ମୋଦୀଙ୍କ ‘ମନ୍‌କୀବାତ୍‌’ରେ ଭୁବନେଶ୍ବରସ୍ଥିତ କୌଶଲ୍ୟାଗଂଗା ‘ସିଫା’ ର ମୁକ୍ତାଚାଷୀ ଜୟଶଙ୍କର

Published: Jul 28, 2020, 9:28 pm IST

ଭୁବନେଶ୍ୱର: ପ୍ରତିବର୍ଷ କୃଷକ ଏବଂ ଯୁବପିଢ଼ୀଙ୍କ ପାଇଁ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥା(ସିଫା), କୌଶଲ୍ୟାଗଙ୍ଗରେ ମୁକ୍ତାଚାଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ପ୍ରଶିକ୍ଷଣ ପାଇସଫଳତା ହାସଲ କରିଥିବା ଜଣେ ମୁକ୍ତାଚାଷୀଙ୍କୁ ମନ୍‌କୀବାତ୍‌-୨.୦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁୟସୀ ପ୍ରଶଂସା କରିଛନ୍ତି। ବିହାରର ବେଗୁସରାଇ ଅଂଚଳର ଏହି ସରକାରୀ କର୍ମଚାରୀ ତଥା ମୁକ୍ତାଚାଷୀ ଜୟଶଂକର କୁମାର ସିଫାରେ ମୁକ୍ତାଚାଷ ପ୍ରଶିକ୍ଷଣ ନେଇ ନିଜର ମୁକ୍ତାଚାଷ ଆରମ୍ଭ କରିଥିଲେ।

ପରବର୍ତୀ ସମୟରେ ‘ସମନ୍ୱିତ କୃଷି’ ପ୍ରଣାଳୀରେମାଛ, କୁକୁଡ଼ା, ବତକ ଓ ଜିଆଖତ ସହ ମୁକ୍ତାଚାଷ ମଧ୍ୟ କରୁଛନ୍ତି । କୁମାର ହେଉଛନ୍ତି ଜଣେ ଉତ୍ସାହୀ, ଅଭିନବ ଚିନ୍ତାଧାରା ପୋଷଣ କରୁଥିବା କୁଶଳୀ ଉଦ୍ୟୋଗୀ ଯିଏ ସିଫା ସହିତ ନିୟମିତ ସଂପର୍କ ରକ୍ଷା କରି ସ୍ୱକୌଶଳ ବିକାଶ କରି ଆସୁଛନ୍ତି । ସେ ଜଣେ ସଫଳ ମୁକ୍ତାଚାଷୀ,ଯେ କି ନିଜେ ମୁକ୍ତାଚାଷ କରିବା ସହ ଅନ୍ୟ ଆଗ୍ରହୀ ଚାଷୀ ତଥା କୋଭିଡ-୧୯ ର ଦୁର୍ଦ୍ଦଶା ସମୟରେ ଗାଁ କୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ମୁକ୍ତାଚାଷ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ ହେବା ପାଇଁ ଉତ୍ସାହିତ କରୁଛନ୍ତି।

ପ୍ରଧାନମନ୍ତ୍ରୀ ଗତ ଜୁଲାଇ ୨୬ ତାରିଖ ଦିନ ପ୍ରସାରିତ ତାଙ୍କର ମନ୍‌କୀବାତ୍‌-୨.୦ ର ଚତୁର୍ଦ୍ଦଶତମ ଅଧ୍ୟାୟରେ ସମ୍ବୋଧନକରି ଆୟବୃଦ୍ଧି ପାଇଁ ନୂତନ ଚିନ୍ତାଧାରା ପୋଷଣ କରୁଥିବା କୃଷକମାନଙ୍କର କାର୍ଯ୍ୟଧାରାକୁ ପ୍ରଶଂସା କରିବାସହ ଆତ୍ମ ନିର୍ଭର ଭାରତ ପାଇଁ ଏଭଳି ଉଦ୍ୟମର ଗୁରୁତ୍ୱ ବର୍ଣ୍ଣନା କରିଥିଲେ। ଭାରତୀୟ କୃଷି ଗବେଷଣା ପରିଷଦର ଉପ-ମହାନିର୍ଦ୍ଦେଶକ ଡଃ ଜୟକୃଷ୍ଣ ଜେନା ଓ ସିଫାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ପ୍ରଧାନମନ୍ତ୍ରୀଙ୍କ ମନ୍‌କୀବାତ୍ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବା ସଫଳ ଚାଷୀ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Related posts