
ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କ ପରଲୋକରେ ଗୋଆ ସ୍ତବ୍ଧ ହୋଇଥିବା ବେଳେ ରାଜନୈତିକ ମାହୋଲ୍ ବି ସରଗରମ୍ ରହିଛି। ପାରିକରଙ୍କ ବିୟୋଗରେ ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ସମେତ ଦଳର ପ୍ରମୁଖ ହେଭିୱେଟ ନେତା ସାମିଲ ହୋଇଥିଲେ। ସେପଟେ ଗୋଆ ରାଜ୍ୟପାଳଙ୍କୁ ଗତକାଲି ରାତିରେ ସରକାର ଗଠନ ପାଇଁ ଚିଠି ଲେଖିଛି କଂଗ୍ରେସ। ଗୋଆ କଂଗ୍ରେସ ନେତା ଗିରିଶ ଚୋଡନାକର ଏବଂ ଚନ୍ଦ୍ରକାନ୍ତ କାଲଭେକର ରାଜ୍ୟପାଳ ମ୍ରିଦିଲା ସିହ୍ନାଙ୍କୁ ଚିଠି ଲେଖିଛନ୍ତି। କଂଗ୍ରେସ ରାଜ୍ୟପାଳଙ୍କୁ କହିଛି ଯେ, ସରକାର ଗଠନ ପାଇଁ ରାଜ୍ୟପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ। ରାଜ୍ୟରେ ବିଜେପି ସରକାର ସହ ମେଂଟରେ ଥିବା ବିଭିନ୍ନ ରାଜନୈତିକ ଦଳ ମନୋହର ପାରିକରଙ୍କ ନେତୃତ୍ୱ ସର୍ତ୍ତରେ ସାମିଲ ହୋଇଥିଲେ। ବର୍ତମାନ ବିଜେପି ସହ କୌଣସୀ ସହଯୋଗୀ ନାହାନ୍ତି। ବିରୋଧୀ ନେତା ଚନ୍ଦ୍ରକାନ୍ତ କାବଲେକର ଏବଂ ଗୋଆ କଂଗ୍ରେସ ଅଧ୍ୟକ୍ଷ ଗିରୀଶ ଚୋନ୍ଦାକର ରାଜ୍ୟରେ ତାଙ୍କ ଦଳ ସର୍ବ ବୃହତ ପାର୍ଟି ବୋଲି କହିଛନ୍ତି। ତେବେ ଏହା ମଧ୍ୟରେ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ବିଜେପିରେ ସାମିଲ ହେବା ପାଇଁ ଦିଲ୍ଲୀ ଯାଇଥିବା ଖବରକୁ ଖଣ୍ଡନ କରିବା ସହିତ ତାଙ୍କୁ ଏଭଳି କୌଣସି ଅଫର ଆସିନଥିବା ସେ କହିଛନ୍ତି। ଏପରି ସମୟରେ ଗୋଆର ରାଜନୈତିକ ସ୍ଥିତିକୁ ନେଇ ଚର୍ଚ୍ଚା ଲାଗି ରହିଛି।