ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଦାନରେ ମିଳିଲା ୩୪ କିଲୋ ଓଜନର ସୁନା ଇଟା

Published: Jul 21, 2020, 8:35 pm IST

ନୂଆଦିଲ୍ଲୀ, ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିର ନିର୍ମାଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଆସନ୍ତା ଅଗଷ୍ଚ ୩ କିମ୍ବା ୫ ତରିଖରେ ହୋଇପାରେ। ଏଥିସହିତ ମନ୍ଦିର ନିର୍ମାଣ ପାଇଁ ଦାନ ମିଳିବା ଆରମ୍ଭ ହୋଇଯାଇଛି। ଇଣ୍ଡିଆନ୍‌ ବୁଲିଅନ୍‌ ଜୁଏଲର୍ସ ଆସୋସିଏସନର ମଙ୍ଗଳବାର ଦିନ ମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ପ୍ରାୟ ୩୪ କିଲୋଗ୍ରାମ ଓଜନ ବିଶିଷ୍ଟ ସୁନାର ଇଟା ଦାନ କରିଛନ୍ତି।

ମନ୍ଦିର ଆକାର ଏବଂ ଡିଜାଇନ୍‌କୁ ପରିବର୍ତ୍ତନ କରିବା ପାଇଁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷର ସବୁଜ ସଙ୍କେତ ମିଳିଛି। ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିର ଯଦି ନୂଆ ଆକାର ଓ ଡିଜାଇନ୍‌ରେ ନିର୍ମାଣ ହୁଏ ତେବେ ଏହା ବିଶ୍ୱର ଅନ୍ୟତମ ବୃହତ୍ତମ ହିନ୍ଦୁ ମନ୍ଦିର ହେବ।

ନୂଆ ଆକାର ଏବଂ ଡିଜାଇନ୍‌ ଅନୁଯାୟୀ, ମନ୍ଦିରର ଓସାର ୧୪୦ ଫୁଟରୁ ୨୭୦- ୨୮୦ ଫୁଟକୁ ବୃଦ୍ଧି ହେବାର ସମ୍ଭାବନା ଅଛି । ସେହିପରି ମନ୍ଦିର ଲମ୍ବ ୨୬୮ରୁ ୨୮୦-୩୦୦ ଫୁଟକୁ ବୃଦ୍ଧି ହୋଇପାରେ। ଏଥିସହିତ ମନ୍ଦିରର ଉଚ୍ଚତା ୧୨୮ ଫୁଟ ରହିଥିବା ବେଳେ ଏହା ୧୬୧ ଫୁଟକୁ ବୃଦ୍ଧି କରାଯାଇପାରେ।

ଏହି ପ୍ରକଳ୍ପର ମୁଖ୍ୟ ନିର୍ମାତା ଚନ୍ଦ୍ରକାନ୍ତ ସୋମପୁରାଙ୍କ ପୁଅ ସ୍ଥପତି ନିଖିଲ ସୋମପୁରା ଏବଂ ଆଶିଷ ସୋମପୁରା ମନ୍ଦିରର ପରିବର୍ତ୍ତିତ ନୂଆ ନକ୍ସା ପ୍ରସ୍ତୁତ କରିବେ। ମନ୍ଦିରର ନୂଆ ନକ୍ସା ଆଙ୍କିଲା ବେଳେ ମୌଳିକ ନକ୍ସାରେ କୌଣସି ପରିବର୍ତ୍ତନ କରିବେ ନାହିଁ ବୋଲି ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଉତ୍ତରାଧିକାରୀ ମହନ୍ତ କମଲ ନୟନ ଦାସ କହିଛନ୍ତି।

Related posts