କରୋନା ମୁକାବିଲା ପାଇଁ 890 କୋଟି ଦେଲା କେନ୍ଦ୍ର

Published: Aug 6, 2020, 5:07 pm IST

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ କେନ୍ଦ୍ର ଦ୍ବିତୀୟ ଦଫା ସହାୟତା ରାଶି ପ୍ରଦାନ କରିଛି । ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ସମେତ 22ଟି ରାଜ୍ୟ ପାଇଁ 890 କୋଟି 32 ଲକ୍ଷର ସହାୟତା ଦେଇଛି କେନ୍ଦ୍ର । ପୂର୍ବରୁ ଏପ୍ରିଲ୍‌ ମାସରେ କେନ୍ଦ୍ର 3 ହଜାର କୋଟି ଟଙ୍କା ଦେଇଥିଲା । ସହାୟତା ନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଜଣାଇଛନ୍ତି ଧର୍ମେନ୍ଦ୍ର । ଟୁଇଟ୍‌ ଯୋଗେ ଉଭୟଙ୍କୁ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଛତିଶଗଡ, ଝାଡଖଣ୍ଡ, ମଧ୍ୟ ପ୍ରଦେଶ, ଓଡିଶା, ରାଜସ୍ଥାନ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ପଞ୍ଜାବ, ତାମିଲନାଡୁ, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ମିଜୋରାମ ଓ ସିକ୍କିମ ଆଦି ରାଜ୍ୟକୁ ଦ୍ବିତୀୟ କିସ୍ତିରେ ଆର୍ଥିକ ସାହାଯ୍ୟ ଦିଆଯାଇଛି ।

କରୋନା ଯାଞ୍ଚ,ଆରଟି-ପିସିଆର, ଆରଏନଏ ସଂଗ୍ରହ କିଟ୍, ଟୁନେଟ୍ ଓ ସିବି-ନାଟ୍ ମେସିନ କ୍ରୟ ସହ ସ୍ଥାପନ, ଉପଚାର ପାଇଁ ଭିତ୍ତିଭୂମିକୁ ମଜବୁତ କରିବା ଓ ଆଇସିୟୁରେ ବେଡର ସଂଖ୍ୟା ବଢାଇବା, ଅକ୍ସିଜେନ୍ ଜେନେଟର ସ୍ଥାପିତ କରିବା  ସହିତ ସାର୍ବଜନିକ ସ୍ବାସ୍ଥ୍ୟ ଢାଞ୍ଚାକୁ ମଜବୁତ କରିବା ପାଇଁ ଦ୍ବିତୀୟ କିସ୍ତି ଅର୍ଥ ବ୍ୟବହାର କରାଯିବ ବୋଲି ସୂଚନା ରହିଛି ।

 

Related posts