓ ତାଙ୍କ ଦଳ 251 ଜଣ କୋଭିଡ ରୋଗୀଙ୍କ ନେବା ଆଣିବା କରିବା ସହ କରୋନାରେ ମୃତକ 37 ଜଣଙ୍କ ଶେଷକୃତ୍ୟ ସମାପନ କରିଥିଲେ । ଯିଏ ଅନ୍ୟ ପାଇଁ ସବୁ କିଛି କରୁଥିଲା,ତାଙ୍କ ପାଇଁ ଆଜି କେହି ନାହିଁ। ଜିତେନ୍ଦ୍ର ଜୁନ 30ରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ପତ୍ନୀ ଓ ଦୁଇ ପୁଅ ବି ଆକ୍ରାନ୍ତ ହୋଇଛନ୍ତି।

Related posts