ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ପରଲୋକ

Published: Jul 21, 2020, 8:57 am IST

ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନଙ୍କ ପରଲୋକ ହୋଇଛି । 85 ବର୍ଷ ବୟସରେ ଲାଲାଜୀ ଟଣ୍ଡନ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଲାଲ୍‌ଜୀଙ୍କ ପୁଅ ଆଶୁତୋଷ ଟଣ୍ଡନ । ବିଗତ କିଛି ଦିନ ହେବ ଲାଲ୍‌ଜୀ ଟଣ୍ଡନ ଅସୁସ୍ଥ ଥିଲେ । ଲକ୍ଷ୍ନୌଠାରେ ତାଙ୍କର ଚିକିତ୍ସା ଚାଲିଥିଲା ।

ବିଳମ୍ବିତ ରାତ୍ରିରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା । ଗମ୍ଭୀର ଅବସ୍ଥାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।  ତେବେ ଆଜି ସକାଳ 5ଟା35 ମିନିଟ୍‌ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଜୁନ୍‌ 11 ତାରିଖରେ ଲାଲ୍‌ଜୀ ଟଣ୍ଡନ୍‌ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲାଲ୍‌ଜୀଙ୍କ ଅସୁସ୍ଥତା ଯୋଗୁଁ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ୍‌ଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତି ଦାୟିତ୍ବ ଦିଆଯାଇଛି ।

1935 ମସିହା ଅପ୍ରେଲ୍‌ 12 ତାରିଖରେ ଜନ୍ମଗ୍ରହଣ କରିଥିଲା ଲାଲ୍‌ଜୀ ଟଣ୍ଡନ୍‌ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ରୂପେ ରହିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବହୁ ନିକଟତର ଥିଲେ ଲାଲ୍‌ଜୀ ।  ଲାଲ୍‌ଜୀ ଟଣ୍ଡନ୍‌ ବହୁଥର ବିଧାନସଭାର ସଦସ୍ୟ ଓ ବିଧାନପରିଷଦର ସଦସ୍ୟ ରୂପେ ରହିଛନ୍ତି । ଲାଲ୍‌ଜୀ ଟଣ୍ଡନ୍‌ ବିଏସ୍‌ପି-ବିଜେପି ମେଣ୍ଟ ଓ କଲ୍ୟାଣ ସିଂହ ସରକାରରେ ମନ୍ତ୍ରୀ ରୂପେ ମଧ୍ୟ କାର୍ଯ୍ୟ କରିଛନ୍ତି ।

2009 ମସିହାରେ ଲକ୍ଷ୍ନୌ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ଲାଲ୍‌ଜୀ ।  ଅଗଷ୍ଟ 23, 2018 ମସିହାରେ ବିହାରର ରାଜ୍ୟପାଳ ହୋଇଥିଲେ ଲାଲ୍‌ଜୀ ଟଣ୍ଡନ୍‌ । ଏହା ପରେ ଜୁଲାଇ 29, 2019 ମସିହାରେ ସେ ମଧ୍ୟପ୍ରଦେଶରେ ରାଜ୍ୟପାଳ ରୂପେ ଅବସ୍ଥାପିତ ଥିଲେ । (ଏଜେନ୍ସି)

Related posts