ଟାଙ୍ଗୀ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ

Published: Jul 30, 2020, 10:35 am IST

ସୀତରାମ ଅଗ୍ରଓ୍ବାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତକାଲି ରାତ୍ରିରେ ପାଖାପାଖି ୮ ଟା ୩0 ମିନିଟ୍‌ ସମୟରେ ତହସିଲଦାରଙ୍କୁ ଅତର୍କିତ ଆକ୍ରମଣ ହୋଇଥିବାର ସୂଚନା ରହିଛି। ଗତକାଲି ପାତ୍ରପଡା ଖଣି ଠାରେ ଏକ ବେଆଇନ ମାଙ୍କଡା ପଥର ଚାଲାଣ ହେଉଥିବା ସମୟରେ ଟାଙ୍ଗୀ ତହସିଲଦାର ତାଙ୍କ ଟିମ୍‌ଙ୍କ ସହ ଚଢାଉ କରିଥିଲେ। ସେଠାରେ ଏକ ବଡ ଟ୍ରକ୍‌କୁ ଜବତ କରି ଟାଙ୍ଗୀ ତହସିଲ କାର୍ଯ୍ୟାଳୟକୁ ଫେରୁଥିବା ସମୟରେ ଆକ୍ରମଣ ହୋଇଥିବାର ସୂଚନା ମିଳିଛି। ଜବତ କରିଥିବା ଗାଡିଟି ଟାଙ୍ଗୀ ଅଭିମୁଖେ ଯିବା ସମୟରେ ତହସିଲଦାରଙ୍କ ଏସ୍କର୍ଟ ଟିମ କୁ ବାମ ପଟୁ ପ୍ରଥମେ ଧକା ଦେଇଥିଲା। ଏଥିରେ ବିଚଳିତ ନହୋଇ ତହସିଲଦାର ଗାଡ଼ିର ପିଛା କରଥିଲେ। ଚାନ୍ଦପୁର ଥାନା ରଣପୁର ତହସିଲ ଅନ୍ତର୍ଗତ ବେଣ୍ଟ ଗାଁ ନିକଟରେ ଟ୍ରକ କୁ ଠିଆ କରି ଟ୍ରକ ଡ୍ରାଇଭର ଦୌଡ଼ି ପଳେଇଥିଲା।

ପୂର୍ବ ଯୋଜନା ଅନୁଯାୟୀ ସେଠାରେ ରହିଥିବା କିଛି ଦୁର୍ବୁତ୍ତ ତହସିଲଦାର ଏବଂ ତାଙ୍କ ଟିମ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ତହସିଲଦାରଙ୍କ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ଟାଙ୍ଗୀ ରାଜସ୍ବ ନିରୀକ୍ଷକ ଆହତ ହୋଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ତହସିଲଦାର ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ଟେଲିଫୋନ ଯୋଗେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷିକଙ୍କୁ ଉକ୍ତ ଘଟଣା ବିଷୟରେ ଅବଗତ କରାଇଛନ୍ତି ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଟାଙ୍ଗୀ ତହସିଲଦାର ଅଶ୍ବିନୀ ଦାସ ଗତ ତିନି ମାସ ପୂର୍ବେ କାର୍ଯ୍ୟରେ ଯୋଗ ଦେଇଥିବାବେଳେ ବେଆଇନ ଚଢାଉକୁ କଡାକଡି କରିଛନ୍ତି। ଗତ ତିନିମାସ ଧରି ତହସିଲଦାରଙ୍କ ଅଚାନକ ଚଢାଉ ଯୋଗୁଁ ପଥର ମାଫିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜଣେ ଦକ୍ଷ ତଥା ନିଷ୍ଠାପର ଅଧିକାରୀଙ୍କ କାର୍ଯ୍ୟକୁ ସୁରକ୍ଷା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଆଗାମୀ ସମୟରେ ଧରପଗଡକୁ ଆହୁରି କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ତହସିଲଦାର।

Related posts