ତିର୍ତ୍ତୋଲ ତାରତୋଲ ରାସ୍ତାରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ, ମିଳୁନି ପରିଚୟ

Published: Aug 10, 2020, 5:16 pm IST

ରମେଶ ମହାନ୍ତି

ଜଗତସିଂହପୁର :ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତିର୍ତ୍ତୋଲଠାରୁ ତାରତୋଲ ରାସ୍ତାର ଗୋପିଆକୁଦ ନିକଟସ୍ଥ ଏକ ପୋଲ ଉପରୁ କ୍ଷତବିକ୍ଷତ ଅବସ୍ଥାରେ ପଡିଥିବା ଏକ ଯୁବକର ମୃତଦେହକୁ ତିର୍ତ୍ତୋଲ ପୋଲିସ ଉଦ୍ଧାର କରିଛି। ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତ୍ରି ପାଖାପାଖି ୧ଘଟିକା ସମୟରେ ତିର୍ତ୍ତୋଲ ଥାନାର ଏକ ପୋଲିସ୍ ଭ୍ୟାନ୍ ପେଟ୍ରୋଲିଂରେ ଯାଉଥିବା ବେଳେ ଗୋପିଆକୁଦ ପରେ ତାରତୋଲ ମହାନଦୀ ବ୍ରିଜ ପୂର୍ବରୁ ଥିବା ଆଖୁବିଲ ପାଖ ଏକ ଛୋଟ ପୋଲ ଉପରେ ଜଣେ ଅପରିଚିତ ଯୁବକ କ୍ଷତବିକ୍ଷତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡିଥିବା ତିର୍ତ୍ତୋଲ ପୋଲିସ ଦେଖିବା ପରେ ଯଥାଶୀଘ୍ର ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଜରିଆରେ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଯୁବକ ଜଣଙ୍କ ବ୍ଲୁ କଲର ଜିନ୍ସ ପ୍ୟାଣ୍ଟ ଓ ଘିଅ ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ମୁହଁ ରକ୍ତାକ୍ତ ହୋଇଥିବା ବେଳେ ପାଟିରୁ ଫେଣ ପରି ବାହାରୁଥିବା ଦେଖାଯାଇଛି।ଯୁବକଙ୍କ ମୃତଦେହ ପାଖରେ ଭଙ୍ଗା ମଦବୋତଲ ପଡିଥିବା ଦେଖିବାକୁ ମିଳିଛି।ମୃତଦେହ ପଡିଥିବା ଆଖପାଖରେ କୌଣସି ଦୁର୍ଘଟଣା ହେଲାପରି ଜଣାପଡୁନଥିବା ବେଳେ ସକାଳୁ ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି।ଆଖପାଖରେ କୌଣସି ବାଇକ କିମ୍ବା ଅନ୍ୟ କିଛି ନଥିବା ବେଳେ ଏହି ଅପରିଚିତ ଯୁବକ ଜଣଙ୍କ ସେଠାକୁ କିପରି ଆସିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନୁସଂନ୍ଧାନ ଚାଲିଥିବାରୁ ପୋଲିସ ମତାମତ ମିଳିପାରିନାହିଁ।

ଏହି ଅପରିଚିତ ଯୁବକର ମୃତଦେହ ଦିନ ୨ଟା ପର୍ଯ୍ୟନ୍ତ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିବା ବେଳେ ଉକ୍ତ ଯୁବକର ପରିଚୟ ମିଳିପାରିନାହିଁ ବୋଲି ତିର୍ତ୍ତୋଲ ପୋଲିସ୍ ନିକଟରୁ ସୂଚନା ମିଳିଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଥିବା ବେଳେ ଶବବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି କୁହାଯାଉଛି ।

Related posts