ଯେତେ ରୋଗୀ ଚିହ୍ନଟ ହେବେ ସେତେ ଭଲ, ଗଂଜାମରୁ କମୁଛି ପଜିଟିଭ ସଂଖ୍ୟା, ପଢନ୍ତୁ ପୂରା ଖବର

Published: Jul 30, 2020, 5:56 pm IST

ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ ଅଧିକରୁ ଅଧିକ କୋଭିଡ-19 ପରୀକ୍ଷା କରାଯାଉଛି। ଟେଷ୍ଟିଂ ସଂଖ୍ୟା 5 ଲକ୍ଷ ଟପିଛି। ଯେତେ ଶୀଘ୍ର ରୋଗୀ ଚିହ୍ନଟ ହେବେ, ସେତେ ଶୀଘ୍ର କରୋନା ମୁକାବିଲା କରିବାରେ ଆମେ ସଫଳ ହେବା ବୋଲି କହିଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।

ରାଜ୍ୟରେ ଏବେ 54ଟି ଜାଗାରେ ଟେଷ୍ଟିଂ କରାଯାଉଛି। ଅଧିକରୁ ଅଧିକ ଟେଷ୍ଟିଂ କରାଯାଉଥିବାରୁ ପଜିଟିଭ ସଂଖ୍ୟା ବଢୁଛି। ଅଧିକ ଟେଷ୍ଟିଂର ସୁଫଳ ଏବେ ଗଂଜାମ ଜିଲ୍ଲାରୁ ଦେଖିବାକୁ ମିଳୁଥିବା ପଣ୍ଡିତ କହିଛନ୍ତି। ଗଂଜାମରେ ଏବେ ଦୈନିକ 2 ହଜାରରୁ ଅଧିକ ଟେଷ୍ଟ କରାଯାଉଛି। ଗତ ତିନି ଚାରି ଦିନ ହେଲା ଗଂଜାମରେ ପଜିଟିଭ ସଂଖ୍ୟା କମି ଚାଲିଥିବା ସେ କହିଛନ୍ତି। ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଔଷଧ, ବେଡ୍, ହସ୍ପିଟାଲ ପର୍ଯ୍ୟାପ୍ତ ରହିଛି।

ଗୋଟିଏ ଟେଷ୍ଟରେ ପଜିଟିଭ ଏବଂ ଅନ୍ୟ ଟେଷ୍ଟରେ ନେଗେଟିଭ ଘଟଣା ନେଇ ପ୍ରତିକ୍ରିୟାରେ ପଣ୍ଡିତ କହିଛନ୍ତି ଯେ, ପ୍ରଥମ ଟେଷ୍ଟ ବେଳେ ରୋଗୀ ସଂକ୍ରମିତ ହୋଇନଥିବେ ଏବଂ ପରେ ସଂକ୍ରମିତ ହୋଇଥିବେ। ଥରେ ଟେଷ୍ଟ ହେଲା ପରେ ଜଣେ ଯେ ଆଉ ସଂକ୍ରମିତ ହେବେନି ତାହା ଭାବିବା ଭୁଲ୍ ବୋଲି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା କହିଛନ୍ତି।

Related posts