ଦିଲ୍ଲୀରେ ଆପ୍‌ ସହ କଂଗ୍ରେସର ମେଣ୍ଟକୁ ନେଇ ଦଳରେ ଭିନ୍ନ ମତ

Published: Mar 14, 2019, 5:49 pm IST

କିଛିଦିନ ହେବ ଦିଲ୍ଲୀରେ ରାଜନୀତିର ତାପମାତ୍ରା ବହୁତ ଗରମ ରହିଛି। ଦିଲ୍ଲୀରେ ଆପ୍‌ ସହ କଂଗ୍ରେସର ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରୀଓ୍ବାଲ୍‌ କଂଗ୍ରେସ ସହ ମେଣ୍ଟ କରିବାକୁ ଆଗ୍ରହୀ ଥିବାବେଳେ କଂଗ୍ରେସର ଏହି ମେଣ୍ଟକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି। ଚଳିତ ଲୋକସଭା ନିର୍ବାଚନରେ ମୋଦିଙ୍କୁ ମାତ୍‌ ଦେବା ପାଇଁ ଅରବିନ୍ଦ କେଜ୍‌ରିଓ୍ବାଲ ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଥିବାବେଳେ କଂଗ୍ରେସ ସଫା ସଫା ମନା କରିଦେଇଥିଲା। ସେହି ସମୟରେ ଆପ୍‌ ମଧ୍ୟ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରି ବିଜେପି ସହ ଗୁପ୍ତ ବୁଝାମଣା କରିଥିବାର ଅଭିଯୋଗ କରିଥିଲା। ଏବେ ପୁଣି ଥରେ ପଞ୍ଜାବ ଓ ହରିୟାଣାରେ କଂଗ୍ରେସ ସହ ମିଳିତ ଭାବରେ ନିର୍ବାଚନ ଲଢିବାକୁ ଆପ୍‌ କଂଗ୍ରେସକୁ ନିବେଦନ କରିଛି। ପଞ୍ଜାବରେ ଅମରିନ୍ଦର ସିଂହ ଏହି ମେଣ୍ଟକୁ ମନା କରିଥିବାବେଳେ ଏହି ଭିତରେ କଂଗ୍ରେସର ଦିଲ୍ଲୀର ପ୍ରଭାରୀ ପିସି ଚାକୋଙ୍କ ଏକ ଅଡ଼ିଓ ଭାଇରାଲ୍‌ ହୋଇଛି । ଯେଉଁଥିରେ ବିଜେପିକୁ ଟକ୍କର ଦେବା ପାଇଁ ଆପ୍‌ ସହ କଂଗ୍ରେସ ହାତ ମିଶାଇବା ନେଇ କର୍ମୀଙ୍କ ରାୟ ମାଗିଛନ୍ତି। ଏହି ଅଡ଼ିଓକୁ ନେଇ ଦିଲ୍ଲୀର କଂଗ୍ରେସ ମୁଖ୍ୟ ଶିଲା ଦୀକ୍ଷିତ୍‌ଙ୍କୁ ଏ ବିଷୟରେ ପଚରାଯିବାରୁ ସେ ଏହି ବିଷୟରେ କିଛି ଜାଣିନାହାନ୍ତି ବୋଲି ଉତ୍ତର ଦେଇଛନ୍ତି। କିନ୍ତୁ ଦିଲ୍ଲୀର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ଅଜୟ ମାକେନ୍‌ଙ୍କ ବୟାନ ଶୀଲାଙ୍କ ବୟାନଠାରୁ ପୂରା ଭିନ୍ନ ରହିଛି। ଅଜୟ ମାକେନ୍‌ କହିଛନ୍ତି ଯେ, ୫୨,୦୦୦ କାର୍ଯ୍ୟକର୍ତ୍ତାଙ୍କ ସହ ଶକ୍ତି ଆପ୍‌ ଜରିଆରେ ସର୍ଭେ କରାଯାଉଛି, ଯାହାର ଆଧାରରେ ନିର୍ଣ୍ଣୟ ନିଆଯିବ।  ଶିଲା ଓ ଅଜୟଙ୍କ ମନ୍ତବ୍ୟ ଶୁଣିବା ପରେ ଆପ୍‌କୁ ନେଇ କଂଗ୍ରେସର ଏବେ ଦୁଇ ମତ ସୃଷ୍ଟି ହୋଇଛି। ଗୋଟିଏ ପଟେ ଶିଲା ଏହାକୁ ବିରୋଧ କରୁଥିବାବେଳେ ଅନ୍ୟ ପଟେ ଅଜୟ ମାକନ ଓ ପିସି ଚାକୋ ଏହାକୁ ସମର୍ଥନ କରୁଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀର ୭ଟି ଲୋକସଭା ସିଟ୍‌ ରହିଛି ଏଠାରେ ଆମ୍‌ଆଦ୍‌ମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବାର ରହିଛି।

Related posts